Home ଓଡ଼ିଶା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ମୋବାଇଲ ଆପ୍‌ଉନ୍ମୋଚିତ; ଷ୍ଟ୍ରିଟ ଭେଣ୍ଡରଙ୍କୁ ଏହା ମାଧ୍ୟମରେ କ୍ଷୁଦ୍ର ଋଣ ଯୋଗାଣ...

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ମୋବାଇଲ ଆପ୍‌ଉନ୍ମୋଚିତ; ଷ୍ଟ୍ରିଟ ଭେଣ୍ଡରଙ୍କୁ ଏହା ମାଧ୍ୟମରେ କ୍ଷୁଦ୍ର ଋଣ ଯୋଗାଣ ସୁବିଧା ଘର ପାଖରେ ଯୋଗାଇ ଦିଆଯିବ

194

– ଏକ ଲକ୍ଷ ୫୪ ହଜାରରୁ ଅଧିକ ଷ୍ଟ୍ରିଟ ଭେଣ୍ଡର ଏହି ଋଣ ପାଇଁ ଆବେଦନ କରିଛନ୍ତି, ୪୮ ହଜାରଙ୍କୁ ଏଯାବତ୍‌ଋଣ ମଞ୍ଜୁର ହୋଇଛି

ନୂଆ ଦିଲ୍ଲୀ ୧୭-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ରାସ୍ତାରେ ବେପାର କରୁଥିବା ଲୋକ (ଷ୍ଟ୍ରିଟ ଭେଣ୍ଡର)ଙ୍କୁ ନିଜ ଘର ପାଖରେ ଋଣ ସୁବିଧା ଯୋଗାଇଦେବା ନିମନ୍ତେ ଉଦ୍ଦିଷ୍ଟ ମୋବାଇଲ ଆପ୍‌ଆଜି କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ରଙ୍କ ଦ୍ୱାରା ନୂଆଦିଲ୍ଲୀଠାରେ ଉନ୍ମୋଚିତ ହୋଇଛି। ଏହାର ନାମ ରଖାଯାଇଛି ପିଏମ୍‌ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ବା ପିଏମ୍‌ସ୍ୱନିଧି ଆପ୍‌। ଏହି ଆପ୍‌ରେ ବିଭିନ୍ନ ଋଣ ଲଗାଣକାରୀ ସଂସ୍ଥା ଓ ସେମାନଙ୍କର କ୍ଷେତ୍ରଭିତ୍ତିକ ଅଧିକାରୀଙ୍କ ସଂପର୍କରେ ସୂଚନା ଦିଆଯିବା ସହ କିପରି ଏହି ଋଣ ପାଇଁ ଷ୍ଟ୍ରିଟ ଭେଣ୍ଡରମାନେ ଆବେଦନ କରିପାରିବେ ତଥା ଋଣ ମଂଜୁରୀର ବିଭିନ୍ନ ଦିଗ ସଂପର୍କରେ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି। ଏହା ବ୍ୟବହାର ପାଇଁ ଅତ୍ୟନ୍ତ ସରଳ ଓ ସହଜ। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି ଉନ୍ମୋଚନ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ସହରାଞ୍ଚଳ ବିକାଶ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରମୁଖ ସଚିବଗଣ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀଗଣ ଭାଗ ନେଇଥିଲେ। ପିଏମ୍‌ସ୍ୱନିଧି ମୋବାଇଲ ଆପ୍‌, ଡିଜିଟାଲ ଟେକ୍‌ନୋଲଜି ବ୍ୟବହାରକୁ ଅଧିକ ଲୋକପ୍ରିୟ ଓ ପ୍ରସାରିତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ। ଏହାକୁ ବିଭିନ୍ନ ଋଣପ୍ରଦାନକାରୀ ସଂସ୍ଥାର କାର୍ଯ୍ୟକର୍ତ୍ତା ଯଥା ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେନ୍ସ, ଅଣବ୍ୟାଙ୍କିଂ ବିତ୍ତୀୟ ସଂସ୍ଥାର ଏଜେଣ୍ଟ ଏବଂ ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନର ଏଜେଣ୍ଟମାନେ ମଧ୍ୟ ସହଜରେ ବ୍ୟବହାର କରିପାରିବେ। ଷ୍ଟ୍ରିଟ ଭେଣ୍ଡରମାନଙ୍କ ସହିତ ଏମାନଙ୍କର ସଂପର୍କ ଥିବାରୁ ଏହି ଯୋଜନାର ସୁଫଳ ଯେପରି ଅଧିକରୁ ଅଧିକ ଲୋକ ପାଇପାରିବେ ସେଦିଗରେ କାର୍ଯ୍ୟ ସେମାନେ କରିବେ। ଆଶା କରାଯାଉଛି ଯେ ଏହି ଆପ୍‌ର ପ୍ରବର୍ତ୍ତନ ସ୍ୱନିଧି ଯୋଜନାର ରୂପାୟନ କାର୍ଯ୍ୟକୁ ସଫଳ କରିପାରିବ। ଏହା ମଧ୍ୟ କାଗଜପତ୍ରର ପୁରୁଣାକାଳିଆ ପଦ୍ଧତି ବଦଳରେ ଡିଜିଟାଲ ସୁବିଧା ମାଧ୍ୟମରେ ଷ୍ଟ୍ରିଟ ଭେଣ୍ଡରଙ୍କ କ୍ଷୁଦ୍ର ଋଣ ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ।

ଇତିମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଜୁନ୍‌୨୯ ତାରିଖରେ ଏକ ୱେବ ପୋର୍ଟାଲ ଆରମ୍ଭ କରାଯାଇଛି। ଏହି ନୂଆ ଆପ୍‌ର ବିଭିନ୍ନ ଫିଚର୍ସ ପିଏମ୍‌ସ୍ୱନିଧି ପୋର୍ଟାଲ ସହିତ ସମାନ ରହିଛି। ଏଥିରେ ପୋର୍ଟେବିଲିଟି ଅତି ସହଜ। ଏହିସବୁ ଫିଚରଗୁଡିକ ମଧ୍ୟରେ ସର୍ଭେ ଡାଟାରେ ଭେଣ୍ଡର ସର୍ଚ୍ଚ, ଆବେଦନକାରୀଙ୍କ ଇ-କେୱାଇସି ଆବେଦନପତ୍ର ପ୍ରୋସେସିଂ ବ୍ୟବସ୍ଥା ଏବଂ ରିଅଲ ଟାଇମ ମନିଟରିଂ ସୁବିଧା ଆଦି ରହିଛି। ଋଣ ଯୋଗାଣକାରୀ ସଂସ୍ଥା ଏବଂ ସେମାନଙ୍କର କ୍ଷେତ୍ର କର୍ମଚାରୀମାନେ ଏହି ଆପ୍‌କୁ ଗୁଗ୍‌ଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ କରି ବ୍ୟବହାର କରିପାରିବେ। ଜୁଲାଇ ୨ ତାରିଖରୁ ପିଏମ୍‌ସ୍ୱନିଧି ଋଣ ଯୋଗାଣ ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୧ ଲକ୍ଷ ୫୪ ହଜାର ଷ୍ଟ୍ରିଟ ଭେଣ୍ଡର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ କାର୍ଯ୍ୟକାରୀ ପୁଞ୍ଜି ଋଣ ଆଦି ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୪୮ ହଜାରଙ୍କୁ ଇତିମଧ୍ୟରେ ଋଣ ମଂଜୁର କରାଯାଇଛି।

ପିଏମ୍‌ସ୍ୱନିଧି ଯୋଜନା ୨୦୨୦ ଜୁନ୍‌୧ ତାରିଖରେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା। କରୋନା ଲକ୍‌ଡାଉନ ଯୋଗୁଁ ଯେଉଁ ଷ୍ଟ୍ରିଟ ଭେଣ୍ଡରମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ପୁନର୍ବାର ନିଜର ବେପାର ବଣିଜ ଆରମ୍ଭ କରିବା ପାଇଁ ଜରୁରୀ ପଡୁଥିବା କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ। ୨୦୨୦ ମାର୍ଚ୍ଚ ୨୪ ପୂର୍ବରୁ ଦେଶରେ ଯେଉଁ ୫୦ ଲକ୍ଷରୁ ଅଧିକ ଭେଣ୍ଡର ରାସ୍ତାରେ ବେପାର ବଣିଜ କରୁଥିଲେ ସେମାନଙ୍କୁ ଉପକୃତ କରିବା ଏହି ଯୋଜାନାର ଲକ୍ଷ୍ୟ। ଏଥିରେ ସହରାଞ୍ଚଳ ଉପକଣ୍ଠ ଏବଂ ଗ୍ରାମାଞ୍ଚଳର ଷ୍ଟ୍ରିଟ ଭେଣ୍ଡରଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତ୍ୟେକ ଭେଣ୍ଡର ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ପାଇପାରିବେ। ସେମାନଙ୍କୁ ମାସିକ କିସ୍ତିରେ ବର୍ଷକ ଭିତରେ ଏହି ଋଣ ଶୁଝିବାକୁ ପଡିବ। ଯେଉଁମାନେ ଠିକ୍‌ସମୟରେ କିମ୍ବା ଆଗୁଆ ଋଣ ପରିଶୋଧ କରିବେ ସେମାନଙ୍କୁ ସୁଧ ଉପରେ ୭ ଶତାଂଶ ବାର୍ଷିକ ରିଆତି ଦିଆଯିବ। ଏହି ରିଆତି ଅର୍ଥ ଡିବିଟି ବ୍ୟବସ୍ଥାରେ ୩ ମାସରେ ଥରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ। କେହି ଯଦି ଆଗୁଆ ଋଣ ଶୁଝିଦିଏ ତା’ ବିରୋଧରେ କୌଣସି ଦଣ୍ଡ ବିଧାନ କରାଯିବ ନାହିଁ। ଏହି ଯୋଜନାରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ମାସିକ ଏକଶହ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ। ଯେଉଁମାନେ ଡିଜିଟାଲ ବ୍ୟବସ୍ଥାରେ ଅର୍ଥ ପରିଶୋଧ କରିବେ ସେମାନେ ଏହି ପ୍ରୋତ୍ସାହନ ରାଶି ଏକଶତ ଟଙ୍କା ପ୍ରତି ମାସରେ ପାଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.