Home ଓଡ଼ିଶା ବିନା ଭକ୍ତରେ ଶ୍ରୀ ଜିଉ ମାନଙ୍କର ସ୍ନାନଯାତ୍ରା ସଂପର୍ଣ୍ଣ : ସ୍ନାନମଣ୍ଡପରେ ଶ୍ରୀ ଜିଉ ମାନଙ୍କର...

ବିନା ଭକ୍ତରେ ଶ୍ରୀ ଜିଉ ମାନଙ୍କର ସ୍ନାନଯାତ୍ରା ସଂପର୍ଣ୍ଣ : ସ୍ନାନମଣ୍ଡପରେ ଶ୍ରୀ ଜିଉ ମାନଙ୍କର ଗଜାନନ ବେଶ ଦର୍ଶନରୁ ବଂଚିତ ହେଲେ ଭକ୍ତ

221

ପୁରୀ, ୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ବିନା ଭକ୍ତରେ ପାଳିତ ହୋଇଯାଇଛି। ଗତକାଲି ରାତି ଗୋଟାଏ ୨୫ ମିନିଟ୍ ରେ ମହାପ୍ରଭୁଙ୍କର ମଙ୍ଗଳାର୍ପଣ ନୀତି ଶେଷ ହେବା ପରେ ରତ୍ନ ସିଂହାସନ ରୁ ଶ୍ରୀ ଜିଉ ମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ଜିଉ ମାନେ ରତ୍ନ ସିଂହାସନରୁ ସାତ ପାହାଚ ନିକଟରେ ପହଁଚିବା ପରେ ସେମାନଙ୍କ ମସ୍ତକରେ ଟାହ୍ୟା ଲଗାଯାଇଥିଲା। ପରେ ଦୈତା ସେବାୟତ ମାନେ ଧାଡି ପହଣ୍ଡିରେ ଆନନ୍ଦ ବଜାର ଦେଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଇଥିଲେ।‌ପରେ ସ୍ନାନ ମଣ୍ଡପ ଉପରେ ମଙ୍ଗଳା ଆଳତି ଅବକାଶ ଓ ଅନ୍ୟାନ୍ୟ ନୀତି ସଂପର୍ଣ୍ଣ ହୋଇଥିଲା। ମାଆ ଶୀତଳାଙ୍କ ପରିସରରେ ଥିବା ସୁନା କୁଅଁରୁ ସୁନା ଗୋସେଇଁ ୧୦୮ ଗଡୁ ଜଳ ଆଣି ଅଧିବାସ ଗୃହରେ ରଖିଥିଲେ। ପରେ ଘଟୁଆରୀ ସେବାୟତ ଚନ୍ଦନ କର୍ପୂର କସ୍ତୁରୀ ଆଦି ମିଶାଥିଲେ। ଗରାବଡୁ ସେବାୟତ ଅଧିବାସ ଗୃହରୁ ଜଳ ଆଣି ସ୍ନାନ ମଣ୍ଡପରେ ରଖିଥିଲେ। ଉକ୍ତ ଜଳକୁ ପଂଚ ଉପଚାରରେ ପୂଜା କରାଯାଇଥିଲା। ଗରାବଡୁ ସେବାୟତମାନେ ସ୍ନାନ ମଣ୍ଡପରେ ଏହି ସୁବାସୀତ ଜଳ କୁ ଶ୍ରୀ ଜିଉ ମାନଙ୍କ ମସ୍ତକରେ ଲାଗି କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ୩୮ ଗଡୁ, ବଳଭଦ୍ରଙ୍କୁ ୩୫, ଦେବୀ ସୁଭଦ୍ରା ଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗଡୁ ପାଣି ଲାଗି କରାଯାଇଥିଲା। ମହାପ୍ରଭୁଙ୍କର ଏହି ପବିତ୍ର ସ୍ନାନ ଦେଖିବା ପାଇଁ ସବୁ ବର୍ଷ ଭଳି ଚଳିତ ବର୍ଷ ବଡଦାଣ୍ଡରେ କୌଣସି ଭକ୍ତ ନଥିବା ଦେଖାଯାଇଥିଲା। ସେହିପରି ମହାପ୍ରଭୁଙ୍କର ସ୍ନାନ ସମୟରେ ଭକ୍ତ ମାନଙ୍କର ହୁଳହୁଳି ହରିବୋଲ ଓ ସଂଖ ଧ୍ୱନୀ ମଧ୍ୟ ଶୁଭାଯାଇନଥିଲା। ଏପରିକି ପ୍ରତିବର୍ଷ ଏହି ସ୍ନାନ ବେଳେ ଝିପି ଝିପି ବର୍ଷା ହୋଇଥାଏ କିନ୍ତୁ ଚଳିତ ବର୍ଷ ମଧ୍ୟ ହୋଇନଥିଲା।ସ୍ନାନ ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଗଜପତି ମହାରାଜ୍ ଶ୍ରୀ ଶ୍ରୀ ଦିବ୍ୟ ସିଂହ ଦେବ ଛେରା ପହଁରା ରେ ଅନୁପସ୍ଥିତ ଥିବା ଯୋଗୁଁ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କାର୍ଯ୍ୟ ସଂପାଦନ କରିଥିଲେ। ଛେରା ପହଁରା ସରିବା ପରେ ମହାପ୍ରଭୁଙ୍କର ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ଭକ୍ତ ଗଣପତି ଭଟ୍ଟ ତାଙ୍କର ଇଷ୍ଟ ଦେବତାଙ୍କୁ ସ୍ନାନମଣ୍ଡପରେ ଦର୍ଶନ କରିବା ପାଇଁ ଇଛା କରିଥିଲେ କିନ୍ତୁ ଇଷ୍ଟ ଦେବତାଙ୍କୁ ଦର୍ଶନ ନକରି ଫେରଯାଉଥିଲା ବେଳେ ମହାପ୍ରଭୁଙ୍କର ଆଦେଶ ଥିଲା ତୁ ଫେରିଯାଉଛୁ କାହିଁକି ତମେ ଯେଉଁ ଆଶା ନେଇ ଆସିଥିଲ ଏବେ ଯାଇ ସେହି ବେଶ ଦର୍ଶନ କର।ସେହି ଦିନ ଠାରୁ ମହାପ୍ରଭୁ ଗଜାନନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆସୁଛନ୍ତି। ଆଜି କିନ୍ତୁ ସମସ୍ତ ନୀତି ହୋଇଥିଲା ବିନା ଭକ୍ତରେ। ବଡଦାଣ୍ଡ ଆଜି ଖାଁ ଖାଁ ଲାଗୁଥିଲା। ଗଜାନନ ବେଶ ପରେ ସକାଳ ଧୂପ ଓ ଅନ୍ୟାନ୍ୟ ନୀତି କରାଯାଇଥିଲା। ପୁଷ୍ପାଞ୍ଜଳୀ ଓ କୋରା ଲାଗି ପରେ ମହାପ୍ରଭୁଙ୍କର ବାହୁଡା ବିଜେ ନୀତି ଅନୁଷ୍ଠିତ ହୋଇଥିଲା।ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପରୁ ଗୋଟି ପହଣ୍ଡି କରାଯାଇ ଅଣସର ପିଣ୍ଡି କୁ ନିଆଯାଇଥିଲା। ଆସନ୍ତା କାଲି ଠାରୁ ମହାପ୍ରଭୁ ଅନବସର ଘରେ ରହିବେ। ଏବଂ କାଲି ଠାରୁ ପଟ୍ଟିଦିଅଁଙ୍କୁ ସାଧାରଣ ଲୋକ ଦର୍ଶନ କରିପାରିବେ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତ ମନ୍ଦିର ଓ ଧାର୍ମିୟ ଅନୁଷ୍ଠାନ ଗୁଡିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ମହାପ୍ରଭୁ ଅନବସର ଘରେ ରହିବା ପରେ ଆସନ୍ତା କାଲି ଠରୁ ମହାପ୍ରଭୁଙ୍କର ଗୁପ୍ତ ନୀତି କରାଯିବ। ମହାପ୍ରଭୁ ଅନବସର ଘରେ ରହିବା ସମୟରେ ବ୍ରହ୍ମଗରି ସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ ଙ୍କ ଦର୍ଶନ ମିଳିଥାଏ ବୋଲି ପୁରାଣ ବିଦିତ ଅଛି। କରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ଅଲାରନାତ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରୁ ବଂଚିତ ହେବେ। ସ୍ନାନ ଯାତ୍ରା ପାଇଁ ପୁରୀ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପ୍ରସାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମନ୍ଦିର ଭିତରେ ଓ ମନ୍ଦିର ଚତୁପାର୍ଶ୍ୱ ଓ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ୩୦ ଟି ସିସି କ୍ୟାମେରା ମଧ୍ୟ ଲଗାଯାଇଥିଲା। ଚଳିତ ବର୍ଷ ବିନା ଭକ୍ତ ରେ ଶାନ୍ତି ଶୃଙ୍ଖଳା ସହ ମହାପ୍ରଭୁ ଙ୍କର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ନହାନାରୀ କରୋନା କୋଭିଡ୍‌-୧୯ ଆଇନ ଅନୁଯାୟୀ ସୀମୀତ ସେବାୟତ ଙ୍କ ଦ୍ୱାରା ସମସ୍ତ ନୀତି ଅନୁଷ୍ଠିତ ହୋଇଥିଲା। ଯେଉଁ ମାନେ ମହାପ୍ରଭୁଙ୍କର ପହଣ୍ଡି ବିଜେ ରେ ସାମିଲ ହୋଇଥିଲେ ସେମାନଙ୍କୁ ଗୋଲଡେନ୍ ପାସ୍ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ଆଜିର ଏହି ଉତ୍ସବରେ ଜିଲ୍ଲାପାଳ ବଲବନ୍ତ ସିଂ, ଆରକ୍ଷୀ ଅଧୀକ୍ଷକ ଡା. ଉମାଶଙ୍କର ଦାଶ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଚଳିତବର୍ଷ ଅନ୍ୟ କୌଣସି ଟିଭି ଚ୍ୟାନେଲକୁ ସିଧାପ୍ରସାରଣ ପାଇଁ ସୁଯୋଗ ନଦିଆଯାଇ ଦୂରଦର୍ଶନକୁ ସୁବିଧା ଦିଆଯାଇଥିଲା। ଏବଂ ଦୂରଦର୍ଶନ ସମସ୍ତଙ୍କୁ ଲିଙ୍କ ଯୋଗାଇ ଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.