Home ଆନ୍ତର୍ଜାତୀୟ ବିଶ୍ୱ ନବସୃଜନ ସୂଚକାଙ୍କ-୨୦୧୯ରେ ଭାରତକୁ ୫୨ତମ ସ୍ଥାନ

ବିଶ୍ୱ ନବସୃଜନ ସୂଚକାଙ୍କ-୨୦୧୯ରେ ଭାରତକୁ ୫୨ତମ ସ୍ଥାନ

109

– ପୂର୍ବ ବର୍ଷ ଅପେକ୍ଷା ୫ଟି ସ୍ଥାନ ଉପରକୁ ଉଠିଲା ଭାରତ
– ଜିଆଇଆଇ ସୂଚକାଙ୍କକୁ ଉନ୍ମୋଚନ କଲେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ବିଶ୍ୱ ନବସୃଜନ ସୂଚକାଙ୍କ (ଜିଆଇଆଇ-ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ)କୁ ଉନ୍ମୋଚନ କରିଛନ୍ତି। ଏହି ସୂଚକାଙ୍କରେ ଭାରତ ଗତବର୍ଷ ୫୭ତମ ସ୍ଥାନରେ ଥିବା ବେଳେ ଏଥର ୫ଟି ସ୍ଥାନ ଉପରକୁ ଉଠି ୫୨ତମ ସ୍ଥାନରେ ପହଁଚିଛି।

ଏହି ଅବସରରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସମସ୍ତ ପ୍ରକ୍ରିୟାରେ ସମ୍ପୃକ୍ତ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଜିଆଇଆଇ-୨୦୧୯ ସୂଚକାଙ୍କରେ ଭାରତ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି। ଜିଆଇଆଇ ସୂଚକାଙ୍କର ଶ୍ରେଷ୍ଠ ୫୦ଟି ସ୍ଥାନରେ ରହିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ନେଇ ଭାରତ ନିରନ୍ତର ପ୍ରୟାସ କରୁଛି। ସେ ଆହୁରି କହିଥିଲେ ଯେ ଅତୀତର ସଫଳତାକୁ ନେଇ ଭାରତ ସ୍ଥିର ହୋଇ ବସି ରହିବ ନାହିଁ। ବିଶ୍ୱ ନବସୃଜନ ସୂଚକାଙ୍କର ଶ୍ରେଷ୍ଠ ୨୫ଟି ରାଷ୍ଟ୍ର ମଧ୍ୟରେ ରହିବା ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଭାରତ ତା’ର ପ୍ରୟାସ ଜାରି ରଖିବ। ଏହି ମାନ୍ୟତା ହାସଲ କରିବା ଲାଗି ସମସ୍ତ ଅଂଶୀଦାରମାନଙ୍କୁ ଲକ୍ଷ୍ୟବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ କରିଥିଲେ।

ଦେଶକୁ ନବସୃଜନର କେନ୍ଦ୍ରରେ ପରିଣତ କରିବା ଲାଗି କାର୍ଯ୍ୟ କରିବା ନିମନ୍ତେ ଶ୍ରୀ ଗୋଏଲ ଗବେଷଣା ଓ ବିକାଶ ସଂସ୍ଥାନ, ବିଶ୍ୱବିଦ୍ୟାଳୟ ଓ ଘରୋଇ କ୍ଷେତ୍ରକୁ ଅନୁରୋଧ କରିଥିଲେ। ଭବିଷ୍ୟତର ନବସୃଜନ ସୂଚକାଙ୍କରେ ଭାରତର ଗ୍ରାମୀଣ ନବସୃଜନକୁ ବିବେଚନା କରିବା ଲାଗି ବିଶ୍ୱ ବୌଦ୍ଧିକ ସମ୍ପତି ସଂଗଠନ (ଡବ୍ଲୁଆଇପିଓ)କୁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମାନ୍ୟତାରେ ଉନ୍ନତି ଫଳରେ ଭାରତୀୟମାନେ ସମାଜର ଗରିବ ଓ ବଂଚିତ ଲୋକମାନଙ୍କୁ ସହାୟତା କରିବା ଲାଗି ନିଶ୍ଚିତ ଭାବେ ଅନୁପ୍ରାଣିତ ହେବେ। ଗବେଷଣା ଓ ବିକାଶ ବର୍ତମାନ ଦେଶର ବିଭିନ୍ନ ସମସ୍ୟା ଯଥା ସହରାଂଚଳରେ ବୃଦ୍ଧି ପାଉଥିବା ପ୍ରଦୂଷଣ, ଦେଶର ବିଭିନ୍ନ ପ୍ରାନ୍ତରେ ଜଳ ସଂକଟ, ପ୍ରାକୃତିକ ସମ୍ପଦର ହ୍ରାସ, ଜଳବାୟୁ ପରିବର୍ତ୍ତନ ସମସ୍ୟା ଏବଂ ଖାଦ୍ୟ ନଷ୍ଟ ଆଦି ସମସ୍ୟାର ସ୍ଥାୟୀ ସମାଧାନ ଲାଗି ଉଦ୍ଦିଷ୍ଟ ହେବା ଆବଶ୍ୟକ।

ଚଳିତ ବର୍ଷର ଜିଆଇଆଇ ବିଷୟବସ୍ତୁ “ସୁସ୍ଥ ଜୀବନ ନିର୍ମାଣ-ଚିକିତ୍ସା କ୍ଷେତ୍ରରେ ନବସୃଜନର ଭବିଷ୍ୟତ” ଉପରେ ଆଲୋକପାତ କରି ପୀୟୂଷ ଗୋଏଲ କହିଥିଲେ ଯେ ଭାରତ ସରକାର କେବଳ ଚିକିତ୍ସା ସହିତ ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରୁଛି।

କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ, ଇନସିଡ ଦ୍ୱାରା ପ୍ରତିବର୍ଷ ଜିଆଇଆଇ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଥାଏ। ଏଥିରେ ମିଳିତ ଜାତସିଂଘର ବିଶ୍ୱ ବୌଦ୍ଧିକ ସମ୍ପତି ସଂଗଠନ (ଡବ୍ଲ୍ୟୁଆଇପିଓ) ଏବଂ ଜିଆଇଆଇ ସହଯୋଗୀ ଥାଆନ୍ତି। ଚଳିତ ଥର ୮୦ଟି ମାନକ ଆଧାରରେ ୧୨୯ଟି ଅର୍ଥବ୍ୟବସ୍ଥାକୁ ନେଇ ଜିଆଇଆଇ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଏହି ୮୦ଟି ମାନକ ମଧ୍ୟରେ ବୌଦ୍ଧିକ ସମ୍ପତି ଦାଖଲ ହାର, ମୋବାଇଲ ଆପ୍ଲିକେସନ ସୃଷ୍ଟି, ଶିକ୍ଷା କ୍ଷେତ୍ରରେ ବ୍ୟୟ, ବିଜ୍ଞାନ ଓ ବୈଷୟିକ ପ୍ରକାଶନୀ ଆଦି ସାମିଲ ରହିଛି।

ଜିଆଇଆଇ ମାନ୍ୟତାରେ ଚଳିତ ଥର ସ୍ୱିଜରଲ୍ୟାଣ୍ଡ ଶୀର୍ଷରେ ରହିଥିବା ବେଳେ ଏହାପଛକୁ ସ୍ୱିଡେନ, ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲ୍ୟାଣ୍ଡସ, ଇଂଲଣ୍ଡ, ଫିନଲ୍ୟାଣ୍ଡ, ଡେନମାର୍କ, ସିଙ୍ଗାପୁର, ଜର୍ମାନୀ ଓ ଇସ୍ରାଏଲ ଆଦି ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.