Home ଓଡ଼ିଶା ଚଳିତବର୍ଷ ଖରିଫ ଫସଲ ବୁଣାବୁଣି ଗତବର୍ଷ ତୁଳନାରେ ୨୧.୨ ଶତାଂଶ ଅଧିକ ହୋଇଛି

ଚଳିତବର୍ଷ ଖରିଫ ଫସଲ ବୁଣାବୁଣି ଗତବର୍ଷ ତୁଳନାରେ ୨୧.୨ ଶତାଂଶ ଅଧିକ ହୋଇଛି

193

– ଜୁଲାଇ ୧୭ ତାରିଖ ସୁଦ୍ଧା ୬୯୧.୮୬ ଲକ୍ଷ ହେକ୍ଟର ଜମିରେ ଚାଷକାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ଗତବର୍ଷ ଏହି ସମୟରେ ଏହା ଥିଲା ୫୭୦.୮୬ ଲକ୍ଷ ହେକ୍ଟର

୨୦୨୦ ଜୁଲାଇ ୧୬ ତାରିଖ ସୁଦ୍ଧା ଦେଶରେ ୩୩୮.୩ ମିଲିମିଟର ବାସ୍ତବ ବୃଷ୍ଟିପାତ ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଭାରତରେ ସ୍ୱାଭାବିକଭାବେ ୩୦୮.୪ ମିଲିମିଟର ବର୍ଷା ହୋଇଥାଏ। ଅନ୍ୟପକ୍ଷରେ କହିବାକୁ ଗଲେ ଏହି ସମୟ ମଧ୍ୟରେ ଦେଶରେ ୧୦ ଶତାଂଶ ଅଧିକ ବୃଷ୍ଟିପାତ ଜୁନ୍‌୧ରୁ ଜୁଲାଇ ୧୬ ମଧ୍ୟରେ ହୋଇଛି। ଜୁଲାଇ ୧୬ ତାରିଖର କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁସାରେ ଦେଶର ୧୨୩ଟି ଜଳଭଣ୍ଡାରରେ ଗତବର୍ଷ ତୁଳନାରେ ୧୫୦ ଶତାଂଶ ଅଧିକ ଜଳ ମହଜୁଦ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଏହି ଭଣ୍ଡାରଣ ହାର ୧୩୩ ଶତାଂଶ। ୨୦୨୦ ଜୁଲାଇ ୧୭ ତାରିଖ ସୁଦ୍ଧା ଦେଶର ୬୯୧.୮୬ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲର ବୁଣାବୁଣି କାର୍ଯ୍ୟ ଶେଷ ହୋଇଛି। ଗତବର୍ଷ ଏହି ସମୟରେ ୫୭୦.୮୬ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିଲା। ଅତଏବ ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଦେଶର ଖରିଫ ବୁଣାବୁଣି କାର୍ଯ୍ୟ ୨୧.୨୦ ଶତାଂଶ ଅଧିକ ହୋଇଛି।

ଖରିଫ ଫସଲ ବୁଣାବୁଣି ସଂପର୍କରେ ସବିଶେଷ ତଥ୍ୟ ନିମ୍ନମତେ ପ୍ରଦାନ କରାଯାଇଛି।

– ଚଳିତବର୍ଷ ଏ ପର୍ଯ୍ୟନ୍ତ ୧୬୮.୪୭ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଥିବାବେଳେ ଗତବର୍ଷ ଏହି ପରିମାଣ ଥିଲା ୧୪୨.୦୬ ଲକ୍ଷ ହେକ୍ଟର। ଅତଏବ ଏ କ୍ଷେତ୍ରରେ ୧୫.୫୯ ପ୍ରତିଶତ ଅଧିକ ଜମିରେ ଧାନଚାଷ ହୋଇଛି।

– ଡାଲି ଜାତୀୟ ଫସଲ କ୍ଷେତ୍ରରେ ଏଯାଏଁ ୮୧.୬୬ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିବାବେଳେ ଗତବର୍ଷ ଏହା ଥିଲା ୬୧.୭୦ ଲକ୍ଷ ହେକ୍ଟର। ଏ କ୍ଷେତ୍ରରେ ୩୨.୩୫ ଶତାଂଶ ଅଧିକ ଜମିରେ ଏହି ଫସଲ ଚାଷ ହୋଇଛି।

– ମୋଟା ଶସ୍ୟ କ୍ଷେତ୍ରରେ ମଧ୍ୟ ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଅଧିକ ଫସଲ ଚାଷ କରାଯାଇଛି। ଏବର୍ଷ ୧୧୫.୬୦ ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ ହୋଇଥିବାବେଳେ ଗତବର୍ଷ ଏହା ଥିଲା ୧୦୩.୦୦ ଲକ୍ଷ ହେକ୍ଟର। ଅର୍ଥାତ୍‌ଚଳିତବର୍ଷ ୧୨.୨୩ ଶତାଂଶ ଅଧିକ ଜମିରେ ଏହି ଚାଷ ହୋଇଛି।

– ତୈଳବୀଜ କ୍ଷେତ୍ରରେ ଏବର୍ଷ ଗତବର୍ଷ ତୁଳନାରେ ୪୦.୭୫ ଶତାଂଶ ଅଧିକ ଜମିରେ ଫସଲ ଲାଗିଛି। ଗତବର୍ଷ ଏହା ୧୧୦.୦୯ ଲକ୍ଷ ହେକ୍ଟର ଥିବାବେଳେ ଏବର୍ଷ ତାହା ୧୫୪.୯୫ ଲକ୍ଷ ହେକ୍ଟରରେ ପହଞ୍ଚିଛି।

– ଆଖୁଚାଷ କ୍ଷେତ୍ରରେ ମଧ୍ୟ ଏଥର ଗତବର୍ଷ ଅପେକ୍ଷା ୦.୯୨ ପ୍ରତିଶତ ଅଧିକ ଜମିରେ ଫସଲ ଲଗାଯାଇଛି। ଗତବର୍ଷ ଏହା ୫୦.୮୨ ଲକ୍ଷ ହେକ୍ଟରରେ ହୋଇଥିବାବେଳେ ଏଥର ୫୧.୨୯ ଲକ୍ଷ ହେକ୍ଟରରେ ଚାଷ କରାଯାଇଛି।

–  କପାଚାଷ କ୍ଷେତ୍ରରେ ମଧ୍ୟ ଏବର୍ଷ ୧୭.୨୮ ଶତାଂଶ ଅଧିକ ଜମିରେ ଫସଲ ହୋଇଛି। ଗତବର୍ଷ ଏହା ୯୬.୩୫ ଲକ୍ଷ ହେକ୍ଟର ଥିବାବେଳେ ଏଥର ତାହା ୧୧୩.୦୧ ଲକ୍ଷ ହେକ୍ଟରରେ ପହଞ୍ଚିଛି।

– ଗତବର୍ଷ ଦେଶରେ ଏହି ସମୟରେ ୬.୮୪ ଲକ୍ଷ ହେକ୍ଟର ଜମିରେ ଝୋଟ ଓ ମେସ୍ତା ଚାଷ କରାଯାଇଥିଲା। ଏବର୍ଷ ସେଥିରେ ୦.୭୦ ଶତାଂଶ ବୃଦ୍ଧି ଘଟି ଏହା ୬.୮୮ ଲକ୍ଷ ହେକ୍ଟରରେ ପହଞ୍ଚିଛି।

ଅତଏବ ଅଦ୍ୟାବଧି ଖରିଫ ଫସଲ ବୁଣାବୁଣି କ୍ଷେତ୍ରରେ କରୋନା ମହାମାରୀର କୌଣସି ପ୍ରଭାବ ପଡିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.