Home ଓଡ଼ିଶା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୫ ଲକ୍ଷରୁ ଅଧିକ ଆବେଦନପତ୍ର ହସ୍ତଗତ ହୋଇଛି – ଏହି ଯୋଜନାରେ...

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୫ ଲକ୍ଷରୁ ଅଧିକ ଆବେଦନପତ୍ର ହସ୍ତଗତ ହୋଇଛି – ଏହି ଯୋଜନାରେ ଏକ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ଋଣ ମଞ୍ଜୁର କରାଯାଇଛି

300

ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ବା ପିଏମ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି କାର୍ଯ୍ୟକ୍ରମରେ ୫ ଲକ୍ଷରୁ ଅଧିକ ଆବେଦନପତ୍ର ମିଳିଛି। ସେଥିମଧ୍ୟରୁ ଏକ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ଋଣ ମଞ୍ଜୁର କରାଯାଇଛି। ଚଳିତବର୍ଷ ଜୁଲାଇ ୨ ତାରିଖରେ ଏହି ଯୋଜନା ପ୍ରବର୍ତ୍ତିତ ହୋଇଥିଲା ଏବଂ ୪୧ ଦିନ ଭିତରେ ଆବେଦନକାରୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇଥିବାବେଳେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଋଣ ମଞ୍ଜୁର କରାଯାଇଛି। ରାସ୍ତାରେ ବେପାର କରୁଥିବା ଲୋକ ଏବଂ ଛୋଟମୋଟ ବ୍ୟବସାୟୀ ବା ଷ୍ଟ୍ରିଟ ଭେଣ୍ଡରଙ୍କ ମଧ୍ୟରେ ଏହି ଯୋଜନା ପ୍ରତି ବିଶେଷ ଆଗ୍ରହ ପ୍ରକାଶ ପାଇଛି। କରୋନା ସଂକ୍ରମଣଜନିତ ସ୍ଥିତି ଯୋଗୁଁ ଲକ୍‌ଡାଉନ କାରଣରୁ ଏହି ବର୍ଗର ଛୋଟମୋଟ ବେପାରୀ ଯେଉଁମାନେ ନିଜର ବ୍ୟବସାୟ ହରାଇଥିଲେ ସେମାନଙ୍କ ଆବଶ୍ୟକତା ଅନୁସାରେ ଋଣ ସହାୟତା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ। ଲକ୍‌ଡାଉନ ଉଠିବା ପରେ ସେମାନେ ଏହି ଅର୍ଥ ବିନିଯୋଗ କରି ପୁନର୍ବାର ନିଜର ବେପାର ବଣିଜ ଆରମ୍ଭ କରିପାରିବେ।

ପିଏମ୍‌ ସ୍ୱନିଧି ଯୋଜନାକୁ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଛି। ଏହା ଆତ୍ମନିର୍ଭର ଭାରତର ଏକ ଅଂଶବିଶେଷ। ଏହି ଯୋଜନା ମାଧ୍ୟମରେ ଆବେଦନକାରୀଙ୍କୁ ବିନା ବନ୍ଧକରେ ବର୍ଷକ ପାଇଁ ୧୦ ହଜାର ଟଙ୍କା ଋଣ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଦେଶର ସବୁ ସହରାଞ୍ଚଳ ଏବଂ ସହରତଳି ଅଞ୍ଚଳ ତଥା ଗ୍ରାମାଞ୍ଚଳର ରାସ୍ତାଘାଟରେ ଏଭଳି ଛୋଟମୋଟ ବେପାର କରୁଥିବା ୫୦ ଲକ୍ଷ ବ୍ୟବସାୟୀଙ୍କୁ ଏହି ଋଣ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି। ଯେଉଁମାନେ ନିୟମିତ ଋଣ ପରିଶୋଧ କରିବେ ସେମାନଙ୍କୁ ସୁଧ ଉପରେ ରିହାତି ମିଳିବ ଏବଂ ନିୟମିତ ପରିଶୋଧକାରୀଙ୍କୁ ବାର୍ଷିକ ୭ ଶତାଂଶ ହାରରେ ସୁଧ ଦେବାକୁ ହେବ। ଆହୁରି ମଧ୍ୟ ଯେଉଁମାନେ ଡିଜିଟାଲ ନେଣଦେଣ ବ୍ୟବସ୍ଥାରେ ଋଣ ପରିଶୋଧ କରିବେ ସେମାନଙ୍କୁ ବାର୍ଷିକ ୧୨ ଶହ ଟଙ୍କା ପର୍ଯ୍ୟନ୍ତ ଅର୍ଥ କ୍ୟାଶ ବ୍ୟାକ୍‌ ଆକାରରେ ପ୍ରୋତ୍ସାହନ ଦିଆଯିବ। ନିୟମିତ ଋଣ ପରିଶୋଧ କରିଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

ପିଏମ୍‌ ସ୍ୱନିଧି ଯୋଜନାରେ ଏହି କ୍ଷୁଦ୍ର ଉଦ୍ୟମୀମାନଙ୍କ ନିକଟକୁ ବ୍ୟାଙ୍କ ଆସି ଋଣ ଯୋଗାଣ ସେବା ଯୋଗାଇଦେବ। ଏଥିରେ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ କଂପାନୀ, ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ, ବିଭିନ୍ନ ଅନୁସୂଚିତ ବ୍ୟାବସାୟିକ ବ୍ୟାଙ୍କ, ଘରୋଇ ଓ ସରକାରୀ ବ୍ୟାଙ୍କ ସମୂହ, କୋଅପରେଟିଭ ବ୍ୟାଙ୍କ ଓ ଏସ୍‌ଏଚ୍‌ଜି ବ୍ୟାଙ୍କ ଆଦି ସଂପୃକ୍ତ ହିତାଧିକାରୀଙ୍କୁ ଋଣ ଦେବେ। ସବୁ ହିତାଧିକାରୀଙ୍କୁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଯୋଡି ହେବାକୁ ପଡିବ। ଏହା ଫଳରେ ସେମାନେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସାମିଲ ହୋଇପାରିବେ ଏବଂ ସେମାନଙ୍କର ଋଣ ପରିମାଣ, ନାମଧାମ ତାଲିକା ଆଦି ପ୍ରସ୍ତୁତି ସହଜ ହୋଇପାରିବ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ କ୍ଷୁଦ୍ରଶିଳ୍ପ ଉନ୍ନୟନ ବ୍ୟାଙ୍କ ବା ସିଡ୍‌ବି ଅଂଶୀଦାର ହୋଇଛି। ଏଥିରେ ପର୍ଯ୍ୟାୟକ୍ରମିକ ଗ୍ୟାରେଣ୍ଟି କଭର ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଅର୍ଥଲଗାଣକାରୀ ଅନୁଷ୍ଠାନଗୁଡିକ ଏଥିପାଇଁ କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟରୁ ଅର୍ଥ ପାଇବେ। ଅଳ୍ପ ପୁଞ୍ଜିରେ ଷ୍ଟ୍ରିଟ ଭେଣ୍ଡରମାନେ ସେମାନଙ୍କ ବେପାର ବଣିଜ କରିଥାନ୍ତି। ସେମାନଙ୍କର ଲାଭ ଅତି ଅଧିକ ନ ହେଲେ ମଧ୍ୟ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ଯଥେଷ୍ଟ ହୋଇଥାଏ। ସରକାରଙ୍କ ଏହି କ୍ଷୁଦ୍ର ଋଣ ସହାୟତା ଯୋଜନା ଦ୍ୱାରା ଏସବୁ ଭେଣ୍ଡରମାନେ ବିଶେଷ ଉପକୃତ ହେବେ। ଏହାଛଡା ଏକ ଜଟିଳ ସ୍ଥିତିରୁ ଉଦ୍ଧାର ପାଇ ଆର୍ଥିକ ସୋପାନ ଚଢିବାରେ ସେମାନଙ୍କୁ ଏହା ସହାୟତା ଯୋଗାଇବ। ଏଥିପାଇଁ ଏକ ସମନ୍ୱିତ ଆଇଟି ପ୍ଲାଟଫର୍ମ (pmsvanidhi.mohua.org.in), ୱେବ ପୋର୍ଟାଲ ଏବଂ ମୋବାଇଲ ଆପ୍‌ର ବ୍ୟବସ୍ଥା କରାଯାଇଛି। ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ନୀତିରେ ସଂପୃକ୍ତ ହିତାଧିକାରୀଙ୍କ ପାଖରେ ଏହି ଯୋଜନାର ଲାଭ ପହଞ୍ଚାଇବାକୁ ଏସବୁ ବ୍ୟବସ୍ଥା ମାଧ୍ୟମରେ ଉଦ୍ୟମ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.