Home Top News ବାହାରିନ ରେ ମୃତ ଓଡ଼ିଆ ମିସ୍ତ୍ରୀ ଦେବାଶିଷଙ୍କ ଶବ ଭୁବନେଶ୍ୱର ପ୍ରେରଣ

ବାହାରିନ ରେ ମୃତ ଓଡ଼ିଆ ମିସ୍ତ୍ରୀ ଦେବାଶିଷଙ୍କ ଶବ ଭୁବନେଶ୍ୱର ପ୍ରେରଣ

208

ବାହାରିନ୍ ୨୬-୧୧(ଓଡ଼ିଆ ପୁଅ) : ଏଠାକାର ବାଣିଜାମରାହା ଠାରେ ଗତ ନଭେମ୍ବର ୧୬ ତାରିଖ ଦିନ ଅକାଳ ମୃତ୍ୟୁ ବରଣ କରିଥିବା ଓଡ଼ିଆ ମିସ୍ତ୍ରୀ ଦେବାଶିଷ ସାହୁଙ୍କର ମୃତଶରୀରକୁ ଆଜି ବାହାରିନ ରୁ ମୁମ୍ବାଇ ପଠାଯାଇଛି। ବନ୍ଦେଭାରତ ମିସନ ଅଧୀନରେ ଏୟାର ଇଣ୍ଡିଆ ର ୧୯୪୨ ନମ୍ବର ବିମାନ ରେ ଯାଇଥିବା ଶ୍ରୀ ସାହୁଙ୍କର କଫିନ ଆସନ୍ତାକାଲି ଏୟାର ଇଣ୍ଡିଆ ର ୬୬୯ ନମ୍ବର ସଂଯୋଗକାରୀ ବିମାନ ଯୋଗେ ଅପରାହ୍ନ ୨.୨୫ ମିନିଟ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ ବୋଲି ଜଣାଯାଇଛି। ଶ୍ରୀ ସାହୁଙ୍କର ମୃତାବଶେଷ କୁ ଡାକ୍ତରଖାନା ରୁ ବିମାନ ବନ୍ଦର ରେ ପହୁଁଚାଇବା , ସେ ଚାକିରୀ କରୁଥିବା ସଂସ୍ଥା କ୍ରାଉନ ଇଲେକ୍ଟ୍ରୋମେକାନିକାଲ ସର୍ଭିସେସ ପକ୍ଷରୁ ତାଙ୍କ ପରିବାରକୁ ସନ୍ତୋଷଜନକ କ୍ଷତିପୂରଣ ଦିଆଯିବା, ଶ୍ରୀ ସାହୁଙ୍କର ଆସବାବପତ୍ର କୁ ତାଙ୍କ ଘରକୁ ପଠାଇବା ଏବଂ କମ୍ପାନୀ ସହିତ ତାଙ୍କର ପ୍ରାପ୍ୟନେଇ ଚୂଡାନ୍ତ ରାଜିନାମା କରାଇବା ତଥା ଭାରତୀୟ ଦୂତାବାସ, ବାହାରିନ ସରକାରଙ୍କର ଶ୍ରମ ମନ୍ତ୍ରଣାଳୟ ଭାରତ ସରକାର ଓ ଓଡିଶା ରାଜ୍ୟ ସରକାରଙ୍କ ସହିତ ଏହି ମାମଲାକୁ ନେଇ ଯୋଗସୂତ୍ର ରକ୍ଷାକରି ମୃତକ ପରିବାରକୁ ଆବଶ୍ୟକୀୟ ମାନବିକ ସାହାଯ୍ୟ, ସହାନୁଭୂତି ଓ ସମବେଦନା ପ୍ରଦାନ କରାଇବା ରେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ଼ଃ ଅରୁଣ କୁମାର ପ୍ରହରାଜ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଡ଼ଃ ପ୍ରହରାଜ ଏବଂ ଶ୍ରୀ ସାହୁଙ୍କର ସାଥୀ ଶ୍ରମିକ ମାନେ ତାଙ୍କର ମୃତ ଦେହକୁ ଆଜି ଏଠାରେ ଶେଷ ବିଦାୟ ପ୍ରଦାନ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।

ଘଟଣାରୁ ଜଣାଯାଇଛି ଯେ ଚାନ୍ଦବାଲି ର ବିଜୟନଗର ନିବାସୀ ୨୬ ବର୍ଷୀୟ ଯୁବକ ଦେବାଶିଷ ସାହୁ ୨୦୧୬ ମସିହାରେ ରୋଜଗାର ଆଶାରେ ବାହାରିନ ଆସିଥିଲେ।ଉଦ୍ଦେଶ୍ୟଥିଲା କ୍ୟାନସର ଯୋଗୁଁ ମୃତ ମାଙ୍କର ଚିକିତ୍ସା ପାଇଁ ହୋଇଥିବା ରୁଣକୁ ସେ ସୁଝିବେ। ଆର୍ଥିକ ବୋଝ ଓ ଅଭାବ, ଅନାଟନ ଯୋଗୁଁ ଦୀର୍ଘ ଚାରିବର୍ଷ ହେଲା କେବେ ଭାରତ ନ ଫେରି ଏଠାରେ ପଡିରହିଥିବା ଦେବାଶିଷଙ୍କର ଦୁର୍ଲଭ ଜୀବନର ଯେ ଏଭଳି ମର୍ମନ୍ତୁଦ ଅନ୍ତଘଟିବ ତାହା ଭାବିବା କଷ୍ଟକର ବୋଧ ହେଉଛି। ଭାଗ୍ୟର ବିଡ଼ମ୍ବନା ଯୋଗୁଁ ଶ୍ରୀ ସାହୁଙ୍କ ସମେତ ୩ଜଣ ଭାରତୀୟ ଶ୍ରମିକଙ୍କର ଏକ ସୁଡ଼ଙ୍ଗରେ ମରାମତି କାର୍ଯ୍ୟ କରୁଥିବା ବେଳେ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିଲା। ତୁରନ୍ତ ମାମଲାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ବାହାରିନ ର ପ୍ରଧାନମନ୍ତ୍ରୀ ସଲମାନ ବିନ ହମଦ ଅଲ ଖଲିଫା ଆଦେଶ ଦେଇଥିଲେ।ପରିବାର ର ଏକମାତ୍ର ରୋଜଗାର କ୍ଷମ ପୁଅର ଅପମୃତ୍ୟୁ ଯୋଗୁଁ ମ୍ରିୟମାଣ ହୋଇପଡ଼ିଥିବା ତାଙ୍କର ବାପା ବସନ୍ତ ସାହୁ ଏବଂ ସଂପର୍କୀୟ ଭାଇ ଗୋଲକ ବେହେରାଙ୍କ ସହିତ ବାହାରିନ ଓଡ଼ିଆ ସମାଜ ତରଫରୁ ଡ଼ଃ ପ୍ରହରାଜ କ୍ରମାଗତ ଭାବରେ ଯୋଗାଯୋଗ ରଖି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଓ ଏହି ଦୁର୍ଘଟଣା କୁ ଅଧିକାରୀମାନେ ଖୁବ ଗମ୍ଭୀରତାର ସହିତ ଗ୍ରହଣ କରିବାକୁ ତାଙ୍କର ସକ୍ରୀୟ ପ୍ରଚେଷ୍ଟା ଚାଲୁରଖିଥିଲେ। ବିଶେଷକରି ଶ୍ରମିକ ମାନଙ୍କୁ ଅମ୍ଳଜାନ ମାସ୍କ ବା ସିଲିଣ୍ଡର ତଥା ଗ୍ୟାସ ମପା ଯନ୍ତ୍ର ଦିଆନଯାଇ, ଏଭଳି ବିପଜ୍ଜନକ କାର୍ଯ୍ୟରେ ଲଗାଯାଇଥିବାରୁ, ସେମାନଙ୍କୁ ଜାଣିଶୁଣି ମୃତ୍ୟୁମୁଖକୁ ଠେଲି ଦିଆଯାଇଥିବା ଡ଼ଃ ପ୍ରହରାଜ ଅଭିଯୋଗ କରିଥିଲେ। ଅବଶେଷରେ କ୍ରାଉନ କମ୍ପାନୀ କର୍ତ୍ତୃପକ୍ଷ ଦେବାଶିଷଙ୍କର ପରିବାରକୁ ୧୪୯୬ ପରିମାଣର ବାହାରିନ ଦିନାର ଅର୍ଥାତ ୨ ଲକ୍ଷ ୮୪ ହଜାର ଟଙ୍କା ର କ୍ଷତିପୂରଣ ରାଶି ଦେବାକୁ ସମ୍ମତି ପ୍ରଦାନ କରିଥିବା ଖବର ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.