Home Coronavirus Outbreak ବଦଳୁଛି ତୃତୀୟ ମହଲା ସମୀକରଣ !

ବଦଳୁଛି ତୃତୀୟ ମହଲା ସମୀକରଣ !

124

ଭୁବନେଶ୍ୱର ୧୨-୫ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ କରୋନା ଏବେ ଲଗାମଛଡା। ରାଜ୍ୟର ପ୍ରତିଟି ଜିଲ୍ଲାରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା। ମୃତ୍ୟୁ ସଂଖ୍ୟାରେ ମଧ୍ୟ ଅଗ୍ରଗତି ହେଉଛି। ଅନ୍ୟ ରାଜ୍ୟ ସରକାର ଭଳି ଓଡିଶା ସରକାର ମଧ୍ୟ କରୋନାକୁ କାବୁ କରିବାରେ ଏକ ପ୍ରକାର ବିଫଳ। ସରକାରୀ ତଥ୍ୟ ଓ ମିଡ଼ିଆରେ ଖବର ପ୍ରକାଶ ପାଉଛି କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ମାତ୍ର ବାସ୍ତବ ଚିତ୍ର ତାହା ନୁହେଁ। କରୋନା ଜନିତ ମୃତ୍ୟୁ ସଂଖ୍ୟାର ପ୍ରକୃତ ତଥ୍ୟ ପ୍ରଘଟ କରାଯାଉ ନଥିବାର ଅଭିଯୋଗ ଆସୁଛି। ହସପିଟାଲ୍ ଗୁଡିକର ବାସ୍ତବ ଚିତ୍ର ଲୋକଲୋଚନକୁ ଅଣାଯାଉ ନାହିଁ।

୨୦୧୯ ମସିହା ନିର୍ବାଚନ ପରେ ରାଜ୍ୟ ସରକାରରେ ୫-ଟି ବିଭାଗର ଆର୍ବିଭାବ ହୋଇଥିଲା। ସବୁ ବିଭାଗକୁ ସମୟାନୁକ୍ରମେ ୫-ଟି ବିଭାଗରେ ଅନ୍ତର୍ଭୁକ୍ତ କରାଗଲା। ଏହାର ଅର୍ଥ ସବୁ ବିଭାଗର ନିଷ୍ପତି ୫-ଟି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯିବ। କରୋନା ମହାମାରୀର ମୁକାବିଲା ମଧ୍ୟ ଏହି ଆଧାରରେ ଚାଲୁଥିଲା। ଗତ କିଛି ଦିନ ଭିତରେ କିଛିଟା ଭୁଲ ନିଷ୍ପତି ସକାଶେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି ବୋଲି ବିଶ୍ୱସ୍ତ ସୁତ୍ରରୁ ଖବର ହସ୍ତଗତ ହୋଇଛି। ବରିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ସଂପର୍କ ପ୍ରାୟତଃ ନଥିଲା କହିଲେ ଚଳେ। ରାଜ୍ୟରେ କରୋନାର ବାସ୍ତବ ଚିତ୍ର ଭିନ୍ନଭିନ୍ନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଗଲା। ରାଜ୍ୟରେ ଡାକ୍ତରଖାନା ଗୁଡିକର ବାସ୍ତବଚିତ୍ର ଯଥା ବେଡ୍, ଆଇସିୟୁ, ଭେଂଟିଲେଟର, ଅକ୍ସିଜେନର ପ୍ରକୃତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା।ଏହି ମହାମାରୀ ସମୟରେ ନିଆ ଯାଉଥିବା ଅନେକ ନିଷ୍ଫତି ବୁମେରାଂ ପାଲଟି ଯିବ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ଜାଣି ପାରିଛନ୍ତି। ଯେପରିକି ଟୀକା ପ୍ରସ୍ତୁତ କରୁ କରୁ କେନ୍ଦ୍ର ସରକାର ପ୍ରଥମେ ବିଦେଶ ରାଷ୍ଟ୍ରକୁ ଟୀକା ଯୋଗାଇ ବାହାବାହା ନେଲେ। ତାର ପରିଣାମ ଦେଶବାସୀ ଭୋଗୁଛନ୍ତି। ଦେଶରେ ଆଜି ଟାକାର ଘୋର ଅଭାବ।

ଏ କଥା ସତ୍ୟ ଯେ ଓଡିଶାରେ ଅକ୍ସିଜେନର ଅଭାବ ନାହିଁ। ଭାରତର ଅଧିକାଂଶ ବଡ ବଡ ଷ୍ଟିଲ କଂପାନୀ ସେମାନଙ୍କ ପ୍ଲାଂଟ ଓଡିଶାରେ ସ୍ଥାପନ କରିଛନ୍ତି। ବିପଦ ସମୟରେ ଅନ୍ୟ ରାଜ୍ୟକୁ ଟୀକା ପଠାଇବା ଠିକ୍। ମାତ୍ର ନିଜ ରାଜ୍ୟବାସୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରଖିବା ପ୍ରଥମ କର୍ତବ୍ୟ। କାଲି ପରିସ୍ଥିତି ଅସମ୍ଭାଳ ହେଲେ ଓଡିଶାକୁ ଟୀକା ଅଭାବ ପରି ପରିସ୍ଥିତିର ସାମନା କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଛ ବାହାବାରେ ବିଶ୍ୱାସ ରଖନ୍ତି ନାହିଁ। ରାଜ୍ୟବାସୀଙ୍କ ସ୍ୱାର୍ଥରେ ଆଂଚ ଆସିଲେ କଠୋରରୁ କଠୋରତମ ପଦକ୍ଷେପ ନେବାକୁ ପଛଘୁଂଚା ଦିଅନ୍ତି ନାହିଁ।

ଟୀକା କ୍ରୟ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ପଦ୍ଧତି ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ବୋଲି ଜଣା ପଡିଛି। ପୃଥିବୀରେ ଟୀକା ପ୍ରସ୍ତୁତକାରୀ କଂପାନୀମାନେ ଚାହିଦା ଅନୁସାରେ ଟୀକା ପ୍ରସ୍ତୁତ କରି ପାରୁ ନାହାଁନ୍ତି। ଟଙ୍କା ଧରି ଟୀକା ପାଇଁ ଲାଇନରେ ଅଛନ୍ତି ଅଧିକାଂଶ ରାଷ୍ଟ୍ର। ତେଣୁ ଗ୍ଲୋବାଲ୍ ଟେଣ୍ଡର କଲେ କେଉଁ ଟୀକା କଂପାନୀ ଅଂଶ ଗ୍ରହଣ କରିବ ତାହା ଏକ ବିରାଟ ପ୍ରଶ୍ନବାଚୀ। ଏହା ଅନ୍ଧକୁ ଦର୍ପଣ ଦେଖାଇବା ସଦୃଶ୍ୟ। ଗତ ବର୍ଷ ପିପିଇ କିଟ୍ ଓ ଅନ୍ୟାନ୍ୟ ଔଷଧିୟ ସାମଗ୍ରୀ କିଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱଛ ଭାବମୂର୍ତୀରେ ଆଂଚ ଆସିଥିଲା। ତେଣୁ ପୁର୍ବପରି ଏକ ବଡ ଘୋଟାଲାର ଆଭାସ ମୁଖ୍ୟମନ୍ତ୍ରୀ ଅନୁଭବ କରି ପାରିଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି।

ଏବେ ପ୍ରତିଟି ନିଷ୍ପତିକୁ ମୁଖ୍ୟମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଯାଂଚ କରୁଛନ୍ତି। ମୁଖ୍ୟଶାସନ ସଚିବ ଓ ମୁଖ୍ୟ ପରାମର୍ଶଦାତା ଅସୀତ ତ୍ରୀପାଠୀଙ୍କ ସହିତ ଟିକିନିକ ବିଚାର ବିମର୍ଷ ପରୁଛନ୍ତି। କଠୋର ପଦକ୍ଷେପ ସ୍ୱରୁପ ବିଏମ୍ସି କମିଶନରଙ୍କୁ ବଦଳି କରିଛନ୍ତି। ରାଜଧାନୀରେ କରୋନା ମହାମାରୀକୁ ରୋକିବାରେ ଏବଂ ପ୍ରକୃତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଅବଗତ ନକରାଇବାର ଫଳ ଆଜି ତାଙ୍କୁ ଭୋଗିବାକୁ ପଡିଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଆହୁରି କଠୋର ହେବ ବୋଲି ବିଶ୍ୱସ୍ତ ସୁତ୍ରରୁ ଖବର ହସ୍ତଗତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.