ଭୁବନେଶ୍ୱର: ଇତି ମଧ୍ୟରେ ବିଜେପି ଓଡ଼ିଶା ନବ ନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା। ଦଳକୁ ପୁନଃ ମଜଭୁତ କରିବା ଏବଂ ରାଜ୍ୟକୁ ଡବଲ୍ ଇଞ୍ଜିନ୍ ବିକାଶ ପଥରେ ନେବା ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୂଲ୍ୟବାନ ସମୟ ଏବଂ ମାର୍ଗଦର୍ଶନ ପାଇଁ ମୁଁ କୃତଜ୍ଞ ଏବଂ ମୁଁ ନିଶ୍ଚିତ ଯେ ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶ ଅଧିକରୁ ଅଧିକ ସମୃଦ୍ଧ ହେବ ବୋଲି ଲେଖି ମୋଦୀଙ୍କ ସହ ସାକ୍ଷାତ ସମୟର ଫଟୋ ପୋଷ୍ଟ୍ କରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଜଣାଇଥିଲେ ମନମୋହନ ସାମଲ। କିନ୍ତୁ, ଯାହା ଜଣାପଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜ୍ୟ ସଭାପତିଙ୍କ ସାକ୍ଷାତ ଓଡ଼ିଶା ବିଜେପିକୁ ହଜମ୍ ହେଲା ନାହିଁ। କାରଣ ଧର୍ମେନ୍ଦ୍ର ପ୍ରଧାନଙ୍କ କିଛି ଭାଉ ରହିଲାନି। ସେଥିପାଇଁ ବୋଧେ ମୋଦୀଙ୍କ ସହ ଓଡ଼ିଶା ବିଜେପି ରାଜ୍ୟ ସଭାପତିଙ୍କ ସାକ୍ଷାତ ସମୟର ଫଟୋ ଓଡ଼ିଶା ବିଜେପିର ପ୍ରାୟ କେହି ବଡ଼ବଡ଼ିଆ ନେତାନେତ୍ରୀ କିମ୍ବା ଖୋସାମତିଆ କାର୍ଯ୍ୟକର୍ତ୍ତା ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କଲେ ନାହିଁ। କଥା କଥାକେ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ପକାଉଥିବା ନେତାନେତ୍ରୀ ଗଣ ମୋଦୀଙ୍କ ସହ ନିଜ ଦଳର ରାଜ୍ୟ ସଭାପତିଙ୍କ ଫଟୋ ପୋଷ୍ଟ୍ କି ସେୟାର କଲେ ନାହିଁ, ଏଣେ କିନ୍ତୁ ମନ୍ତ୍ରଙ୍କର କୁଆଡୁ କଣ ଫଟୋ, ଭିଡିଓ ଆଣି ପୋଷ୍ଟ୍ କରି ପକାଉଛନ୍ତି ଏମାନେ। ସତରେ ମନ୍ତ୍ରୀଙ୍କ ଅଗୋଚରରେ ହଜମ୍ ହେଲାନି ବୋଧେ ଏ’ ସାକ୍ଷାତ! ହେବ ବା କେମିତି? ଏମାନେ ତ’ ସବୁ ମନ୍ତ୍ରୀଙ୍କ ଅନୁଗ୍ରହରେ ପଦପଦବୀ ବା ଯାହା କିଛି ଲାଭ ପାଇଛନ୍ତି। ଆନୁଗତ୍ୟ ତ’ ଦେଖାଇବାକୁ ପଡ଼ିବ!!
-/Dev@Drath