Home ଓଡ଼ିଶା ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

121

ନମସ୍କାର।।

ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆନ୍ତର୍ଜାତିକ ଯୋଗ ଦିବସ ହେଉଛି ଏକଜୁଟ ହେବାର ଦିନ। ଏହା ବିଶ୍ୱ ବନ୍ଧୁତ୍ୱର ସଂଦେଶ ବହନ କରିବାର ଦିନ। ଏହା ମାନବିକତାର ଏକତ୍ୱବୋଧକୁ ହୃତୟଙ୍ଗମ କରିବାର ଅବସର। ଯାହା ଆମମାନଙ୍କୁ ସମସ୍ତଙ୍କୁ ଏକତ୍ର ଯୋଡ଼େ, ପରସ୍ପରର ନିକଟତର କରାଏ ତାହାକୁ ହିଁ ତ ଯୋଗ କହନ୍ତି। ଯାହା ଦୂରତ୍ୱକୁ ନିଃଶେଷ କରେ, ତାହା ହିଁ ତ ଯୋଗ।

କରୋନାର ଏଇ ସଂକଟ ଘଡ଼ିରେ ସମଗ୍ର ବିଶ୍ୱର ଲୋକମାନେ “ମୋ ଜୀବନ- ମୋ ଯୋଗ” (ମାଇଁ ଲାଇଫ୍‌- ମାଇଁ ଯୋଗ) ଭିଡ଼ିଓ ବ୍ଲଗିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୂଚୀତ କରେ ଯେ ଯୋଗ ପ୍ରତି ଲୋକମାନଙ୍କ ମନରେ କେତେ ମାତ୍ରାରେ ଉତ୍ସାହ ବୃଦ୍ଧି ପାଇଛି, ଯୋଗ କେତେ ବ୍ୟାପକ ଆକାର ଧାରଣ କରିଛି।

ସାଥୀଗଣ, ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସର ଶୀର୍ଷକ ରଖା ଯାଇଛି “ଘରେ ଯୋଗ, ପରିବାର ସହିତ ଯୋଗ” (Yoga at home and Yoga with family)। ଆଜି ଆମେମାନେ ସମସ୍ତେ ସାମୂହିକ କାର୍ଯ୍ୟକ୍ରମ ଠାରୁ ଦୂରରେ ରହି, ଘରେ ନିଜ ପରିବାରର ସଦସ୍ୟମାନଙ୍କ ସହିତ ମିଶି ଯୋଗାଭ୍ୟାସ କରୁଛେ। ସେଥିରେ ପିଲାମାନେ ଅଛନ୍ତି, ବୟୋଜ୍ୟେଷ୍ଠମାନେ ଅଛନ୍ତି, ଯୁବକ ଅଛନ୍ତି, ସେତେବେଳେ ପୁରା ଘରେ ଏକ ନୂତନ ଆଲୋକର ସଞ୍ଚାର ହେଉଛି। ତେଣୁ ଚଳିତ ବର୍ଷର ଯୋଗ ଦିବସ, ଯଦି ମୁଁ ଏହାକୁ ଅନ୍ୟ ଭାଷାରେ କହିବି ତେବେ ଏହା ଭାବନାତ୍ମକ ଯୋଗର ଦିନ ବୋଲି ବିବେଚନା କରାଯିବ। ଆମର ପାରିବାରିକ ଓ ପାରସ୍ପରିକ ସଂପର୍କକୁ ବଢ଼ାଇବାର ଏକ ଦିନ ବୋଲି ଏହାକୁ କୁହାଯିବ।

ସାଥୀଗଣ,

କରୋନା ବୈଶ୍ୱିକ ମହାମାରୀ କାରଣ ଯୋଗୁ ଆଜି ସମଗ୍ର ବିଶ୍ୱ ଯୋଗର ଆବଶ୍ୟକତାକୁ ପୂର୍ବାପେକ୍ଷା ଅଧିକ ଗମ୍ଭୀରତାର ସହ ଅନୁଭବ କରିବା ଆରମ୍ଭ କରିଛି। ଯଦି ଆମ ଶରୀରରେ ରୋଗ ପ୍ରତିରୋଧୀ ଶକ୍ତି ସୁଦୃଢ଼ ରହିବ ତେବେ ଆମେମାନେ ଏହି ମହାମାରୀକୁ ହରାଇବାରେ ଅଧିକ ସହଯୋଗ ପାଇପାରିବା। ରୋଗ ପ୍ରତିରୋଧୀ ଶକ୍ତିକୁ ବୃଦ୍ଧି କରିବା ନିମନ୍ତେ ଯୋଗର ଅନେକ ବିଧି ରହିଛି, ଅନେକ ପ୍ରକାର ଆସନ ରହିଛି। ସେହିସବୁ ଆସନ ଏଭଳି ଯାହା ଆମର ଶରୀରର ଶକ୍ତି ବଢ଼ାଇବା ସହିତ ଆମର ମେଟାବୋଲିଜମ୍‌କୁ ମଧ୍ୟ ଶକ୍ତିଶାଳୀ କରିଥାଏ।

କିନ୍ତୁ କୋଭିଡ଼ ୧୯ ଭୂତାଣୁ ବିଶେଷ କରି ଆମର ଶ୍ୱସନ ତନ୍ତ୍ର, ଅର୍ଥାତ୍‌ ଆମ ଶରୀରରେ ଶ୍ୱାସକ୍ରିୟା ର ଯେଉଁ ବ୍ୟବସ୍ଥା ରହିଛି ତାହା ଉପରେ ପ୍ରଥମେ ଆକ୍ରମଣ କରିଥାଏ। ଆମର ଶ୍ୱାସକ୍ରିୟାକୁ ସୁଦୃଢ଼ କରିବା ନିମନ୍ତେ ଯାହାଠାରୁ ସର୍ବାଧିକ ସହାୟତା ମିଳିଥାଏ ତାହା ହେଉଛି ପ୍ରାଣାୟାମ ଅର୍ଥାତ୍‌, ନିଶ୍ୱାସପ୍ରଶ୍ୱାସ ନେବାର ଅଭ୍ୟାସ। ସାଧାରଣ ଭାବେ ଅନୁଲୋମ ବିଲୋମ ପ୍ରାଣାୟାମ ହିଁ ଅଧିକ ଲୋକପ୍ରିୟ ଅଟେ। ଏହା ବେଶ୍‌ ପ୍ରଭାବୀ ମଧ୍ୟ। ତେବେ ପ୍ରାଣାୟାମ ଅନେକ ପ୍ରକାରର। ସେଥିରେ ଶୀତଳୀ, କପାଳଭାରତି, ଭ୍ରାମରୀ, ଭସ୍ତ୍ରିକା ଏହି ସବୁ ମଧ୍ୟ ଥାଏ। ଏମିତି ଏମିତି ଆହୁରି ଅନେକ ପ୍ରକାରର ପ୍ରାଣାୟାମ ରହିଛି।

ଯୋଗର ଏହି ସବୁ ବିଧି, ଏହି ସବୁ ଟେକନିକ୍‌, ଆମର ଶ୍ୱାସକ୍ରିୟା ବ୍ୟବସ୍ଥା ଏବଂ ରୋଗ ପ୍ରତିରୋଧୀ ବ୍ୟବସ୍ଥା ଉଭୟକୁ ମଜଭୁତ କରିବାରେ ବିଶେଷ ସହାୟକ ହୋଇଥାଏ। ସେଥିପାଇଁ ଆପଣମାନଙ୍କୁ ମୋର ବିଶେଷ ନିବେଦନ ଯେ ଆପଣମାନେ ପ୍ରାଣାୟାମକୁ ନିଜର ଦୈନିକ ଅଭ୍ୟାସରେ ନିଶ୍ଚିତ ଭାବେ ସାମିଲ କରନ୍ତୁ। ଏବଂ ଅନୁଲୋକ ବିଲୋମ ସହିତ ଆହୁରି ଅନେକ ପ୍ରାଣାୟାମର ଟେକନିକ୍‌ ବି ଶିଖନ୍ତୁ, ଏହାକୁ ସିଦ୍ଧ କରନ୍ତୁ। ଯୋଗର ଏତିକି ପଦ୍ଧତିର ଲାଭ ଢ଼େର୍‌ ମାତ୍ରାରେ ଆଜି ପୁରା ସଂସାରରୁ କୋଭିଡ଼ ୧୯ ରୋଗୀମାନେ ନେଇ ପାରୁଛନ୍ତି। ଯୋଗର ଶକ୍ତି ଦ୍ୱାରା ସେମାନଙ୍କୁ ଏହି ବେମାରୀକୁ ହରାଇବାର ଶକ୍ତି ମିଳିପାରୁଛି।

ସାଥୀଗଣ,

ଯୋଗରୁ ଆମକୁ ସେଇ ଆତ୍ମବିଶ୍ୱାସ ଏବଂ ମନୋବଳ ମିଳିଥାଏ ଯାହା ଦ୍ୱାରା ଆମେମାନେ ସବୁ ପ୍ରକାରର ସଂକଟ ସହ ସଂଘର୍ଷ କରିପାରିବା, ଜିତି ମଧ୍ୟ ପାରିବା। ଯୋଗ ଦ୍ୱାରା ଆମକୁ ମାନସିକ ଶାନ୍ତି ମଧ୍ୟ ମିଳିବ, ସଂଯମ ଏବଂ ସହନଶୀଳତା ବି ପ୍ରାପ୍ତ ହେବ। ସ୍ୱାମୀ ବିବେକାନନ୍ଦ କହିଥିଲେ- “ଜଣେ ଆଦର୍ଶ ବ୍ୟକ୍ତି ବୋଲି ତାଙ୍କୁ ବିବେଚନା କରାଯିବ ଯିଏ ନିତାନ୍ତ ନିର୍ଜନ ସ୍ଥାନରେ ସୁଦ୍ଧା କ୍ରିୟାଶୀଳ ରହିଥାଏ ଏବଂ ଅତ୍ୟଧିକ ଗତିଶୀଳତାରେ ସୁଦ୍ଧା ସଂପୂର୍ଣ୍ଣ ଶାନ୍ତି ଅନୁଭବ କରିଥାଏ”।

ଯେକୌଣସି ବ୍ୟକ୍ତି ସକାଶେ ଏହା ଏକ ବହୁତ ବଡ଼ କ୍ଷମତା ହୋଇଥାଏ। ଯେତେବେଳେ ମଣିଷ ଘୋର ପ୍ରତିକୂଳ ପରିସ୍ଥିତିରେ ଥାଏ ସେତେବେଳେ ନିଜକୁ ସକ୍ରିୟ ରଖିବା, ଥକିପଡ଼ି ହାର ନମାନିବା, ମାନସିକ ଓ ଶାରୀରିକ ସ୍ତରରେ ସନ୍ତୁଳିତ ରହିବା, ଏ ସବୁ କଥା ଯୋଗ ମାଧ୍ୟମରେ ହିଁ ଆମ ଜୀବନରେ ସ୍ଥାନ ପ୍ରାପ୍ତ ହୋଇଥାଏ। ଆମ ଜୀବନକୁ ଶକ୍ତି ଯୋଗାଇଥାଏ। ସେଥିପାଇଁ, ଆପଣମାନେ ସମସ୍ତେ ଲକ୍ଷ୍ୟ କରିଥିବେ, ଅନୁଭବ ମଧ୍ୟ କରିଥିବେ, ଜଣେ ଯୋଗ ସାଧକ କେତେବେଳେ ହେଲେ ସଂକଟର ଘଡ଼ିରେ ଧୈର୍ଯ୍ୟହରା ହୋଇ ନଥାନ୍ତି।

ଯୋଗର ଅର୍ଥ ହେଉଛି- “ସମତ୍ୱମ୍‌ ଯୋଗ ଉଚ୍ୟତେ”, ଅର୍ଥାତ୍‌, ଅନୁକୂଳତା-ପ୍ରତିକୂଳତା, ସଫଳତା-ବିଫଳତା, ସୁଖ-ଦୁଃଖ, ପ୍ରତ୍ୟେକ ପରିସ୍ଥିତିରେ ସମଭାବାପନ୍ନ ରହିବା, ଅତୁଟ ରହିବାର ନାମ ହେଉଛି ଯୋଗ।

ବନ୍ଧୁଗଣ,

ଏକ ସୁସ୍ଥ ବିଶ୍ୱ ଖୋଜିବା ପ୍ରୟାସରେ ଯୋଗ ଆମକୁ ସହାୟତା କରିଥାଏ। ଏହା ଏକତାର ଏକ ମହାଶକ୍ତି ରୂପେ ଉଭା ହୋଇଛି ଯାହା ମାନବ ସମାଜକୁ ଏକତା ସୂତ୍ରରେ ଯୋଡ଼ି ରଖିବାର ସବୁଠାରୁ ବଡ଼ ଶକ୍ତି। ଯୋଗ ପରସ୍ପର ମଧ୍ୟରେ କୌଣସି ପ୍ରକାର ବୈଷମ୍ୟ ସୃଷ୍ଟି କରିବାର ଚିନ୍ତା ଉଦ୍ରେକ କରିନଥାଏ। ଏହା ଜାତି, ଧର୍ମ, ବର୍ଣ୍ଣ, ଆସ୍ଥା ଓ ରାଷ୍ଟ୍ରର ସୀମା ଲଙ୍ଘି ଆଗକୁ ଅଗ୍ରସର ହୋଇଥାଏ।

ଯେକୌଣସି ବ୍ୟକ୍ତି ଯୋଗକୁ ଆପଣାଇ ପାରିବ। ଏଥିପାଇଁ କେବଳ ଆପଣମାନଙ୍କୁ କିଛି ସମୟ ବାହାର କରିବାକୁ ପଡ଼ିବ ଏବଂ କିଛି ମୁକ୍ତ ସ୍ଥାନ। ଯୋଗ ଆମକୁ କେବଳ ଶାରୀରିକ ସାମର୍ଥ୍ୟ ଯୋଗାଇ ନଥାଏ ଅପରନ୍ତୁ ମାନସିକ ସନ୍ତୁଳନ ଏବଂ ଆବେଗିକ ସ୍ଥିରତା ପ୍ରଦାନ କରିବା ସହ ଆମ ସମ୍ମୁଖରେ ଥିବା ସକଳ ପ୍ରକାର ସମସ୍ୟାକୁ ଦୃଢ଼ ଆତ୍ମବିଶ୍ୱାସର ସହ ମୁକାବିଲା କରିବାର ସାମର୍ଥ୍ୟ ପ୍ରଦାନ କରିଥାଏ।

ବନ୍ଧୁଗଣ,

ଆମେମାନେ ଯଦି ଆମର ସ୍ୱାସ୍ଥ୍ୟ ଓ ଆଶାର ସୂତ୍ରକୁ ସୁଚିନ୍ତିତ ଭାବେ ସକ୍ରିୟ କରିପାରିବା, ତେବେ ସେଦିନ ଆଉ ବେଶୀ ଦୂର ନୁହେଁ ଯେତେବେଳେ ସମଗ୍ର ବିଶ୍ୱ ଏକ ସଫଳ, ସୁସ୍ଥ ଏବଂ ସୁନ୍ଦର ମାନବସମାଜକୁ ନିଜ ଆଖି ଆଗରେ ଦେଖିପାରିବ। ଯୋଗ ଆମକୁ ଏଭଳି କାର୍ଯ୍ୟ ସଫଳ ହେବାରେ ଅବଶ୍ୟ ସହାୟକ ହେବ।

ସାଥୀଗଣ,

ଯେତେବେଳେ ଆମେ ଯୋଗ ମାଧ୍ୟମରେ ସମସ୍ୟାଗୁଡ଼ିକର ସମାଧାନ କରାଯିବାର କଥା କହୁଛେ, ସେତେବେଳେ ବିଶ୍ୱ କଲ୍ୟାଣର କଥା ହିଁ ଆମ କଣ୍ଠରୁ ବାହାରୁଛି। ସେଇଥିପାଇଁ ଯୋଗେଶ୍ୱର କୃଷ୍ଣଙ୍କ କର୍ମଯୋଗ ସଂପର୍କରେ ମୁଁ ଆପଣମାନଙ୍କୁ ପୁଣି ଥରେ ସ୍ମରଣ କରାଇ ଦେବାକୁ ଚାହୁଁଛି। ଗୀତାରେ ଭଗବାନ କୃଷ୍ଣ ଯୋଗର ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି- “ଯୋଗଃ କର୍ମସୁ କୌଶଳମ୍‌” ଅଥାତ୍‌, କର୍ମର କୁଶଳତା ହିଁ ଯୋଗ। Efficiency in Action is Yoga। ଏହି ମନ୍ତ୍ର ସଦାସର୍ବଦା ଆମକୁ ଶିଖାଇଥାଏ ଯେ ଯୋଗ ଦ୍ୱାରା ଜୀବନରେ ଅଧିକ ଯୋଗ୍ୟ ହେବାର କ୍ଷମତା ସୃଷ୍ଟି ହୋଇଥାଏ। ଯଦି ଆମେ ଆମର ସମସ୍ତ କାର୍ଯ୍ୟ ଅନୁଶାସନ ଅନୁସାରେ କରିବା, ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବା ତେବେ ତାହା ମଧ୍ୟ ଏକ ପ୍ରକାର ଯୋଗ ପଦବାଚ୍ୟ।

ସାଥୀଗଣ,

କର୍ମଯୋଗର ଏହା ଏକ ବିସ୍ତାରଣ ବୋଲି ବିବେଚନା କରାଯିବ। ଆମର ଏଠାରେ କୁହାଯାଏ-

“ଯୁକ୍ତ ଆହାର ବିହାରସ୍ୟ, ଯୁକ୍ତ ଚେଷ୍ଟସ୍ୟ କର୍ମସୁ।

ଯୁକ୍ତ ସ୍ୱପ୍ନା-ବ-ବୋଧସ୍ୟ, ଯୋଗୋ ଭବତି ଦୁଃଖହା।।

ଅର୍ଥାତ୍‌, ଉଚିତ ଖାଦ୍ୟ ଓ ପେୟ, ଉଚିତ ଢ଼ଙ୍ଗରେ ଖେଳକୁଦ, ଶୋଇବା- ଜାଗ୍ରତ ହେବାର ଉଚିତ ଅଭ୍ୟାସ, ଏବଂ ନିଜର କାର୍ଯ୍ୟ, ନିଜର କର୍ତ୍ତବ୍ୟକୁ ଉଚିତ ଢ଼ଙ୍ଗରେ କରିବା ତ ଯୋଗ। ଏହି କର୍ମଯୋଗରୁ ହିଁ ତ ଆମମାନଙ୍କୁ ସମସ୍ତଙ୍କୁ ସବୁ ପ୍ରକାର ସଂକଟ ଓ ସମସ୍ୟାର ସମାଧାନର ସୂତ୍ର ମିଳିଥାଏ। କେବଳ ସେତିକି ନୁହେଁ, ଆମର ଏଠାରେ ନିଷ୍କାମ କର୍ମକୁ, କୌଣସି ସ୍ୱାର୍ଥ ବିନା ସମସ୍ତଙ୍କର ଉପକାର କରିବା ଭଳି ଭାବନାକୁ ମଧ୍ୟ କର୍ମଯୋଗ ବୋଲି କୁହାଯାଏ। କର୍ମଯୋଗୀର ଏଭଳି ଚିନ୍ତନ, ଭାରତର ଧମନୀରେ ପ୍ରବାହିତ। ଯେତେବେଳେ ଆବଶ୍ୟକ ପଡ଼ିଛି, ଭାରତର ଏଭଳି ନିଃସ୍ୱାର୍ଥ ଭାବକୁ ସମଗ୍ର ବିଶ୍ୱ ଅନୁଭବ କରିଛି।

ସାଥୀଗଣ,

ଯେତେବେଳେ ଆମେମାନେ ଯୋଗ ଦ୍ୱାରା ପରିଚାଳିତ, କର୍ମଯୋଗର ଭାବନାରେ ଆଗକୁ ଅଗ୍ରସର ହେଉଛେ, ସେତେବେଳେ ବ୍ୟକ୍ତି ଭାବେ, ସମାଜିକ ସ୍ତରରେ, ଦେଶ ସ୍ତରରେ ଆମର ଶକ୍ତି ଢ଼େର୍‌ ଗୁଣରେ ବଢ଼ିଯାଇଥାଏ। ଆଜି ଆମେ ଏହି ଭାବନାର ସଂକଳ୍ପ ନେବାର ଅଛି- ଆମେମାନେ ଆମର ସ୍ୱାସ୍ଥ୍ୟ ନିମନ୍ତେ, ନିଜର ସୁସ୍ଥତା ସକାଶେ ସବୁ ପ୍ରକାର ପ୍ରୟାସ କରିବୁ। ଏକ ସଜାଗ ନାଗରିକ ଭାବେ ଆମେ ପରିବାର ଓ ସାମାଜିକ ସ୍ତରରେ ଏକଜୁଟ ହୋଇ ଆଗକୁ ଅଗ୍ରସର ହେବୁ।

ଆମେ ସବୁ ପ୍ରକାର ପ୍ରୟାସ କରିବା ଯେ “ଘରେ ଯୋଗ ଏବଂ ପରିବାର ସହିତ ଯୋଗ” (Yoga at home and Yoga with family)କୁ ନିଜ ଜୀବନର ଏକ ଅଂଶରେ ପରିଣତ କରିବା। ଯଦି ଆମେମାନେ ଏହା କରିବା, ତେବେ ଆମକୁ ସଫଳତା ନିଶ୍ଚୟ ମିଳିପାରିବ, ଆମେ ନିଶ୍ଚୟ ବିଜୟୀ ହୋଇପାରିବା। ଏହି ବିଶ୍ୱାସର ସହ, ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ଯୋଗ ଦିବସର ଶୁଭକାମନା ଜଣାଉଛି।

ଲୋକାଃ ସମସ୍ତାଃ ସୁଖିନୋ ଭବନ୍ତୁ।।

ଓମ୍‌।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.