Home Top News ମୋଦୀଙ୍କ ମନ୍ତବ୍ୟ ବିଜେପି ପାଇଁ ଗ୍ରହଣୀୟ: କିନ୍ତୁ, ଓଡ଼ିଶା ବିଜେପି ପାଇଁ ଅଗ୍ରହଣୀୟ!

ମୋଦୀଙ୍କ ମନ୍ତବ୍ୟ ବିଜେପି ପାଇଁ ଗ୍ରହଣୀୟ: କିନ୍ତୁ, ଓଡ଼ିଶା ବିଜେପି ପାଇଁ ଅଗ୍ରହଣୀୟ!

80

ଭୁବନେଶ୍ୱର: ୪ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବ୍ୟାପକ ସଫଳତା ପରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ସଂସଦୀୟ ବୋର୍ଡ ବୈଠକ। ଏଥିରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଭିତରେ ନିର୍ଦ୍ଦିଷ୍ଟ ଏକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ପରିବାରବାଦ (ନେପୋଟିଜିମ୍) ଗଣତନ୍ତ୍ରର ଶତୃ। ଏହାକୁ ବିଜେପିରେ ଗ୍ରହଣ କରାଯାଇ ପାରିବ ନାହିଁ। ବୈଠକକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଥିଲେ ଯେ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟ ନିର୍ବାଚନରେ ​​ଦଳର ନେତାଙ୍କ ପରିବାର ସଦସ୍ୟ ଟିକେଟ ପାଇନାହାଁନ୍ତି। ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶରେ ଅନେକ ବିଜେପି ନେତା ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଟିକେଟ୍ ମାଗୁଥିଲେ, କିନ୍ତୁ ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇନଥିଲା। ସାଂସଦ ରୀତା ବହୁଗୁଣା ଯୋଶୀ ମଧ୍ୟ ଲଖନଉରୁ ତାଙ୍କ ପୁଅ ମାୟାଙ୍କଙ୍କ ପାଇଁ ଟିକେଟ ମାଗିଥିଲେ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇନଥିଲା। ରୀତା ବହୁଗୁଣା ଯୋଶୀ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତାଙ୍କ ପୁଅ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ ଅନ୍ୟ କିଛି ନେତା ମଧ୍ୟ ସେମାନଙ୍କ ପରିବାରକୁ ଟିକେଟ୍ ଦେବା ପାଇଁ ଲବି କରୁଥିଲେ, କିନ୍ତୁ ସେମାନେ ମଧ୍ୟ ନିରାଶ ହୋଇଥିଲେ। ଏପରିକି ଗୋଆର ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କୁ ବିଜେପି ଟିକେଟ୍ ଦେଇନଥିଲା। ସେ ପାଣାଜୀ ଆସନରୁ ଟିକେଟ୍ ପାଇଁ ଆଶାୟୀ ଥିଲେ ମଧ୍ୟ ବିଜେପି ଏହାକୁ ପ୍ରତ୍ୟାଖାନ କରିଥିଲା। ଏହା ପରେ ଉତ୍ପଳ ସ୍ୱାଧୀନ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ତେବେ ନିର୍ବାଚନରେ ​​ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ବୈଠକରେ ମୋଦୀ କହିଥିଲେ ଯେ କୌଣସି ନେତାଙ୍କ ପରିବାର ସଦସ୍ୟଙ୍କୁ ଯଦି ଟିକେଟ୍ ମିଳିନାହିଁ ତେବେ, ଏଥିପାଇଁ ମୁଁ ଦାୟୀ।ଏଠି ଓଡ଼ିଶା କଥା କିନ୍ତୁ ଭିନ୍ନ। ଓଡ଼ିଶା ବିଜେପିରେ ନିଜକୁ ମୁଣ୍ଡିଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାରବାଦକୁ ପ୍ରଶୟ ଦେବାର ମୁଖ୍ୟ ପୁରୋଧା। ପରିବାରବାଦରୁ ତାଙ୍କ ନିଜ ଉତ୍ପତ୍ତି। ଓଡ଼ିଶା ବିଜେପିରେ ପରିବାରବାଦକୁ ପ୍ରଶୟ ଦେବାରେ ମଧ୍ୟ ସେ ଆଗୁଆ। ଏମିତିରେ, ଖୋର୍ଦ୍ଧା – ଭୁବନେଶ୍ୱର – ଚିଲିକାରେ ବିଶ୍ୱଭୂଷଣ ହରିଚନ୍ଦନ, ତାଙ୍କ ଭାଇ ଡା. ବିଭୂତି ଭୂଷଣ ହରିଚନ୍ଦନ ଏବଂ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଇଏ ନହଲେ ସିଏ ଗାଦି ମାଡ଼ି ବସିଥିବା ବେଳେ ବଲାଙ୍ଗୀରରେ କନକ ବର୍ଦ୍ଧନ ସିଂହଦେଓ ଏବଂ ସଙ୍ଗୀତା କୁମାରୀ ସିଂହଦେଓ ପତି – ପତ୍ନୀ ପଲଟିକ୍ସ୍ ଚାଲିଆସିଛି। ସେହିପରି ନିଜେ ଧର୍ମେନ୍ଦ୍ର ପ୍ରଧାନ ବାପା ଦେବେନ୍ଦ୍ର ପ୍ରଧାନଙ୍କ ଗାଦି ମାଡ଼ି ବସିଛନ୍ତି। ଏବେ ପୁଣି କ’ଣ ପତ୍ନୀ ମୃଦଳା ଠାକୂର ଧୀରେ ଧୀରେ ଏଣ୍ଟ୍ରି ମାରିଲେଣି!ଓଡ଼ିଶା ବିଜେପିରେ ଏସବୁ ଚାଲି ଆସିଥିବା ବେଳେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗ୍ରହରୁ ଓଡ଼ିଶା ବିଜେପିରେ ଏବେ ପରିବାରବାଦ ଏବଂ ପ୍ରିୟାପ୍ରୀତି ତୋଷଣ ଗୁରୁତ୍ୱ ଆହୁରୀ ବଢ଼ିଯାଇଛି। ଲୁଲୁ ମହାପାତ୍ରଙ୍କ ଭାଇ ବ୍ରହ୍ମଗିରୀ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରେ ପୁଣି ଲୁଲୁଙ୍କ ଝିଅ ଉପାସନା ମହାପାତ୍ରଙ୍କ ପ୍ରଭାବ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ। କଂଗ୍ରେସରୁ ଆସି ଲାଲା ମନୋଜ ରାୟ ନୟାଗଡ଼ ବିଜେପି ଜିଲ୍ଲା ସଭାପତି ହେବା ଏବଂ ତାଙ୍କ ପତ୍ନୀ ଇରାଣୀ ରାୟଙ୍କୁ ଟିକେଟ୍ ମିଳିବା ସେହି ଧର୍ମେନ୍ଦ୍ରଙ୍କ ଅବଦାନ। ଏସବୁ ଦେଖି ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ତାଙ୍କ ପୁଅକୁ ପ୍ରମୋଟ୍ କରିବାରେ ଲାଗିଛନ୍ତି। ସେହିପରି କଂଗ୍ରେସରୁ ଆସି ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟ୍ ପାଇଥିବା ମାଧବାନନ୍ଦ ମଲ୍ଲିକ ତାଙ୍କ ପୁଅକୁ ପ୍ରମୋଟ୍ କରିବାରେ ଲାଗିଛନ୍ତି। କଂଗ୍ରେସିଆ ଢଙ୍ଗ ଯାଇନି। ଭାବୁଛନ୍ତି ବୋଧେ, ସତେ ଯେପରି ରାଜ ଅଭିଷେକ ହେଉଛି। ବାପ – ପୁଅ ଗୋଟିଏ ମଞ୍ଚରେ ମଞ୍ଚାସିନ ହେଉଛନ୍ତି। ଏପରିକି ପୁଅ ଫଟୋ ଥିବା ବ୍ୟାନର୍ ତଳେ ବାପ ବସୁଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଏଠି ବାପା ନୁହେଁ, ପୁଅ ଟିକେଟ୍ ବାଣ୍ଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି।ଏ’ସବୁ ଭିତରେ ଜିଲ୍ଲା ସଭାପତି ବା ଛାଡ଼ନ୍ତେ କୁଆଡ଼ୁ? ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ ପୁଅ ଜାଗାରେ ନିଜ ପତ୍ନୀଙ୍କୁ ଆଣିଛନ୍ତି। ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିବା ଜିଲ୍ଲାର କିଛି ନେତାନେତ୍ରୀଙ୍କୁ ଟିକେଟ୍ ନଦେଇ, ଏଣେ ନିଜେ ପତି – ପତ୍ନୀ ଭିନ୍ନ ଭିନ୍ନ ପଞ୍ଚାୟତରୁ ବିଜେପି ସମର୍ଥିତ ସମିତି ସଭ୍ୟ ପାର୍ଥି ହେଲେ। ଉଦ୍ଦେଶ୍ୟ ଥିଲା ବ୍ଲକ୍ ଅଧ୍ୟକ୍ଷ କବ୍ଜା। ତେବେ, ଦୁହିଁଙ୍କୁ ଦୁହେଁ ଚିତପଟାଙ୍ଗ୍ ମାରିଛନ୍ତି। ବିଜେପି ଗୋଟିଏ ବି ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇ ପାରିନି। ସବୁ ଜିଲ୍ଲା ପରିଷଦ ଆସନ ବିଜେଡି ପୋଛି ନେଇଛି। ବିଜେପିର ଶୋଚନୀୟ ପରାଜୟ ଘଟିଛି। ଏହିପରି ସ୍ଥିତି ରାଜ୍ୟରେ ଅନ୍ୟାନ୍ୟ ସ୍ଥାନରେ ଅଳ୍ପ ବହୁତେ ଚାଲିଛି। ରୋକିବ ବା କିଏ? ସେଠି ସିନା ମୋଦୀ ଅଙ୍କୁଶ ଲଗାଉଛନ୍ତି ଏଠି ପରା ଧର୍ମେନ୍ଦ୍ର ପ୍ରଶୟ ଦେଉଛନ୍ତି? ତେଣୁ ସଂସଦୀୟ ବୋର୍ଡ ବୈଠକରେ ପରିବାରବାଦ ଉପରେ ମୋଦୀ ଦେଇଥିବା ମନ୍ତବ୍ୟ ବିଜେପି ପାଇଁ ହୁଏତ ଗ୍ରହଣୀୟ ହୋଇପାରେ, କିନ୍ତୁ ଓଡ଼ିଶା ବିଜେପି ପାଇଁ ନୁହେଁ!
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.