ad
ଓଡ଼ିଶା

ଭାରତର ଗ୍ରାମାଞ୍ଚଳରେ ଅଣୁ ଶିଳ୍ପାୟନକୁ ପୁନଃସକ୍ରିୟ କରିବା ସକାଶେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ

– ଏହା ଦେଶର ତୃଣମୂଳ ସ୍ତରର ଅର୍ଥନୀତିକୁ ସୁଦୃଢ଼ କରିବ, ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ନୂତନ ତଥା ସଂମ୍ପ୍ରସାରିତ ହିତାଧିକାରୀ ଭିତ୍ତିକ ଆତ୍ମ-ନିଯୁକ୍ତି ଯୋଜନା ପ୍ରସ୍ତୁତ କରାଯାଇଛି

– ଧୂପବତୀ ପରେ, ମାଟି ପାତ୍ର ପ୍ରସ୍ତୁତି ଏବଂ ମହୁଚାଷ ପାଇଁ ନୂତନ ଯୋଜନା ଘୋଷଣା କରାଯାଇଛି, ଯେଉଁଥିରୁ ୮୦୦୦ରୁ ଊର୍ଦ୍ଧ୍ଵ ହିତାଧିକାରୀ ୨୦୨୦-୨୧ମସିହାରେ ଉପକୃତ ହେବେ ଏବଂ ଏଥିପାଇଁ ୧୩୦କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି

– ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ବ୍ୟତୀତ, ଏହିସବୁ ଉତ୍ପାଦମାନଙ୍କ ନିମନ୍ତେ ସମାନ ସୁବିଧା ସୁଯୋଗ ଥିବା କ୍ଲଷ୍ଟରମାନ ସ୍ଥାପନ ଲାଗି ଅର୍ଥ ମଂଜୁର କରାଯାଇଛି; ଏଥି ନିମନ୍ତେ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନର ପ୍ରସ୍ତାବ ମଧ୍ୟ ରହିଛି

– ଏହିସବୁ ଯୋଜନାର ସଂପ୍ରସାରଣ ଆତ୍ମନିର୍ଭର ଭାରତ ଅଭିଯାନକୁ ସାକାର କରିବା ନିମନ୍ତେ ଉଦ୍ଦିଷ୍ଟ

ମାତ୍ର କିଛି ଦିନ ପୂବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ପକ୍ଷରୁ ଧୂପବତୀ ପ୍ରସ୍ତୁତ କରିବା ପାଇଁ ଆଗ୍ରହୀ କାରିଗରମାନଙ୍କୁ ସହାୟତା ପ୍ରଦାନକୁ ସଂପ୍ରସାରଣ ଏବଂ ଦ୍ୱିଗୁଣିତ କରିବା ନିମନ୍ତେ ଘୋଷଣା କରାଯାଇଥିଲା। ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇ ନେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏବେ ଆଉ ଦୁଇଟି ନୂଆ ଯୋଜନା ପାଇଁ ମାର୍ଗଦର୍ଶିକା ଘୋଷଣା କରାଯାଇଛି। ସେହି ଦୁଇଟି ଯୋଜନା ହେଲା “ମୃତ୍ତିକା ଶିଳ୍ପ କାର୍ଯ୍ୟକ୍ରମ” ଏବଂ “ ମହୁଚାଷ କାର୍ଯ୍ୟକ୍ରମ”।

ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନୂତନ ଦୁଇଟିଯାକ ପ୍ରୟାସ ହିତାଧିକାରୀମାନଙ୍କ ନିମନ୍ତେ ଆତ୍ମ ନିଯୁକ୍ତି ଯୋଜନା ଭିତ୍ତିକ, ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରର ଅର୍ଥନୀତିକୁ ପୁନର୍ଜାଗରିତ କରାଯାଇ ପାରିବ ଏବଂ ଆତ୍ମ ନିର୍ଭର ଭାରତ ଅଭିଯାନ ମଜଭୁତ ହୋଇପାରିବ।

“ମୃତ୍ତିକା ଶିଳ୍ପ କାର୍ଯ୍ୟ” ପାଇଁ ସରକାର କୁମ୍ଭାର ଚକ, କାଦୁଅ ଚକଟା ଯନ୍ତ୍ର ଏବଂ ଗ୍ରାନୁଲେଟର ଇତ୍ୟାଦି ଯୋଗାଇଦେବେ। ଏଥି ସହିତ ସରକାର ପାରମ୍ପରିକ କୁମ୍ଭକାର ମାନଙ୍କୁ କୁମ୍ଭାରଚକରେ କିଭଳି ଭାବେ ବିଭିନ୍ନ ପ୍ରକାର ମାଟି ସାମଗ୍ରୀ ପ୍ରସ୍ତୁତ କରାଯାଏ ସେଭଳି ତାଲିମ ପ୍ରଦାନର ବ୍ୟବସ୍ଥା କରିବେ। ପାରମ୍ପରିକ ମାଟି ପାତ୍ର ନିର୍ମାଣ ସହ ଚାପଯୁକ୍ତ ମାଟିପାତ୍ର ପ୍ରସ୍ତୁତି ସଂପର୍କୀତ ତାଲିମ ମଧ୍ୟ ପ୍ରଦାନ କରାଯିବ। ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠୀର ଅଣ-ମାଟିପାତ୍ର ପ୍ରସ୍ତୁତକାରୀ କଳାକାରମାନଙ୍କୁ ମଧ୍ୟ ନାନା ପ୍ରକାର ତାଲିମ ଯୋଗାଇ ଦିଆଯିବ। ସେହିଭଳି ମାଟିପାତ୍ର ନିର୍ମାଣ ସକାଶେ ଜିଗର-ଜୋଲି ତାଲିମ କାର୍ଯ୍ୟକ୍ରମ ଉଭୟ ପାରମ୍ପରିକ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ଅଣ-ମାଟିପାତ୍ର ନିର୍ମାଣକାରୀ କଳାକାରମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ନିମ୍ନଲିଖିତ କାର୍ଯ୍ୟକ୍ରମ ମାଧ୍ୟମରେ ସେହିସବୁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି:

– ମାଟିପାତ୍ର ନିର୍ମାଣକାରୀ ଶିଳ୍ପୀମାନଙ୍କ ଉତ୍ପାଦନ, ପ୍ରଯୁକ୍ତିଗତ ଜ୍ଞାନକୌଶଳ ବୃଦ୍ଧି କରିବା ସକାଶେ ଏବଂ ସେମାନଙ୍କୁ ନୂଆ ନୂଆ ସାମଗ୍ରୀ ସୁଲଭ ମୂଲ୍ୟରେ ନିର୍ମାଣ କରିବା କୌଶଳ ଶିଖାଇ ଦିଆଯିବ;

– ମାଟିପାତ୍ର ପ୍ରସ୍ତୁତକାରୀ କଳାକାରମାନଙ୍କ ଉପାର୍ଜନ ବୃଦ୍ଧି ସକାଶେ ସେମାନଙ୍କୁ ତାଲିମ ଏବଂ ଆଧୁନିକ/ ସ୍ୱୟଂକ୍ରିୟ ଉପକରଣ ଚାଳନା ଶିକ୍ଷା ଦିଆଯିବ;

– ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନଙ୍କୁ ମାଟିପାତ୍ର ନିର୍ମାଣ କୌଶଳ ଯୋଗାଇ ଦିଆଯିବ ଯଦ୍ୱାରା ସେମାନଙ୍କ ସାମଗ୍ରୀ ପ୍ରତି ଉପଭୋକ୍ତାମାନେ ଅଧିକ ଆକୃଷ୍ଟ ହେବେ କାରଣ ସେମାନଙ୍କ ସେହିସବୁ ସାମଗ୍ରୀ ଅଧିକ ଚିତ୍ରିତ ଉତ୍ପାଦ ହେବ। ତେଣୁ ସେମାନଙ୍କୁ ମାଟିଶିଳ୍ପ କଳାର ନୂଆ ନୂଆ ଡିଜାଇନମାନ ଶିକ୍ଷା ଦିଆଯିବ;

– ପାରମ୍ପରିକ କୁମ୍ଭକାରମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ପିଏମଇଜିପି ଯୋଜନାରେ ନୂଆ ନୂଆ ୟୁନିଟମାନ ସ୍ଥାପନ କରାଯିବ;

– ବଜାର ଲିଙ୍କେଜର ବିକାଶ ଘଟାଇବା ନିମନ୍ତେ ବିଶେଷଜ୍ଞମାନଙ୍କ ସହ ସଂପର୍କ ସ୍ଥାପନ କରାଯିବ ଏବଂ ବଡ଼ ବଡ଼ କ୍ରେତା ସଂସ୍ଥାମାନଙ୍କ ସହ ଯୋଗାଯୋଗ କରାଯିବ;

– ନୂଆ ନୂଆ ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ଏବଂ ଏଥିପାଇଁ କଞ୍ଚାମାଲ ଯାହାକି ଅନ୍ତରାଷ୍ଟ୍ରୀୟ ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବ ସେଥିପାଇଁ ଦେଶର ମୃତ୍ତିକାଶିଳ୍ପକୁ ସମୃଦ୍ଧ କରାଯିବ;

– ମାଟିପାତ୍ର ଠାରୁ ସେମାନେ କିଭଳି ବିଭିନ୍ନ ପ୍ରକାର ନୂତନ ରନ୍ଧନସାମଗ୍ରୀ ଓ ଖାଦ୍ୟପାତ୍ର ପ୍ରସ୍ତୁତ କରିପାରିବେ ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ ଏବଂ

– କୁଶଳୀ ମୃତ୍ତିକା ଶିଳ୍ପୀ ପ୍ରସ୍ତୁତ କରିବା ନିମନ୍ତେ ତାଲିମଦାତାମାନଙ୍କ ତାଲିମ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯିବ। ସେମାନେ ମାଷ୍ଟର ଟ୍ରେନର ଭାବେ କାର୍ଯ୍ୟ କରିବେ।

ଏହି ଯୋଜନାରେ ପୋଟେରୀ ଉନ୍ନତିକରଣ ପାଇଁ ମଧ୍ୟ ସ୍କିମମାନ ରହିଛି। ସେଗୁଡ଼ିକ ହେଲା:

୧) ସ୍ୱୟଂ ସହାୟକ ଗୋଷ୍ଠୀର କଳାକାରମାନଙ୍କୁ ଚାହିଦା ଭିତ୍ତିକ ବଗିଚା କୁଣ୍ଡ, ରୋଷେଇ ଉପକରଣ, ଖୁଲ୍ଲାଡ଼, ପାଣି ବୋତଲ, ଘରସଜା ସାମଗ୍ରୀ, ଭିତ୍ତିଚିତ୍ର ଇତ୍ୟାଦି ପ୍ରସ୍ତୁତ ନିମନ୍ତେ କୌଶଳ ବିକାଶ ତାଲିମ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି।

୨)ନୂତନ ଯୋଜନା ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଛି ଯଦ୍ୱାରା ମୃତ୍ତିକାଶିଳ୍ପୀମାନଙ୍କ ଉତ୍ପାଦନ, ପ୍ରଯୁକ୍ତିଗତ ଜ୍ଞାନ ଏବଂ ମାଟିରୁ ପ୍ରସ୍ତୁତ ଶକ୍ତି ସଂରକ୍ଷକ ଚୁଲା ପ୍ରସ୍ତୁତ କରିପାରିବେ ଏବଂ ସେମାନଙ୍କ ଉତ୍ପାଦନ ମୂଲ୍ୟ ମଧ୍ୟ ହ୍ରାସ ପାଇବ

୩) ବଜାର ସହ ସଂଯୁକ୍ତ କରିବା ସକାଶେ ଏକ ବ୍ୟବସ୍ଥାର ବିକାଶ ପାଇଁ ଚେଷ୍ଟା କରାଯିବ ଏବଂ ସେଥିପାଇଁ ବିଶେଷଜ୍ଞ ବଡ଼ ବଡ଼ କ୍ରୟକାରୀ ସଂସ୍ଥାମାନଙ୍କ ସହ ସଂପର୍କ ସ୍ଥାପନ କରାଯିବ।

ଏହି ଯୋଜନାରୁ ମୋଟ ୬୦୭୫ ଜଣ ପାରମ୍ପରିକ ତଥା ଅନ୍ୟ (ଅଣ-ପାରମ୍ପରିକ) କୁମ୍ଭକାର କଳାକାର/ ଗ୍ରାମୀଣ ବେକାର ଯୁବକ/ ପ୍ରବାସୀ ଶ୍ରମିକ ଉପକୃତ ହୋଇପାରିବେ।

୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ଯେହେତୁ ଏଥିପାଇଁ ୧୯-୫୦ କୋଟିର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି ଏବଂ ତାହା ୬୦୭୫ଜଣ କଳାକାରଙ୍କୁ ସହାୟକ ହେବା ସହ ୱାର୍ଦ୍ଧାର ଏମଜିଆଇଆରଆଇ, ଖୁର୍ଜାର ସିଜିସିଆରଆଇ, ନାଗପୁରର ଭିଏନଆଟି ଠାରେ ଉତ୍କର୍ଷ କେନ୍ଦ୍ର ଏବଂ ଉପଯୁକ୍ତ ଆଇଆଇଟି/ ଏନଆଡ଼ି/ ଏନଆଇଏଫଟି ଆଦିରେ ସ୍ଥାପନ କରାଯାଇ ସେଠାରେ ଏହିସବୁ ପ୍ରଶିକ୍ଷାର୍ଥୀମାନଙ୍କୁ ଉନ୍ନତ କୌଶଳ ତାଲିମ ଏବଂ ଗୁଣାତ୍ମକ ମାନଯୁକ୍ତ ଉତ୍ପାଦ ପ୍ରସ୍ତୁତ ସକାଶେ କୌଶଳ ପ୍ରଦାନ କରାଯାଇପାରିବ।

ଟେରାକୋଟା, ଲାଲ ମୃତ୍ତିକାରେ ପ୍ରସ୍ତୁତ ମାଟିପାତ୍ର ଏବଂ ଅଭିନବ ମୂଲ୍ୟଯୁକ୍ତ ଉତ୍ପାଦ ଯେଉଁଥିରେ ଖାଦ୍ୟ ଖାଇହେବ ଦକ୍ଷତା ତାଲିମ ପାଇଁ କ୍ଲଷ୍ଟର ସ୍ଥାପନ ଲାଗି ଏବଂ ଟାଇଲ ପ୍ରସ୍ତୁତ ଯାହାକି ମନ୍ତ୍ରଣାଳୟର “ସ୍ଫୁର୍ତ୍ତି” ଯୋଜନା ଅଧୀନରେ ପ୍ରଦାନ କରାଯାଇଥାଏ ସେସବୁ ଯୋଗାଇ ଦେବା ନିମନ୍ତେ ଅତିରିକ୍ତ ୫୦-୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।

ସେହିଭଳି “ମହୁ ଚାଷ କାର୍ଯ୍ୟ” ସକାଶେ କରାଯାଇଥିବା ଯୋଜନା ପାଇଁ ସରକାର ମହୁମାଛିମାନଙ୍କ ପାଇଁ ବାକ୍ସ, ଅନ୍ୟାନ୍ୟ ଉପକରଣ ଇତ୍ୟାଦି ଯୋଗାଇ ଦେବେ। ଏହି ଯୋଜନା ଅଧୀନରେ ମହୁବାକ୍ସ ସହିତ ମହୁ ଫେଣା ଆଦି ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ (ପିଏମଜିକେଆରଏ) ଜିଳ୍ଲାମାନଙ୍କରେ ଯୋଗାଇ ଦିଆଯିବ। ଏଭଳି ହିତାଧିକାରୀମାନଙ୍କୁ ଏକ ମହୁଚାଷ ସଂପର୍କୀତ ଏକ ପାଞ୍ଚଦିନିଆ ତାଲିମ ମଧ୍ୟ ପ୍ରଦାନ କରାଯିବ ଯାହାକି ତାଲିମ କେନ୍ଦ୍ର/ ରାଜ୍ୟ ମହୁଚାଷ ସଂପ୍ରସାରଣ କେନ୍ଦ୍ର/ ମାଷ୍ଟର ଟ୍ରେନରମାନଙ୍କୁ ଅନୁସୃତ ପାଠ୍ୟକ୍ରମ ଅନୁସାରେ ପ୍ରଦାନ କରାଯିବ।

ଏହା ନିମ୍ନମତେ କାର୍ଯ୍ୟକାରୀ କରାଯିବ:

– ମହୁଚାଷୀ/ କୃଷକମାନଙ୍କ ନିମନ୍ତେ ପୋଷଣୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ;

– ମହୁଚାଷୀ/ କୃଷକମାନଙ୍କ ନିମନ୍ତେ ଅତିରିକ୍ତ ଉପାର୍ଜନ ସୁଯୋଗ ସୃଷ୍ଟି;

– ମହୁ ଏବଂ ଅନ୍ୟାନ୍ୟ ମହୁଫେଣା ଉତ୍ପାଦ ସଂପର୍କରେ ସେମାନଙ୍କୁ ସଚେତନ କରିବା;

– ଏଭଳି ମହୁଚାଷୀମାନଙ୍କୁ ବୈଜ୍ଞାନିକ ଉପାୟରେ ମହୁଚାଷ ଓ ପରିଚାଳନା ସକାଶେ ସହାୟତା ଯୋଗାଇ ଦେବା

– ମହୁଚାଷ ନିମନ୍ତେ ଉପଲବ୍ଧ ପ୍ରାକୃତିକ ସଂପଦର ଉପଯୋଗ; ଏବଂ

– ପରାଗ ସଂଗମ ନିମନ୍ତେ ମହୁଚାଷର ଉପକାରୀତା ସଂପର୍କରେ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବା।

ମନ୍ତ୍ରଣାଳୟର ଅଧିକାରୀମାନେ ମତ ପୋଷଣ କରନ୍ତି ଯେ, ଏଭଳି କାର୍ଯ୍ୟ ଦ୍ୱାରା ସେମାନଙ୍କ ପାଇଁ ଅତିରିକ୍ତ ଉପାର୍ଜନର ପନ୍ଥା ସୃଷ୍ଟି ହେବା ସହ ସେମାନେ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତକୁ ସେହିସବୁ ଉତ୍ପାଦ କ୍ଷେତ୍ରରେ ଆତ୍ମ ନିର୍ଭର କରିବା ଏବଂ ସମୟକ୍ରମେ ରପ୍ତାନୀ ବଜାରକୁ ଆୟତ୍ତ କରିବା।

ମହୁଚାଷ ପାଇଁ ଯୋଜନାର ଉନ୍ନତିକରଣ ନିମନ୍ତେ ନିମ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି:

– ଶିଳ୍ପୀମାନଙ୍କର ଉପାର୍ଜନ ବୃଦ୍ଧି, ସେମାନଙ୍କ ମହୁ ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି।

-ବୈଜ୍ଞାନିକ ପଦ୍ଧତିରେ କିଭଳି ମହୁମାଛି ପାଳନ କରାଯାଇପାରିବ ଏବଂ ଏହାର ସୁପରିଚାଳନା ପଦ୍ଧତି ଗ୍ରହଣ ପାଇଁ ଲୋକମାନଙ୍କୁ ସହଜ ମାର୍ଗ ପ୍ରଦର୍ଶନ କରିବା।

-ମହୁ ଆଧାରିତ ଉତ୍ପାଦକୁ କିଭଳି ଭାବେ ବିଦେଶକୁ ରପ୍ତାନୀକ ରାଯାଇପାରିବ ତାହାର ଉପାୟ ବୃଦ୍ଧି କରିବା ଲାଗି ଲୋକମାନଙ୍କୁ ସହାୟତା ପ୍ରଦାନ କରିବା

ପ୍ରାରମ୍ଭରୁ ଏହି ଯୋଜନାରେ ୨୦୨୦-୨୧ ବର୍ଷରେ ମୋଟ ୨୦୫୦ ଜଣ ମହୁଚାଷୀ, ଉଦ୍ୟୋଗୀ, କୃଷକ, ବେକାର ଯୁବକଯୁବତୀ, ଆଦିବାସୀ ବର୍ଗର ଲୋକଙ୍କୁ ସକଳ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବା ନିମନ୍ତେ ପ୍ରକଳ୍ପ/ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ପ୍ରସ୍ତାବ ରହିଛି। ସେଥିପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୩-୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ସେଥିରୁ ୨୦୫୦ ଜଣ (୧୨୫୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ଏବଂ ୮୦୦ ଜଣ ପ୍ରବାସୀ ଶ୍ରମିକ) ଉପକୃତ ହୋଇପାରିବେ। ସିଏସଆଇଆର/ ଆଇଆଇଟି କିମ୍ବା ଅନ୍ୟ କୌଣସି ପ୍ରମୁଖ ଅନୁଷ୍ଠାନ ସହିତ ମିଶି ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ ଯାହାକି ଏହି ଉତ୍ପାଦକୁ ମୂଲ୍ୟଯୁକ୍ତ କରିବାରେ ସହାୟକ ହୋଇପାରୁଥିବ।

ଏହାତିରିକ୍ତ ମହୁଚାଷ ପାଇଁ ମହୁ କ୍ଲଷ୍ଟର ଯାହାକି ମନ୍ତ୍ରଣାଳୟର “ସ୍ଫୁର୍ତ୍ତି” ଯୋଜନାରେ କରାଯିବାର ପ୍ରାବଧାନ ରହିଛି ତାହାର ବିକାଶ ଘଟାଯିବା ସକାଶେ ୫୦-୦୦ କୋଟି ଟଙ୍କାର ଅତିରିକ୍ତ ରାଶି ରଖାଯାଇଛି।

ଏହିସବୁ ଯୋଜନା ସଂପର୍କୀତ ବିସ୍ତୃତି ଗାଇଡ଼ ଲାଇନ୍ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ମନ୍ତ୍ରଣାଳୟର ୱେବସାଇଟରେ ସ୍ଥାନୀତ କରାଯାଇଛି। ସେଗୁଡ଼ିକ ସାମାଜିକ ଗଣମାଧ୍ୟମ ଆଉଟରିଚ୍ରେ ମଧ୍ୟ ପ୍ରସାରଣ କରାଯାଉଛି।

ସ୍ମରଣ ଯୋଗ୍ୟ ଯେ ଗତ କିଛିଦିନ ପୂର୍ବରୁ ତୃଣମୂଳ ସ୍ତରରେ ଅଗରବତୀ ପ୍ରସ୍ତୁତି ଶିଳ୍ପକୁ ପୁନର୍ଜାଗରିତ କରିବା ସକାଶେ ସରକାର ପଦକ୍ଷେପ ଗ୍ରହଣ କରିଥିଲେ। ଆତ୍ମ ନିର୍ଭର ଭାରତ ନିର୍ମାଣ ଦିଗରେ ଏହା ଆଉ ଏକ ଆଗୁଆ ପଦକ୍ଷେପ ବୋଲି ବିବେଚନା କରାଯାଉଛି।ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସେମାନଙ୍କର ଘରକରଣ ସାମଗ୍ରୀ ଯୋଗାଇ ଦିଆଯାଇ ପାରିବ। ଏଭଳି କାର୍ଯ୍ୟକ୍ରମ ମଧ୍ୟରେ ସେଭଳି କାରିଗରମାନଙ୍କୁ ତାଲିମ ପ୍ରଦାନ, କଞ୍ଚାମାଲ ଯୋଗାଣ, ବାସ୍ନା ଓ ପ୍ୟାକେଜିଂରେ ଅଭିନବତ୍ୱ ଆଣିବା ସକାଶେ ସହାୟତା ଓ ସମର୍ଥନ ଯୋଗାଣ ତଥା ମାର୍କେଟିଂ ଓ ଆର୍ଥିକ ସହାୟତା ଯୋଗାଣ ଆଦି ସାମିଲ। ଏହି କାର୍ଯ୍ୟକ୍ରମ ଦ୍ୱାରା ତୁରନ୍ତ ୧୫୦୦ ପର୍ଯ୍ୟନ୍ତ କାରିଗର ଉପକୃତ ହୋଇପାରିବେ ଯାହାକି ସେମାନଙ୍କୁ ପୋଷଣୀୟ ନିଯୁକ୍ତି ପ୍ରଦାନ କରିବା ସହ ସେମାନଙ୍କର ଉପାର୍ଜନ ବୃଦ୍ଧିରେ ସହାୟକ ହେବ। ଗ୍ରାମାଞ୍ଚଳରେ ବସବାସ କରୁଥିବା କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ “ପ୍ରବାସୀ ଶ୍ରମିକ”ମାନେ ବିଶେଷ କରି ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇପାରିବେ। ଏହା ଛଡ଼ା, ସ୍ଥାନୀୟ ଭାବେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ନିମନ୍ତେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ। ମହୁଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଯୋଗୁ ରପ୍ତାନୀ ବଜାରକୁ ମଧ୍ୟ ଆୟତ୍ତ କରାଯାଇପାରିବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top