Home ଓଡ଼ିଶା ସାମ୍ବାଦିକଙ୍କୁ ମିଳିଲା ଲୁଙ୍ଗି ଓ ଗାମୁଛା

ସାମ୍ବାଦିକଙ୍କୁ ମିଳିଲା ଲୁଙ୍ଗି ଓ ଗାମୁଛା

200

ଭୁବନେଶ୍ୱର ୨୯-୭ (ଓଡ଼ିଆ ପୁଅ/ପ୍ରିୟ ରଞ୍ଜନ ସାହୁ) ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଚାଲିଛି। ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ଏହି ବଜେଟ୍ ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ଜାରି ରହିଛି। ପ୍ରତିଦିନ ଭିନ୍ନ ଭିନ୍ନ ବିଭାଗର ଖର୍ଚ୍ଚଦାବି ଆଲୋଚନା ସମୟରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କୁ ଖାଦ୍ୟପେୟ ମାଧ୍ୟମରେ ଆପାୟୀତ କରାଯାଉଛି। ଏହା ଏକ ଚିରାଚରିତ ପରମ୍ପରା। ଆଜି କିନ୍ତୁ ବିଧାନସଭା ପ୍ରେସ ଗ୍ୟାଲେରୀରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହାର କିଛି ସମୟ ପରେ ତାଲିକା ଭୁକ୍ତ ସାମ୍ବାଦିକମାନଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା। ଏହି ପ୍ୟାକେଟ ଖୋଲିଲା ବେଳକୁ ସେଥିରେ ଥିଲା ଖଣ୍ଡିଏ ଗାମୁଛା ଓ ଖଣ୍ଡିଏ ଲୁଙ୍ଗି। ଉପସ୍ଥିତ ଥିବା ପୁରୁଷ ଏବଂ ମହିଳା ସାମ୍ବାଦିକଙ୍କୁ ମଧ୍ୟ ଏହି ପ୍ୟାକେଟ୍ ଦିଆଯାଇଥିଲା। କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ରାଜ୍ୟ ସରକାରଙ୍କର ତରଫରୁ ଅନେକ ପ୍ରୋତ୍ସାହନ ମୂଳକ ପୁରସ୍କାର ପ୍ରଦାନ କରାଯାଇଥାଏ। ବହୁଦିନ ଧରି ଓଡ଼ିଶାର ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିଲେ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ସରକାର ଅବହେଳା କରୁଥିବାର ଖବର ବିଭିନ୍ନ ଗଣ ମାଧ୍ୟମର ପୃଷ୍ଠାମଣ୍ଡନ କରୁଥିଲା। ସେଥିସକାଶେ ଓଡ଼ିଶା ସରକାର ଓଡ଼ିଶା ସାମ୍ବାଦିକମାନଙ୍କ ପାଇଁ ଅନେକ ପ୍ରୋତ୍ସାହନ ମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନର ବର୍ଷେ ପୂର୍ବରୁ ରାଜ୍ୟ ସରକାର ଓଡ଼ିଶାରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ପାଇଁ ଏକ ଯୋଜନାବଦ୍ଧ ଚିଠା ପ୍ରସ୍ତୁତ କରିଥିଲେ। ସ୍ୱାସ୍ଥ୍ୟବୀମା ପାଇଁ ୨ ଲକ୍ଷ ଟଙ୍କାର ବୀମା ସାମ୍ବାଦିକମାନଙ୍କୁ ଯୋଗାଇ ଦେଇଥିଲେ। ପରବର୍ତ୍ତି ସମୟରେ ସରକାର ଆହୁରି ଅନେକ କିଛି ସଫଳ ଯୋଜନା ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଯଥା ସାମ୍ବାଦିକମାନଙ୍କୁ ୩% ରିହାତି ବାର୍ଷିକ ସୁଧ ଦରରେ ପଚିଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପଲବ୍ଧି ହେବ। ସେହି ଅନୁପାତରେ ସାମ୍ବାଦିକମାନେ ଚାରିଚକିଆ ଯାନ ଓ ଦୁଇଚକିଆ ଯାନ କିଣିଲେ କମ ସୁଧରେ ବ୍ୟାଙ୍କ ଋଣ ଯୋଗାଇ ଦେବ। କର୍ତ୍ତବ୍ୟରତ ସାମ୍ବାଦିକଙ୍କର ଅକାଳ ବିୟୋଗ ଘଟିଲେ ସେମାନଙ୍କର ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦୦ ଟଙ୍କା ମାସିକ ଓ ଉଚ୍ଚ ଶିକ୍ଷା ପାଇଁ ୨୫୦୦ ଟଙ୍କା ମାସିକ ସରକାର ଯୋଗାଇଦେବେ। ପ୍ରତିବର୍ଷ ସାମ୍ବାଦିକଙ୍କର ଦକ୍ଷତା ବିକାଶ ପାଇଁ ସରକାର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଚ୍ ଅଫ୍ ମାସ୍ କମ୍ୟୁନିକେସନ୍ ଢେଙ୍କାନାଳରେ ସାମ୍ବାଦିକଙ୍କୁ ତାଲିମ ଦେବେ। ସରକାରଙ୍କର ଏହି ଘୋଷଣାକୁ ଦୁଇ ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି। ମାତ୍ର ଫଳାଫଳ ଶୂନ। ଦୀର୍ଘ ବର୍ଷ ଧରି ଓଡ଼ିଶାରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କର ଗଣନାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ ସରକାର। ସାମ୍ୱାଦିକଙ୍କର ପେନସନ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟକରୁଥିବା ସାମ୍ବାଦିକମାନଙ୍କର ମାସିକ ବେତନର ଏକ ନିର୍ଦ୍ଧିଷ୍ଟ ରୂପାୟନ ଆଜି ପର୍ଯ୍ୟନ୍ତ ମଧ୍ୟ ସରକାର କରିପାରିଲେ ନାହିଁ। ଓଡ଼ିଶାରେ ବିଭିନ୍ନ ପ୍ରିଣ୍ଟ ଓ ଇଲେକେଟ୍ରୋନିକ୍ସ ମିଡ଼ିଆରେ କାର୍ଯ୍ୟକରୁଥିବା ସାମ୍ବାଦିକଙ୍କର ଦରମା କେତେ ତାହା ସରକାରଙ୍କୁ ଭଲ ଭାବରେ ଜଣା। ତେଣୁ ଘର କିଣିବା ପାଇଁ ଋଣ, ଚାରିଚକିଆ ଯାନ କିଣିବାପାଇଁ ଋଣ ରିହାତି ଦରରେ ଯୋଗାଇବାର ଘୋଷଣା ଏକ ହାସ୍ୟାସ୍ପଦ ନିଷ୍ପତ୍ତି ଥିଲା। ସରକାରଙ୍କରଦ୍ୱାରା ଘୋଷିତ ଏହି ସମସ୍ତ ଯୋଜନାକୁ ତର୍ଜମା କରି ଆମେ ପୂର୍ବରୁ ଖବର ପ୍ରକାଶ କରିସାରିଛୁ। ପ୍ରତିବର୍ଷ ସାମ୍ବାଦିକଙ୍କୁ ଦକ୍ଷତା ତାଲିମ୍ ଦେବା ପାଇଁ ମଧ୍ୟ ସରକାର ପ୍ରତିଶୃତି ଦେଇଥିଲେ। ମାତ୍ର ଦୁଇ ବର୍ଷ ଭିତରେ ସରକାର କେତେ ଏବଂ କେଉଁ ସାମ୍ବାଦିକଙ୍କୁ ଦକ୍ଷତା ତାଲିମ ଦେଇଛନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ। ତେଣୁ ବିଧାନସଭାରେ ଜୈନିକ ବିଧାୟକଙ୍କ ଦ୍ୱାରା ବଣ୍ଟାଯାଇଥିବା ଲୁଙ୍ଗି ଓ ଗାମୁଛାକୁ ଦେଖିଲାପରେ ବଲିଉଡ଼୍ ର ବହୁ ଚର୍ଚ୍ଚିତ ଚଳଚିତ୍ର ଓ ହିନ୍ଦୀ ଚଳଚିତ୍ର ଜଗତର ବାଦଶାହା ବୋଲାଉଥିବା ଶାହାରୁକ୍ ଖାଁଙ୍କର ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ୍ ର ସୁପର ହିଟ୍ ଗୀତ ଲୁଙ୍ଗି ଡ୍ୟାନ୍ସ …ଲୁଙ୍ଗି ଡ୍ୟାନ୍ସ… ଗୀତଟି ଓଡ଼ିଶା ସାମ୍ବାଦିକଙ୍କ ପାଇଁ ପ୍ରଯୁଜ୍ୟ ଏହା ରାଜ୍ୟ ସରକାର ଆଜି ପ୍ରମାଣିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.