Home ଓଡ଼ିଶା ଦେଶରେ ମୋଟ ୮୪ କରୋନା ସଂକ୍ରମିତ : ସୁସ୍ଥ ହେଲେ ୧୦

ଦେଶରେ ମୋଟ ୮୪ କରୋନା ସଂକ୍ରମିତ : ସୁସ୍ଥ ହେଲେ ୧୦

324

ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଦେଶରେ ମୋଟ ୮୪ କରୋନା ସଂକ୍ରମିତ ହୋଇଥିବହାର ପୁଷ୍ଟି ହୋଇଛି। ସଂକ୍ରମିତଙ୍କ ମଧ୍ୟରୁ ୧୦ଜଣ ସୁସ୍ଥ ହୋଇଛନ୍ତି।

କରୋନା ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କ୍ଷମତାଜୁନ ୩୦ ପର୍ଯ୍ୟନ୍ତ ମାସ୍କ ଓ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତଅଭାବୀ ବିକ୍ରି ଓ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ଅତିରିକ୍ତ କ୍ୱାରେଂଟିନ ସୁବିଧା ଠାବ କରିବା, ଆଇସୋଲେସନ ୱାର୍ଡ ବ୍ୟବସ୍ଥା, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ, ପିପିଇ, ମେଡ଼ିସିନ, ମାସ୍କ ଆଦି ଯଥେଷ୍ଟ ସ୍ୱାସ୍ଥ୍ୟ ସରଞ୍ଜାମ ମହଜୁଦ କରି ରଖିବା ପଦକ୍ଷେପ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଛି।

ଆଜି କ୍ୟାବିନେଟ ସଚିବ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କୋଭିଡ-୧୯ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଥିଲେ। ନିରାକରଣ ଓ ନିୟନ୍ତ୍ରଣ ପଦକ୍ଷେପକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା, କ୍ୱାରେଂଟିନ ସୁବିଧା କରିବା ସହିତ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ କରୋନା ପ୍ରବଣ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପୃଥକ ରଖିବା ସହିତ ସଚେତନତା ସୃଷ୍ଟି ଦିଗରେ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରାଯାଇଥିଲା।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ଜୁନ ୩୦, ୨୦୨୦ ପର୍ଯ୍ୟନ୍ତ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି। ଏହାର ଅଭାବୀ ବିକ୍ରି ଏବଂ କଳାବଜାରୀକୁ ଦୃଢ଼ ହସ୍ତରେ ଦମନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନ୍ତର୍ଗତ ଯଥେଷ୍ଟ ପରିମାଣରେ ଏସବୁ ସାମଗ୍ରୀ ମହଜୁଦ କରିବା ଲାଗି ରାଜ୍ୟଗୁଡ଼ିକ ଉତ୍ପାଦକାରୀ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇପାରିବେ।

ସଂକ୍ରାମକ ରୋଗ ନିବାରଣ ଆଇନ, ୧୮୯୭ ଅନ୍ତର୍ଗତ ସଂକ୍ରାମକ ରୋଗ ମୁକାବିଲା ପାଇଁ ରହିଥିବା ବ୍ୟବସ୍ଥାକୁ କେତେକ ରାଜ୍ୟ ଉପଯୋଗ କରିଛନ୍ତି। ଏହି ଆଇନ ଅଧୀନରେ ଜନସାଧାରଣଙ୍କ କାର୍ଯ୍ୟ ଉପରେ ଅସ୍ଥାୟୀ କଟକଣା ଜାରି କରିବା ଲାଗି ରାଜ୍ୟଗୁଡ଼ିକ ପଦକ୍ଷେପ ନେଇପାରିବେ କିମ୍ବା କୌଣସି ବ୍ୟକ୍ତିକୁ କ୍ଷମତା ପ୍ରଦାନ କରିପାରିବେ।

ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ରାଜ୍ୟଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅର୍ଥରାଶି ସଂଗ୍ରହ କରିପାରିବେ। ଏହାବ୍ୟତୀତ ରାଜ୍ୟ ସରକାର ଓ ଏନଏଚଏମରୁ ମଧ୍ୟ ଅତିରିକ୍ତ ପାଣ୍ଠି ଯୋଗାଡ଼ କରିପାରିବେ। ଏ ଦିଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଦିଶାନିର୍ଦ୍ଦେଶ ଦିଆଯାଇସାରିଛି।

ଏହାଛଡ଼ା ଦେଶର ମୋଟ ୫୨ଟି ପରୀକ୍ଷାଗାରରେ କୋଭିଡ-୧୯ ନମୁନା ପରୀକ୍ଷା ଲାଗି ବ୍ୟବସ୍ଥା କରାଯାଇଛି।

ବର୍ତମାନ ସୁଦ୍ଧା ୩୦ଟି ବିମାନ ବନ୍ଦରରେ ପହଁଚିଥିବା ୧୧, ୪୦୬ଟି ବିମାନରେ ଆସିଥିବା ୧୨, ୨୯, ୩୬୩ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଛି। ଏହାଛଡ଼ା ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ନିୟମ ଅନୁଯାୟୀ ନିର୍ଦ୍ଧାରିତ ନିୟମ ମୁତାବକ ପୃଥକ କରି ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ବର୍ତମାନସୁଦ୍ଧା ଦେଶରେ ମୋଟ ୮୪ ଜଣ ଲୋକ କୋଭିଡ-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇସାରିଛନ୍ତି। ସମସ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୪ହଜାର ଲୋକଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ଏସବୁ ମାମଲାରେ ଅନ୍ୟ ସମ୍ଭାବ୍ୟ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ପ୍ରୟାସ କରାଯାଉଛି।

ଭାରତୀୟ ନାଗରିକମାନଙ୍କୁ ଅନାବଶ୍ୟକ ବିଦେଶ ଯାତ୍ରା ଏଡ଼ାଇବା ଏବଂ ଅଧିକ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ମାମଲା ଥିବା ଦେଶକୁ ନଯିବା ଲାଗି ପୁଣିଥରେ ବାରଣ କରାଯାଇଛି। ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ନିଜ ସ୍ୱାସ୍ଥ୍ୟବସ୍ଥା ପ୍ରତି ଯତ୍ନବାନ ହେବା ଲାଗି ପରାମର୍ଶ ଦିଆଯାଇଛି। ଏଥିସହିତ କ’ଣ କରିବା ଉଚିତ ଏବଂ ଅନୁଚିତ ସେ ଦିଗରେ ସରକାରଙ୍କ ପରାମର୍ଶକୁ ମାନିବା ଲାଗି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.