Home ଓଡ଼ିଶା ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆଗାମୀ ୩୦ ଦିନ ଭିତରେ ଦିଅନ୍ତୁ...

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆଗାମୀ ୩୦ ଦିନ ଭିତରେ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

139

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ଅନେକ ମିଛ ରାଜ୍ୟବାସୀଙ୍କୁ କହିଛନ୍ତି। ୨୦୧୯ ମସିହାରେ ନିର୍ବାଚନ ଜିତିବା ପର ଦିନ କାଳିଆ ଅର୍ଥ ଦେବେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଯୋଗ୍ୟ ଚାଷୀମାନଙ୍କୁ ଏଯାବତ୍ କାଳିଆ ଅର୍ଥ ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଉ ଏବେ ବାହସ୍ପୋଟ ମାରିବା ପାଇଁ କାଳିଆ ପାଇଁ ଆବେଦନ ଖୋଲାଅଛି ବୋଲି କହି ପୁଣିଥରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ରାଜ୍ୟ ସରକାର କାଳିଆ ଯୋଜନାରେ ୭୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବାର ତତ୍କାଳୀନ କୃଷି ମନ୍ତ୍ରୀ ଦେଇଥିବା ପ୍ରତିଶୃତି କୁଆଡେ ଗଲା ବୋଲି ହରିଚନ୍ଦନ ଏବଂ ପୁରୋହିତ ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ କିଷାନ ନିଧୀ ଯୋଜନାର ପ୍ରଥମ କିସ୍ତିରେ ୩୧ ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିଥିବା ବେଳେ ତାହା ବର୍ତ୍ତମାନ ଷଷ୍ଠ କିସ୍ତିରେ ୯ ଲକ୍ଷ ହିତାଧିକାରୀରେ ପହଁଚିଛି। ରାଜ୍ୟ ସରକାର କାଳିଆ ଯୋଜନାକୁ ଚଲାଇ ନପାରିବାରୁ ପିଏମ କିଷାନ ନିଧୀ ଯୋଜନାରେ କାଳିଆ ଯୋଜନାକୁ ସାମିଲ କରିଥିଲେ। ପ୍ରତି କିସ୍ତିରେ ପିଏମ କିଷାନ ନିଧୀ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କାହିଁକି ହ୍ରାସ ପାଉଛି ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଲୋକଙ୍କୁ ମନ୍ତ୍ରୀ ଓ ନେତା ମିଥ୍ୟା କହୁଛନ୍ତି। ବାସ୍ତବରେ ରାଜ୍ୟ ସରକାର କେତେ ଜଣଙ୍କୁ କାଳିଆ ଯୋଜନାରେ ପଞ୍ଜୀକରଣ କରିଥିଲେ, ତାହା ସ୍ପଷ୍ଟ କରିବା ନିହାତି ଆବଶ୍ୟକ। ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ମିଛ କହିବା ସହ ନିରୀହ ଚାଷୀ ଭାଇ ଭଉଣୀଙ୍କୁ ପ୍ରତାରିତ କରିଛନ୍ତି। ଯଥା ଶୀଘ୍ର ରାଜ୍ୟର ଚାଷୀ ଭାଇ ଭଉଣୀଙ୍କୁ ଘୋଷଣା କରିଥିବା ମୁତାବକ ବକେୟା ୨ଟି କିସ୍ତିର ୪ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରଦୀପ ପୁରୋହିତ ଦାବି କରିଛନ୍ତି।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ବାରମ୍ବାର ଚାଷୀଙ୍କ ତାଲିକା ମାଗୁଥିବା ବେଳେ ରାଜ୍ୟ ସରକାର ତାଲିକା ନଦେଇ ଓଡ଼ିଶାର ଚାଷୀମାନଙ୍କୁ ସେମାନଙ୍କର ଅଧିକାରରୁ କାହିଁକି ବଞ୍ଚିତ କରୁଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ୪୫ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅର୍ଥ ପ୍ରଦାନ କରିବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ରାଜ୍ୟ ସରକାର ଆଗାମୀ ୩୦ ଦିନ ଭିତରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜିକୃତ କରି ତୁରନ୍ତ କେନ୍ଦ୍ରକୁ ପ୍ରଦାନ କରିବାକୁ ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବି କରିଛନ୍ତି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.