Home ଓଡ଼ିଶା ଓଡ଼ିଶାକୁ ମୋଦୀ ଜୀ”ଙ୍କ ଋଣ ଶୁଝିବାକୁ ପଡ଼ିବ ..

ଓଡ଼ିଶାକୁ ମୋଦୀ ଜୀ”ଙ୍କ ଋଣ ଶୁଝିବାକୁ ପଡ଼ିବ ..

96

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି। ଦ୍ରୌପଦୀ ଆଜି ଭାରତର ନବନିର୍ବାଚିତ ତଥା ୧୫ ତମ ରାଷ୍ଟ୍ରପତି। ସମସ୍ତ ମହିଳା ସମାଜ, ଆଦିବାସୀ ସମାଜ ତଥା ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର କଥା। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ବାସ୍ତବରେ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଏକ ବଡ଼ ଉପହାର ଦେଇଛନ୍ତି। ଦେଖିବାକୁ ଗଲେ, ମୋଦୀ ସରକାରଙ୍କ ଶାସନ କାଳରେ ଅନେକ ଓଡ଼ିଆ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ପାରିଛନ୍ତି। ପ୍ରଶାସନିକ କ୍ଷେତ୍ରରେ ଦେଖିଲେ ଜଣେ ଓଡ଼ିଆ ପି. କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଅଛନ୍ତି। ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଅତିରିକ୍ତ ସଚିବ ଏବଂ ୨୦୧୯ ସେପ୍ଟେମ୍ୱରରୁ ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଆରବିଆଇ ଗଭର୍ଣ୍ଣର ଭାବରେ ପ୍ରଥମ ଓଡ଼ିଆ ଭାବରେ ନିଯୁକ୍ତି ପାଇଛନ୍ତି ଶକ୍ତିକାନ୍ତ ଦାସ। ସେହିପରି ଆଉ ଜଣେ ଓଡ଼ିଆ, ବରିଷ୍ଠ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ ଏନସିବି ଡିଜି ରହିଛନ୍ତି। ଏହାପୂର୍ବରୁ ସେ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଜାତୀୟ ଦୁର୍ବିପାକ ପ୍ରଶମନ ବଳ (ଏନଡିଆରଏଫ)ର ଡିଜି ଭାବରେ ଦାୟିତ୍ୱ ତୁଲାଇଥିଲେ। କେନ୍ଦ୍ର ସରକାରଙ୍କ ବିକାଶ ମନ୍ତ୍ରଣାଳୟର ଉତ୍ତର- ପୂର୍ବାଞ୍ଚଳ ବିଭାଗ ଯୁଗ୍ମ ସଚିବ ମଧ୍ୟ ସେ ରହି ସାରିଛନ୍ତି। ଦେଶର ପାଣିପାଗ ବିଭାଗର ମୁଖ୍ୟ ପଦବୀରେ ରହିଛନ୍ତି ଜଣେ ଓଡ଼ିଆ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ସେହିପରି ଓଡ଼ିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ, ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ, ଗିରିଶ ମୁର୍ମୁ ଜମ୍ମୁକାଶ୍ମୀରର ପ୍ରଥମ ଉପ- ରାଜ୍ୟପାଳ ଭାବରେ ନିଯୁକ୍ତି ପାଇଛନ୍ତି। ସେହିପରି ମୋଦୀ ସରକାରଙ୍କ ମନ୍ତ୍ରାଳୟ କଥା ଦେଖିଲେ, ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ପୁଣି ଦୂତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପୁଣି ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ବିଶେଶ୍ୱର ଟୁଡୁ ଏବଂ ଓଡ଼ିଶା କୋଟାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ଆଦି ମୋଦୀ ସରକାରରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ପାରିଛନ୍ତି। ସେହିପରି ମୋଦୀ ଶାସନ କାଳରେ ଅନେକ ଓଡ଼ିଆ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମ ବିଭୂଷଣ ଆଦି ଉପାଧିରେ ଭୂଷିତ ହୋଇ ପାରିଛନ୍ତି।

ଏମିତିରେ ମିଶନ ପୂର୍ବୋଦୟ ପଲିସି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଆର୍ଥିକ ଅନୁଦାନ ଦୃଷ୍ଟିକୋଣରୁ ଦେଖିଲେ ମୋଦୀ ସରକାରଙ୍କ ଶାସନ କାଳରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଯଥେଷ୍ଟ ଅଧିକ ଅନୁଦାନ ରାଶି ପାଇଛି। ମୋଦୀ ସରକାର ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇ ଆସିଛନ୍ତି। ରେଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ମୋଦୀ ସରକାରଙ୍କ ଶାସନ କାଳରେ ଓଡ଼ିଶା ସର୍ବାଧିକ ଲାଭାନ୍ୱିତ ହୋଇଛି। ଏମିତିରେ ଆମ ଓଡ଼ିଆଙ୍କ ଠାକୂର ଜଗନ୍ନାଥଙ୍କ ପ୍ରତି ମୋଦୀ ଜୀ”ଙ୍କର ଏକ ସ୍ୱତନ୍ତ୍ର ଭକ୍ତିଭାବ, ଶ୍ରଦ୍ଧା ମଧ୍ୟ ରହିଛି। ଓଡ଼ିଶା ଲୋକ ମଧ୍ୟ ମୋଦୀଙ୍କୁ ଖୁବ୍ ଭଲ ପାଆନ୍ତି। ଏପରିକି ତାଙ୍କ ଗୃହରାଜ୍ୟ ଗୁଜୁରାଟ ଠାରୁ ଓଡ଼ିଶା ଲୋକ ମୋଦୀଜୀ”ଙ୍କୁ ଅଧିକ ଭଲ ପାଆନ୍ତି! କାରଣ, ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ପରେ ପରେ ଏକ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ସର୍ବେକ୍ଷଣ ଅନୁଯାୟୀ ଲୋକପ୍ରିୟତାରେ ମୋଦୀ ୬୫.୬୯% ଲୋକଙ୍କ ସମର୍ଥନ ପାଇଥିଲେ। ମୋଦୀଙ୍କ ଲୋକପ୍ରିୟତାକୁ ନେଇ ସର୍ଭେରେ ସବୁଠାରୁ ବଡ଼ ଅବଦାନ ରହିଥିଲା ଓଡ଼ିଶାର। ମୋଦିଙ୍କ ପ୍ରଦର୍ଶନ ପାଇଁ ଓଡ଼ିଶାର ଜନତା ମୋଦୀଙ୍କୁ ସର୍ବାଧିକ ୯୫.୬ ପଏଣ୍ଟ ଦେଇଥିଲେ। ଏପରିକି ତାଙ୍କ ଗୃହ ରାଜ୍ୟ ଗୁଜୁରାଟ ସମେତ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାରୁ ଯଥେଷ୍ଟ ଅଧିକ ସମର୍ଥନ ପାଇଥିଲେ ମୋଦୀ। ଅର୍ଥାତ୍ ସର୍ଭେ ମୁତାବକ ସମଗ୍ର ଦେଶ ଭିତରେ ଓଡ଼ିଶାରେ ମୋଦୀ ଅଧିକ ଲୋକପ୍ରିୟ। କିନ୍ତୁ, ଏବେ ସମୟ ଆସିଯାଇଛି ମୋଦୀ ଜୀ”ଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏ’ ଭଲ ପାଇବା ସହିତ ଓଡ଼ିଶାକୁ ମୋଦୀଜୀ”ଙ୍କ ଋଣ ଶୁଝିବାକୁ ପଡ଼ିବ। ରାଷ୍ଟ୍ରହିତ ତଥା ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସହିତ ଓଡ଼ିଶା ପ୍ରତି ମୋଦୀ ଜୀ”ଙ୍କ ରହିଥିବା ବଦାନ୍ୟତାର ଋଣ ଶୁଝିବାକୁ ମୋଦୀ ଜୀ”ଙ୍କ ହାତମୁଠାକୁ ଆହୁରୀ ଅଧିକ ଟାଣ କରିବାରେ ଓଡ଼ିଶା ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ପଡ଼ିବ। ଓଡ଼ିଶାକୁ ମୋଦୀ ଜୀ”ଙ୍କ ଋଣ ଶୁଝିବାକୁ ପଡ଼ିବ।
– ହରପ୍ରିୟା ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.