Home ଓଡ଼ିଶା ତୋଗଲକୀ ଶାସନ ଢ଼ାଞ୍ଚାରେ ଓଡ଼ିଶା ସରକାର

ତୋଗଲକୀ ଶାସନ ଢ଼ାଞ୍ଚାରେ ଓଡ଼ିଶା ସରକାର

678

ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ମୋଗଲ ସାମ୍ରାଜ୍ୟର ଜଣ ସମ୍ରାଟ ଥିଲେ ତାଙ୍କ ନାଁ ହେଉଛି ମହମ୍ମଦ ବିନ୍ ତୋଗଲକ୍। ତେର ଶହ ପଚିଶି ଖ୍ରୀଷ୍ଟାବ୍ଦରୁ ନେଇ ତେରଶହ ଏକାବନ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେ ଥିଲେ ଭାରତ ବର୍ଷର ସମ୍ରାଟ। ଜଣେ ପ୍ରଶାସନିକ ଦକ୍ଷତା ଥିବା ସମ‌୍ରାଟ ହିସାବରେ ତାଙ୍କର ଖ୍ୟାତି ରହିଥିଲା। ମାତ୍ର ତାଙ୍କର ଅନେକ କିମ୍ଭୁତ କିମ୍ଭାକାର ନିଷ୍ପତ୍ତି ତାଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ ସ୍ମରଣୀୟ କରି ରଖିଛି। ମୋଗଲ ଶାସନ ସମୟରେ ଭାରତ ବର୍ଷର ରାଜଧାନୀ ଥିଲା ଦିଲ୍ଲୀ। ମାତ୍ର ମହମ୍ମଦ ବିନ୍ ତୋଗଲକ୍ ତାଙ୍କ ଶାସନ ସମୟରେ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅପେକ୍ଷା ଦୌଲତାବାଦ୍ ହୋଇପାରିବ ଶ୍ରେଷ୍ଠ ରାଜଧାନୀ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଦିଲ୍ଲୀରୁ ଦୌଲତାବାଦ୍ କୁ ରାଜଧାନୀ ସ୍ଥାନାନ୍ତରୀତ କରିବା ପୀଇଁ ସେ ଦେଇଥିଲେ କଡ଼ା ନିର୍ଦ୍ଦେଶ। ଦୌଲତାବାଦ୍ କୁ ରାଜଧାନୀ ସ୍ଥାନାନ୍ତରୀତ ହେବାର କିଛିମାସ ମଧ୍ୟରେ ସମ୍ରାଟ ମହମ୍ମଦ ବିନ୍ ତୋଗଲକ ଚିନ୍ତାକଲେ ଦୌଲତାବାଦ୍ ଅପେକ୍ଷା ଦିଲ୍ଲୀ ରାଜଧାନୀ ପାଇଁ ଉପଯୁକ୍ତ ଥିଲା। ପୁଣି ତାଙ୍କରି ନିର୍ଦ୍ଦେଶରେ ରାଜଧାନୀ ସ୍ଥାନାନ୍ତରୀତ ହେଲା ଦିଲ୍ଲୀକୁ। ତେଣୁ ଏହା ପରଠାରୁ ରାଜା ରାଜୁଡ଼ା ପ୍ରଶାସନ ହେଉ କିମ୍ବା ଗଣତାନ୍ତ୍ରୀକ ପ୍ରଶାସନ ହେଉ ଏହି ପ୍ରକାର ଅପରିପକ୍ୱ ଶାସନକୁ ତୋଗଲକୀ ଶାସନର ଉଦାହରଣ ଦିଆଯାଏ।

ଓଡ଼ିଶାରେ ଚାଲିଥିବା ଗଣତାନ୍ତ୍ରୀକ ଶାସନର ରୂପରେଖ ସେହି ଆଡ଼କୁ ଅଗ୍ରସର ହେଉଛି ବେଲି ଜନ ସାଧାରଣଙ୍କର ମତ। ପଞ୍ଚମଥର ପାଇଁ ଶାସନକ୍ଷମତାକୁ ଆସିଥିବା ବିଜେଡ଼ି ସରକାର ଅନେକ ତଥାକଥିତ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବେ ତୋଗଲକୀ ଶାସନର କାର୍ଯ୍ୟଶୈଳୀ ସହିତ ସମତୁଲ ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି। ଦୁର୍ନୀତି ବିରୁଦ୍ଧରେ ବିଜେଡ଼ି ସରକାରର ଆଭିମୁଖ୍ୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଶାସନ କ୍ଷମତାକୁ ଆସିଥିବା ବିଜେଡ଼ି ସରକାରର ଏକମାତ୍ର ସ୍ଲୋଗାନ ଥିଲା ଓଡ଼ିଶାରୁ ଦୁର୍ନୀତିର ମୁଳପୋଛ। ସେହି ସମୟରେ ବିଜେଡ଼ି ସରକାର ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ନେଇଥିବା ଅନେକ ପଦକ୍ଷେପ ଏବେ ମଧ୍ୟ ଅବିସ୍ମରଣୀୟ। ମାତ୍ର ପଞ୍ଚମଥର ଶାସନ କ୍ଷମତାକୁ ଆସିବା ପରେ ବିଜେଡ଼ି ସରକାର ଗ୍ରହଣ କରୁଥିବା ଦୁର୍ନୀତି ବିରୋଧି ଆଭିମୁଖ୍ୟ ଲୋକଙ୍କୁ ପାଣିଚିଆ ଲାଗୁଛି। ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀଙ୍କୁ ଛଟେଇ କରି ବିଜେଡ଼ି ସରକାର ସୃଷ୍ଟି କରୁଛି ଏକ ନୂତନ ଉଦାହରଣ। ମାତ୍ର ଏହାର ସ୍ୱଚ୍ଛତା ଉପରେ ସୃଷ୍ଟିହେଉଛି ପ୍ରଶ୍ନବାଚୀ। ପଞ୍ଚମ ଥର ଶାସନ ଭାର ଗ୍ରହଣ କରିବାର ତାରିଖ ଠାରୁ ନେଇ ଆଜି ପର୍ଯ୍ୟନ୍ତ ୨୧ ଜଣ ଦୁର୍ନିତୀରେ ଲିପ୍ତ ସରକାରୀ ଚାକିରୀରୁ ନିଳମ୍ବିତ କରିସାରିଲେଣି ସରକାର। ମାତ୍ର ତାଲିକା ଦେଖିଲେ ଜଣା ପଡ଼ୁଛିଯେ, ଏ ସମସ୍ତ ସରକାରୀ କର୍ମଚାରୀ ତଳିଆ କର୍ମଚାରୀର ଅଂଶ ବିଶେଷ। ତେଣୁ ଏଠାରେ ପ୍ରଶ୍ନ ଉଠୁଛିଯେ, ଦୁର୍ନିତୀ କ’ଣ କେବଳ ତଳ ସ୍ତରରେ ହେଉଛି? ଉପର ସ୍ତରରେ କାର୍ଯ୍ୟକରୁଥିବା ପ୍ରଶାସନିକ ଅଧିକାରୀ ଓ ଆଗଧାଡ଼ିରେ ଥିବା ରାଜନେତାମାନେ କ’ଣ ଦୁର୍ନୀତିରେ ଲିପ୍ତ ନାହାଁନ୍ତି ? ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ମାଳମାଳ। କିଏ ଭିଜିଲାନ୍ସରେ ଜଡ଼ିତ ତ କିଏ ସିବିଆଇ କେସ୍ ରେ ଜଡ଼ିତ।

ଭିଜିଲାନ୍ସ ମାମଲାରେ ଜଡ଼ିତ ଥିବା ରାଜ୍ୟର ଅନେକ ପ୍ରଶାସନିକ ଅଧିକାରୀ ସରକାରଙ୍କର ଗେହ୍ଲାପୁଅ। ଭଲ ପଦବୀରେ ରହି ପ୍ରଶାସନିକ କାର୍ଯ୍ୟଶୈଳୀକୁ ଉପଭୋଗ କରୁଛନ୍ତି। ସେହି ଅନୁପାତରେ ରାଜ୍ୟ ସରକାରଙ୍କର ଆଗଧାଡ଼ିରେ ଥିବା ରାଜନେତାମାନେ ସିବିଆଇ ମାମଲାରେ ଛନ୍ଦି ହୋଇ ମଧ୍ୟ ସରକାରଙ୍କର ଗେହ୍ଲା ପୁଅ। ଦୁର୍ନୀତି ବିରୁଦ୍ଧରେ ନିଆଁ ଜାଳୁଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ମାତ୍ର ଏହା ସବୁକ୍ଷେତ୍ରରେ ଲାଗୁ ହେବା ନିହାତି ଜରୁରୀ। ନଚେତ୍ ପୁରାଣ କଥିତ ଆଲି ବାବା ଔର ଚାଲିଶ ଚୋର ଉପାଧିକୁ ହାତେଇ ବାକୁ ବେଶୀ ସମୟ ଲାଗିବନି ବିଜେଡ଼ି ସରକାରକୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.