Home ଓଡ଼ିଶା ଜୟନାରାୟଣ ଖୋଲିଲେ ବିଜେଡ଼ି ବିଜେପି ଗୁମର

ଜୟନାରାୟଣ ଖୋଲିଲେ ବିଜେଡ଼ି ବିଜେପି ଗୁମର

564

ଭୁବନେଶ୍ୱର ୧୩-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଗତକାଲି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ବିରୋଧି ଦଳ ନେତା ଚୟନ, ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ଚୟନ ଓ ବିଜେଡ଼ି ବିଜେପିର ମଧୁର ସମ୍ପର୍କକୁ ନେଇ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ଗଣମାଧ୍ୟମ ସମ୍ମୁଖରେ। ମାତ୍ର ସେ କିଛି ପୁରୁଣା ତଥ୍ୟକୁ ଉପସ୍ଥାପନ କରିବାରେ ବୋଧ ହୁଏ କୁଣ୍ଠାବୋଧ କରିଥିଲେ। ଏକଥା ସତ୍ୟଯେ, ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ବିରୋଧି ଦଳ ଆସନରେ ବସିଛି ବିଜେପି। ସେହି ଅନୁପାତରେ ବିରୋଧିଦଳ ନେତା କିଏ ହେବ ଏ ନେଇ ଚାଲିଥିଲା ବହୁ ଛକାପଞ୍ଛା। ଏଥିପାଇଁ ବିଭିନ୍ନ ଗଣମାଧ୍ୟମରେ ବିଜେପିର ତିନି/ଚାରି ଜଣଙ୍କର ନାମ ଚର୍ଚ୍ଚାରେ ରହି ଆସିଥିଲା। ତନ୍ମଧ୍ୟରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମ ସର୍ବାଗ୍ରେ ଥିଲା। ମାତ୍ର ଘଟଣା ଚକ୍ରରେ ବିରୋଧି ଦଳ ନେତା ହୋଇଥିଲେ ଭବାନୀ ପାଟଣା ବିଧାୟକ ପ୍ରଦୀପ୍ତ ନାୟକ। ଓଡ଼ିଶା ବିଧାନ ସଭାରେ ବିରୋଧି ଦଳକୁ କରାୟତ କରିବାର ପରମ୍ପରା ଏବେକାର ନୁହେଁ। ୨୦୦୦ ମସିହାରୁ ଆସନ କ୍ଷମତାରେ ଥିବା ବିଜେଡ଼ି ଏହି ପରମ୍ପରାକୁ ଚଳାଇ ଆସୁଛି। ୨୦୦୦ ଏବଂ ୨୦୦୪ ମସିହାରେ ଓଡ଼ିଶାରେ ବିଜେପି ଏବଂ ବିଜେଡ଼ିର ମିଳିତ ସରକାର ଥିଲା। ସେହି ସମୟରେ ମଧ୍ୟ ବିଜେଡ଼ି ବିଜେପି ସରକାର ସେବେକାର କଂଗ୍ରେସକୁ କରାୟତ କରିବାରେ ସକ୍ଷମ ହୋଇଥିଲେ। ୨୦୦୯ ମସିହା ନିର୍ବାଚନରେ ବିଜେପିଠାରୁ ଅଲଗା ହୋଇ ବିଜେଡ଼ି ଏକୁଟିଆ ନିର୍ବାଚନ ଲଢ଼ିଥିଲା। ନିର୍ବାଚନ ପରେ କଂଗ୍ରେସ ମୁଖ୍ୟ ବିରୋଧି ଦଳର ଭୂମିକା ନିଭାଇଥିଲା ଏବଂ ଭୁପିନ୍ଦର ସିଂ ହୋଇଥିଲେ ବିରୋଧି ଦଳ ନେତା। ବିରୋଧି ଦଳ ନେତାର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରି ୨୦୧୪ ନିର୍ବାଚନର କିଛିଦିନ ପୂର୍ବରୁ ଭୁପିନ୍ଦର ସିଂଙ୍କର ବିଜେଡ଼ିରେ ଯୋଗଦାନ ବିଜେଡ଼ି ସରକାର ଓ ବିରୋଧି ଦଳର ମଧୁଚନ୍ଦ୍ରିକାର ପର୍ଦ୍ଦାଫାଶ୍ ଓଡ଼ିଶାବାସୀଙ୍କ ଆଗରେ ହୋଇଥିଲା। ଅର୍ଥବଳ ହେଉ କିମ୍ବା ବାହୁବଳ ହେଉ, କଳେବଳେ କୌଶଳେ ବିରୋଧି ଦଳ ନେତାଙ୍କୁ ପକେଟ୍ ରେ ପୁରାଇବାର କୌଶଳ ବିଜେଡ଼ି ସରକାରକୁ ଭଲ ଭାବରେ ଜଣା। ୨୦୦୪ ସାଧାରଣ ନିର୍ବାଚନ ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ହୋଇଥିଲେ ବିରୋଧି ଦଳ ନେତା। ତାଙ୍କର କାର୍ଯ୍ୟକାଳ ଭିତରେ ସେ ପ୍ରତିମାସ ପହିଲା ଦିନ ସେତେବେଳର ବରି ବିଧାୟକ ଦେବାଶୀଷ ନାୟକଙ୍କୁ ଖୋଜୁଥିବାର କାରଣ ବିଜେଡ଼ି ଦେଇପାରିବ କି? ତେଣୁ ପରମ୍ପରା ଏବେ ବି କାୟମ ରଖିଛି ବିଜେଡ଼ି। ଜୟ ନାରାୟଣ ମିଶ୍ର ହେଉଛନ୍ତି ଜଣେ ଫାୟାର ବ୍ରାଣ୍ଡ ଲିଡର୍। ଶାସକ ବିଜେଡ଼ିର ଘୋର ବିରୋଧି। ତାଙ୍କୁ ବିରୋଧି ଦଳ ନେତା କରାଯାଇଥିଲେ ଶାସକ ବିରୋଧି ପାଇଁ ସରକାର ଚଳାଇବାଟା କାଠିକର ପାଠ ହୋଇଥାନ୍ତା। ତେଣୁ ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ଡିଲ୍ ପରି ବିରୋଧି ଦଳ ନେତା ପଦବୀ ମଧ୍ୟ ଶାସକ ବିଜେଡ଼ି ସହିତ ଡିଲ୍ କରିଛି ବିଜେପି। ଓଡ଼ିଶା ବିଜେପିର ଏବେ ‘ୱାନ୍ ମ୍ୟାନ୍ ଶୋ’ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜୟ ନାରାୟଣ ମିଶ୍ର ଏବଂ ପ୍ରଦୀପ୍ତ ନାୟକ ଏହି ଦୁଇ ନେତାଙ୍କ ସହିତ ଉତ୍ତମ ସମ୍ପର୍କ ନାହିଁ ଧର୍ମେନ୍ଦ୍ର ପ୍ରଧାନଙ୍କର। ମାତ୍ର ପ୍ରଦୀପ୍ତ ନାୟକଙ୍କ ଅପେକ୍ଷା ଜୟନାରାୟଣ ହୋଇଥାନ୍ତେ ଅଧିକ ଭୟଙ୍କର। ତେଣୁ ଦୁଇ ଦଳର ସଲାସୁତରାରେ ପ୍ରଦୀପ୍ତଙ୍କୁ ଚୟନ କରାଯାଇଥିଲା ବିରୋଧି ଦଳ ନେତା। ପ୍ରଦୀପ୍ତ ଜଣେ ବିଜେପିର ସିନିୟର ଲିଡର୍। ମାତ୍ର ବିରୋଧି ଦଳ ନେତା ଭାବରେ ତାଙ୍କର ରାଜନୈତିକ ଅଭିଜ୍ଞତା ବହୁତ କମ୍। ଗଣ ମାଧ୍ୟମରେ ଯାହା ଖବର ପ୍ରକାଶ ପାଉଛି ପ୍ରଦୀପ୍ତ ନାୟକଙ୍କୁ ବିରୋଧି ଦଳ ନେତା ଭାବରେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଚୁଡ଼ାନ୍ତ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ବିଜେଡ଼ି ସରକାରର ତଥା କଥିତ ତୃତୀୟ ମହଲା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମିଳିତ ଉଦ୍ୟମରେ ପ୍ରଦୀପ୍ତ ନାୟକଙ୍କ ପରି ବୃକ୍ଷକୁ ରୋପଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.