Home ଓଡ଼ିଶା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଅଗଷ୍ଟ ୧୩ରେ ‘ସ୍ୱଚ୍ଛ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ ପ୍ଲାଟଫର୍ମର ଉଦ୍‌ଘାଟନ...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଅଗଷ୍ଟ ୧୩ରେ ‘ସ୍ୱଚ୍ଛ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ ପ୍ଲାଟଫର୍ମର ଉଦ୍‌ଘାଟନ କରିବେ

512

ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) ଅଗଷ୍ଟ ୧୩, ୨୦୨୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ (ଟ୍ରାନ୍ସପାରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ) ପ୍ଲାଟଫର୍ମର ଉଦ୍‌ଘାଟନ କରିବେ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବା ସିବିଡିଟି ନିକଟ ଅତୀତରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ବଡ଼ ଧରଣର ସଂସ୍କାର କାର୍ଯ୍ୟକାରୀ କରିଛି। ଗତବର୍ଷ କର୍ପୋରେଟ ଟିକସ ହାରକୁ ୩୦ ଶତାଂଶରୁ ୨୨ ଶତାଂଶକୁ ହ୍ରାସ କରାଯାଇଛି। ନୂଆ ମ୍ୟାନୁଫ୍ୟାକ୍‌ଚରିଂ ୟୁନିଟଗୁଡିକ ପାଇଁ ଟିକସ ହାରକୁ କମାଯାଇ ୧୫ ଶତାଂଶ ଧାର୍ଯ୍ୟ ହୋଇଛି। ଲାଭାଂଶ ବଣ୍ଟନ ଟିକସ ବ୍ୟବସ୍ଥାକୁ ମଧ୍ୟ ଉଚ୍ଛେଦ କରାଯାଇଛି।

ଟିକସ ସଂସ୍କାରର କେନ୍ଦ୍ରରେ ରହିଛି ଟିକସ ଦର ହ୍ରାସ କରିବା ଏବଂ ପ୍ରତ୍ୟକ୍ଷ ଟିକସ ଆଇନକୁ ସରଳ କରିବା। ଆୟକର ବିଭାଗର କାର୍ଯ୍ୟକୁ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ସିବିଡିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ମଧ୍ୟ ନବପ୍ରବର୍ତ୍ତିତ ଡକ୍ୟୁମେଣ୍ଟେ ଆଇଡେଣ୍ଟିଫିକେସନ ନମ୍ବର ବା ଡିନ୍‌ ମାଧ୍ୟମରେ ଯେଉଁସବୁ ସରକାରୀ ଯୋଗାଯୋଗ ବା କମ୍ୟୁନିକେସନ କରାଯାଉଛି ତାହାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ଯୋଗାଯୋଗ ବା ତଥ୍ୟ ପ୍ରେରଣ କ୍ଷେତ୍ରରେ ସଂପୃକ୍ତ ସୂଚନାରେ ଏକ କମ୍ପ୍ୟୁଟର ଜେନେରେଟେଡ ୟୁନିକ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର ରହୁଛି। ସେହିଭଳି ଟିକସଦାତାଙ୍କ ଟିକସ ପୈଠ ବ୍ୟବସ୍ଥାକୁ ଅଧିକ ସହଜ ଓ ସରଳ କରିବା ପାଇଁ ଆୟକର ବିଭାଗ ଏକ ପ୍ରି-ଫାଇଲିଂ ବ୍ୟବସ୍ଥା କରିଛି। ଏହାଦ୍ୱାରା ଟିକସଦାତା ଆଗୁଆ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ। ଏହାଦ୍ୱାରା ବ୍ୟକ୍ତିଗତ ଆୟକରଦାତା ବିଶେଷ ଉପକୃତ ହେବେ। ଏହାଛଡା ଷ୍ଟାର୍ଟଅପ୍‌ଗୁଡିକ ପାଇଁ ଉଦ୍ଦିଷ୍ଟ ଟିକସ ପ୍ରଦାନ ବ୍ୟବସ୍ଥାକୁ ମଧ୍ୟ ସରଳ କରାଯାଇଛି।

ପ୍ରତ୍ୟକ୍ଷ ଟିକସ ପୈଠଜନିତ ବିବାଦ ସମାଧାନ ପାଇଁ ଆୟକର ବିଭାଗ ମଧ୍ୟ ‘ବିବାଦ ସେ ବିଶ୍ୱାସ’ ୨୦୨୦ ଆଇନ କାର୍ଯ୍ୟକାରୀ କରିଛି। ଏଥିରେ ବିଚାରାଧୀନ ବିବାଦୀୟ ଆୟକର ମାମଲାଗୁଡିକରେ ଟିକସଦାତା ଘୋଷଣାପତ୍ର ପ୍ରଦାନ କରି ଏହାର ସମାଧାନ ପାଇଁ ଆବେଦନ କରିପାରିବେ। ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସେହିଭଳି ଟିକସଦାତାଙ୍କ ଆପତ୍ତି ଅଭିଯୋଗ ବା ଟିକସଜନିତ ବିବାଦର ସଂଖ୍ୟା ଯଥାସମ୍ଭବ ହ୍ରାସ ପାଇଁ ବିଭିନ୍ନ ଆପିଲେଟ କୋର୍ଟରେ ବିଭାଗୀୟ ଆବେଦନ ନିମନ୍ତେ ମାମଲାର ଆର୍ଥିକ ସୀମାକୁ ବଢାଇ ଦିଆଯାଇଛି। ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ପରିମାଣର ଟିକସଗତ ବିବାଦ ଆପିଲେଟ ଟ୍ରିବ୍ୟୁନାଲକୁ ଯିବ ଏବଂ ତା’ଠାରୁ କମ୍‌ ମାମଲା ଟ୍ରିବ୍ୟୁନାଲକୁ ଯିବ ନାହିଁ। ଫଳରେ ଛୋଟ ଛୋଟ ମାମଲାର ବିଚାର ଶୀଘ୍ର ଓ ସହଜରେ ହୋଇପାରିବ। ଡିଜିଟାଲ ଟ୍ରାଞ୍ଜାକସନ ଏବଂ ଇଲେକ୍‌ଟ୍ରୋନିକ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ମହାମାରୀ ସମୟରେ ମଧ୍ୟ ଟିକସଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି। ଏହା ଫଳରେ ଟିକସଦାତାମାନେ ସହଜରେ ଏବଂ ସୁବିଧାରେ ସେମାନଙ୍କର ଟିକସ ପୈଠ କରିପାରୁଛନ୍ତି। ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ଆଗରୁ ଯେଉଁ ନିର୍ଦ୍ଧାରିତ ସମୟସୀମା ଥିଲା ତାହାକୁ ବଢାଇ ଦିଆଯାଇଛି। ଟିକସଦାତାଙ୍କ ଆବେଦନଗୁଡିକୁ ତୁରନ୍ତ ବିଚାର କରି ସେମାନଙ୍କୁ ଫେରି ପାଇବାକୁ ଥିବା ଅର୍ଥ ବା ରିଫଣ୍ଡ ଯଥାସମ୍ଭବ ଶୀଘ୍ର ଯୋଗାଇ ଦିଆଯାଉଛି। ଫଳରେ ଅଗ୍ରୀମ ଟିକସ ଦେଇଥିବା ଟିକସଦାତାଙ୍କ ହାତକୁ ନଗଦ ଅର୍ଥ ଫେରୁଛି।

ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୩ ବା ଆସନ୍ତାକାଲି ଯେଉଁ ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ ପ୍ଲାଟଫର୍ମ’ ଉଦ୍‌ଘାଟନ କରିବେ ତାହା ପ୍ରତ୍ୟକ୍ଷ ଟିକସ ସଂସ୍କାର କାର୍ଯ୍ୟକ୍ରମକୁ ଆହୁରି ଆଗକୁ ବଢାଇବ। ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଶିଳ୍ପ ବଣିକ ସଂଘ, ବ୍ୟବସାୟ ପ୍ରତିଷ୍ଠାନ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆସୋସିଏସନ, ବିଶିଷ୍ଟ ଟିକସଦାତା ଦେଖିପାରିବେ। ଏହାଛଡା ଏହି କାର୍ଯ୍ୟକ୍ରମରେ ଆୟକର ବିଭାଗର ଅଧିକାରୀମାନେ ଯୋଗଦେବେ। କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଏଥିରେ ଉପସ୍ଥିତ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.