Home ଓଡ଼ିଶା ଜାତୀୟ ରାଜପଥ ପ୍ରାଧିକରଣ କଣ୍ଟ୍ରାକ୍ଟର ଓ କନ୍‌ସଲଟାଣ୍ଟ ଆଦିଙ୍କ ପ୍ରଦର୍ଶନର ରେଟିଂ ବ୍ୟବସ୍ଥା କରିବ

ଜାତୀୟ ରାଜପଥ ପ୍ରାଧିକରଣ କଣ୍ଟ୍ରାକ୍ଟର ଓ କନ୍‌ସଲଟାଣ୍ଟ ଆଦିଙ୍କ ପ୍ରଦର୍ଶନର ରେଟିଂ ବ୍ୟବସ୍ଥା କରିବ

106

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏକ ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ ବିକଶିତ କରିଛି। ପ୍ରାଧିକରଣ ସହ କାର୍ଯ୍ୟ କରୁଥିବା ବିଭିନ୍ନ କଣ୍ଟ୍ରାକ୍ଟର, କନ୍‌ସଲଟାଣ୍ଟ ଓ କନ୍‌ସେସ୍‌ନାୟାର ସଂସ୍ଥାଗୁଡିକର କାର୍ଯ୍ୟର ପ୍ରଦର୍ଶନକୁ ସମୀକ୍ଷା କରି ତାହାର ମୂଲ୍ୟାୟନ କରିବା ଏହି ବ୍ୟବସ୍ଥାର ଲକ୍ଷ୍ୟ। ଏହା ଫଳରେ ସଂପୃକ୍ତ ସଂସ୍ଥାଙ୍କ କାର୍ଯ୍ୟ ଓ ପ୍ରଦର୍ଶନ ସଂପର୍କରେ ଏକ ସ୍ୱଚ୍ଛ ଓ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ। ପ୍ରାଧିକରଣ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ନିରପେକ୍ଷ ଭାବରେ ଏହି ରେଟିଂ, ସମୀକ୍ଷା ଓ ଆକଳନ ପୋର୍ଟାଲ ମାଧ୍ୟମରେ କରାଯିବ। ଏହା ଫଳରେ ଦେଶର ବିଭିନ୍ନ ରାଜପଥ ପ୍ରକଳ୍ପରେ ସଂପୃକ୍ତ ଥିବା ଭେଣ୍ଡରମାନଙ୍କର କାର୍ଯ୍ୟର ଉଚିତ ମୂଲ୍ୟାୟନ କରାଯାଇପାରିବ।

ଜାତୀୟ ରାଜପଥ ପ୍ରାଧିକରଣର ୱେବସାଇଟରେ ଏହି ପୋର୍ଟାଲ ଉପଲବ୍ଧ। ଏହାର ନାମ ରଖାଯାଇଛି ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ। ଏହି ପୋର୍ଟାଲ ଅଧୀନରେ ଭେଣ୍ଡରମାନଙ୍କୁ ଆତ୍ମଆକଳନ ବା ସେଲ୍‌ଫ ଆସେସ୍‌ମେଣ୍ଟ ତଥ୍ୟ ଦେବାକୁ ପଡିବ। ଏ ସଂକ୍ରାନ୍ତ ନଥିପତ୍ର ସେମାନଙ୍କୁ ପୋର୍ଟାଲରେ ଅପ୍‌ଲୋଡ କରିବାକୁ ହେବ। ସେମାନେ କେଉଁ ପ୍ରକଳ୍ପରେ ସଂପୃକ୍ତ, ଏହାର ନିର୍ମାଣ ସ୍ଥିତି ଓ ପ୍ରଗତି ଆଦି ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ପଡିବ। ଏହିସବୁ ତଥ୍ୟକୁ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ବିଭିନ୍ନ ସ୍ତରରେ ସମୀକ୍ଷା କରି ସଂପୃକ୍ତ ଭେଣ୍ଡରଙ୍କ ରେଟିଂ ବା ପ୍ରଦର୍ଶନର ମୂଲ୍ୟାୟନ କରିବେ। କେଉଁ ଭେଣ୍ଡରଙ୍କ ରେଟିଂ କ’ଣ ତାହା ପୋର୍ଟାଲରେ ଉପଲବ୍ଧ ହେବ।

ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଯେଉଁସବୁ ସର୍ତ୍ତ ଓ ମାନଦଣ୍ଡ ରହିଛି ସେଗୁଡିକ ସହିତ ଭେଣ୍ଡରଙ୍କ ପ୍ରଦର୍ଶନର ତୁଳନା କରାଯିବ ଏବଂ ତଦନୁସାରେ ରେଟିଂ ଦିଆଯିବ। ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟ, ଏହାର ପ୍ରଗତି, ପ୍ରକଳ୍ପର ସମାପ୍ତି ତାରିଖ, ସଂସ୍ଥାଙ୍କର ସ୍ୱାଧୀନ ଇଂଜିନିୟରିଂ ବ୍ୟବସ୍ଥା, ଡିପିଆର କନ୍‌ସଲଟାନ୍ସି ଏବଂ ଅନ୍ୟାନ୍ୟ ସମସ୍ତ ତଥ୍ୟାବଳୀକୁ ରେଟିଂ ସମୟରେ ବିଚାରକୁ ନିଆଯିବ। ରେଟିଂକୁ ଅତ୍ୟନ୍ତ ନିରପେକ୍ଷ ଓ ନ୍ୟାୟୋଚିତଭାବେ କରିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଭେଣ୍ଡରଙ୍କୁ ମିଳିଥିବା ରେଟିଂ ଅନ୍ୟ ଭେଣ୍ଡରମାନେ ଦେଖିବାର ସୁବିଧା ମଧ୍ୟ ରହିଛି। କୌଣସି ଭେଣ୍ଡର ଯଦି ପାଇଥିବା ରେଟିଂରେ ସନ୍ତୁଷ୍ଟ ନ ହୁଅନ୍ତି ତାଙ୍କୁ ଆବେଦନ କରିବାର ସୁଯୋଗ ଦେବାର ବ୍ୟବସ୍ଥା ଅଛି।

ଆଜିସୁଦ୍ଧା ୫୮୩ ପ୍ରକଳ୍ପ ସଂପର୍କରେ ଭେଣ୍ଡରମାନେ ତଥ୍ୟ ଉପସ୍ଥାପନ କରିଛନ୍ତି। ସେଥିମଧ୍ୟରୁ ୫୧୯ କନ୍‌ସଲ୍‌ଟାଣ୍ଟ ଓ ୩୩୪ କଣ୍ଟ୍ରାକ୍ଟର ଅଛନ୍ତି। ସେସବୁର ତଥ୍ୟ ଏବେ ବିଭିନ୍ନ ସ୍ତରରେ ଆକଳନ କରାଯାଉଛି। ଯେଉଁ ଭେଣ୍ଡରମାନେ ଆବଶ୍ୟକ ନଥିପତ୍ର ପୋର୍ଟାଲରେ ଅପ୍‌ଲୋଡ କରିବାରେ ବିଫଳ ହେବେ ସେମାନଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିଲାମରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ।

ନୂଆ ପ୍ରକଳ୍ପ ଭେଣ୍ଡରଙ୍କୁ ପ୍ରଦାନ କରିବାବେଳେ ନିଲାମ ଡାକିବା ସଂକ୍ରାନ୍ତ କାଗଜପତ୍ରରେ ରେଟିଂ ତଥ୍ୟ ପ୍ରଦାନ କରିବା ସଂଶୋଧିତ ବ୍ୟବସ୍ଥାରେ ବାଧ୍ୟତାମୂଳକ ହୋଇଛି। ସେଥିପାଇଁ ଏହି ରେଟିଂ ବ୍ୟବସ୍ଥା କରାଯାଉଛି ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଏହି ରେଟିଂ ବ୍ୟବସ୍ଥା ଭେଣ୍ଡରଙ୍କ ଉତ୍ତର ଦାୟିତ୍ୱ ବୃଦ୍ଧି କରିବ ଏବଂ ଏହାଦ୍ୱାରା ରାଜପଥର ମାନରେ ଉନ୍ନତି ଆସିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.