Home ଆମ ପର୍ବ ପର୍ବାଣୀ ରୁକ୍ମିଣୀ ବିବାହ: ଆଜି କାଳିଆର ବାହାଘର ..

ରୁକ୍ମିଣୀ ବିବାହ: ଆଜି କାଳିଆର ବାହାଘର ..

459

ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ହିନ୍ଦୁ ପୌରାଣିକ ମତରେ ରୁକ୍ମିଣୀ ବିବାହ ନାମରେ ଖ୍ୟାତ। ଏହି ପୌରାଣିକ ଘଟଣାର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ କୃଷ୍ଣ ମନ୍ଦିର ଗୁଡ଼ିକରେ ଏହି ବିବାହ ଉତ୍ସବ ପାଳନ ହୋଇଥାଏ। ତେବେ, ପୁରୀ ଶ୍ରୀମନ୍ଦିରରେ ପାଳିତ ରୁକ୍ମିଣୀ ବିବାହର ଧାର୍ମିକ ପରମ୍ପରା ତଥା ମାନ୍ୟତା ଅନନ୍ୟ ଅଟେ। ରୁକ୍ମିଣୀ ସର୍ବଦା କୃଷ୍ଣଙ୍କ ହୃଦୟରେ ଅଧିଷ୍ଠିତା ହୋଇ ରହିଛନ୍ତି। କୃଷ୍ଣ ହିଁ ଜଗନ୍ନାଥ। ତେଣୁ, ଶ୍ରୀମନ୍ଦିରରେ ପବିତ୍ର ଜ୍ୟେଷ୍ଠ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀଙ୍କ ବିବାହ ଉତ୍ସବ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ।

ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରନ୍ତି। ଏହାପରେ ମା’ ଶ୍ରୀଦେବୀ ମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇଥାନ୍ତି। ସେଠାରେ ଶ୍ରୀଦେବୀଙ୍କୁ ପଞ୍ଚାମୃତ ମହାସ୍ନାନ କରାଯାଇ ମାଜଣା ଓ ବନକ ଲାଗି କରି ବେଶ କରାଯାଏ। ଏହି ବେଶ ହେବା ସମୟରେ ତଢ଼ାଉ କରଣ ସେବକ ତାଳ ପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି। ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣ ଚିଟାଉ ଲେଖନ୍ତି। ଚିଟାଉ ବ୍ରାହ୍ମଣ ବେଶରେ ଥିବା ଜଣେ ସେବକ ନେଇ ଜୟବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି। ଏହି ଚିଟାଉରେ ମହାପ୍ରଭୁଙ୍କ ନିକଟକୁ ମା’ ଲକ୍ଷ୍ମୀ ଚିଠି ଲେଖି ପ୍ରେମ ନିବେଦନ କରିଥାଆନ୍ତି। ଜଗନ୍ନାଥଙ୍କ ହାତରୁ ଆଜ୍ଞାମାଳ ପ୍ରାପ୍ତ ହୋଇଥିବା ଶ୍ରୀମଦନମୋହନଙ୍କ ନିକଟରେ ଏହି ଚିଟାଉ ପାଠ କରାଯାଏ। ଏହାପରେ ଶ୍ରୀମଦନମୋହନ ଏକ ରଥରେ ବିଜେ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରନ୍ତି। ଏଠାରେ ପୂର୍ବରୁ ଆସି ପହଞ୍ଚିଥିବା ମା’ ଶ୍ରୀଦେବୀଙ୍କୁ ହରଣ କରି ନିଅନ୍ତି ମଦନ ମୋହନ। ଶିଶୁପାଳ ରୂପି ଜଣେ ସେବକଙ୍କୁ ମହାପ୍ରଭୁ ବନ୍ଦି କରିବାର ନୀତି ମଧ୍ୟ ସମ୍ପାଦିତ ହୁଏ। ଶେଷରେ ବିବାହ ମଣ୍ଡପରେ ମହାପ୍ରଭୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାଆନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.