Home ଅପରାଧ ମୁଁ ସ୍ମିତାରାଣୀ କହୁଛି; ଚିଠିଟି ପଢ଼ିବେ ନିଶ୍ଚୟ ..

ମୁଁ ସ୍ମିତାରାଣୀ କହୁଛି; ଚିଠିଟି ପଢ଼ିବେ ନିଶ୍ଚୟ ..

1043

ମୁଁ, ସ୍ମିତାରାଣୀ କହୁଛି।ସମୟ ଥିଲେ ଚିଠିଟିକୁ ପଢ଼ିବେ ନିଶ୍ଚୟ।ମୁଁ ଏବେ ଆଉ ଜଣେ ମଣିଷ ହୋଇ ନାହିଁ।ମୁଁ ଏବେ ଜଣେ ଅତୃପ୍ତ ଆତ୍ମା।ମୋ ଶରୀରର ମୃତ୍ୟୁ ହୋଇ ସାରିଛି।ସେଦିନ ଥିଲା ନବୀନ ବାବୁଙ୍କ ଜନ୍ମଦିନ, ଆଉ ମୋର ମୃତ୍ୟୁର ଦିନ।ମୋର ମୃତ୍ୟୁ କେମିତି ହେଲା ମୁଁ ଜାଣିଛି।ମୁଁ ଆତ୍ମହତ୍ୟା କରିଛି ନାଁ ମତେ ହତ୍ୟା କରାଯାଇଛି ନେଇ ଚାଲିଛି ତଦନ୍ତ ଆଉ ବିତର୍କ।ସରକାର, ଅଦାଲତ, ଆଇନ, ପୋଲିସ ଆଦି ମୋ ମୃତ୍ୟୁର ରହସ୍ୟ ଖୋଜିବାରେ ଲାଗିଛନ୍ତି।ମୋ ସହିତ ଗଣଦୁଷ୍କର୍ମ କରି ମତେ ମାରିଦିଆ ଯାଇଛି ବୋଲି ବିରୋଧୀ ଦଳ ଗୁଡ଼ିକ ମୋ ପାଇଁ କହୁଛନ୍ତି।ମୋ ପାଇଁ ଆନ୍ଦୋଳନ କରୁଛନ୍ତି।କଂଗ୍ରେସ ନେତ୍ରୀ ରାଜଭବନ ଘେରାଉ କରୁଛନ୍ତି।ପୋଲିସ ଏସପି ମୋ ଚରିତ୍ର ସଂହାର କରିବା ପରି କଥା କହିବା ଏବଂ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ମନ୍ତବ୍ୟକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରୁଛି।ତେଣେ, ବିଜେଡି କହୁଛି ବିଜେପି ମିଛ ନାଟକ କରୁଛି।ଯଦି ବିଜେପି ପାଖରେ କିଛି ପ୍ରମାଣ ଅଛି ତେବେ ସେମାନେ କୋର୍ଟରେ ଦାଖଲ କରନ୍ତୁ କହୁଛି ଶାସକ ବିଜେଡି।ମୁଁ ତ’ ମରି ସାରିଛି।ତେଣେ ମୋ ପରିବାର ଏବେ ତଦନ୍ତ ଘେରରେ।ଘର ବି ଛାଡ଼ି ଦେଲେଣି ମୋ ପରିବାର।ଆଉ ମୋ ଛୁଆଟା …

ଏ’ ତଦନ୍ତର ପରିଣାମ କ’ଣ ହେବ?ଯାହା ହେଲା କୁନ୍ଦୁଲି ପିଡ଼ିତା ସହ?ଆପଣଙ୍କୁ ଏକ କାହାଣୀ କହୁଛି, “ଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲା।ଯୁଦ୍ଧ ଘମାଘୋଟ ହେଲା।ବହୁ ସଂଖ୍ୟାରେ ସୈନ୍ୟ ମୃତାହତ ହେଲେ।ବହୁ ଆହତ ହେଲେ।ଆହତ ସୈନ୍ୟଙ୍କ ଚିକିତ୍ସା ପାଇଁ ସରକାର ଦକ୍ଷ ଡାକ୍ତରୀ ଦଳ ନିଯୁକ୍ତ କଲେ।ଏତେ ସଂଖ୍ୟାରେ ମୃତାହତ ହେଲେ ଯେ, ଡାକ୍ତରଙ୍କୁ କିଏ ମୃତ କିଏ ଜୀବିତ ଜାଣିବା କଷ୍ଟସାଧ୍ୟ ହୋଇ ପଡ଼ିଲା।ଡାକ୍ତର ଏକ ଉପାୟ କଲେ।ଆସୁଥିବା ସୈନ୍ୟଙ୍କୁ ପରୀକ୍ଷା କରି ଯିଏ ଆହତ ତା’ କପାଳରେ “ଚିକତ୍ସା”ର ଏକ ଷ୍ଟାମ୍ପ ମାରି ଚିକିତ୍ସା ପାଇଁ ପଠାଇ ଦେଲେ ଏବଂ ଯିଏ ମୃତ ତା’ କପାଳରେ “ମୃତ” ଷ୍ଟାମ୍ପ ମାରି ସତ୍କାର ପାଇଁ ପଠାଇ ଦେଲେ।ଏ’ ଭିତରେ ଜଣେ ଆହତ ସୈନ୍ୟଙ୍କୁ ଡାକ୍ତର ଭୁଲରେ ମୃତ ଷ୍ଟାମ୍ପ ମାରି ଦେଇଥିଲେ।ସେ ଯାଇ ପହଞ୍ଚିଲେ ସିଧା ଶ୍ମଶାନରେ।ଯେତେବେଳେ ତାଙ୍କୁ ଅଗ୍ନି ସଂଯୋଗ କରାଗଲା, ସେ ଚେଇଁ ଉଠିଲେ।ଚିତ୍କାର କରି କହିଲେ,“ମୁଁ ବଞ୍ଚିଛି।” କିନ୍ତୁ ତା’ କଥା କେହି ଶୁଣିଲେ ନାହିଁ। କହିଲେ, ତୁ ଜଣେ ସାଧାରଣ ସୈନିକଟିଏ।ସିଏ ଜଣେ ଏମ୍‌ବିବିଏସ୍‌ ଡାକ୍ତର।ସେ କହୁଛନ୍ତି ତୁ ମୃତ।ମାନେ ତୁ ମୃତ।ସେ କ’ଣ ଭୁଲ କହୁଛନ୍ତି, ଆଉ ତୁ ଠିକ୍ କହୁଛୁ?ଏହା କହି ତାକୁ ଜିଅନ୍ତା ଜାଳିଦେଲେ। ଏହା ଏକ କାହାଣୀ ମାତ୍ର”।କୁନ୍ଦୁଲି ପୀଡ଼ିତାଙ୍କୁ ସେହିପରି ଜିଅନ୍ତା ଜାଳି ଦିଆଗଲା।ସେ କାନ୍ଦିଲା,ଚିତ୍କାର କରି କହିଲା ମୁଁ ଧର୍ଷିତା।ସରକାର ଶୁଣିଲେ ନାହିଁ।ସତ କହୁଛି ନାଁ ମିଛ କହୁଛି ଜାଣିବା ପାଇଁ ଡାକ୍ତରଙ୍କୁ ଦାୟିତ୍ୱ ଦେଲେ।ଡାକ୍ତର ପରୀକ୍ଷା କଲେ, କହିଲେ ଧର୍ଷଣ ହୋଇନି।ସରକାର ଧର୍ଷଣ କହିଲେ ହୋଇନି।୧୦୦ ଦିନ କାଳ ପୀଡ଼ିତା ସଂଘର୍ଷ କଲା।ତା’ପରେ ହାରିଗଲା।ଜୀବନର ଶେଷ ସତ୍ୟକୁ ଆପଣେଇ ଆତ୍ମହତ୍ୟା କଲା।ପରୋକ୍ଷରେ ଏକ ପ୍ରକାର ତାକୁ ହତ୍ୟା କରି ଦିଆଗଲା।ସେ ମରିଗଲା ପରେ, ବିଜେପି ଓ କଂଗ୍ରେସ ଆଦି ବିରୋଧୀ ଦଳ ଏହାକୁ ନେଇ ହୋ’ ହାଲା କଲେ।ବିଶେଷ ଭାବରେ ବିଜେପି ଏହାକୁ ନେଇ ତୀବ୍ର ଆନ୍ଦୋଳନ କଲା। କୁଶପୁତ୍ତଳିକା ଦାହ କଲା, ଦୀପଦାନ କଲା, କୋକେଇ ଶୋଭା ଯାତ୍ରା କଲା।ଡାକ୍ତରୀ ରିପୋର୍ଟରେ ଭୁଲଭାଲ ହୋଇଥିବା କହିଲା।ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ରହିଥିବା ନେଇ ସନ୍ଦେହ ସୃଷ୍ଟି ହେବାରେ ରାଜ୍ୟ ସରକାର ଜିଲ୍ଲା ପୁଲିସରୁ କ୍ରାଇମ ବ୍ରାଞ୍ଚ, ବିଚାର ବିଭାଗୀୟ, ଓ ଏସଆଇଟି ତଦନ୍ତ ଯାଏଁ ଗଲେ।ତା’ ପରେ କ’ଣ ହେଲା?ତଦନ୍ତ ରିପୋର୍ଟ କ’ଣ କହିଲା?ବିରୋଧୀ ଦଳ କାହିଁ ଶିଥିଳ ପଡ଼ିଗଲେ?କୁନ୍ଦୁଲି ନେଇ ଏମାନେ ସବୁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ।କାରଣ ପୀଡ଼ିତା ଆତ୍ମହତ୍ୟା କରିବା ପୂର୍ବରୁ ଦୁଷ୍କର୍ମ ଘଟଣା ନେଇ ଯଦି ବିରୋଧୀ ଦଳ ତୀବ୍ର ଆନ୍ଦୋଳନ କରିଥାଆନ୍ତା, ହୁଏତ ପୀଡ଼ିତାର ଆତ୍ମହତ୍ୟାକୁ ବନ୍ଦ କରିଦିଆ ଯାଇପାରି ଥାଆନ୍ତା!

ଆଜି ସ୍ମିତାରାଣୀଙ୍କୁ ନ୍ୟାୟ ଦେବା କଥା କହୁଛନ୍ତି।କେବଳ କୁନ୍ଦୁଲି ପିଡ଼ିତାଙ୍କ କଥା ନୁହେଁ, ଇତିଶ୍ରୀ, ବେବିନା, ମାଧବୀଲତାଙ୍କ କଥା କ’ଣ ହେଲା?ଓଡ଼ିଶାରେ ସେବେ ଚହଳ ସୃଷ୍ଟି କରିଥିବା ଅଞ୍ଜନା ଘଟଣା କ’ଣ ହେଲା? କିଏ ସବୁ ପୀଡ଼ିତା ନ୍ୟାୟ ପାଇଲେ?କୋଉ ଅପରାଧୀ ଦଣ୍ଡ ପାଇଲା?ମନେ ପଡ଼େ ଛବିରାଣୀ ହତ୍ୟାକାଣ୍ଡ। କି’ ବିଭତ୍ସ କାଣ୍ଡ?ତାକୁ ନେଇ ସେବେ ବହୁ ରାଜନୀତି ହେଲା।କେତେ କୁମ୍ଭୀର କାନ୍ଦଣା କାନ୍ଦିଲେ।କିନ୍ତୁ ଶେଷରେ ରାଜନୀତି ପରେ ବ୍ୟବସାୟ ତଥା ମନୋରଞ୍ଜନର ଏକ ମାଧ୍ୟମ ହୋଇ “ଛବିରାଣୀ ହତ୍ୟାକାଣ୍ଡ” ନାମରେ ଏକ ଯାତ୍ରା ପ୍ରସ୍ତୁତ ହୋଇଗଲା।ଆଉ ଏବେ ନିକଟରେ ବିଜେଡି ଅଭିନେତା ଏବଂ ବିଜେପି ଅଭିନେତ୍ରୀଙ୍କ ଅଭିନୀତ “ଛବିରାଣୀ”ଙ୍କ ନାମରେ ଏକ ଫିଲ୍ମ ମଧ୍ୟ ହୋଇଗଲା।ହୁଏତ ସ୍ମିତାରାଣୀଙ୍କ ନାମରେ ମଧ୍ୟ ରାଜନୀତି ପରେ ଏକ ଫିଲ୍ମ ନିର୍ମାଣ ହୋଇଯାଇ ପାରେ!ଲଜ୍ଜା..ନାରୀ ନିର୍ଯ୍ୟାତନା କଥାକୁ ନେଇ ଆନ୍ଦୋଳନ ବା ବନ୍ଦ କରିବାର ଥିଲା ତେବେ ପ୍ରଥମେ ତ’ ଭୁବନେଶ୍ୱରରେ କରିବାର ଥିଲା।ଭୁବନେଶ୍ୱର ମେୟରଙ୍କ ସଂପୃକ୍ତି କଥାରେ ବିଜେପି ସେପରି କିଛି ବଡ଼ ଧରଣର ପଦକ୍ଷେପ ନେବା ଦେଖାଯାଇନି।”ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି” କହି ମହିଳାଙ୍କୁ ଅସମ୍ମାନ କରିଥିବା କଥା ଦିନେ କହୁଥିବା ବିଜେପି ଦାମ ରାଉତଙ୍କୁ ପରେ କୋଳେଇଲା।ହୁଏତ ପ୍ରଦୀପ ମହାରଥୀ ମଧ୍ୟ ଯଦି ବିଜେଡିରୁ ଟିକେଟ ନପାଇ ବିଜେପିରୁ ଟିକେଟ ଚାହିଁ ଥାଆନ୍ତେ, ବିଜେପି ବୋଧେ ତାଙ୍କୁ ବି ଟିକେଟ ଦେଇଥାଆନ୍ତା ନିଶ୍ଚୟ!

କେବଳ ମୋହରା ହେଉଛନ୍ତି ପିଡ଼ିତା!ମହିଳା ସୁରକ୍ଷା ନେଇ ଆନ୍ଦୋଳନ, ସୁରକ୍ଷା ଯାତ୍ରା, କୋକେଇ ଯାତ୍ରା, କ୍ୟାଣ୍ଡେଲ ଯାତ୍ରା, ଦୀପ ଦାନ ଏବଂ ବନ୍ଦ ଆଦି ଅନେକ କିଛି ଦେଖିବାକୁ ମିଳୁଛି।କିନ୍ତୁ ନାରୀ ନିର୍ଯ୍ୟାତନା ଘଟଣାରେ କିଛି ପରିବର୍ତ୍ତନ ହେଉ ନାହିଁ।ବରଂ ଘଟଣା ବଢିଚାଲିଛି।ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁଯାୟୀ ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଆଦି ଘଟଣାରେ ଦେଶରେ ରାଜଧାନୀ ଦିଲ୍ଲୀ ସହ ଆମ ଓଡ଼ିଶାର ପ୍ରତିଯୋଗିତା ଚାଲିଛି।କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ମୌନ ସାଜିଛନ୍ତି।ମହିଳା ନିର୍ଯ୍ୟାତନା ବୃଦ୍ଧି ନେଇ ମହିଳା କମିଶନ ଉତ୍ତରଦାୟୀ ରହିବା କଥା।କିନ୍ତୁ, ରାଜ୍ୟରେ ମହିଳା କମିଶନ ବୋଲି କ’ଣ ଗୋଟେ ଥିଲାପରି ଜଣା ପଡ଼େ ନାହିଁ।ଆଜି ସ୍ମିତାରାଣୀ ପାଇଁ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରୁଛି।କାଲି କେଉଁଠି ଥିଲା?”ମହିଳା ସୁରକ୍ଷା ଯାତ୍ରା” କରାଯିବା ପରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।ସେଥିରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ପୁଲିସ ଥାନାଗୁଡିକୁ କାଠଗଡ଼ାକୁ ଟାଣିଥିଲା ବିଜେପି ମହିଳା ମୋର୍ଚ୍ଚା।ରାଜ୍ୟସାରା କେତୋଟି ଥାନା ଅଭିଯୋଗ ଗ୍ରହଣ କରୁନାହାଁନ୍ତି ସେ ଥାନା ମାନଙ୍କର ସଂଖ୍ୟା ମଧ୍ୟ ଗଣି ଦେଇଥିଲା ମହିଳା ମୋର୍ଚ୍ଚା।କିନ୍ତୁ ଯାହାକୁ ମୁଖ୍ୟ ଟାର୍ଗେଟ କରିବା କଥା,ରାଜ୍ୟ ମହିଳା କମିଶନ ବିରୋଧରେ ରହସ୍ୟଜନକ ଭାବରେ ସେବେ ପଦୂଟିଏ କାହିଁକି କହିନଥିଲା ବିଜେପି ମହିଳା ମୋର୍ଚ୍ଚା?ଏବେ ସ୍ମିତାରାଣୀଙ୍କ ପାଇଁ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରୁଥିବା ବିଜେପି ମହିଳା ମୋର୍ଚ୍ଚା ପୂର୍ବ ଘଟଣା ଗୁଡ଼ିକରେ କାହିଁକି ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରୁନଥିଲା, ଏହାର ରହସ୍ୟ ଆପଣ ଜାଣନ୍ତି କି??

ଓଡ଼ିଶାରେ ମହିଳା, ନାବାଳିକା ଦୁଷ୍କର୍ମ ଆଦି ଘଟଣା ବୃଦ୍ଧି ପାଉଥିବାକୁ ନେଇ ବିରୋଧୀ ଦଳ ମହିଳା ବିଭାଗ ଗୁଡ଼ିକ ବାରମ୍ବାର ଆନ୍ଦୋଳନ କରୁଛନ୍ତି।କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ’ ନେଇ ନିରବ ରହୁଛନ୍ତି।ଓଡ଼ିଶାରେ ଏହିପରି ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଥିବା ବେଳେ ଶାସକ ବିଜେଡି ନେତା/ନେତ୍ରୀ ଏ’ ନେଇ ବେତଣ୍ଡା ଯୁକ୍ତି କରନ୍ତି।ଓଡ଼ିଶା କଥା ଛାଡ଼ି କଠୁଆ,ଉନାଉ କଥା ଉଠାନ୍ତି।ଆସିଫା ପାଇଁ କ୍ୟାଣ୍ଡେଲ ଯାତ୍ରା କରନ୍ତି।ବିଜେପି ପକ୍ଷରୁ ଆୟୋଜିତ “ମହିଳା ସୁରକ୍ଷା ଯାତ୍ରା”କୁ ପ୍ରତିହତ କରିବା ପାଇଁ ନାବାଳିକା ସୁରକ୍ଷା ନେଇ “ପରୀ ରଥ” ବୁଲାନ୍ତି।ନାରୀ ନିର୍ଯ୍ୟାତନା ନେଇ ଚିତ୍କାର କରୁଥିବା ଏହି ନାରୀ ନେତ୍ରୀଙ୍କର ଏକ ବେଲଜ୍ଜା ରୂପ ଦେଖିବାକୁ ମିଳେ, କାଲି ଯିଏ କଂଗ୍ରେସରେ ଥାଇ ୟୁପିରେ ଦୁଷ୍କର୍ମ ଘଟଣାକୁ ନେଇ ବିଜେପିକୁ ଆକ୍ଷେପ କରୁଥିଲେ, ଟିଭି ବିତର୍କରେ ଭାଗ ନେଇ ମୋଦୀ, ଯୋଗୀ ଏବଂ ଆରଏସଏସ ପାଇଁ ଅପଶବ୍ଦ କହୁଥିଲେ, ମୋଦିଙ୍କ ପୋଷ୍ଟରକୁ ଜୋତା ମାଡ଼ କରୁଥିଲେ ସେହି ନେତ୍ରୀ ଏବେ ବିଜେପିର ମୁଖପାତ୍ର ସାଜି ଟିଭିରେ ବିଜେଡି, କଂଗ୍ରେସକୁ ଆକ୍ଷେପ କରୁଛନ୍ତି।ତାଙ୍କୁ ଲାଜ ନାହିଁ, ନାଁ ତାଙ୍କ ଦଳକୁ ଲାଜ ନାହିଁ, ନାଁ ଶୁଣୁଥିବା ଲୋକକୁ ଲାଜ ନାହିଁ?ଯାହାର ଯେଉଁଠି ସରକାର ନାହିଁ, କେବଳ ସେହି ସ୍ଥାନର ଦୁଷ୍କର୍ମ ସେମାନଙ୍କୁ ଦିଶେ!ଏପରି ସବୁ ଘଟଣାରେ ନିଜକୁ ସେକୁଲାର୍ ବୋଲାଉଥିବା ତଥାକଥିତ ଧର୍ମ ନିରପେକ୍ଷ ନେତା, ବୁଦ୍ଧିଜୀବୀ ମାନଙ୍କର ଆଚରଣ ଭିନ୍ନ ପ୍ରକାର ଦେଖାଯାଏ।ଏହିପରି ଘଟଣା ଘଟିବା ପରେ ସେମାନେ ତୁରନ୍ତ ପୀଡ଼ିତାର ନାମ ପଛରେ ଧର୍ମ, ଜାତି, ସାଙ୍ଗିଆ ଆଦି ଖୋଜି ବସନ୍ତି।ପୀଡ଼ିତା ହିନ୍ଦୁ ନାଁ ମୁସଲିମ?ହିନ୍ଦୁ ହୋଇଥିଲେ ସାଧାରଣ ବର୍ଗର ନାଁ ଦଳିତ କି, ଆଦିବାସୀ ଏମାନେ ଖୋଜି ବସନ୍ତି। ଏବଂ ସେମାନଙ୍କର ପ୍ରତିକ୍ରିୟା ସେହି ଅନୁଯାୟୀ ହୋଇଥାଏ।ତେଣୁ, ଏ’ ସବୁ ଭିତରେ ପୂର୍ବରୁ କିଏ ଯେ ନ୍ୟାୟ ପାଇଛି, ଆଉ ମୁଁ ପାଇବି ନ୍ୟାୟ? ତଥାପି ମୁଁ ଆଶା କରିଛି ନ୍ୟାୟ ପାଇବା ପାଇଁ!ମହିଳା ସୁରକ୍ଷା ଯାତ୍ରା ନାଁ’ ରେ ଯାତ୍ରା ନ’କରି ଥରେ ତ’ ଏକ ନିର୍ଣ୍ଣାୟକ ଲଢ଼େଇ ହେଉ।ଜଣେ ତ’ କେହି ନ୍ୟାୟ ପାଇବାର ଉଦାହରଣ ରହୁ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.