Home Top News ଆଜି ହୋଇପାରେ ଓଡ଼ିଶା ବିଜେପିର ନବକଳେବର: ଆଶା ଓ ଆଶଙ୍କାରେ ଅନେକ ନେତାନେତ୍ରୀ ..

ଆଜି ହୋଇପାରେ ଓଡ଼ିଶା ବିଜେପିର ନବକଳେବର: ଆଶା ଓ ଆଶଙ୍କାରେ ଅନେକ ନେତାନେତ୍ରୀ ..

67

ଭୁବନେଶ୍ୱର: ଆଜି ହୋଇପାରେ ଓଡ଼ିଶା ବିଜେପିର ନବକଳେବର! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଘୋଷଣା କରିପାରନ୍ତି ନୂତନ ରାଜ୍ୟ ବିଜେପି ଟିମ୍, ବିଭିନ୍ନ ମୋର୍ଚ୍ଚା ପ୍ରମୂଖ ଏବଂ କାର୍ଯ୍ୟକାରିଣୀ। ଏହା ସହ ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ପ୍ରାୟ ଅଧିକାଂଶ ଜିଲ୍ଲା ସଭାପତି ପରିବର୍ତ୍ତନ ହୋଇ ଘୋଷଣା ହୋଇପାରନ୍ତି ନୂଆ ସଭାପତି। ମନମୋହନ ସାମଲ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ମନମୋହନଙ୍କ ସହିତ ଦିଲ୍ଲୀ ଯାଇଥିଲେ। ମାନସ ମହାନ୍ତି ଓଡ଼ିଶା ଫେରି ସାରିଛନ୍ତି। ମନମୋହନ ଆଜି ଦିଲ୍ଲୀରୁ ଫେରିପାରନ୍ତି। ମନମୋହନ ଫେରିଲା ପରେ ଘୋଷଣା ହୋଇପାରେ ରାଜ୍ୟ ବିଜେପି ଟିମ୍, ରାଜ୍ୟ କାର୍ଯ୍ୟକାରିଣୀ, ବିଭିନ୍ନ ମୋର୍ଚ୍ଚା ପ୍ରମୂଖ ଏବଂ ନୂତନ ଜିଲ୍ଲା ସଭାପତିଙ୍କ ନାମ। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୩ ତାରିଖରେ ମନମୋହନ ସାମଲ ଓଡ଼ିଶା ବିଜେପିର ନୂତନ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସଭାପତି ପରିବର୍ତ୍ତନ ପରେ ରାଜ୍ୟ ଟିମ୍ ପରିବର୍ତ୍ତନ ଏକ ସ୍ବଭାବିକ ପ୍ରକ୍ରିୟା। ମନମୋହନ ତାଙ୍କ ନୂଆ ଟିମ୍ ଘୋଷଣା କରିବା କଥା। ୪ ମାସ ବିତିଗଲା। କିନ୍ତୁ, ଏ’ ପର୍ଯ୍ୟନ୍ତ ମନମୋହନ ସାମଲ ଘୋଷଣା କରିନାହାଁନ୍ତି ତାଙ୍କ ନୂଆ ଟିମ୍। କାଲି କାଲି କହିକହି ଗଡ଼ୁଛି ଦିନ ବୋଲି ଦଳ ଭିତରେ ଆଲୋଚନା ଚାଲିଛି। କିନ୍ତୁ, ସୂଚନା ଅନୁଯାୟୀ ଆଉ ହେବନି ବିଳମ୍ବ। ଦିଲ୍ଲୀରୁ ଫେରିବା ମାତ୍ରେ ଆଜି କାଲି ଭିତରେ ହୋଇଯିବ ଟିମ୍ ଘୋଷଣା। ଏହାକୁ ନେଇ ଆଶା ଓ ଆଶଙ୍କାରେ ଅନେକ ନେତାନେତ୍ରୀ। କାରଣ ସୂଚନା ମୁତାବକ ଦଳରେ ହେବ ଆମୂଳଚୂଳ ପରିବର୍ତ୍ତନ! ଚାଟୁକାରୀ କରି ପୂର୍ବ ଟିମରେ ରହିଥିବା ଗୁଡ଼ାଏ ଅପଦାର୍ଥଙ୍କୁ ହଟାଇ ଟିମ୍ ପୂରା ନବକଳେବର କରାଯିବା ନେଇ ଯୋଜନା ସରିଛି। ଯାହାକୁ କୁଆଡ଼େ ଗ୍ରହଣ କରି ପାରୁନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଯାଏଁ ନିଜକୁ ଓଡ଼ିଶା ବିଜେପିର ମୁଣ୍ଡିଆଳ ବୋଲାଇ ଆସୁଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଆଦୌ ହଜମ୍ କରିପାରୁ ନାହାଁନ୍ତି। ନୂତନ ଟିମ୍ ଘୋଷଣା ଦିଗରେ ଆଡ଼ ସାଜିଛନ୍ତି ମନ୍ତ୍ରୀ। କିନ୍ତୁ ସେ ସବୁ କିଛି କାମ ଦେବନି।ଓଡ଼ିଶା ବିଜେପିର ହେବ ସଂପୂର୍ଣ୍ଣ ଓପନ୍ ହାର୍ଟ ସର୍ଜରୀ! ନବ କଳେବର ହେବ ଓଡ଼ିଶା ବିଜେପି! ଦଳରେ ହେବ ଆମୂଳଚୂଳ ପରିବର୍ତ୍ତନ। ରାଜ୍ୟ କ’ଣ, ବଦଳିଯିବେ ଅନେକ ଗୁଡ଼ିଏ ଜିଲ୍ଲା ସଭାପତି। ପ୍ରଭାବ ହରାଇବେ ସ୍ୱୟଂ ମନ୍ତ୍ରୀ ଏବଂ ଦୀର୍ଘ ହେଲା ଦଳରେ ଆଧିପତ୍ୟ ବସାଇ ଆସିଥିବା ଏକ ବଡ଼ ଗୋଷ୍ଠୀ ଏବଂ ଓଡ଼ିଶା ବିଜେପିରେ ଏଣିକି ଖେଳ କରିବେ ଏମ୍ଏମ୍ଏସ୍! ଏମ୍ଏମ୍ଏସ୍ ଅର୍ଥାତ୍ ମନମୋହନ – ମାନସ – ସୁନୀଲ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ଓଡ଼ିଶା ବିଜେପିକୁ କରାଯିବ ପୁନଃସଙ୍ଗଠିତ ଏବଂ ଓଡ଼ିଶା ବିଜେପିରେ ଝଡ଼ ସୃଷ୍ଟି କରିବେ ଏମ୍ଏମ୍ଏସ୍ (ମନମୋହନ – ମାନସ – ସୁନୀଲ) ଯୋଡ଼ି ବୋଲି ଆଲୋଚନା ଚାଲିଛି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.