Home ଓଡ଼ିଶା ଶରୀରକୁ ସମ୍ଭାଳ

ଶରୀରକୁ ସମ୍ଭାଳ

578

– ଶ୍ରୀ ଅଖଣ୍ଡ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ୱୟର ଈଶ୍ୱର। ବିଭିନ୍ନ ଯୁଗରେ ପ୍ରକଟ ହୋଇଥିବା ଅବତାର ହେଉଛନ୍ତି ସ୍ୱୟଂ ଜଗନ୍ନାଥ। ତ୍ରେତୟାରେ ସେ ହିଁ ପୁରୁଷୋତମ ଶ୍ରୀରାମ ହୋଇ ପ୍ରକଟ ହୋଇ ରାବଣ ଓ ଅନ୍ୟାନ୍ୟ ଅସୁରକୁ ଶାନ୍ତ କରି ଧର୍ମ ସଂସ୍ଥାପନ କରିଥିଲେ। ଦ୍ୱାପର ଯୁଗରେ ଦେବକୀନନ୍ଦନ, ଗୋପୀରତ୍ନ ଓ ଯଶୋଦାକୋଳ ମଣ୍ଡନକାରୀ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ରୂପରେ ଉଭା ହୋଇ ଅନେକ ଲୀଳା ମାଧ୍ୟମରେ ସାରା ଜଗତରେ ପ୍ରେମ ଓ ଆନନ୍ଦର ସନ୍ଦେଶ ପ୍ରତିଷ୍ଠା କରିଥିଲେ। ପୁଣି ବୁଦ୍ଧରୂପରେ ସାରା ବିଶ୍ୱରେ ଅହିଂସା ଓ ଶାନ୍ତି ମାର୍ଗଦର୍ଶନର ଶିକ୍ଷା ଦେଇଥିଲେ। ସବୁ ଅବତାର ସେହି, ପୁଣି ସେ ଅବତାରୀ। କଳିଯୁଗରେ ଏକ ମାତ୍ର ଅବତାର ପ୍ରଭୁ ଶ୍ରୀଜଗନ୍ନାଥ। ସେ ହିଁ କକ୍କୀ। ସେ ହିଁ ଆମର ସୃଷ୍ଟିକର୍ତା। ସେ ହିଁ ଆମର ତ୍ରାଣକର୍ତା। ବିଶ୍ୱର ଆଦି ଗୁରୁ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ହିଁ ବିଶ୍ୱଗୁରୁ। ତାଙ୍କୁ କିଏ ପ୍ରଣାମ ନକରେ କହିଲେ ? ସଂସାରରେ କୋଟି କୋଟି ଭକ୍ତ ତାଙ୍କ ଭକ୍ତିରେ ମୋହିତ ହେଉଛନ୍ତି। ଜଗନ୍ନାଥଙ୍କ ଭକ୍ତିରେ ମଜି ଆନନ୍ଦ ଅମୃତ ପାଇଛନ୍ତି। ଦୁନିଆରେ ସବୁ ଜିନିଷ ଦିନେ ନା ଦିନେ ନାଶ ଯିବ, କିନ୍ତୁ ପ୍ରଭୁ ହେଉଛନ୍ତି ଅକ୍ଷୟ। ସଂସାରର ସବୁ ଜିନିଷକୁ ବ୍ୟକ୍ତ କରିହେବ, କିନ୍ତୁ ଈଶ୍ୱର ହେଉଛନ୍ତି ଅବ୍ୟକ୍ତ। ଏହି ଜଗତରେ ଯାହାର ଆଦି ଅଛି, ତାହାର ନିଶ୍ଚିତ ଅନ୍ତ ଅଛି। କିନ୍ତୁ ମହାପ୍ରଭୁ ହେଉଛନ୍ତି ଅନାଦି, ଅନନ୍ତ ଓ ଅମର। ଏଭଳି ମହାପ୍ରଭୁଙ୍କୁ ଭକ୍ତି କଲେ, ପ୍ରଣାମ କଲେ ନିଶ୍ଚିତ ଭାବେ ଅଶାନ୍ତ ମନରେ ମଧ୍ୟ ଆନନ୍ଦର ଜୁଆର ସୃଷ୍ଟି ହୁଏ। ଶ୍ରୀଜଗନ୍ନାଥଙ୍କ ନାମ ଓ ଗୀତକୁ ପ୍ରେମ ଓ ସ୍ନେହ ସହକାରେ ଭଜନ୍ତୁ। ସେ ଭାବର ଠାକୁର। ଭକ୍ତର ଭାବରେ ସେ ବନ୍ଧା। ପ୍ରଭୁ ସିନା ଜଗତର ମାଲିକ। କିନ୍ତୁ ଭକ୍ତ ନିକଟରେ ପ୍ରଭୁ କବଳିତ। ଭକ୍ତର ଭାବ ପାଖରେ ସେ ଦୁର୍ବଳ। ତେଣୁ ‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ କୁହାଯାଇଛି, “ସ୍ନେହଭାବେ ଭଜ ଜଗନ୍ନାଥ ଗୀତ, ଭକ୍ତ କବଳିତ ପ୍ରଭୁ ଜଗନ୍ନାଥ”। ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ପାଇଁ କଣ କରୁଛେ, ଏହା ଆମକୁ ଚିନ୍ତା କରିବା ଦରକାର। ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ପାଇଁ ଆମେ କଣ ଦିବ୍ୟ ମାର୍ଗକୁ ଆପଣେଇଛେ କି ? ଆମେ କଣ ଆମ ପାଇଁ କିଛି ନିୟମ କରିଛେ କି ? ତେବେ ଆମ ପାଖକୁ କିଭଳି ପ୍ରଭୁଙ୍କ ଦିବ୍ୟ କୃପା ପଂହଚିବ ? ଜଗତର ବାନ୍ଧବ ସେହି ଶ୍ରୀରାମ କେଶବ ଶ୍ରୀଜଗନ୍ନାଥ। କିନ୍ତୁ ଆମେ ତାଙ୍କ ସହ ବନ୍ଧୁତ୍ୱ କରିବା ପାଇଁ କେତେ ଦୂର ପ୍ରସ୍ତୁତେ ରହୁଛେ ? ଆମେ ପ୍ରଭୁଙ୍କ ଦ୍ୱାରା ପ୍ରତିଷ୍ଠିତ ମାର୍ଗରେ ନ ଯିବାର କାରଣ କଣ ? ଆମେ ପ୍ରଭୁଙ୍କ ଜାଣିବା ଦରକାର ଓ ସବୁବେଳେ ମନନ ସ୍ମରଣ କରିବା ଦରକାର। ଏହି ଦେହରେ ହିଁ ବିଶ୍ୱାତ୍ମା ପ୍ରଭୁ ଜଗନ୍ନାଥ ବ୍ରହ୍ମ ରୂପରେ ଅବସ୍ଥାନ କରିଛନ୍ତି, ତାହା ବୁଝିବା ଦରକାର। କୋଟିତୀର୍ଥ ସମ ଏହି ନୀଳାଚଳ ଧାମ ଭଳି ଆମ ଶରୀର ପବିତ୍ର। ଆମେ କାହିଁକି ତାକୁ ମଦ, ମାଂସ, ନିଶାରେ ଅପବିତ୍ର କରୁଛେ? ଆମ ଦେହ ଶ୍ରୀମନ୍ଦିର। ତାରି ଭିତରେ ମହାପ୍ରଭୁ ଅବସ୍ଥାନ କରୁଛନ୍ତି। ଏହା ଯଦି ଆମେ ଭାବୁଛେ, ତାହାଲେ ଶରୀର ଶ୍ରୀମନ୍ଦିରକୁ ଆମେ ଜାଣିଶୁଣି ନଷ୍ଟ କରୁଛେ କାହିଁକି ? ଆସନ୍ତୁ ଶ୍ରୀଜଗନ୍ନାଥଙ୍କ ନାମ ନେବା ଏବଂ ଆମ ଦେହ ଓ ମନକୁ ପବିତ୍ର ରଖି ଦିବ୍ୟ ଜୀବନ ଅତିବାହିତ କରିବା।

ଠିକଣା : ଦୀକ୍ଷା ମିଶନ, ପିପିଲି, ପୁରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.