Home Top News ପେଗାସସ୍ ମାମଲାର ଯାଞ୍ଚ କରିବା ପାଇଁ ବୈଷୟିକ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିବେ ସୁପ୍ରିମ୍‌କୋର୍ଟ

ପେଗାସସ୍ ମାମଲାର ଯାଞ୍ଚ କରିବା ପାଇଁ ବୈଷୟିକ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିବେ ସୁପ୍ରିମ୍‌କୋର୍ଟ

70

ନୂଆ ଦିଲ୍ଲୀ ୨୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ପେଗାସସ୍ ମାମଲାର ଯାଞ୍ଚ କରିବା ପାଇଁ ସୁପ୍ରିମ୍‌କୋର୍ଟ ଗଠନ କରିବେ ଏକ ବୈଷୟିକ ବିଶେଷଜ୍ଞମାନଙ୍କର ଏକ କମିଟି। ଯଦିଓ ଏପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କର ନାମ ସ୍ଥିର ହୋଇନାହିଁ। ତେଣୁ ଏ ବାବଦରେ ଏକ ଆନୁଷ୍ଠାନିକ ଆଦେଶ କେବଳ ଆସନ୍ତା ସପ୍ତାହରେ ଆସିବ। ଏହି ବିଷୟରେ ପ୍ରଧାନ ବିଚାରପତି ଏନ୍‌.ଭି.ରମଣା ଏ ସମ୍ପର୍କିତ ସୂଚନା ଓପନ୍‌ କୋର୍ଟରେ ଆଡ୍‌ଭୋକେଟ୍‌ ସିୟୁ ସିଂଙ୍କୁ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ବହୁଚର୍ଚ୍ଚିତ ପେଗାସସ୍ ସ୍ପାଏୱେୟାର ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖାଯାଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ଏ ସମ୍ପର୍କିତ କୌଣସି ତଥ୍ୟ ସାର୍ବଜନୀନ କରିବାକୁ କେନ୍ଦ୍ର ସରକାର ସ୍ପଷ୍ଟ ମନା କରିଦେଇଥିଲେ। ଜାତୀୟ ନିରାପତ୍ତା ସହ ଏହି ସ୍ପାଏୱେୟାର ଜଡିତ ହୋଇଥିବାରୁ ଅଧିକ ସୂଚନା ପ୍ରଦାନ କରିବା ଅସମ୍ଭବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଆଉ ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି ଶ୍ରୀ ମେହେଟ୍ଟା କହିଥିଲେ। କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରି ଏ ସମ୍ପର୍କିତ ଅଭିଯୋଗର ତଦନ୍ତ ରିପୋର୍ଟ ଦାଖଲ କରିପାରିବେ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ଉତ୍ତରରେ ଶ୍ରୀ ମେହେଟ୍ଟା କହିଥିଲେ ଯେ ଜାତୀୟ ସ୍ୱାର୍ଥ ଓ ଜାତୀୟ ନିରାପତ୍ତା ସହ ଜଡିତ କୌଣସି ପ୍ରସଙ୍ଗର ତଦନ୍ତ ନିମନ୍ତେ କମିଟି ଗଠନ କରାଯାଇପାରିବ ନାହିଁ। ବିଶେଷଜ୍ଞ କମିଟି ଗଠନ ପ୍ରସ୍ତାବରୁ କେନ୍ଦ୍ର ସରକାର ପଛଘୁଞ୍ଚା ଦେଉଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜାତୀୟ ସ୍ୱାର୍ଥ ଓ ଜାତୀୟ ନିରାପତ୍ତାକୁ କ୍ଷୁଣ୍ଣ କରିବାଭଳି କୌଣସି ସୂଚନାକୁ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ଚାହୁଁନାହାନ୍ତି ସତ, ତେବେ ଏହି ମାମଲାରେ ଏକାଧିକ ପିଟିସନଧାରୀଙ୍କ ଦାବି କିଭଳି ପୂରଣ କରାଯିବ, ସେଥିନେଇ ଚିନ୍ତାବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଚଳିତବର୍ଷ ଜୁଲାଇ ୧୮ରେ ପେଗାସସ୍ ମାମଲା ଚର୍ଚ୍ଚାକୁ ଆସିଥିଲା । ଇସ୍ରାଏଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ସ୍ପାଏୱେୟାରକୁ କେନ୍ଦ୍ର ସରକାର ଅପବ୍ୟବହାର କରୁଛନ୍ତି ବୋଲି ଫ୍ରାନ୍ସର ଏକ ମିଡିଆ ସିଣ୍ଡିକେଟ୍ ପ୍ରଥମେ ସମ୍ବାଦ ପ୍ରସାରିତ କରିବାପରେ ଭାରତରେ ଏହାକୁ ନେଇ ବିତର୍କର ସୂତ୍ରପାତ ହୋଇଥିଲା । କେନ୍ଦ୍ର ସରକାର ଏହି ସ୍ପାଏୱେୟାର ଜରିଆରେ ଦେଶର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ମାର୍ଟଫୋନକୁ ହ୍ୟାକ୍ କରି ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରାଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.