Home ଆନ୍ତର୍ଜାତୀୟ ବାହାରିନ ରେ ଓଡ଼ିଆ ଶ୍ରମିକଙ୍କର ଅକାଳ ମୃତ୍ୟୁ : ତଦନ୍ତ ଆଦେଶ

ବାହାରିନ ରେ ଓଡ଼ିଆ ଶ୍ରମିକଙ୍କର ଅକାଳ ମୃତ୍ୟୁ : ତଦନ୍ତ ଆଦେଶ

114

ବାହାରିନ ତା ୧୮-୧୧ (ଓଡ଼ିଆ ପୁଅ) -: ଏଠାକାର ବାଣିଜାମରାହି ଠାରେ ନିକଟରେ ଅକାଳ ବିୟୋଗ ଘଟିଥିବା ତିନିଜଣ ପରିମଳ ଶ୍ରମିକଙ୍କର ମୃତ୍ୟୁ ସଂପର୍କରେ ତଦନ୍ତ କରାଯିବା ପାଇଁ ବାହାରିନ ର ପ୍ରଧାନମନ୍ତ୍ରୀ ସଲମାନ ବିନ ହମଦ ଆଲ ଖଲିଫା ଅନ୍ତରରାଷ୍ଟ୍ରୀୟ ମନ୍ତ୍ରଣାଳୟକୁ ଆଦେଶ ଦେଇଛନ୍ତି ଖୂବ ଶୀଘ୍ର ଏହି ଦୁଃଖଦ ଅପମୃତ୍ୟୁ ସଂପର୍କରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି କ୍ୟାବିନେଟ କୁ ରିପୋର୍ଟ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସଲମାନ ଖଲିଫା, ଅନ୍ତରରାଷ୍ଟ୍ରୀୟ ମନ୍ତ୍ରୀ ଜେବେରାଲ ସେଖ ରସିଦ ବିନ ଅବଦୁଲ୍ଲା ଆଲ ଖାଲିଫାଙ୍କୁ ନିର୍ଦେଶ ଦେଇଛନ୍ତି।

ଘଟଣା ରୁ ପ୍ରକାଶ ଯେ ୪ଜଣ ଏସୀୟ ଶ୍ରମିକ ବୁଦଇୟା ରାଜପଥ ଉପରେ ବାଣିଜାମରାହା ଠାରେ ଏକ ନ ନର୍ଦ୍ଦମା ସୁଡ଼ଙ୍ଗ ରେ ମରାମତି କାମ କରୁଥିବା ବେଳେ ଶ୍ୱାସରୁର୍ଦ୍ଧ ଯୋଗୁଁ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ। ଏ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ର୍ଥ ଜଣକ ଏବେ ଡାକ୍ତରଖାନା ରେ ଗମ୍ଭୀର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁ ବରଣ କରିଥିବା ୩ ଜଣ ହେଲେ ଶ୍ରମିକ ରାକେଶ କୁମାର, ଫିଟର ଦେବାଶିଷ ସାହୁ ଏବଂ କ୍ଷେତ୍ର ପର୍ଯ୍ୟବେକ୍ଷକ ମହମ୍ମଦ ତସିଫ ଖାଁ। ଏ ମଧ୍ୟରୁ ଶ୍ରୀ ସାହୁ ଓଡ଼ିଶାର ବାସିନ୍ଦା ଓ ତାଙ୍କର ଘର ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବୋଲି ଜଣାଯାଇଛି। ସେ ବାହାରିନ ର କ୍ରାଉନ ଇଲେକେଟ୍ରା ମେକାନିକାଲ ସର୍ଭିସିସ କମ୍ପାନୀ ରେ କାର୍ଯ୍ୟରତ ଥିଲେ। ଏବେ ତାଙ୍କର ଶବ ଏଠାକାର ସାଲମାନିୟା ଡାକ୍ତରଖାନା ର ମରଚୁଆରୀ ରେ ରହିଛି।

ବାହାରିନ ଓଡ଼ିଆ ସମାଜର ସଭାପତି ଡ଼ଃ ଅରୁଣ କୁମାର ପ୍ରହରାଜ, ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଅଘଟଣ ପାଇଁ ଡ଼ଃ ପ୍ରହରାଜ, ନିଜୁକ୍ତିକାରୀ କମ୍ପାନୀ କୁ ଦାୟୀ କରିଛନ୍ତି। ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାନଯାଇ ଶ୍ରମିକ ମାନଙ୍କୁ ଏଭଳି ବିପଜ୍ଜନକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯିବା ଯୋଗୁଁ ତିନୋଟି ଦୁର୍ଲଭ ଜୀବନ ହାନି ଘଟିଲା ବୋଲି ଡ଼ଃ ପ୍ରହରାଜ ସୁଚାଇଛନ୍ତି। ଏହା ମଧ୍ୟରେ ଡ଼ଃ ପ୍ରହରାଜ ମୃତକ ଦେବାଶିଷ ସାହୁଙ୍କର ପିତା ବସନ୍ତ କୁମାର ସାହୁ ଓ ଭାଇ ଶିଶିର କୁମାର ସାହୁଙ୍କ ସହିତ ଯୋଗାଯୋଗ କରିଛନ୍ତି। ବାହାରିନ ଓଡ଼ିଆ ସମାଜ ତରଫରୁ ଶ୍ରୀ ସାହୁଙ୍କର ମୃତ ଶରୀର କୁ ଓଡିଶା ପଠାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି। କ୍ଷତିଗ୍ରସ୍ତ ପରିବାର କୁ ସନ୍ତୋଷଜନକ ଭାବେ କ୍ଷତିପୂରଣ ଦିଆଯିବା ପାଇଁ ଡ଼ଃ ପ୍ରହରାଜ, ଏଠାକାର ଶ୍ରମ ମନ୍ତ୍ରଣାଳୟ, ଭାରତୀୟ ଦୂତାବାସ ଏବଂ ନିୟୁକ୍ତିକାରୀ କ୍ରାଉନ କମ୍ପାନୀ ର ମାନବ ସମ୍ବଳ ପରିଚାଳକ ସହିତ ଯୋଗସୂତ୍ର ଚାଲୁ ରଖିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.