Home Top News ବିଜେପି ମହିଳା ମୋର୍ଚ୍ଚାରେ ଅନ୍ତଃକନ୍ଦଳ !

ବିଜେପି ମହିଳା ମୋର୍ଚ୍ଚାରେ ଅନ୍ତଃକନ୍ଦଳ !

89

ଭୁବନେଶ୍ୱର: ବିଜେପି ଓଡ଼ିଶା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମହିଳା ମୋର୍ଚ୍ଚା ରାଜ୍ୟ କମିଟି ଘୋଷଣା କରିବା ପରେ ଗତ କାଲି ନୂତନ ଟିମ୍ ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବିଜେପିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା, ସଙ୍ଘର୍ଷ ଏବଂ ପରିଶ୍ରମ ଅତୁଳନୀୟ। ମହିଳା ମୋର୍ଚ୍ଚା ପକ୍ଷରୁ ଆଗତ ଚିଠା ପ୍ରସ୍ତାବରେ ରାଜ୍ୟ ସରକାରଙ୍କୁ ଅନେକ ଦିଗରେ ସମାଲୋଚନା କରାଯାଇ ମୋର୍ଚ୍ଚା ଏହା ବିରୋଧରେ ଲଢ଼େଇ ଜାରୀ ରଖିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ଏମାନେ ବିଜେଡି ସରକାର ବିରୋଧରେ ଲଢ଼ିବେ କ’ଣ, ଲଢ଼େଇ ତ’ ଏମାନଙ୍କ ଭିତରେ ଚାଲିଛି! ବିଜେପି ଓଡ଼ିଶା ମହିଳା ମୋର୍ଚ୍ଚା ଭିତରେ ଚାଲିଛି ବଡ଼ ଧରଣର ଅନ୍ତଃକନ୍ଦଳ। ମହିଳା ମୋର୍ଚ୍ଚାର ସୋସିଆଲ୍ ମିଡିଆ ଦାୟିତ୍ୱରେ ଥିବା ପ୍ରଭାରୀ ଦଳୀୟ ଶୃଙ୍ଖଳାକୁ ମାନୁ ନାହାଁନ୍ତି। ମହିଳା ମୋର୍ଚ୍ଚା ବ୍ୟବସ୍ଥା ଭିତରେ ସେ ଆଦୌ ନଥିବା ଭଳି ଅନୁଭବ ହେଉଛି। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ପ୍ରଭାରୀ ଥାଇ ମହିଳା ମୋର୍ଚ୍ଚାର କୌଣସି କାର୍ଯ୍ୟକ୍ରମ ବାବଦରେ ପ୍ରଚାର ପ୍ରସାର କରିବା ଛାଡ଼ି ସେ କେବଳ ଅତିରଞ୍ଜିତ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଣ ଗାଉଛନ୍ତି। ବେଳେବେଳେ ଭୁଲ୍ ତଥ୍ୟ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପକାଉଛନ୍ତି। କେବଳ ନିଜକୁ ଚର୍ଚ୍ଚିତ କରି ରଖିବା ଉଦ୍ଦେଶ୍ୟରେ ତାଙ୍କର ଏତାଦୃଶ ଆଚରଣ ଉଭୟ ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଲାଭ ବଦଳରେ କ୍ଷତି ଅଧିକ କରାଉଛି। ଏହି ପ୍ରକ୍ରିୟା କିଛିଦିନ ଧରି ଚାଲିଥିଲା। କିନ୍ତୁ, ଏବେ ସେଥିରେ ଆଉ ଜଣେ ଯୋଡ଼ି ହୋଇଯାଇଛନ୍ତି। ମହିଳା ମୋର୍ଚ୍ଚା ରାଜ୍ୟ ମିଡିଆ ସେଲ୍ ସଂଯୋଜିକା ଦାୟିତ୍ୱ ପାଇ ଅସନ୍ତୁଷ୍ଟ ଥାଇ ନିଜ ଦାୟିତ୍ୱର କୌଣସି କାମ ନକରି ଏପରିକି ପରୋକ୍ଷରେ ସମାଲୋଚନା କରି ଏବେ ସେ କେମିତି କେଜାଣି ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ରାଷ୍ଟ୍ରୀୟ ସଂଯୋଜିକା ହୋଇଯାଇଛନ୍ତି। ରାଜ୍ୟ ସଂଯୋଜିକାଙ୍କ ପରି ତାଙ୍କର ମଧ୍ୟ ସମାନ ଆଚରଣ ରହୁଛି। ଏସବୁ ସ୍ପଷ୍ଟ ବାରି ହୋଇଯାଉଛି। ଉପର ସ୍ତରରେ ଏପରି ବିଶୃଙ୍ଖଳିତ ଆଚରଣ ଦେଖି ତାର ପ୍ରଭାବ ଧୀରେ ଧୀରେ ତଳ ସ୍ତର ଯାଏଁ ପଡ଼ିବାକୁ ଯାଉଛି। ସେହିପରି ଦଳ ଭିତରେ ଥିବା କେତେଜଣ ନେତ୍ରୀ ଆଗାମୀ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଭାବରେ ନିଜକୁ ଦେଖିବା ଏବେଠାରୁ ଆରମ୍ଭ କରିଦେଲେଣି! ଭିତରେ ଭିତରେ ଏକ ଗ୍ରୁପିଜିମ ତିଆରି ଚାଲିଛି। ଉପରକୁ ଠିକ୍ ଦେଖାଯାଉଥିଲେ ମଧ୍ୟ ଭିତରେ ଭିତରେ ଅନ୍ତଃକନ୍ଦଳ ରହିଛି। ରାଜ୍ୟ ସଭାନେତ୍ରୀ ଏପରି ଅନ୍ତଃକନ୍ଦଳକୁ ପ୍ରଶମିତ କରାଇବାରେ ବିଫଳ ହେଉଛନ୍ତି। ନିଜକୁ ମନ୍ତ୍ରୀଙ୍କ ପାଖ ଲୋକ ବୋଲାଉଥିବା କେତେ ଜଣଙ୍କର ମହିଳା ମୋର୍ଚ୍ଚା ଭିତରେ ଅଯଥା ତଥା ଅନାବଶ୍ୟକ ହସ୍ତକ୍ଷେପ ଏପରି ବିଶୃଙ୍ଖଳାକୁ ଅଧିକ ପ୍ରଶୟ ଦେଉଛି ବୋଲି କୁହାଯାଉଛି।
– @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.