Home Top News ବିଶୃଙ୍ଖଳାକୁ ପ୍ରୋତ୍ସାହନ; ବିଶୃଙ୍ଖଳିତଙ୍କୁ ପ୍ରମୋସନ .. !

ବିଶୃଙ୍ଖଳାକୁ ପ୍ରୋତ୍ସାହନ; ବିଶୃଙ୍ଖଳିତଙ୍କୁ ପ୍ରମୋସନ .. !

46

ଭୁବନେଶ୍ୱର: ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାରେ ବିଶୃଙ୍ଖଳା ଏବେ ଚରମ ସୀମାରେ ପହଞ୍ଚିଛି। ରାଜ୍ୟ ସଭାନେତ୍ରୀଙ୍କ କଣ୍ଟ୍ରୋଲରେ ନାହିଁ ମହିଳା ମୋର୍ଚ୍ଚା। ବିଶେଷ କରି ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ପ୍ରଭାରୀଙ୍କ ଆଚରଣ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛି। ଆଉ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅସହାୟ ପରି ଅନୁଭବ ହେଉଛନ୍ତି। ଓଡ଼ିଶା ବିଜେପିରେ କୁହାଯାଏ ଯେ କେହି ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଏ, ନିଃସନ୍ଦେହରେ ତାକୁ ବିଜେପି ବିରୋଧୀ ବୋଲି କୁହାଯିବ। ଏମାନଙ୍କ ପାଇଁ ବିଜେପି ମାନେ ଧର୍ମେନ୍ଦ୍ର, ଧର୍ମେନ୍ଦ୍ର ମାନେ ବିଜେପି। ଦଳୀୟ ଶୃଙ୍ଖଳା ମାନ ବା ନ’ମାନ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ବଶତା ସ୍ୱୀକାର କରି, କେବଳ ତାଙ୍କର ଚାଟୁକାରୀ କରି ଜଣେ ଓଡ଼ିଶା ବିଜେପିରେ ତିଷ୍ଠି ପାରିବ, ଭଲ ସ୍ଥାନରେ ପହଞ୍ଚିପାରିବ। କାରଣ ଏଠି ଜଟଣୀ ବିଧାୟକ ସୁର ରାଉତରାୟ ବିଜେପି, ମୋଦୀ ଏବଂ ଅମିତ ଶାହାଙ୍କ ବିରୋଧରେ ଅନର୍ଗଳ କହି, ହା’ ଥୁ .. କରି ଛେପ ପକାଇ, ତେଣେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କଲେ ଓଡ଼ିଶା ବିଜେପିର କିଛି ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ବଡ଼ ଆନନ୍ଦ ଲାଗେ! ସୁର ରାଉତରାୟଙ୍କର ସେହି ଭିଡିଓରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଥିବା ପ୍ରଶଂସା ତକକୁ ସାଉଁଟି (କଟିଂ କରି) ସେମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବଡ଼ ଆନନ୍ଦ ପାଆନ୍ତି। ଏହି ପ୍ରଥା ଓଡ଼ିଶା ବିଜେପିରେ ବିଶୃଙ୍ଖଳାକୁ ପ୍ରୋତ୍ସାହନ ଦେଉଛି। ଯାହାର ଉଦାହରଣ ଏବେ ବିଜେପି ମହିଳା ମୋର୍ଚ୍ଚାରେ ଦେଖିବାକୁ ମିଳୁଛି। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆର ଜଣେ ସଂଯୋଜିକା ରାଜ୍ୟ ସଭାନେତ୍ରୀଙ୍କୁ ବେଖାତିର କରି କାମ କରୁଛନ୍ତି। ନିକଟରେ ରାଜ୍ୟ ସଭାନେତ୍ରୀଙ୍କ ଉପରେ ଅନେକ ଗୁଡ଼ିଏ ଅଭିଯୋଗ ଆଣି ସେ ସୋସିଆଲ୍ ମିଡିଆ ସଂଯୋଜିକା ପଦବୀରୁ ଇସ୍ତଫା ଦେଉଛନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠି (ଟେକ୍ସ୍ଟ ମେସେଜ୍) ଭାଇରାଲ୍ ହୋଇଥିଲା। ଯାହା ମହିଳା ମୋର୍ଚ୍ଚା ସଙ୍ଗଠନ ଭିତରେ ବଡ଼ ଆଲୋଚନାର ବିଷୟ ହୋଇଥିଲା। ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜାଣିବାକୁ ଅନେକଙ୍କର ଆଗ୍ରହ ରହିଥିଲା। କିନ୍ତୁ, କାହିଁ ସେପରି କିଛି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଯାହା ଜଣାପଡ଼ୁଛି, ରାଜ୍ୟ ସଭାନେତ୍ରୀଙ୍କୁ ବୋଧେ ମୁଣ୍ଡ ନୁଆଇଁବାକୁ ପଡ଼ିବ! କାରଣ ସଂପୃକ୍ତ ସୋସିଆଲ୍ ମିଡିଆ ସଂଯୋଜିକା ଜଣଙ୍କ ସଙ୍ଗଠନ ଅନୁଶାସନ ଭିତରେ ରହୁନ୍ତୁ ଅବା ନ’ରୁହନ୍ତୁ, ସେ ରାଜ୍ୟ ସଭାନେତ୍ରୀଙ୍କୁ ପଛେ ବେଖାତିର କରନ୍ତୁ, ବଡ଼ କଥା ହେଲା ସେ ସୋସିଆଲ୍ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନଙ୍କର ବଢ଼େଇ ଚଢ଼େଇ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଧର୍ମେନ୍ଦ୍ରଙ୍କ ପାଖ ଲୋକ ବୋଲାଉଥିବା ଲୋକଙ୍କର ତାଙ୍କ ପ୍ରତି ସମର୍ଥନ ରହିଛି। ତେଣୁ ସେ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ ଆଦୌ ଖାତିର୍ କରୁନାହାଁନ୍ତି। ଯାହାକି ଦଳ ଭିତରେ ଏକ ଭୟଙ୍କର ବିଶୃଙ୍ଖଳା ଆଡ଼କୁ ଟାଣି ନେଉଛି। ଏହାକୁ ଦେଖି ଆଗକୁ ଅନ୍ୟମାନେ ମଧ୍ୟ ବିଶୃଙ୍ଖଳିତ ହେବା, ସଭାନେତ୍ରୀଙ୍କୁ ବେଖାତିର କରିବା ଆରମ୍ଭ କରିଦେବେ। ସେମାନେ ମଧ୍ୟ ସଂପୃକ୍ତ ବିଶୃଙ୍ଖଳିତ ସଂଯୋଜିକାଙ୍କ ପରି ଏଣେ ଅନୁଶାସନ ଭାଙ୍ଗି, ତେଣେ ମନ୍ତ୍ରୀଙ୍କ ମାତ୍ରାଧିକ ପ୍ରଚାର କରାଇ ପ୍ରମୋସନ ପାଇବା ଆଶା କରିବେ।

ଖବର ନେବାରେ ଜଣାପଡ଼ିଛି ସଂପୃକ୍ତ ମହିଳା ଜଣଙ୍କ ଏହା ପୂର୍ବରୁ ଏକ ଜିଲ୍ଲାର ନଗର ସ୍ତରରେ କିଛି ଗୋଟେ ଦାୟିତ୍ୱରେ ଥିଲେ। ସେଠାରେ ତାଙ୍କ କାମ ଆଦୌ ସନ୍ତୋଷଜନକ ନଥିଲା, ଅପରପକ୍ଷେ ତାଙ୍କର ଅଭିଯୋଗ ଗୁଡ଼ାଏ ଥିଲା। ଯେଉଁଥିପାଇଁ ସଂପୃକ୍ତ ଜିଲ୍ଲାର ନେତାନେତ୍ରୀ ମାନେ ତାଙ୍କୁ ସେଠାରେ ସେତେଟା ଗୁରୁତ୍ୱ ଦେଉନଥିଲେ। ଏହାପରେ ସେ ତାଙ୍କ ପଡ଼ୋଶୀ ଜିଲ୍ଲା କାର୍ଯ୍ୟକ୍ରମରେ ଅଜାତିତ ଭାବରେ ଯାଇ ସାମିଲ୍ ହେଲେ। ସେଠାରେ ମଧ୍ୟ ତାଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ ଅଣଦେଖା କରାଗଲା। ଏହାପରେ ସେ କୃଷକ ମୋର୍ଚ୍ଚା, ପୁଣି ମହିଳା ମୋର୍ଚ୍ଚା, କେତେବେଳେ ଅପରାଜିତା ଷଡ଼ଙ୍ଗୀଙ୍କ କ୍ୟାମ୍ପରେ ତ’ ସେଠି ଅଣଦେଖା ହୋଇ ପୁଣି ଆସି କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କର ସୋସିଆଲ୍ ମିଡିଆରେ ପ୍ରଚାର କଲେ। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକା ଥାଇ ସେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକ୍ରମ ଗୁଡ଼ିକର ପ୍ରଚାର ପ୍ରସାର କରାଇବା ପରିବର୍ତ୍ତେ କେବଳ ନିଜ ପ୍ରଚାର ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନାବଶ୍ୟକ ତଥା ଅତିତଞ୍ଜିତ ପ୍ରଚାରପ୍ରସାର କରିବାର ଦେଖାଯାଏ। ଦଳୀୟ ଶୃଙ୍ଖଳା ନମାନି, ନିଜ ଉପରେ ଥିବା ଦାୟିତ୍ୱ ନିର୍ବାହ ନକରି, କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର କରି ଜଣେ ଦଳରେ ତିଷ୍ଠି ପାରେ ବୋଲି ସେ ପ୍ରମାଣ କରାଇବାକୁ ଯାଉଛନ୍ତି। ଯାହା ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ମଧ୍ୟ ଏକ ଖରାପ ଧାରଣା ସୃଷ୍ଟି କରାଉଛି। ବାସ୍ତବରେ ଦେଖିଲେ ଦଳ ଭିତରେ ଏମିତି ଗୁଡ଼ାଏ ଅଛନ୍ତି ଯେଉଁମାନେ କି ଅନାବଶ୍ୟକ ଭାବରେ ଭିଡ଼ିଟାଣି, ବଢ଼େଇ ଚଢ଼େଇ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନାବଶ୍ୟକ ତଥା ଅତିରଞ୍ଜିତ ପ୍ରଚାର କରାଇଥାଆନ୍ତି। ବାସ୍ତବରେ ସେମାନେ ଧର୍ମେନ୍ଦ୍ର ପ୍ରଧାନଙ୍କର ଭଲ ଚାହାଁନ୍ତି ନାହିଁ, ବରଂ କିଛି ପାଇବା ଆଶାରେ ଧର୍ମେନ୍ଦ୍ର ଆଗରେ ଭଲେଇ ହେବା ଚାହାଁନ୍ତି। ଏପରି ଚାଲିଲେ ଯାହା ଜଣାପଡ଼ୁଛି, ଆଗକୁ ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶା ବିଜେପି ପାଇଁ ଘାତକ ସାବ୍ୟସ୍ତ ହେବ। ଏସବୁ ଦଳ ଭିତରେ ବିଶୃଙ୍ଖଳାକୁ ପ୍ରୋତ୍ସାହନ ଦିଆଯାଉଥିବା ଉପରେ ଉଲ୍ଲେଖ ଥିଲା। ଆଗକୁ ବିଶୃଙ୍ଖଳିତଙ୍କୁ କିପରି ପ୍ରମୋସନ ମିଳୁଛି ତା’ ଉପରେ ଉଲ୍ଲେଖ ରହିବ।
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.