ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଥିଲେ ଏକାଧାରରେ ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ। ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ପ୍ରଭାବଶାଳୀ ବକ୍ତା ଭାବେ ପରିଚିତ। ଦୟାନନ୍ଦଙ୍କ ମତ ଥିଲା ମୃତ ବ୍ୟକ୍ତିକୁ ଶ୍ରାଦ୍ଧ ତର୍ପଣ ନଦେଇ ଜୀବିତ ପିତାମାତା ଓ ବୃଦ୍ଧ ବ୍ୟକ୍ତିକୁ ସେବା କରିବା ହେଲା ପିତୃଯଜ୍ଞ। ଫଳିତ ଜ୍ୟୋତିଷ, ସାମୁଦ୍ରିକ ବିଦ୍ୟା, ହସ୍ତରେଖା ଆଦି ଅଯଥାର୍ଥ ଓ ଅନାବଶ୍ୟକ କାମ। ଲୈାକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟ ପ୍ରତି ନିଷ୍ଠା ବଳରେ ପ୍ରାଣୀ ଫଳପ୍ରାପ୍ତ ହୁଅନ୍ତି ପ୍ରତିମା ପୂଜା ଦ୍ୱାରା ନୁହେଁ। ତାଙ୍କର ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବାକୁ ଯାଇ ସେ ଅପୌତ୍ତଳିକତା ଓ ନିଚ୍ଛକ ବୈଦିକ ସତ୍ୟର ଆଲୋଚନା ପାଇଁ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ। ଆର୍ଯ୍ୟ ସମାଜ ଜରିଆରେ ଶିକ୍ଷାର ପ୍ରସାର କରାଇ ନାରୀକୁ ପୁରୁଷ ସହ ସମାନ ଅଧିକାର ଦେବାର ଯୁକ୍ତି ସେ ଦର୍ଶାଇଥିଲେ। ସେତେବେଳେ ବାଲ୍ୟ ବିବାହ ପ୍ରଚଳିତ ଥିଲା। ଦୟାନନ୍ଦ ଏହାର ବିରୋଧ କରିଥିଲେ। ପରିପକ୍ୱ ବୟସରେ ଦାୟିତ୍ୱ ଜ୍ଞାନ ଆସିବା ପରେ ବିବାହ କଲେ ସ୍ତ୍ରୀ ପୁରୁଷ ସମର୍ଥବନ୍ତ ହୁଅନ୍ତି ଓ ବିବାହ ସଫଳ ହୁଏ ବୋଲି କହି ସେ ଘୋର ସାମାଜିକ ବିରୋଧର ସମ୍ମୁଖୀନ ହେଲେ। ପରବର୍ତ୍ତୀ କାଳରେ ତାଙ୍କ ଯୁକ୍ତିର ସାରବତ୍ତାକୁ ଶିକ୍ଷିତ ଲୋକେ ଗ୍ରହଣ କରିନେଲେ ଓ ସେ ସଫଳ ହୋଇପାରିଲେ। ଏଥିସହିତ ସେ ବିଧବା ବିବାହର ସପକ୍ଷରେ ଯୁକ୍ତି କରି ଓ ଅନେକ କ୍ଷେତ୍ରରେ ବିଧବା ବିବାହ କରାଇ ବହୁ ତର୍କର ସମ୍ମୁଖୀନ ହେଇଥିଲେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୟାନନ୍ଦଙ୍କର ମତ ଓ ପଥ ଅତି ପ୍ରାସଙ୍ଗିକ ଓ ଯୁକ୍ତି ସମ୍ମତ ଥିଲା। ବାସ୍ତବ ଜୀବନରେ ଏହାର ପ୍ରୟୋଗରେ ସଫଳତା ଉପଲବ୍ଧ ହେଉଥିବା ଦୃଷ୍ଟିରୁ ଦୟାନନ୍ଦ ସରସ୍ୱତୀ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିପାରିଥିଲେ। ଶିକ୍ଷିତ ଗୋଷ୍ଠୀରେ ଆର୍ଯ୍ୟ ସମାଜ ବେଶ୍ ଗ୍ରହଣୀୟ ହୋଇ ପାରିଥିଲା।
ମୂଳାଶଙ୍କର ଅମ୍ବାଶଙ୍କର ରୁ ଦୟାନନ୍ଦ ସରସ୍ୱତୀ –
ଦୟାନନ୍ଦଙ୍କର ପିଲାଦିନର ନାମ ଥିଲା ମୂଳାଶଙ୍କର ଅମ୍ବାଶଙ୍କର। ୧୮୨୪ ମସିହାରେ ସୌରାଷ୍ଟ୍ର (କାଠିଆବାଡ)ର ମୋରଜୀ ନାମକ ଭୂତପୂର୍ବ ଦେଶୀୟ ରାଜ୍ୟର ଏକ ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ। ତାଙ୍କର ମାତାଙ୍କର ନାମ ଥିଲା ଅମୂବା ବା ଅମୃତବେନ। ପିତାଙ୍କର ନାମ ଥିଲା କରଷନଜୀ ବା କର୍ଷନ ତିଓ୍ୱାରୀ। ତାଙ୍କ ପରିବାରରେ ଭଗବାନ ଶଙ୍କରଙ୍କର ଆରାଧନା କରାଯାଏ। ଥରେ ଶିବରାତ୍ରି ଦିନ ମୂଳାଶଙ୍କର ଅମ୍ବାଶଙ୍କରଙ୍କର ବାପା ତାଙ୍କୁ ରାତି ଉଜାଗର ରହି ଧ୍ୟାନ ପୂର୍ବକ ଶିବଦର୍ଶନ କରିବାରେ ଉପଦେଶ ଦେଲେ। ଅମ୍ବାଶଙ୍କରଙ୍କର ପିତୃବାକ୍ୟ ପ୍ରତି ଗଭୀର ବିଶ୍ୱାସ ରହିଥିଲା। ଶିବ ଭକ୍ତିରେ ଉପବାସ କରି ରାତ୍ରି ଉଜାଗର ରହି ସେ ଶିବ ମନ୍ଦିରରେ ଦୀପ ଜାଳି ବସିଲେ। ଅର୍ଦ୍ଧରାତ୍ରି, ଚାରିଆଡ଼େ ନିସ୍ତବ୍ଧ। ମୂଷାଟିଏ ଆସି ଶିବଲିଙ୍ଗ ଉପରେ ଚଢ଼ି ପ୍ରସାଦ ରୂପେ ଅର୍ପିତ ତଣ୍ଡୁଳାଦିକୁ ଭକ୍ଷଣ କରିବାକୁ ଲାଗିଲା। ଦେବତାଙ୍କ ଉପରେ ମୂଷିକର ଆକ୍ରମଣ ଅଥଚ ଦେବତା ନିଷ୍କ୍ରିୟ। ଏହି ପ୍ରତ୍ୟକ୍ଷ ଅନୁଭବ ମୂଳାଶଙ୍କରଙ୍କର ଜୀବନର ଗତିପଥରେ ପରିବର୍ତ୍ତନ ଆଣିଲା। ମୂର୍ତ୍ତିପୂଜା ପ୍ରତି ତାଙ୍କର ଅବିଶ୍ୱାସ ଜାତ ହେଲା। ତାଙ୍କ ପରିବାରରେ ଦୁଇଭାଇ ଓ ଜଣେ ଭଉଣୀର ମୃତ୍ୟୁ ଘଟିଲା। ଏହା ତରୁଣ ମୂଳାଶଙ୍କରଙ୍କ ପ୍ରାଣକୁ ଦୋହଲାଇ ଦେଇଥିଲା। ଇଶ୍ୱରତା ଲାଭ ଉଦ୍ଦେଶ୍ୟରେ ମୂଳାଶଙ୍କର ମାତ୍ର ୧୫ ବର୍ଷ ବୟସରେ ଗୃହତ୍ୟାଗ ପୂର୍ବକ ମଥୁରା ଚାଲିଗଲେ। ସେଠାରେ ସେ ବିରଜାନନ୍ଦ ସରସ୍ୱତୀଙ୍କୁ ଗୁରୁ କରି ତାଙ୍କର ତତ୍ତ୍ୱାବଧାନରେ ସକଳ ବେଦ ଅଧ୍ୟୟନ କଲେ। ସନ୍ନ୍ୟାସ ଦୀକ୍ଷା ଗ୍ରହଣ କ୍ରମେ ତାଙ୍କର ନୂତନ ନାମ ହେଲା ଦୟାନନ୍ଦ। ବେଦାଧ୍ୟୟନ ଓ ତାହାର ଗୂଢ଼ ନିହିତାର୍ଥ ବ୍ୟାଖ୍ୟାରୁ ତାଙ୍କର ଗଭୀର ଜ୍ଞାନର ପରିଚୟ ମିଳିଥିଲା। ସେ ବହୁ ପ୍ରତିବାଦୀ ପଣ୍ଡିତ ମାନଙ୍କ ସହ ତର୍କ ଆଲୋଚନା କରି ବିଜୟୀ ହୋଇଥିଲୋ ତାଙ୍କୁ ସରସ୍ୱତୀ ଉପାଧି ପ୍ରଦାନ କରାଯାଇଥିଲା। ସନ୍ନ୍ୟାସୀ ଦୟାନନ୍ଦଙ୍କୁ ସ୍ୱାମୀଜୀ ଆଖ୍ୟା ପ୍ରଦାନ କରାଗଲା। ସନ୍ନ୍ୟାସୀ ଦୟାନନ୍ଦ ଏହାପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନାମରେ ପରିଚିତ ହେଲେ। ବୈଦିକ ଜ୍ଞାନର ସରଳ ତତ୍ତ୍ୱ ପାଇଁ ସତ୍ୟାର୍ଥ ପ୍ରକାଶ (୧୮୭୫) ନାମକ ତାତ୍ତ୍ୱିକ ପୁସ୍ତକ ରଚନା କରିଥିଲେ । ଦୟାନନ୍ଦ ପିତୁଳା ପୂଜାର ଅସାରତା ଓ ପୁରୋହିତ ମାଧ୍ୟମରେ ପୂଜାର୍ଚ୍ଚନାର ପ୍ରତିବାଦ ଜଣାଇ ପ୍ରଥମ ଅବସ୍ଥାରେ ମୌଳବାଦୀ ମାନଙ୍କର ଅପ୍ରିୟ ଭାଜନ ହେଇଥିଲେ।
ବିପ୍ଲବୀ ସନ୍ୟାସୀ –
ଜାନୁଆରୀ ୧୮୭୩ରେ କଲିକତାର ଆର୍ଚ ବିଶପଙ୍କ ଅନୁରୋଧକ୍ରମେ ତତ୍କାଳୀନ ବଡ଼ଲାଟ ନର୍ଥବ୍ରୁକଙ୍କ ସହ ଦୟାନନ୍ଦଙ୍କର ସାକ୍ଷାତ ଆଲୋଚନା ହୋଇଥିଲା। ଏଥିପୂର୍ବରୁ ବଡ଼ଲାଟଙ୍କୁ ସୂଚନା ଦିଆଯାଇଥିଲା କି ସ୍ୱାମୀ ଦୟାନନ୍ଦ ହେଲେ ଜଣେ ସଂସ୍କୃତି ସଂପର୍ଣ୍ଣ ବେଦପଣ୍ଡିତ ତଥା ସଂସ୍କାରକ । ସାକ୍ଷାତକାରରେ ବଡ଼ଲାଟ ସ୍ୱାମୀଜୀଙ୍କର ପ୍ରଶଂସା ପୂର୍ବକ ଇଂଲଣ୍ଡର ରାଣୀ ଓ ଇଂରେଜ ସରକାରଙ୍କର ବିଜୟ ପାଇଁ ପ୍ରାର୍ଥନା କରିବାକୁ କହିବାରୁ ଦୟାନନ୍ଦ ସରସ୍ୱତୀ ତତକ୍ଷଣାତ ଉତ୍ତର ଦେଇଥିଲେ, ବର୍ତ୍ତମାନ ନୁହେଁ। ବର୍ତ୍ତମାନର ପ୍ରାର୍ଥନା ହେଲା ଭାରତବର୍ଷ ବିଦେଶୀ ଶାସନରୁ ମୁକ୍ତିଲାଭ କରୁ। ବଡ଼ଲାଟ ସ୍ୱାମୀଜୀଙ୍କର ନିର୍ଭୀକ ବଚନରେ ସ୍ତବ୍ଧ ହେଲେ। ଲଣ୍ଡନରେ ଥିବା ଭାରତ ସଚିବଙ୍କ ନିକଟକୁ ଚିଠି ଦେଲେ- ସ୍ୱାମୀ ଦୟାନନ୍ଦ ଜଣେ ବିପ୍ଲବୀ ସନ୍ନ୍ୟାସୀ। ତାଙ୍କ ରାଜନୀତିକ ବିଚାର ଇଂରେଜ ଶାସନର ପରିପନ୍ଥୀ। ୧୮୫୭ ରୁ ୧୮୬୦ ପର୍ଯ୍ୟନ୍ତ ତିନିବର୍ଷ ଦୟାନନ୍ଦ ଅଜ୍ଞାତବାସରେ ଥିଲେ। ତାହା ଥିଲା ସିପାହୀ ବିଦ୍ରୋହର ସମୟ। ସ୍ୱାମୀଜୀ ଥିଲେ ନାନା ସାହେବ, ଆଜିମୁଲ୍ଲା ଖାଁ, କୁମ୍ବର ସିଂହ, ରାଣୀ ଲକ୍ଷ୍ମୀବାଈ ଆଦି ସିପାହୀ ବିଦ୍ରୋହର ମହାନ କ୍ରାନ୍ତିକାରୀ ମାନଙ୍କର ପରାମର୍ଶଦାତା ତଥା ପଥପ୍ରଦର୍ଶକ। ୧୮୭୫, ଅପ୍ରେଲ ୦୭ ତାରିଖ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ନଗରର ଗିରିଗାଁଓ ଅଞ୍ଚଳର ଡକଫର ମାଣିକଚାନ୍ଦଙ୍କ ବଗିଚାରେ ସ୍ୱାମୀଜୀ ଆର୍ଯ୍ୟସମାଜ ପ୍ରତିଷ୍ଠା କଲେ। ବେଦମନ୍ତ୍ର ପଠନ କରାଗଲା। ଆର୍ଯ୍ୟ ସମାଜର ଦୃଷ୍ଟିଭଙ୍ଗୀ ବିଜ୍ଞାନ ସମ୍ମତ ଓ ପ୍ରଗତିଧର୍ମୀ। ମୂର୍ତ୍ତିପୂଜନ ଓ ଅବତାରବାଦକୁ ଏଡ଼ାଇ ଏକେଶ୍ୱର ଉପାସନା ପାଇଁ ଆହ୍ୱାନ କରାଗଲା। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ବେଦପାଠ କରିପାରିବେ। ସ୍ତ୍ରୀ ବା ଶୁଦ୍ରଙ୍କ ପାଇଁ କୌଣସି ବାରଣ ନାହିଁ। ସମସ୍ତେ ପ୍ରଭୁଙ୍କର ସନ୍ତାନ। ବେଦପାଠ ଓ ଯୋଗ ସାଧନରେ ସମସ୍ତଙ୍କର ଅଧିକାର ଅଛି। ମନୁଷ୍ୟର ଜାତି (ବର୍ଣ୍ଣ) ଜନ୍ମରୁ ହୁଏ ନାହିଁ। ତାହା ଗୁଣ- କର୍ମ ସ୍ୱଭାବରୁ ନିର୍ଣ୍ଣିତ ହୁଏ। ସେଠାରେ ଗୁରୁକୁଳ, ଅନାଥାଶ୍ରମ, ଯୋଗାଶ୍ରମ, ବାନପ୍ରସ୍ଥାଶ୍ରମ ଆଦି ଜନକଲ୍ୟାଣକାରୀ ସଂସ୍ଥା ସ୍ଥାପନର ସଂକଳ୍ପ ନିଆଗଲା। ଆର୍ଯ୍ୟସମାଜ’ର ପରିକଳ୍ପିତ ଉନ୍ନତି ରୂପରେଖର ପ୍ରଚାରପ୍ରସାର କାର୍ଯ୍ୟ କରୁ କରୁ ଦୟାନନ୍ଦ ସରସ୍ୱତୀ ରାଜସ୍ଥାନର ଯୋଧପୁରରେ ପହଞ୍ଚିଲେ। ସ୍ୱାମୀଜୀଙ୍କର ବ୍ରହ୍ମଚର୍ଯ୍ୟ ତଥା ସଦାଚାରମୂଳକ ଉପଦେଶ ତତ୍କାଳୀନ ରାଜାଙ୍କୁ କିମ୍ବା ତାଙ୍କର ପରିଚାରକମାନଙ୍କୁ ଭଲ ଲାଗୁ ନଥିଲା। ଫଳତଃ ୧୮୮୩, ସେପ୍ଟେମ୍ବର ମାସ, ଶେଷ ସପ୍ତାହରେ ଷଡ଼ଯନ୍ତ୍ରକ୍ରମେ ସ୍ୱାମୀଜୀଙ୍କ ପାଚକ ଜଗନ୍ନାଥକୁ ଉତ୍କୋଚ ଦେଇ ସ୍ୱାମୀଜୀ ପାନ କରୁଥିବା ଦୁଗ୍ଧରେ ବିଷାକ୍ତ କାଚଗୁଣ୍ଡ ମିଶାଇ ଦିଆଗଲା। ବିଷ ଦେଇଥିବା ପାଚକକୁ ନିଜର ଉଦାର ହୃଦୟରେ ସ୍ୱାମୀଜୀ କ୍ଷମା କରି ଦେଇଥିଲେ। କିନ୍ତୁ, ବିଷ ମଶ୍ରିତ କ୍ଷୀର ପାନ କରିଥିବା ଯୋଗୁଁ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ, ପ୍ରାୟ ମାସକ ପରେ ୩୦ ଅକ୍ଟୋବର ୧୮୮୩ ମସିହାରେ ତାଙ୍କର ମୃତ୍ୟୁ ହେଇଥିଲା। ଆଜି ସେହି ମହାନ ବିପ୍ଲବୀ ସନ୍ୟାସୀ ସ୍ୱାମୀ ଦୟାନନ୍ଦ ସରସ୍ୱତୀଜୀ’ଙ୍କ ଜନ୍ମତିଥି ଅବସରରେ ତାଙ୍କୁ କୋଟି ନମନ।
/- ଦେବଦତ୍ତ ରଥ