Home Coronavirus Outbreak ଭାରତରେ କୋଭିଡ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ- ଆରୋଗ୍ୟ ହାର ବୃଦ୍ଧି...

ଭାରତରେ କୋଭିଡ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌, ବିଶ୍ୱରେ ଅନ୍ୟତମ ସର୍ବନିମ୍ନ- ଆରୋଗ୍ୟ ହାର ବୃଦ୍ଧି ପାଇ ଆଜି ୭୨ ପ୍ରତିଶତରେ

70

– କୋଭିଡ ପରୀକ୍ଷଣ ପାଖାପାଖି ୩ କୋଟିରେ

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ। ଆଜିସୁଦ୍ଧା ଏହି ହାର ୧.୯୩ ଶତାଂଶ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ୱିତ ଉଦ୍ୟମ ଫଳରେ କୋଭିଡ୍‌ ମୃତ୍ୟୁହାର କମିବାରେ ଲାଗିଛି ଏବଂ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି।

ଆମେରିକାରେ ୫୦ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ୨୩ ଦିନ ଲାଗିଥିବାବେଳେ ବ୍ରାଜିଲରେ ଏହା ୯୫ ଦିନ ଓ ମେକ୍ସିକୋରେ ୧୪୧ ଦିନ। ଭାରତରେ ଏହି ମୃତ୍ୟୁସଂଖ୍ୟା ଟପିବା ପାଇଁ ୧୫୬ ଦିନ ଲାଗିଛି।

କରୋନା ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା, ସ୍ୱଳ୍ପ ଆକ୍ରାନ୍ତଙ୍କୁ ଘରୋଇ ଏକାନ୍ତବାସରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବା, ନନ୍‌ଇନ୍‌ଭେସିଭ ଅକ୍ସିଜେନ ସପୋର୍ଟ, ରୋଗୀଙ୍କ ଯିବା ଆସିବା ପାଇଁ ଉତ୍ତମ ଆମ୍ବୁଲାନ୍ସ ସେବା ଓ ଉପଯୁକ୍ତ ଚିକିତ୍ସା ଫଳରେ ଭାରତରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାରେ ରହିଛି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ଚିକିତ୍ସା କ୍ଷେତ୍ରରେ ଓ ରୋଗୀଙ୍କୁ ଠାବ କରିବାରେ ଡାକ୍ତର ଏବଂ ଆଶାକର୍ମୀମାନେ ଅହର୍ନିଶ କାର୍ଯ୍ୟ କରୁଛନ୍ତି। କୋଭିଡ୍‌ ଚିକିତ୍ସାରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞମାନେ ବୈଷୟିକ ପରାମର୍ଶ ଟେଲି କନ୍‌ସଲଟେସନ ଜରିଆରେ ଯୋଗାଉଛନ୍ତି। ସମଗ୍ର ବ୍ୟବସ୍ଥାଟି ସୁସଂହତ ଓ ଶୃଙ୍ଖଳିତଭାବେ ଚାଲିଥିବାରୁ ଭାରତର କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବା କେସ୍‌ ଫାର୍ଟାଲିଟି ରେଟ୍‌ ବିଶ୍ୱହାରଠାରୁ ତଳେ ରହିଛି। ସରକାରଙ୍କ ସକ୍ରିୟ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ଫଳରେ ରୋଗୀମାନଙ୍କୁ ଚିହ୍ନଟ କରି ତୁରନ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଫଳରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବୃଦ୍ଧି ପାଉଛି। ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଆରୋଗ୍ୟଙ୍କ ହାର ପ୍ରାୟ ୭୨ ଶତାଂଶରେ ପହଞ୍ଚିଛି ଏବଂ ଆହୁରି ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବେ ବୋଲି ସୂଚନା ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩, ୩୨୨ ରୋଗୀ ସୁସ୍ଥ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି। ଏଥିସହିତ ମୋଟ କୋଭିଡ୍‌ ମୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮ ଲକ୍ଷ ୬୨ ହଜାର ୨୫୮ରେ ପହଞ୍ଚିଛି।

ଆରୋଗ୍ୟ ହାରରେ ଦ୍ରୁତ ଉନ୍ନତି ନିଶ୍ଚିତ କରିଛି ଯେ ଦେଶରେ କେସ୍‌ ଲୋଡ ବା ଆକ୍ରାନ୍ତଙ୍କ ହାର କମୁଛି। ଏବେ ଦେଶରେ ପ୍ରକୃତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୭ ହଜାର ୪୪୪ ରହିଛି। ମୋଟ ପଜିଟିଭ୍‌ କେସ୍‌ର ଏହା ମାତ୍ର ୨୬.୧୬ ଶତାଂଶ। ଗତ ୨୪ ଘଣ୍ଟା ମଧ୍ୟରେ ଏହା ମଧ୍ୟ ଆହୁରି ହ୍ରାସ ପାଇଛି। ସରକାର ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତଙ୍କ ପରୀକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ ଏବଂ ବ୍ୟାପକ କରିଥିବାରୁ ଏବେ ଏହି ସଂଖ୍ୟା ପ୍ରାୟ ୩ କୋଟିରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟାରେ ୭ ଲକ୍ଷ ୪୬ ହଜାର ୬୦୮ ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨ କୋଟି ୯୩ ଲକ୍ଷ ୯ ହଜାର ୭୦୩ରେ ପହଞ୍ଚିଛି। ଦେଶରେ ପରୀକ୍ଷାଗାର ସଂଖ୍ୟା ବୃଦ୍ଧି ଫଳରେ ଏହା ସମ୍ଭବ ହୋଇଛି। ଏବେ ୯୬୯ଟି ସରକାରୀ ଏବଂ ୫୦୦ ଘରୋଇ ପରୀକ୍ଷାଗାରକୁ ମିଶାଇ ମୋଟ ୧୪୬୯ଟି ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଛି। ଏଥିରେ ବିଭିନ୍ନ ପ୍ରକାର ପରୀକ୍ଷାଗାର ରହିଛି। ସେଥିମଧ୍ୟରୁ ରିୟଲ ଟାଇମ୍‌ ପିସିଆର ଭିତ୍ତିକ ପରୀକ୍ଷାଗାର ସଂଖ୍ୟା ୭୫୪। ଏଥିରେ ୪୫୦ ସରକାରୀ ଏବଂ ୩୦୪ ଘରୋଇ ପରୀକ୍ଷାଗାର ରହିଛି। ସେହିଭଳି ଦେଶରେ ମୋଟ ୫୯୮ଟି ଟ୍ରୁ ନ୍ୟାଟ ଭିତ୍ତିକ ପରୀକ୍ଷାଗାର ରହିଛି। ସେଥିରେ ୪୮୫ ସରକାରୀ ଓ ୧୧୩ ଘରୋଇ। ସେହିଭଳି ଦେଶରେ ଏବେ ସିବିଏନ୍‌ଏଏଟି ଭିତ୍ତିକ ୧୧୭ଟି ପରୀକ୍ଷାଗାର ରହିଛି। ସେଥିରୁ ସରକାରୀ ୩୪ଟି ଏବଂ ଘରୋଇ ୮୩ଟି।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ [email protected] ଏବଂ ଅନ୍ୟାନ୍ୟ ପ୍ରଶ୍ନ [email protected] and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.