Home Top News ଗହ୍ମା ପୂର୍ଣ୍ଣିମା ଓ ରକ୍ଷାବନ୍ଧନ

ଗହ୍ମା ପୂର୍ଣ୍ଣିମା ଓ ରକ୍ଷାବନ୍ଧନ

335

ବର୍ଷ ତମାମ ଆମ ପରମ୍ପରା ସହ ଯୋଡ଼ି ହୋଇ ରହିଛି ପର୍ବପର୍ବାଣୀ। ଋତୁଚକ୍ର ସହ ତାଳଦେଇ ବିଭିନ୍ନ ମାସରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ। ସଂସ୍କୃତି ଆଉ ପରମ୍ପରା ମଧ୍ୟରେ ନିଜକୁ ପରିଚାଳିତ କରିବା ପାଇଁ ଏହି ପର୍ବପର୍ବାଣୀ ଗୁଡିକ ଆମକୁ ସଚେତନ କରାଇଦିଏ। ଶ୍ରାବଣ ପୂର୍ଣ୍ଣିମା ଦିନ ଗହ୍ମା ପର୍ବ ଅତି ଆନନ୍ଦର ସହ ପାଳନ କରାଯାଏ। ଏହା ଏକ କୃଷି ଭିତ୍ତିକ ପର୍ବ। ଶ୍ରାବଣ ମାସ ଶେଷରେ କୃଷି କର୍ମର ମୁଖ୍ୟ ଦେବତା ପ୍ରଭୁ ବଳରାମଙ୍କ ଜନ୍ମ ଉତ୍ସଵ ପାଳନ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଇ ଆସୁଛି। ସମସ୍ତେ ନିଜ ନିଜ ଗୃହରେ ବଳଦେବଙ୍କୁ ପୂଜା କରନ୍ତି। ଏହି ଦିନ ଗାଈଗୋରୁ ମାନଙ୍କୁ ସ୍ନାନ କରାଯିବା ସହ ଆନେକ ସୁସ୍ୱାଦୁ ଖାଦ୍ୟ ଦିଆଯାଇଥାଏ। ହଳ ଲଙ୍ଗଳ, ଅନ୍ୟ ଚାଷ ଉପକରଣକୁ ମଧ୍ୟ ପୂଜା କରଯାଇଥାଏ। ଚାଷୀ ମାନେ ନିଜ ନିଜ ଜମିବାଡ଼ିରେ ମଧ୍ୟ ଫୁଲ, ଦୀପ ଏବଂ ପିଠା ଦାନକରି ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିଥାନ୍ତି। ଲୋକ କଥା ରହିଛି ଯେ, ପ୍ରଭୁ ବଳଦେବଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀ ପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମା ଡିଆଁ ଖେଳ ଖେଳିଥାନ୍ତି।

ଏହି ପୁର୍ଣିମାରେ, ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଥାଏ। ଏହା ଏକ ପଵିତ୍ର ବନ୍ଧନ। ଏହି ପର୍ବ ନାରୀଜାତି ର ସୁରକ୍ଷା ବିଷୟରେ ସମଗ୍ର ମାନବ ଜାତିକୁ ସଚେତନତାର ବାର୍ତ୍ତା ଦେଇଥାଏ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶୁଭ ମନାସି ଥାଏ ଏବଂ ଭାଇ ତା’ର ଭଉଣୀକୁ ସବୁ ଦିନ ପାଇଁ ସୁରକ୍ଷା ଦେବାର ସଂକଳ୍ପ ନେଇଥାଏ। ଏହା ଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ। ଆମ ରାଜ୍ୟର ଅନେକ ଅଞ୍ଚଳରେ ଏହି ଦିନ ରେ କୁଳ ପୁରୋହିତ ନିଜ ନିଜ ଜଜମାନଙ୍କ ହାତରେ ରାକ୍ଷୀ ବାନ୍ଧି ମନ୍ତୁରା ପଇତା ଦେଇ ମଙ୍ଗଳ କାମନା କରିଥାନ୍ତି। ଆମର ଆରାଧ୍ୟ ଦେବତା ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା। ପୁରାଣ ରେ ମଧ୍ୟ ରକ୍ଷାବନ୍ଧନ ବିଷୟରେ ଅନେକ ଘଟଣା ଅଛି। ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ। ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ। ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ। ଏହା କିନ୍ତୁ ମାତା ଲକ୍ଷ୍ମୀଙ୍କୁ ପସନ୍ଦ ଆସିନଥିଲା। ତେଣୁ ମହାଲକ୍ଷ୍ମୀ ବ୍ରାହ୍ମଣୀ ବେଶ ହୋଇ ଶ୍ରାବଣ ପୂର୍ଣ୍ଣମୀରେ ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ଲକ୍ଷ୍ମୀ ମାତା ଙ୍କ ର ଉଦ୍ଦେଶ୍ୟ ଜାଣିବା ପରେ ବଳି ଭଗବାନଙ୍କୁ ବୈକୁଣ୍ଠ ଫେରିବାକୁ ଅନୁରୋଧ କରିଥିଲେ। ପୁରାଣ କଥା ବସ୍ତୁ ଅନୁସାରେ ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ଆଘାତ ପ୍ରାପ୍ତ ହୋଇଥିଲେ। ଦ୍ରୌପଦୀ ନିଜ ପିନ୍ଧା ବସ୍ତ୍ରରୁ କିଛି ଅଂଶ ଛିଡାଇ କୃଷ୍ଣଙ୍କ ହାତରେ ପଟି ବାନ୍ଧି ଦେଇ ରକ୍ତସ୍ରାବ ବନ୍ଦ କରିଥିଲେ। ଦ୍ରୌପଦୀଙ୍କ ଏହି ଦାନ କୃଷ୍ଣ ପରିଶୋଧ କରିଥିଲେ କୁରସଭା ସ୍ଥଳରେ। ଦୁଃଶାସନ ବସ୍ତ୍ର ହରଣ କରିବା ବେଳେ କୃଷ୍ଣ କୋଟି ବସ୍ତ୍ର ଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ। ଇତିହାସରେ ମଧ୍ୟ ରାକ୍ଷୀକୁ ନେଇ ସୁନ୍ଦର ଉଦାହରଣ ଗୁଡିକ ରହିଛି। ମୋଗଲ ମାନଙ୍କ ଶାସନ ସମୟରେ ଅତ୍ୟାଚାର ରୁ ରକ୍ଷା ପାଇବା ପାଇଁ ହିନ୍ଦୁ ରମଣୀମାନେ ମୋଗଲ ଶାସକମାନଙ୍କୁ ରାକ୍ଷୀ ପଠାଇ ସେମାନଙ୍କ ସହ ଭାତୃଭାଵ ପ୍ରତିଷ୍ଠା କରିଥିଲେ। ମଧ୍ୟଯୁଗରେ ବାହାଦୁର ଶାହ ଚିତ୍ତୋର ଉପରେ ଆକ୍ରମଣ ନିମନ୍ତେ ଅଗ୍ରସର ହେଲାବେଳେ ଚିତ୍ତୋର ରାଣୀ କର୍ଣ୍ଣାବତୀ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠାଇଥିଲେ। ଏତଦଦ୍ଵାରା ହୁମାୟୁନ ଭଉଣୀଙ୍କ ସୁରକ୍ଷା ନିମନ୍ତେ ନିଜ ସୈନ୍ୟ ଚିତ୍ତୋର ପଠାଇଥିଲେ।

ମାନବ ଜାତିର ବିକାଶ ଓ ଶୃଙ୍ଖଳିତ ଜୀବନ ଯାପନ ପଛରେ ଯେଉଁ ମୂଳ ତତ୍ୱଟି ରହିଛି ତାହା ହେଉଛି ମାନବିକତା। ଅତୀତରେ ଲୋକମାନଙ୍କ ଭିତରେ ଛନ୍ଦ, କପଟ, ମିଥ୍ୟା ଏତେ ପରିମାଣ ରେ ନଥିଲା। ସେମାନଙ୍କ ଭିତରେ ସମ୍ପର୍କ ଥିଲା ଦୃଢ ଆଉ ମଧୁର। ସମ୍ପର୍କ କୁ ଗୁରୁତ୍ୱ ଦେଉଥିଲେ ସେମାନେ, ଅନ୍ୟର ସୁଖ ଦୁଃଖରେ ଭାଗ ନେଉଥିଲେ। ନିକଟ ସମ୍ପର୍କୀୟ ହୁଅନ୍ତୁ କିମ୍ବା ଦୂର ସମ୍ପର୍କୀୟ, ସମସ୍ତଙ୍କ ଅଭାବ ଅସୁବିଧାରେ ତାଙ୍କ ପାଖରେ ଛିଡା ହେଉଥିଲେ। ସମବେଦନା ଜଣାଉଥିଲେ ଆଉ ସାହାଯ୍ୟ ସହଯୋଗ ପାଇଁ ଆଗେଇ ଆସୁଥିଲେ। ସମୟ ସହିତ ତାଳ ଦେଇ ଯେତେବେଳେ ଆମେ ଅତ୍ୟାଧୁନିକ ଜୀବନଶୈଳୀ ଆଡକୁ ଗତି କରୁଛେ, ଆମ ଭିତରେ ମାନବିକତା କମି କମି ଯାଉଛି। ପ୍ରତିଦିନ କେଉଁଠି ନା କେଉଁଠି ଦେଖିବାକୁ କିମ୍ବା ଶୁଣିବାକୁ ମିଳେ ଅନେକ ହୃଦୟ ବିଦାରକ ଘଟଣା ସବୁ। ଦିନକୁ ଦିନ ମଣିଷ ନିଷ୍ଠୁର ସାଜୁଥିବା ବେଳେ, ମାନବିକତା ଓ ମଣିଷ ପଣିଆ କମି କମି ଯାଉଛି। ସ୍ୱାର୍ଥ ଆଉ ଲୋଭରେ ମଣିଷ ଏତେ ତଳକୁ ଖସିଯାଉଛି ଯେ, ସତେ ଯେମିତି ସମାଜର ସବୁ ବନ୍ଧନ ତା ପାଇଁ ତୁଛ ହେଉଛି। ନିଜର ଜନ୍ମଦାତାଙ୍କୁ ମଧ୍ୟ ସେ ପର କରି ଦେଉଛନ୍ତି। ଆଜିକାଲି ସମ୍ପର୍କ ର ମାନେ ବଦଳିଗଲାଣି। ସ୍ୱାର୍ଥ ସାଧନ ପାଇଁ ସମ୍ପର୍କ ଯୋଡା ଯାଉଥିବା ବେଳେ ଏହି ପର୍ବ ଆମକୁ ସଚେତନ କରାଉଛି ଯେ ଭାଇ ଭାବରେ ଭଉଣୀର ରକ୍ଷା, ପୁତ୍ର ଭାବରେ ପିତାମାତାଙ୍କ ରକ୍ଷା, ପତି ଭାବେ ପତ୍ନୀର ରକ୍ଷା, ପତ୍ନୀ ଭାବେ ପତିର ରକ୍ଷା, ନାଗରିକ ଭାବେ ରାଷ୍ଟ୍ରର ରକ୍ଷା, ମାନବ ଭାବେ ମାନବିକତାର ରକ୍ଷା କଲେ, ସମ୍ପର୍କ ଦୃଢ ହେବା ସହିତ ମାନବ ଜାତିର ବିକାଶ ହୋଇପାରିବ ଓ ଆମେ ଶୃଙ୍ଖଳିତ ଜୀବନ ଯାପନ କରିପାରିବା।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.