Home Top News ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ପ୍ରେତାତ୍ମା: ବିଜେପି ମହିଳା ମୋର୍ଚ୍ଚାର ପ୍ରତିକ୍ରିୟା ..

ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ପ୍ରେତାତ୍ମା: ବିଜେପି ମହିଳା ମୋର୍ଚ୍ଚାର ପ୍ରତିକ୍ରିୟା ..

45

ଭୁବନେଶ୍ୱର/ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ସଦସ୍ୟା ଭାବରେ ଜଣେ ମୃତକଙ୍କ ନାମ ରହିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର କହିଛନ୍ତି, ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ସଦସ୍ୟା ଭାବରେ ଦିବଂଗତ ନେତ୍ରୀ ସ୍ବର୍ଗତ ମିନାକ୍ଷୀ ମିଶ୍ରଙ୍କ ନାମ ଘୋଷଣା କରାଯିବା ଏକ ହାସ୍ୟାସ୍ପଦ ଏବଂ ସାଂଘାତିକ ପ୍ରସଙ୍ଗ। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟା ମାନଙ୍କ ନାମ ଘୋଷଣା କରିଛନ୍ତି। ଦୁଇ ବର୍ଷ ତଳେ ଯେଉଁ ମହିଳାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ, ନ୍ୟାୟ ପାଇବା ପାଇଁ ଯିଏ ଆତ୍ମହୁତି ଦେଇଥିଲେ ସେହି ମହିଳାଙ୍କ ନାମକୁ କାର୍ଯ୍ୟକାରିଣୀରେ ରଖିବା ସୂଚାଉଛି ବିଜୁ ଜନତା ଦଳ ସଙ୍ଗଠନ ଭିତ୍ତିକ ଦଳ ନୁହେଁ। ଏହା ଏକ କ୍ଷମତା ଲୋଭି ଏବଂ ମହିଳା ମାନଙ୍କୁ ସମ୍ମାନ ନାମରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲେଇବା ଦଳ। ଏହି ଦଳ ଶାସନ କ୍ଷମତାରେ ରହି ଯେଉଁଭଳି ଭୂତଙ୍କୁ ଭତ୍ତା, ଭୂତଙ୍କୁ ଆବାସ, ଭୂତଙ୍କୁ ରାସନ୍ ଦେଉଛନ୍ତି ସେହିପରି ଭୂତଙ୍କ ନାମକୁ ସଙ୍ଗଠନରେ ସ୍ଥାନ ଦେଇଛନ୍ତି। ବିଜୁ ଜନତା ଦଳ ମାତୃଜାତିକୁ ଦେଇଥିବା ଏହି ଅପମାନକୁ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଘୋର ନିନ୍ଦା କରୁଛି ବୋଲି କହିଛନ୍ତି ବବିତା ପାତ୍ର।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ମିନାକ୍ଷୀ ମିଶ୍ର ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ଯା ଉଦ୍ୟମ କରିଥିଲେ। ପରେ ଫେବୃୟାରୀ ୨୦ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ମିନାକ୍ଷୀ ଥିଲେ ବିଜୁ ମହିଳା ଜନତା ଦଳର ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ୟା। ତାଙ୍କ ପୁଅଙ୍କୁ ଏକ ଅପରାଧିକ ମାମଲାରେ ବ୍ରହ୍ମପୁର ପୋଲିସ ଗିରଫ କରିଥିଲା। ମିଥ୍ୟା ମାମଲରେ ତାଙ୍କ ପୁଅକୁ ପୋଲିସ ଗିରଫ କରିଥିବା ଅଭିଯୋଗ ଆଣି ଏହାର ପ୍ରତିବାଦରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ମିନାକ୍ଷୀ ଆତ୍ମହତ୍ଯା ଉଦ୍ୟମ କରିଥିଲେ। ଏବେ ମିନାକ୍ଷୀଙ୍କ ନାମ କାର୍ଯ୍ୟକାରିଣୀରେ ପ୍ରକାଶ ପାଇବାକୁ ନେଇ ବିଜୁ ମହିଳା ଜନତା ଦଳରେ ପ୍ରେତାତ୍ମା ବୋଲି କୁହାଯାଉଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.