Home ଉପ ନିର୍ବାଚନ ଟ୍ୱିଟ୍ ନାହିଁ କି ପ୍ରେସ ରିଲିଜ୍ ନାହିଁ; ଶୁଭେଚ୍ଛା ଜଣାଇବେନି କି ମନ୍ତ୍ରୀ ?

ଟ୍ୱିଟ୍ ନାହିଁ କି ପ୍ରେସ ରିଲିଜ୍ ନାହିଁ; ଶୁଭେଚ୍ଛା ଜଣାଇବେନି କି ମନ୍ତ୍ରୀ ?

223

ଭୁବନେଶ୍ୱର: ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପାର୍ଥି ଘୋଷଣା କରି ସାରିଛନ୍ତି ତିନି ପ୍ରମୁଖ ଦଳ। ପାର୍ଥି ଘୋଷଣା କରିବାରେ ବିଜେପି ଆଗୁଆ ରହିଥିବା ବେଳେ ଏହାପରେ ବିଜେଡି ଏବଂ ପରେ ପରେ କଂଗ୍ରେସ କରିଥିଲା ପାର୍ଥି ଘୋଷଣା। ନିଜ ନିଜ ଦଳର ପାର୍ଥିଙ୍କୁ ଶୁଭେଚ୍ଛା ଜଣାଇ ତଥା ବିଜୟର ଦାବୀ ଜଣାଇ ସବୁ ଦଳର ନେତା ଏବଂ କାର୍ଯ୍ୟକର୍ତ୍ତା ମାନେ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି, ମିଡିଆରେ ମତ ରଖୁଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ଭାବରେ କଥା କଥାକେ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ଏବଂ ପ୍ରାୟ ପ୍ରତ୍ୟେକ ଦିନ କିଛି ନାଁ କିଛି ପ୍ରେସ୍ ରିଲିଜ୍ ପ୍ରକାଶ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏ’ ପର୍ଯ୍ୟନ୍ତ ଏ’ ନେଇ କୌଣସି ପୋଷ୍ଟ କିମ୍ବା ପ୍ରେସ୍ ରିଲିଜ୍ ଦେଖିବାକୁ ମିଳିଲାନି। ଯାହାକୁ ନେଇ ସନ୍ଦେହ ଏବଂ ଆଶ୍ଚର୍ଯ୍ୟ ପ୍ରକଟ ହେଉଛି।

ଗତ ୧୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ ହୋଇ ୫ଟି ରାଜ୍ୟର ୧୬ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଦଳ ପାର୍ଥି ଘୋଷଣା କରାଯାଇଥିଲା। ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସଡ଼କ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ଛତିଶଗଡ଼ର ଗୋଟିଏ, ଗୁଜୁରାଟର ୭ଟି, ଝାଡ଼ଖଣ୍ଡର ୨ଟି, ମଣିପୁରର ୪ଟି ଏବଂ ଓଡ଼ିଶାର ୨ଟି ବିଧାନସଭା ଆସନ ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ପାଇଁ ପାର୍ଥି ଘୋଷଣା ହୋଇଥିଲା। କୁହାଯାଉଛି ବାଲେଶ୍ଵର ସଦର ପାଇଁ ମାନସ କୁମାର ଦତ୍ତଙ୍କୁ ପାର୍ଥି କରିବା ପଛରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହାତ ରହିଥିବା ବେଳେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲ ପାଇଁ ପାର୍ଥି କରାଇବା ପଛରେ ସାରଦା ପ୍ରସାଦ ପ୍ରଧାନ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି। ସାରଦା ଓରଫ ବୁଲୁ ପ୍ରଧାନ ମନ୍ତ୍ରୀ ପ୍ରଧାନଙ୍କ ଗୋଷ୍ଠୀ ଲୋକ। ଅର୍ଥାତ୍ ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପାର୍ଥି କରାଇବା ଧର୍ମେନ୍ଦ୍ର ପ୍ରଧାନଙ୍କ ହିଁ ଯୋଜନା। ସେହପରି ବାଲେଶ୍ଵର ସଦର କଥା ଦେଖିଲେ, ମାନସ କୁମାର ଦତ୍ତଙ୍କୁ ପାର୍ଥି କରିବା ପଛରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହାତ ରହିଥିବା କୁହାଯାଉଥିଲେ ମଧ୍ୟ ଦିବ୍ୟଙ୍ଗତ ନେତା ତଥା ପୂର୍ବତନ ବିଧାୟକ ମଦନମୋହନ ଦତ୍ତ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥିତ ଥିଲେ ଏବଂ ଏବେ ମଧ୍ୟ ତାଙ୍କ ପୁଅ ମାନସ ଦତ୍ତ ମଧ୍ୟ ଧର୍ମେନ୍ଦ୍ରଙ୍କ ସମର୍ଥକ। ସେହିପରି ପ୍ରତାପ ଷଡ଼ଙ୍ଗୀ ତ’ ଦଳ ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବକୁ ସ୍ୱୀକାର କରି ସାରିଛନ୍ତି। ତେଣୁ, ବାଲେଶ୍ୱରରୁ ମାନସ ଦତ୍ତ ପାର୍ଥି ହେବାରେ ମଧ୍ୟ ଧର୍ମେନ୍ଦ୍ରଙ୍କ ସ୍ୱୀକୃତି ରହିଥିବା କୁହାଯାଇ ପାରେ। ତେବେ, ରାଜ୍ୟ ବିଜେପିର ବିଭିନ୍ନ ମହଲରୁ, ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଉଭୟ ପାର୍ଥିଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ, ଶୁଭେଚ୍ଛା ବାର୍ତ୍ତା ଆଦି ଦେଖିବାକୁ ମିଳୁଥିବା ବେଳେ କଥା କଥାକେ ଟ୍ୱିଟ୍ କରୁଥିବା, ଫେସବୁକ୍ ପେଜରେ ପୋଷ୍ଟ କରୁଥିବା ଏବଂ ପ୍ରେସ୍ ରିଲିଜ୍ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମାନଙ୍କ କ୍ଷେତ୍ରରେ ମୌନ କାହିଁକି ବୋଲି ପ୍ରଶ୍ନ ଉଠୁଛି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.