Home Top News ଧର୍ମେନ୍ଦ୍ର ଯଦି ଉଜ୍ଜଲା ମ୍ୟାନ୍, ଅଶ୍ୱିନୀ ତେବେ କ’ଣ ବନ୍ଦେ ଭାରତ ଏକ୍ସପ୍ରେସ୍ ମ୍ୟାନ୍?

ଧର୍ମେନ୍ଦ୍ର ଯଦି ଉଜ୍ଜଲା ମ୍ୟାନ୍, ଅଶ୍ୱିନୀ ତେବେ କ’ଣ ବନ୍ଦେ ଭାରତ ଏକ୍ସପ୍ରେସ୍ ମ୍ୟାନ୍?

59

ନୂଆଦିଲ୍ଲୀ/ଭୁବନେଶ୍ୱର: ଅନେକ ଅଳଙ୍କାରରେ ପୋତି ପକାଇ ଦେଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ବିଜେପି ‘ଉଜ୍ଜଲା ମ୍ୟାନ୍’ ଉପାଧିରେ ଭୂଷିତ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପେଟ୍ରୋଲିମ ବିଭାଗୀୟ ମନ୍ତ୍ରୀ ଥିବା ବେଳେ ଉଜ୍ଜଲା ଯୋଜନା କାର୍ଯ୍ୟକାରୀ ହେବା ନେଇ ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କୁ ‘ଉଜ୍ଜଲା ମ୍ୟାନ୍’ କୁହାଯିବ, ତେବେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଥାଇ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚାଲିବା ନେଇ ଅଶ୍ୱିନୀଙ୍କୁ ବନ୍ଦେ ଭାରତ ଏକ୍ସପ୍ରେସ୍ ମ୍ୟାନ୍ କୁହାନଯିବ କାହିଁକି? ଦେଖିବାକୁ ଗଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଚାଟୁକାର ଗୋଷ୍ଠୀ ସେ ଯେ କୌଣସି ବିଭାଗର କାମ ହେଉ, ଓଡ଼ିଶା ପ୍ରତି ମୋଦୀଙ୍କର ରହୁଥିବା ବଦାନ୍ୟତାକୁ ଭିଡ଼ି ଟାଣି ସବୁ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଦିଅନ୍ତି। ବାସ୍ତବରେ ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବାକୁ ଯାଇ ମୋଦୀ କହୁଥିବା କଥାର ଅର୍ଥକୁ ଅନର୍ଥ କରିଦିଏ ଓଡ଼ିଶା ବିଜେପି! ଏହି ପ୍ରକ୍ରିୟା ଦୀର୍ଘ ଦିନ ଧରି ଚାଲିଛି। ଦଳରେ କିଛି ପଦପଦବୀ ପାଇବାକୁ ହେଉ କିମ୍ବା ଟିକେଟ ପାଇବା ଆଶାରେ ହେଉ ଓଡ଼ିଶା ବିଜେପିରେ କିଛି ଚାଟୁକାର ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତି କରି ଆସୁଛନ୍ତି। ଅଧିକାଂଶ ସମୟରେ ତାହା ମାତ୍ରାଧିକ ତଥା ଅତିରଞ୍ଜିତ ହୋଇଯାଉଛି। ଖୋସାମତି ପ୍ରିୟ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହିପରି ଖୋସାମତି କରୁଥିବା ଚାଟୁକାର ମାନଙ୍କୁ ଅଧିକ ନିଜର ଭାବନ୍ତି ଏବଂ ଅଧିକ ଗୁରୁତ୍ୱ ଦିଅନ୍ତି। ବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପରୁ ହିଁ ଧର୍ମେନ୍ଦ୍ରଙ୍କ ଖୋସାମତ ବିଚାର ଚାଟୁକାର ମାନଙ୍କ ପାଖକୁ ସପ୍ଲାଏ କରାଯାଏ। ଏବେ ନିକଟରେ ସେହି ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପରୁ ଏହିପରି ଏକ ଭିଡିଓ ସପ୍ଲାଏ ହୋଇଥିଲା ଯେଉଁଥିରେ କି ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବାକୁ ଯାଇ ମୋଦୀ ଏବଂ ବିଜେପିକୁ ତଳେ ପକାଇ ଦିଆଯାଇଛି! ପ୍ରାୟୋଜିତ ଭିଡିଓଟିରେ ୨୦୧୬ ମସିହାରେ ୩୪ ହଜାର ୫୫୫ କୋଟି ଟଙ୍କା ବିନିମୟରେ ନିର୍ମିତ ପାରାଦ୍ୱୀପ ପେଟ୍ରୋଲିମ ରିଫାଇନାରୀ ଉଦ୍ଘାଟନ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କଥା ଉଲ୍ଲେଖ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟେକି ମୋଦୀ ଏବଂ ଦଳକୁ ତଳେ ପକାଇ ଦିଆଯାଇଛି। ବାସ୍ତବରେ ମୋଦୀ ତାଙ୍କ ଭାଷଣ ମଝିରେ କହିଥିଲେ, ପୂରା ଓଡ଼ିଶାରେ ବିଗତ ୬୦ ବର୍ଷରେ ୨୬ ଲକ୍ଷ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ମିଲଥିଲା। ୬୦ ବର୍ଷରେ ୨୬ ଲକ୍ଷ, କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହେବା ପରେ ଗୋଟିଏ ବର୍ଷରେ କେବଳ ଓଡ଼ିଶାରେ ୧୧ ଲକ୍ଷ ଗରିବ ପରିବାରକୁ ଗ୍ୟାସ ସିଲିଣ୍ଡର ମିଳିଲା। ଏହାସହ ମୋଦୀ କହିଥିଲେ, କାମ ଦ୍ରୁତ ଗତିରେ କିପରି ହୁଏ ଏହାର ଏହା ଏକ ଉଦାହରଣ। ୬୦ ବର୍ଷରେ ୨୬ ଲକ୍ଷ, ଏକ ବର୍ଷ ଭିତରେ ୧୧ ଲକ୍ଷ। ଏହି କାମ କରାଯାଉଛି, ଏହି କାମ ଏହି ସରକାର କରୁଛି।

ଏଠାରେ ମୋଦୀ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ କେବଳ ଏକ ଉଦାହରଣ ଭାବରେ ନେଇ ଏପରି କାମ ମୋଦୀ ସରକାର କରୁଛି ବୋଲି ଏକ ସନ୍ଦେଶ ଦେଇଥିଲେ। କିନ୍ତୁ ସବୁ କଥାରେ ନିଜର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଧର୍ମେନ୍ଦ୍ରଙ୍କ କ୍ୟାମ୍ପ୍ ପକ୍ଷରୁ ମୋଦିଙ୍କ ଭାଷଣର ସାରାଂଶ କାଢ଼ି କୁହାଗଲା, ସେବେଠୁ କୁଆଡ଼େ ଓଡ଼ିଶା ଧର୍ମେନ୍ଦ୍ରଙ୍କୁ ନେଇ ଦେଖିଲା ବିକଶିତ ରାଜ୍ୟର ସ୍ୱପ୍ନ! ଏଠାରେ ଧର୍ମେନ୍ଦ୍ରଙ୍କୁ ଟେକିବାକୁ ଯାଇ ବିଜେପି ସରକାରରେ ହେଉଥିବା ଦ୍ରୁତ ଗତିରେ କାମ ନେଇ ମୋଦୀ ଉପସ୍ଥାପନା କରିଥିବା ମୂଳ କଥାକୁ ବଦଳାଇ କେବଳ ଧର୍ମେନ୍ଦ୍ରଙ୍କ ଖୋସାମତି କରାଯାଇଛି। ଯେତେବେଳେ କି ନିକଟରେ ମଧ୍ୟ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭାଷଣରେ ରେଳ ବିଭାଗ କାମ ନେଇ ସବୁ ଶ୍ରେୟ ମୋଦୀଙ୍କୁ ହିଁ ଦେଇଛନ୍ତି। ବାସ୍ତବରେ ମୋଦୀ ସରକାରରେ ସବୁ ମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ଏହି ଫରକ ରହିଛି। ଅନ୍ୟାନ୍ୟ ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗୀୟ କାମର ସବୁ ଶ୍ରେୟ ମୋଦୀଙ୍କୁ ଦେଉଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କ ଶ୍ରେୟକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିପାଇଁ ଓଡ଼ିଶାରେ ବିଜେପି ବିଫଳ ହେଉଚ୍ଚି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.