Home ଓଡ଼ିଶା ଜଳ ସଂକଟ ପାଇଁ ରାଜ୍ୟ ସରକାର ଦାୟୀ: ନଦୀ ସୁରକ୍ଷା ସମିତି

ଜଳ ସଂକଟ ପାଇଁ ରାଜ୍ୟ ସରକାର ଦାୟୀ: ନଦୀ ସୁରକ୍ଷା ସମିତି

76

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଜଳର ଘୋର ଅଭାବ ଦେଖାଦେଇଛି। ସାଧାରଣ ଲୋକ ପିଇବା ପାଇଁ ପାଣି ମୁନ୍ଦିଏ ପାଇପାରୁ ନଥିବାବେଳେ, ରାଜ୍ୟ ସରକାରଙ୍କର ଅହେତୁକ କମ୍ପାନୀ ପ୍ରୀତି କାରଣରୁ ଓଡ଼ିଶାର ପ୍ରମୁଖ ନଦୀ ଗୁଡ଼ିକର ଜଳକୁ କମ୍ପାନୀ କର୍ତୃପକ୍ଷ ଅନୈତିକ ଉପାୟରେ ଶୋଷି ନେବା କାରଣରୁ ଅଧିକାଂଶ ନଦୀ ଶୁଖିଲା ପଡ଼ିଛି ବୋଲି ବିଜେପି ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ)ର ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ବିଶେଷ କରି କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲା ମାନଙ୍କରେ ବଡ଼ ବଡ଼ ଲୁହାପଥର କମ୍ପାନୀମାନେ ଲୁହାପଥର ଗୁଣ୍ଡକୁ ବଡ଼ ବଡ଼ ପାଇପ ମାଧ୍ୟମରେ ନଦୀ ପାଣିକୁ ପ୍ରବାହିତ କରି ବନ୍ଦର ପର୍ଯ୍ୟନ୍ତ ନେଉଛନ୍ତି, ତାହା ଦ୍ୱାରା ନଦୀ ଜଳ ଶୁଷ୍କ ହେଉଛି। ଫଳରେ ଜଙ୍ଗଲୀ ଜୀବ ଜନ୍ତୁମାନେ ପାଣି ଟୋପାଏ ନପାଇ ଆଜି ଜନବସତି ମୁହାଁ ହୋଇ ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି। ରାଜ୍ୟ ସରକାରଙ୍କର ଏହି ବେଆଇନ ପାଣି ଯୋଗାଣ ଦ୍ୱାରା ସାଧାରଣ ମଣିଷ ମୁହଁରୁ ପିଇବା ପାଣି ମୁନ୍ଦାକ ମଧ୍ୟ ଛଡାଇ ନିଆଯାଉଛି ବୋଲି ସମୀର ମହାନ୍ତି କହିଛନ୍ତି।ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ)ର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ଯେଉଁଭଳି ଭାବରେ ନଦୀ ଗୁଡ଼ିକରୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହାୟତାରେ ଶାସକ ଦଳର ପ୍ରମୁଖ ନେତାମାନେ ବେଆଇନ ଭାବରେ ବାଲିଘାଟ ଗୁଡ଼ିକରୁ ବାଲି ଚୋରା ଚାଲାଣ କରିବା, ନଦୀ ପଠାକୁ ତଥା ରାସ୍ତାଘାଟକୁ ପ୍ରଦୂଷଣ କରିବା ଓ ନଦୀ ଗୁଡ଼ିକର ତ୍ସୋତକୁ ମାରିବାରେ ସହାୟକ ହେବା ଅତ୍ୟନ୍ତ ନିନ୍ଦନିୟ ଏବଂ ଏହାକୁ ବିରୋଧ କରୁଛୁ ବୋଲି ମହେଶ୍ୱର ସାହୁ କହିଛନ୍ତି। ନଦୀ ପାଣିର ସୁରକ୍ଷା ପାଇଁ ଏବଂ କମ୍ପାନୀର ଏତାଦୃଶ ବେଆଇନ କାର୍ଯ୍ୟ ବିରୁଦ୍ଧରେ ଆସନ୍ତା ମଇ ୫ ତାରିଖ ଦିନ ନଦୀ ସୁରକ୍ଷା ସମିତିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି ଜଣାଇବ ଏବଂ ଆସନ୍ତା ମେ’ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପର୍ଯ୍ୟାୟ କ୍ରମେ ୫୮ଟି ସବଡିଭିଜନରେ ଉତ୍କଟ କୃତ୍ରିମ ଜଳାଭାବ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ଦିଆଯିବ ବୋଲି ମହେଶ୍ୱର ସାହୁ କହିଛନ୍ତି। ଏହି ବୈଠକରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ନଦୀ ସୁରକ୍ଷା ସମିତି(ନମାମୀ ଗଙ୍ଗେ) ସହ-ସଂଯୋଜକ ଅଶୋକ ରଥ, ରବି ନାରାୟଣ ବେହେରା ଏବଂ ଆଇନ ପରାମର୍ଶଦାତା ଯୁଦ୍ଧିଷ୍ଠିର ମହାରଣା ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରି ଆଗାମୀ ଦିନରେ ଏହା ବିରୋଧରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସ୍ୱାଧିନତାର ୭୫ ତମ ଅମୃତ ମହୋତ୍ସବ ବର୍ଷରେ ଭାରତ ବର୍ଷର ପ୍ରତ୍ୟେକ ଜିଲ୍ଲାରେ ୭୫ ଜଳାଶୟ ସୃଷ୍ଟି କରାଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱାଗତ ଯୋଗ୍ୟ। ଅନ୍ୟତମ ସହ- ସଂଯୋଜକ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସଂଚାଳନାରେ ଆୟୋଜିତ ବୈଠକରେ ମହେନ୍ଦ୍ର ଠାକୁର, ମନୋଜ ମାହେଶ୍ୱରୀ, ବସନ୍ତ ନାୟକ, ଯଶୋବନ୍ତ ସେଠ୍‌, ସୋନୁ ଲୋହାର, ଶଙ୍କର୍ଷଣ ଜେନା, ଶ୍ରୀନିବାସ ପ୍ରଧାନ, ବାଇଧର ଚିନ୍ଦ୍ରା, ଜଗନ୍ନାଥ ଗଡ଼ନାୟକ, ଅବିନାଶ ଜେନା, ନଳୀନି ମହାପାତ୍ର, ନିର୍ମଳ ବେହେରା, ଶ୍ରୀମତୀ ନନ୍ଦୀନି ଶତପଥୀ, ପୂର୍ଣ୍ଣିମା ଦାଶ ଓ ନିରୋଜପ୍ରଭା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ନବ ନିର୍ବାଚିତା ଅଧ୍ୟକ୍ଷା ଝୁନା ଭୋଇଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.