Home ଅପରାଧ ପ୍ରଥମେ ଜଣାଇଲେ ଶ୍ରଦ୍ଧାଞ୍ଜଳି ପୁଣି କାମନା କଲେ ଦୀର୍ଘ ଜୀବନ: ନାଟକ !

ପ୍ରଥମେ ଜଣାଇଲେ ଶ୍ରଦ୍ଧାଞ୍ଜଳି ପୁଣି କାମନା କଲେ ଦୀର୍ଘ ଜୀବନ: ନାଟକ !

110

ଭୁବନେଶ୍ୱର/କଟକ: ସଂପୂର୍ଣ୍ଣ ସୁସ୍ଥ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ଦେଶ୍ୟରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ପ୍ରଥମେ ଜଣାଇଲେ ଶ୍ରଦ୍ଧାଞ୍ଜଳି ପୁଣି କାମନା କଲେ ଦୀର୍ଘ ଜୀବନ। ପ୍ରଥମେ ସିକନ୍ଦର ଟ୍ୱିଟ୍ କରିଥିଲେ, “ବାଲେଶ୍ୱର ଉପ ନିର୍ବାଚନରେ ପ୍ରଚାର କରୁଥିବା ସମୟରେ ହଠାତ୍ ହୃଦଘାତରେ ପୀଡ଼ିତ ହୋଇ ଆମ ପ୍ରିୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ। ତାଙ୍କର ଅମର ଆତ୍ମା ସତଗତି ନିମନ୍ତେ ପ୍ରାର୍ଥନା କରିବା ସହିତ, ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି। ॐ ଶାନ୍ତି। ତେବେ, ଏହାକୁ ନେଇ ଖବର ପ୍ରକାଶିତ ହେବାପରେ ଆଉ ଏକ ଟ୍ୱିଟ୍ କରି ସିକନ୍ଦର ଲେଖିଲେ, “ଗତ କାଲି ଏକ ଭୁଲ ତଥ୍ୟ ଶୁଣି ମୁଁ କରିଥିବା ପୋଷ୍ଟ ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। ଜଗନ୍ନାଥଙ୍କ ନିକଟରେ ପ୍ରତାପ ବାବୁଙ୍କ ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରୁଛି”।

ବାସ୍ତବରେ ମନ୍ତ୍ରୀ ପ୍ରତାପ ଜେନା ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ବୋଧେ ଜାଣିଶୁଣି ଏପରି ଭୁଲ୍ ଖବର ପୋଷ୍ଟ୍ କରିଥିବା କୁହାଯାଉଛି। ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ତ୍ରୁଟିପୂର୍ଣ୍ଣ ଟ୍ୱିଟକୁ ପ୍ରତିବାଦ କରିବାକୁ ଯାଇ ସିକନ୍ଦର ଜାଣିଶୁଣି ଏପରି ଟ୍ୱିଟ୍ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ବିଜେପି ନେତା ସମୀର ଦେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ତେବେ, ମନ୍ତ୍ରୀ ପ୍ରତାପ ଜେନା ସମ୍ଭବତଃ କୌଣସି ସୂତ୍ରରୁ ସମୀର ଦେଙ୍କ ଭୁଲ୍ ମୃତ୍ୟୁ ଖବର ପାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ୱିଟ୍ କରି ଦେଇଥିଲେ। ସମୀର ଦେଙ୍କ ମୃତ୍ୟୁ କଟକ ରାଜନୀତି ପାଇଁ ଅପୂରଣୀୟ କ୍ଷତି ଦର୍ଶାଇ ଶୋକସନ୍ତପ୍ତ ପରିବାର ଏବଂ ବନ୍ଧୁ ପରିଜନଙ୍କୁ ସମବେଦନା ଜଣାଇ ଟ୍ୱିଟ୍ କରିଥିଲେ ପ୍ରତାପ। ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା। ପ୍ରତାପ ଜେନା କ୍ଷମା ମାଗନ୍ତୁ ବୋଲି ଦାବୀ କରାଯାଇଥିଲା। ଜଣେ ମନ୍ତ୍ରୀ ହୋଇ କୌଣସି ଘଟଣାର ସତ୍ୟତା ନ’ଜାଣି ଏପରି ସମ୍ବେଦନଶୀଳ ଘଟଣା ବାବଦରେ ଭୁଲରେ ହଠାତ୍ ଏପରି ଟ୍ୱିଟ୍ କରିଦେବାକୁ ନେଇ ବିଭିନ୍ନ ମହଲରୁ ପ୍ରତାପ ଜେନାଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା। ଏହାପରେ ଭୁଲ୍ ଜାଣିପାରି ପ୍ରତାପ ଜେନା ସେ ଟ୍ୱିଟ୍ ହଟାଇ ଦେଇଥିଲେ। ତେବେ, ଏହାର ପ୍ରତିବାଦ ସ୍ବରୂପ ସିକନ୍ଦରଙ୍କ ଟ୍ୱିଟ୍ ଏକ ନାଟକ ବୋଲି କୁହାଯାଉଛି।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.