Home ଓଡ଼ିଶା ପୁଲିସ୍ ପବ୍ଲିକ ଓ ବିଧାନ ସଭା

ପୁଲିସ୍ ପବ୍ଲିକ ଓ ବିଧାନ ସଭା

133

ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ନେଇ ଉଠୁଛି ପଡ଼ୁଛି ସାରା ରାଜ୍ୟ। ଓଡ଼ିଶାରେ ବର୍ତ୍ତମାନ ଚାଲିଛି ବଜେଟ୍ ଅଧିବେଶନ। ଏହି ସମୟରେ ରାଜ୍ୟରେ ଶାସିତ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଭିନ୍ନ ପ୍ରକାରର ସମାଲୋଚନାର ଶିକାର ହେଉଛି ପ୍ରଶାସନ। ବିଧାନ ସଭା ଭିତରେ ଓ ବାହାରେ ଅସ୍ତବ୍ୟସ୍ତ ରାଜ୍ୟ ସରକାର। ନାବାଳିକା ଦୁଷ୍କର୍ମ ଠାରୁ ଆରମ୍ଭ କରି ଷ୍ଟୋନ୍ ମ୍ୟାନ୍ ଦ୍ୱାରା ସଂଗଠିତ ହତ୍ୟାକାଣ୍ଡ ପରି ଜଘନ୍ୟ ଅପରାଧକୁ ରୋକିବାରେ ବିଫଳ ହୋଇଛି ଓଡ଼ିଶା ପୋଲିସ୍। ଖୋଦ୍ ରାଜଧାନୀ ଭୁବନେଶ୍ୱରର ଆଇନ୍ ଶୃଙ୍ଖଳା ପରିସ୍ଥିତି ଗଭୀର ଚିନ୍ତାଜନକ ପରିସ୍ଥିତିରେ ପକାଇଛି। ବରିଷ୍ଠ ନାଗରିକଙ୍କ ଉପରେ ଆକ୍ରମଣ, ଛିନତାଇ, ଦୁଷ୍କର୍ମ, ବ୍ୟାଙ୍କ ଡକାୟତି ଆଦି ବିଭିନ୍ନ ମାମଲାରେ ବଦନାମ ହେଇସାରିଲାଣି କଟକ ଭୁବନେଶେୱର କମିଶନରେଟ୍ ପୋଲିସ୍। ଖୋଦ୍ ରାଜଧାନୀର ଅବର୍ଣ୍ଣନୀୟ ଅବସ୍ଥାକୁ ତର୍ଜମା କଲେ ସମଗ୍ର ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି କ’ଣ ତାହା ସହଜରେ ଅନୁମେୟ। ବିଧାନସଭା ଭିତରେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ସ୍ପଷ୍ଟିକରଣ ଦେବା ପାଇଁ ବିରୋଧି ଦଳମାନେ ଗୃହମନ୍ତ୍ରୀ ଦାୟିତ୍ତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟିକରଣ ଦେବାପାଇଁ ଲଗାତାର ଭାବରେ ଚାପ ପ୍ରୟୋଗ କରିଆସୁଛନ୍ତି। ମାତ୍ର ବିରୋଧି ଦଳ ତଥା ରାଜ୍ୟବାସୀ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କଠାରୁ କୌଣସି ସ୍ପଷ୍ଟ ଉତ୍ତର ପାଇପାରୁନାହାଁନ୍ତି। ଏଭଳି ଏକ ଘଡ଼ିସନ୍ଧି ମୂହୂର୍ତ୍ତ ମଧ୍ୟରେ ବାଲିଆପାଳରେ ପୋଲିସ୍ ଅଫିସରଙ୍କ ଉପରେ ଏକ ତଦନ୍ତ ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କର ଆକ୍ରମଣ ଏବେ ଏହି ସ୍ୱତନ୍ତ୍ର ଘଟଣାକୁ ଏକ ନୂତନ ରୂପ ଦେଇଛି। ବାଲିଆପାଳରେ ଏକ ଢ଼ାବାରେ ଜୈନିକ ନାବାଳକର ମୃତଦେହ ମିଳିବା ପରେ ସ୍ଥାନୀୟ ପୋଲିସ୍ ପ୍ରଶାସନ ଓ ଜନସାଧାରଣଙ୍କ ଭିତରେ ସୃଷ୍ଟି ହୋଇଥିଲା ତୁମୁଳ କାଣ୍ଡ। ପରିସ୍ଥିତି ଏପରି ହୋଇଥିଲାଯେ, ତଦନ୍ତ କରିବାକୁ ଯାଇଥିବା ଥାନା ଅଧିକାରୀ ସ୍ଥାନୀୟ ଜନସାଧାରଣଙ୍କର ଆକ୍ରୋଶର ଶୀକାର ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହି ଘଟଣା ଘଟିବାପରେ ପ୍ରତିବାଦର ସ୍ୱର ଉଠାଇଛି ଓଡ଼ିଶା ପୋଲିସ୍ ଆସୋସିଏସନ୍ ସଂଘ। କର୍ତ୍ତବ୍ୟରତ ପୋଲିସ୍ ଅଫିସରଙ୍କ ବିରୋଧରେ କ୍ରମାଗତ ଆକ୍ରମଣର ପ୍ରତିବାଦ କରିଛି ଅଫିସର ସଂଘ। ଏହାର ଏକ ସ୍ଥାୟୀ ପ୍ରତିକାର ନିମନ୍ତେ ସରକାରଙ୍କୁ ଅଭିଯୋଗ କରିଛି ପୋଲିସ୍ ସଂଘ। ତେଣୁ ଏଭଳି ଏକ ପରିସ୍ଥିତିରେ ରାଜ୍ୟ ସରକାର କି ପଦକ୍ଷେପ ନେବେ ତାହା ଏକ ଆଲୋଚ୍ୟର ବିଷୟ। ଅପରାଧ ରୋକିବା ପାଇଁ, ପୋଲିସ୍ ପ୍ରଶାସନ ଦାୟୀତ୍ତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣକୁ ଘୋର ନିନ୍ଦା କରିଛି ପୋଲିସ୍ ସଂଘ। ଏହାର ଏକ ସ୍ଥାୟୀ ସମାଧାନ ପାଇଁ ସଂଘ ତରଫରୁ ପୂର୍ବରୁ ଏବଂ ଏବେ ମଧ୍ୟ ଅନେକ ସକାରାତ୍ମକ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବାରେ ଅସଫଳ ହୋଇଛନ୍ତି। ଆଗାମୀ ଦିନରେ ଏହି ସମସ୍ୟାକୁ ସରକାର କିଭଳି ଭାବରେ ସମାଧାନ କରିବେ ତାହା ମୁଖ୍ୟ ଆଲୋଚ୍ୟର ବିଷୟ। ଗୋଟିଏ ପଟେ ଆଇନ୍ ଶୃଙ୍ଖଳାକୁ ରୋକିବା ଏବଂ ଅନ୍ୟପଟେ ଆଇନ୍ ଶୃଙ୍ଖଳାକୁ ରୋକୁଥିବା ପୋଲିସ୍ ବାହିନୀକୁ ସୁରକ୍ଷୋ ଦେବା ସରକାରଙ୍କର ମୁଖ୍ୟ କର୍ତ୍ତବ୍ୟ। ଏହାର ତୁରନ୍ତ ସମାଧାନ କରି ଉଚିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଓଡ଼ିଶା ଏକ ଅପରାଧ ମୂଳକ ରାଜ୍ୟର ମାନ୍ୟତା ପାଇବ ଏଥିରେ ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.