Home ଓଡ଼ିଶା ସେପ୍ଟେମ୍ବର ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ ଅର୍ପିତ

ସେପ୍ଟେମ୍ବର ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ ଅର୍ପିତ

159

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ। ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ। ଏହି ପ୍ରକଳ୍ପଗୁଡିକ ହେଲା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଦୁର୍ଗାପୁର-ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଆନୁକୂଲ୍ୟରେ ଇଣ୍ଡିଆନ ଅୟେଲ ଏବଂ ଏଚପିସିଏଲ୍‌ ଏହି ପ୍ରକଳ୍ପକୁ ତିଆରି କରିଛି। ଏହି କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ।

ଦୁର୍ଗାପୁର-ବାଙ୍କା ପାଇପ ଲାଇନ

ଦୁର୍ଗାପୁର-ବାଙ୍କା ପାଇପ ଲାଇନ ସେକ୍ସନର ଲମ୍ବ ୧୯୩ କିମି। ଏହା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଅଂଶ। ଏହାକୁ ଇଣ୍ଡିଆନ ଅୟେଲ କଂପାନୀ ତିଆରି କରିଛି। ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ୨୦୧୯ ଫେବୃୟାରୀ ୧୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବର୍ତ୍ତମାନର ୧୭୯ କିମି ଦୈର୍ଘ୍ୟ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ ଲାଇନର ଏହା ପରିବର୍ଦ୍ଧିତ ଅଂଶ। ଏହା ବିହାରର ବାଙ୍କାରେ ତିଆରି କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟକୁ ସଂଯୋଗ କରୁଛି। ହଳଦିଆ-ଦୁର୍ଗାପୁର-ବାଙ୍କା ପାଇପ ଲାଇନ ୩ଟି ରାଜ୍ୟ ଦେଇ ଯାଇଛି। ଏହି ପାଇପ ଲାଇନ ପଶ୍ଚିମବଂଗରେ ୬୦ କିମି, ଝାଡଖଣ୍ଡରେ ୯୮ କିମି ଏବଂ ବିହାରରେ ୩୫ କିମି ରହିଛି। ୧୪ ଇଞ୍ଚ ଗୋଲେଇର ପାଇପ ଯୋଗେ ଏଥିରେ ଗ୍ୟାସ ପରିବହନ କରାଯାଉଛି। ପାରାଦ୍ୱୀପ ଓ ହଳଦିଆ ତୈଳ ବିଶୋଧନାଗାର ଏବଂ ହଳଦିଆର ଆଇପିପିଏଲ୍‌ରୁ ବିହାରର ଏହି ବଟଲିଂ ପ୍ଲାଣ୍ଟକୁ ଗ୍ୟାସ ଯୋଗାଇ ଦିଆଯିବ। ଏହାଛଡା ବାରାଉଣୀ ଓ ପାରାଦ୍ୱୀପ ଟର୍ମିନାଲରୁ ଏହି ପ୍ଲାଣ୍ଟକୁ ଗ୍ୟାସ ଯୋଗାଣ ବ୍ୟବସ୍ଥା କରାଯାଇଛି।

ଦୁର୍ଗାପୁର-ବାଙ୍କା ସେକ୍ସନରେ ମାଟିତଳେ ପାଇପ ଲାଇନ ବିଛାଇବା କ୍ଷେତ୍ରରେ ଅନେକ ପ୍ରାକୃତିକ ଏବଂ ମନୁଷ୍ୟକୃତ ପ୍ରତିବନ୍ଧକ ଥିଲା। ୧୫୪ଟି ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର ସଂଯୋଗ ବ୍ୟବସ୍ଥା କରିବାକୁ ପଡିଛି। ଅଜୟ ନଦୀ ସମେତ ୧୩ଟି ନଈ, ୫ଟି ଜାତୀୟ ରାଜପଥ ଓ ୩ଟି ରେଳପଥକୁ ଅତିକ୍ରମ କରାଯାଇ ଏହି ପାଇପ ଲାଇନ ବିଛାଯାଇଛି। ଅଜୟ ନଦୀର ତଳେ ୧୦୭୭ ମିଟର ଲମ୍ବ ପାଇପ ବିଛାଇବାରେ ନୂତନ ଜ୍ଞାନକୌଶଳ ଉପଯୋଗ କରାଯାଇଛି। ନଦୀ ତଳେ ଯେଉଁ ପାଇପ ବିଛାଯାଇଛି ତାହା ଅତ୍ୟାଧୁନିକ ଡ୍ରିଲିଂ ଟେକ୍ନୋଲଜିରେ ନିର୍ମିତ। ଏହାଦ୍ୱାରା ନଦୀ ଜଳପ୍ରବାହ ବ୍ୟାହତ ହେଉନାହିଁ।

ବାଙ୍କା ବଟଲିଂ ପ୍ଲାଣ୍ଟ

ଇଣ୍ଡିଆନ ଅୟେଲ ପକ୍ଷରୁ ବାଙ୍କାରେ ଯେଉଁ ଏଲପିଜି ବଟଲିଂ ପ୍ଲାଣ୍ଟ ତିଆରି କରାଯାଇଛି ତାହା ରନ୍ଧନ ଗ୍ୟାସ ଯୋଗାଣ କ୍ଷେତ୍ରରେ ବିହାରକୁ ଆତ୍ମନିର୍ଭର କରିବ। ଏଥିପାଇଁ ମୋଟ ୧୩୧.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ବିହାରର ଭାଗଲପୁର, ବାଙ୍କା, ଜାମୁଇ, ଅରାରିଆ, କିଷାନଗଞ୍ଜ ଓ କଟିହାର ଜିଲା ଏବଂ ଝାଡଖଣ୍ଡର ଗୋଡା, ଦେଓଘର, ଦୁମ୍‌କା, ସାହିବଗଞ୍ଜ ଏବଂ ପକୁର ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ। ଏହି ବଟଲିଂ କେନ୍ଦ୍ରରେ ୧୮୦୦ ମେଟ୍ରିକ ଟନ ଏଲପିଜି ଗଚ୍ଛିତ ରହିବାର ସୁବିଧା ଅଛି। ପ୍ରତିଦିନ ଏଠାରୁ ୪୦ ହଜାର ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ହୋଇପାରିବ। ଏହି ପ୍ଲାଣ୍ଟ ଦ୍ୱାରା ବିହାରରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଚମ୍ପାରଣ (ହରସିଦ୍ଧି ଏଲପିଜି ପ୍ଲାଣ୍ଟ)

ବିହାରର ପୂର୍ବ ଚମ୍ପାରଣ ଜିଲା ଅନ୍ତର୍ଗତ ହରସିଦ୍ଧିଠାରେ ୧୩୬.୪ କୋଟି ଟଙ୍କା ବ୍ୟୟରେ ଏଚପିସିଏଲ ଦ୍ୱାରା ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏହାର ଏଲପିଜି ଭଣ୍ଡାରଣ କ୍ଷମତା ୧୨୦ ଟିଏମ୍‌ଟିପିଏ। ମୋଟ ୨୯ ଏକର ଜାଗାରେ ଏହି ପ୍ଲାଣ୍ଟ ନିର୍ମିତ। ୨୦୧୮ ଏପ୍ରିଲ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିହାରର ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ସିୱାନ, ଗୋପାଳଗଞ୍ଜ ଏବଂ ସୀତାମାଢି ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତାକୁ ଏହି ପ୍ଲାଣ୍ଟ ପୂରଣ କରିପାରିବ।

ଦୂରଦର୍ଶନ ସମାଚାର ପକ୍ଷରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.