Home ଓଡ଼ିଶା କୋଲକାତା, ମୁମ୍ବାଇ ଓ ନୋଏଡାରେ ଉଚ୍ଚକ୍ଷମତା ସମ୍ପନ୍ନ କୋଭିଡ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କୋଲକାତା, ମୁମ୍ବାଇ ଓ ନୋଏଡାରେ ଉଚ୍ଚକ୍ଷମତା ସମ୍ପନ୍ନ କୋଭିଡ ଟେଷ୍ଟିଂ ସୁବିଧାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

134

– ଦେଶରେ ଦୈନିକ ୫ ଲକ୍ଷରୁ ଊର୍ଦ୍ଧ୍ଵ ନମୁନା ପରୀକ୍ଷା ହେଉଛି, ଆଗାମୀ କିଛି ସପ୍ତାହ ମଧ୍ୟରେ ଏହାକୁ ୧୦ ଲକ୍ଷ କରିବାକୁ ଲକ୍ଷ୍ୟ ରହିଛି : ପ୍ରଧାନମନ୍ତ୍ରୀ

– ଭାରତରେ ବର୍ତ୍ତମାନ ୧୧, ୦୦୦ରୁ ଅଧିକ କୋଭିଡ ଚିକିତ୍ସା କେନ୍ଦ୍ର ଏବଂ ୧୧ ଲକ୍ଷ ଆଇସୋଲେସନ ଶଯ୍ୟା ରହିଛି

– ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ସହିତ ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

– ପରୀକ୍ଷା ସୁବିଧା ପ୍ରତିଷ୍ଠା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀଗଣ, ମତାମତ ଦେବା ସହିତ କଠିନ ପରିସ୍ଥିତିରେ ତାଙ୍କର ନେତୃତ୍ୱକୁ କଲେ ପ୍ରଶଂସା

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାରଦିନ ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚ କ୍ଷମତାସମ୍ପନ୍ନ କୋଭିଡ ପରୀକ୍ଷାଗାରଗୁଡ଼ିକର ଉଦଘାଟନ କରିଛନ୍ତି। ଏସବୁ ସୁବିଧା କୋଲକାତା, ମୁମ୍ବାଇ ଏବଂ ନୋଏଡାରେ ଥିବା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ଜାତୀୟ ସଂସ୍ଥାନଗୁଡ଼ିକରେ ଖୋଲାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ହାଇଟେକ ଅତ୍ୟାଧୁନିକ ସୁବିଧା ଦେଶରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟାକୁ ବଢ଼ାଇବାରେ ସହାୟକ ହୋଇପାରିବେ। ଏହା ଜରିଆରେ ତିନୋଟି ସହରରେ ଦୈନିକ ନମୁନା ପରୀକ୍ଷା କ୍ଷମତା ଅତିରିକ୍ତ ୧୦ ହଜାର ଲେଖାଏଁ ବୃଦ୍ଧି ପାଇବ। ଅଧିକ ସଂଖ୍ୟକ ନମୁନା ପରୀକ୍ଷା ଓ ଆଗୁଆ ରୋଗ ଚିହ୍ନଟ କରାଯିବା ଫଳରେ ସଠିକ ସମୟରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ଫଳରେ ଭୂତାଣୁ ସଂକ୍ରମଣକୁ ରୋକିବା ସମ୍ଭବ ହୋଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଏସବୁ ପରୀକ୍ଷାଗାର କେବଳ କରୋନା ପରୀକ୍ଷାରେ ସୀମିତ ରହିବ ନାହିଁ। ଭବିଷ୍ୟତରେ ଏଠାରେ ହେପାଟାଇଟିସ ବି, ସି, ଏଚଆଇଭି, ଡେଙ୍ଗୁ ଏବଂ ଅନ୍ୟ ରୋଗର ଚିକିତ୍ସା କରାଯାଇପାରିବ।

ଠିକଣା ସମୟରେ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଠିକଣା ସମୟରେ ନିଷ୍ପତ୍ତି ନିଆଯିବା ଫଳରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ଉନ୍ନତ ସ୍ଥିତିରେ ରହିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଆରୋଗ୍ୟ ହାର ମଧ୍ୟ ଭଲ ରହିଛି ଓ ଏଥିରେ ଦିନକୁ ଦିନ ସୁଧାର ଦେଖିବାକୁ ମିଳୁଛି। ଏହି ଭୂତାଣରୁ ପାଖାପାଖି ଦଶ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଲେଣି।

କରୋନା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି

ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା ପାଇଁ ଦ୍ରୁତ ଗତିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବା ଦେଶ ପାଇଁ ଜରୁରି ଥିଲା। ସେ ଉଲ୍ଲେଖ କରିଥିଲେ ଯେ ଆରମ୍ଭରୁ କେନ୍ଦ୍ର ସରକାର ଏଥିପାଇଁ ୧୫ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ବର୍ତ୍ତମାନ ଦେଶରେ ୧୧, ୦୦୦ରୁ ଅଧିକ କୋଭିଡ ଚିକିତ୍ସା କେନ୍ଦ୍ର ଏବଂ ୧୧ ଲକ୍ଷରୁ ଅଧିକ ଆଇସୋଲେସନ ଶଯ୍ୟା ରହିଛି।

ଜାନୁଆରୀରେ ଦେଶରେ ମାତ୍ର ଗୋଟିଏ କୋଭିଡ ପରୀକ୍ଷାଗାର ଥିଲା। ବର୍ତ୍ତମାନ ୧୩ଶହରୁ ଅଧିକ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇସାରିଲାଣି। ଦେଶରେ ଏବେ ଦୈନିକ ୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି କ୍ଷମତାକୁ ୧୦ ଲକ୍ଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ସେ ଉଲ୍ଲେଖ କରିଥିଲେ ଯେ ଦେଶ ବିଶ୍ୱର ଦ୍ୱିତୀୟ ସର୍ବବୃହତ ପିପିଇ ନିର୍ମାତା ହୋଇପାରିଛି। ମାତ୍ର ୬ ମାସ ପୂର୍ବରୁ ଦେଶରେ ଗୋଟିଏ ହେଲେ ପିପିଇ କିଟ ଉତ୍ପାଦନ ହେଉନଥିଲା। ବର୍ତ୍ତମାନ ଦେଶରେ ୧୨ଶହରୁ ଅଧିକ ପିପିଇ ନିର୍ମାତା ରହିଛନ୍ତି ଏବଂ ସେମାନେ ଦୈନିକ ୫ ଲକ୍ଷ ପିପିଇ କିଟ ତିଆରି କରୁଛନ୍ତି। ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏନ-୯୫ ମାସ୍କ ଆମଦାନୀ କରିବା ସ୍ଥିତିରୁ ବର୍ତ୍ତମାନ ଆମେ ଦୈନିକ ୩ ଲକ୍ଷ ମାସ୍କ ତିଆରି କରିବା ସ୍ଥିତିରେ ପହଁଚିଯାଇଛୁ। ଭେଂଟିଲେଟରର ବାର୍ଷିକ ଉତ୍ପାଦନ ୩ ଲକ୍ଷରେ ପହଁଚିଯାଇଛି। ସେହିପରି ମେଡ଼ିକାଲ ଅକ୍ସିଜେନ ସିଲିଣ୍ଡର ଉତ୍ପାଦନ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏହା କେବଳ ଜୀବନ ରକ୍ଷା କରିନାହିଁ ବରଂ ଭାରତ ଆମଦାନୀକାରୀରୁ ରପ୍ତାନିକାରୀରେ ପରିଣତ ହୋଇଯାଇଛି।

ଗ୍ରାମାଂଚଳରେ ସଂକ୍ରମଣକୁ ପ୍ରତିହତ କରିବା ଲାଗି ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବା ସହିତ ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁବିଧାକୁ ବମାଇବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ମାନବ ସମ୍ବଳ ବୃଦ୍ଧି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭୌତିକ ଭିତ୍ତିଭୂମି ବିକାଶ କରିବା ସହିତ ଦେଶ କୋଭିଡ ପରିଚାଳନା ଲାଗି ମାନବ ସମ୍ବଳଙ୍କୁ ନିୟୋଜିତ କରିବାରେ ମଧ୍ୟ ବିଶେଷ ସଫଳ ହୋଇଛି। ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀମାନେ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ନିୟୋଜିତ କରିବା ଏବଂ କରୋନା ଯୋଦ୍ଧମାନେ ସମ୍ମୁଖୀନ ହେଉଥିବା ଭେଦଭାବକୁ ଦୂର କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ପାର୍ବଣ ଋତୁରେ ସୁରକ୍ଷିତ ରହିବା

ଆଗାମୀ ଦିନରେ ପାର୍ବଣ ଋତୁ ଆସୁଥିବାରୁ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲୋକମାନଙ୍କୁ ସତର୍କ ରହିବା ନିମନ୍ତେ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ଠିକ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକମାନଙ୍କ ନିକଟରେ ପହଁଚାଇବା ଉପରେ ସେ ଜୋର ଦେଇଥିଲେ। ସେ ଉଲ୍ଲେଖ କରିଥିଳେ ଯେ ଯେପର୍ଯ୍ୟନ୍ତ ଟୀକା ପ୍ରସ୍ତୁତ କରାଯାଇନାହିଁ ଦୁଇ ଗଜ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ସଫା ରଖିବା ଲୋକମାନଙ୍କୁ ସୁରକ୍ଷିତ ରଖିପାରିବ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ- ହର୍ଷ ବର୍ଦ୍ଧନ କହିଥିଲେ ଯେ ଏବେ ସାରା ଦେଶରେ କୋଭିଡ ପରୀକ୍ଷାଗାର କାର୍ଯ୍ୟକ୍ଷମ ହୋଇସାରିଲାଣି। ସେ ମଧ୍ୟ ସୂଚନା ଦେଇଥିଲେ ଯେ ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ମିଶି କେନ୍ଦ୍ର ଗୃହ ମନ୍ତ୍ରୀ ପ୍ରୟାସ କରୁଛନ୍ତି।

ମୁଖ୍ୟମନ୍ତ୍ରୀମାନଙ୍କର ପ୍ରତିକ୍ରିୟା

ପରୀକ୍ଷାଗାର ପ୍ରତିଷ୍ଠା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେ କଠିନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ମୁମ୍ବାଇରେ ‘ଚେଜ ଫର ଭାଇରସ’ ଅଭିଯାନ ବିଷୟରେ ସେ ଉଲ୍ଲେଖ କରିବା ସହିତ ସ୍ଥାୟୀ ସଂକ୍ରମଣ ଡାକ୍ତରଖାନା ପ୍ରତିଷ୍ଠା ଉପରେ ସେ ଆଲୋଚନା କରିଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟଗୁଡ଼ିକ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ ମନୋଭାବକୁ ପ୍ରଶଂସା କରିଥିଲେ। ଏଥିସହିତ ସେ ମାମଲା ଚିହ୍ନଟ କରିବା, ଟେଲିମେଡ଼ିସିନ ସୁବିଧା ଆରମ୍ଭ କରିବା ଏବଂ ରାଜ୍ୟରେ ଥିବା ପରୀକ୍ଷାଗାରରେ ନମୁନା ପରୀକ୍ଷା ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ନିରନ୍ତର ପ୍ରୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କହିଥିଲେ ଯେ ଆଜି ଉଦଘାଟନ ହୋଇଥିବା ପରୀକ୍ଷାଗାରଗୁଡ଼ିକ ନମୁନା ପରୀକ୍ଷା ସମୟକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିପାରିବେ। ସେ ରାଜ୍ୟରେ ଅଧିକ ନମୁନା ପରୀକ୍ଷା କ୍ଷମତା ବଢ଼ାଇବା ଓ ଦୈନିକ ଆଂଟିଜେନ ପରୀକ୍ଷା ସଂଖ୍ୟା ବଢ଼ାଇବା ଉପରେ ଜୋର ଦେଇଥିଲେ।

ପୃଷ୍ଠଭୂମି

ଏହି ତିନୋଟି ଉଚ୍ଚକ୍ଷମତା ସମ୍ପନ୍ନ ପରୀକ୍ଷାଗାର ସୁବିଧା ରଣନୈତିକ ଦୃଷ୍ଟିରୁ ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କ୍ୟାନ୍ସର ପ୍ରିଭେନ୍ସନ ଆଣ୍ଡ ରିସର୍ଚ୍ଚ, ନୋଏଡା, ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କଲେରା ଆଣ୍ଡ ଏଂଟେରିକ ଡିଜିଜେସ, କୋଲକାତା ଓ ଆଇସିଏମଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିପ୍ରଡକ୍ଟିଭ ହେଲ୍ଥ, ମୁମ୍ବାଇରେ ପ୍ରତିଷ୍ଠା କରାଯାଇଛି। ଏଠାରେ ଦୈନିକ ୧୦ ହଜାରୁ ଊର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଇପାରିବ। ଏହା ନମୁନା ପରୀକ୍ଷା ସମୟକୁ ହ୍ରାସ କରିବା ସହିତ ପରୀକ୍ଷାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ରହିଥିବା ବିପଦକୁ ହ୍ରାସ କରିବ। ଏହି ପରୀକ୍ଷାଗାରରେ କୋଭିଡ ବ୍ୟତୀତ ଅନ୍ୟ ରୋଗ ଭୂତାଣୁ ପରୀକ୍ଷାର ସୁବିଧା ମଧ୍ୟ ରହିଛି। ମହାମାରୀ ପରେ ଏଠାରେ ହେପାଟାଇଟିସ ବି ଏବଂ ସି, ଏଚଆଇଭି, ଜୀବାଣୁବାହିତ ଯକ୍ଷ୍ମା, ଡେଙ୍ଗୁ ଓ ଅନ୍ୟାନ୍ୟ ରୋଗ ପରୀକ୍ଷା କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.