Home ଆନ୍ତର୍ଜାତୀୟ ସାଂଘାଇ ସହଯୋଗ ପ୍ରତିଷ୍ଠାନର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ଡିଜିଟାଲ ବୈଠକରେ ଡଃ ହର୍ଷବର୍ଦ୍ଧନ ଉପସ୍ଥାପନ କଲେ ଭାରତର କୋଭିଡ...

ସାଂଘାଇ ସହଯୋଗ ପ୍ରତିଷ୍ଠାନର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ଡିଜିଟାଲ ବୈଠକରେ ଡଃ ହର୍ଷବର୍ଦ୍ଧନ ଉପସ୍ଥାପନ କଲେ ଭାରତର କୋଭିଡ ନିୟନ୍ତ୍ରଣ ରଣନୀତି ସଂପର୍କରେ ତଥ୍ୟ

104

– ଏହି ସଂଗଠନ ଆନୁକୂଲ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରଣ ପାଇଁ ପାରମ୍ପରିକ ଔଷଧପତ୍ର ସଂପର୍କରେ ଅନୁଧ୍ୟାନ କରିବା ନିମନ୍ତେ ଏକ ଉପଗୋଷ୍ଠୀ ଗଠନ ପାଇଁ ଭାରତର ପ୍ରସ୍ତାବ

ନୂଆଦିଲ୍ଲୀ -୨୫-୭ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଆଜି ନୂଆଦିଲ୍ଲୀର ନିର୍ମାଣ ଭବନଠାରେ ଆୟୋଜିତ ଏକ ଡିଜିଟାଲ କାର୍ଯ୍ୟକ୍ରମରେ ସାଂଘାଇ ସହଯୋଗ ପ୍ରତିଷ୍ଠାନ (ଏସ୍‌ସିଓ)ର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକରେ ଭାଗ ନେଇଥିଲେ। ଏଥିରେ ରୁଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋଭ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବର୍ତ୍ତମାନର କରୋନା ମହାମାରୀ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା।

ପ୍ରାରମ୍ଭରେ ଡଃ ହର୍ଷବର୍ଦ୍ଧନ ସମଗ୍ର ବିଶ୍ୱରେ କୋଭିଡରେ ପ୍ରାଣ ହରାଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ସେ ଏହି ମହାମାରୀକୁ ରୋକିବା ପାଇଁ ଭାରତ ଗ୍ରହଣ କରିଥିବା ରାଜନୈତିକ ଅଙ୍ଗୀକାର ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କରୋନା ସ୍ଥିତିକୁ ବ୍ୟକ୍ତିଗତଭାବେ ଅନୁଧ୍ୟାନ କରୁଛନ୍ତି ଏବଂ ଏହାର ମୁକାବିଲା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶରେ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି।

ଭାରତର କରୋନା ମୁକାବିଲା ପଦକ୍ଷେପ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ବହୁବିଧ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭ୍ରମଣ ନିର୍ଦ୍ଦେଶାବଳୀ ଜାରି, ଦେଶରେ ପ୍ରବେଶ ଉପରେ ନଜର ରଖିବା, ଗୋଷ୍ଠୀ ଭିତ୍ତିକ ତଦାରଖ, ପରୀକ୍ଷାଗାରର ସଂଖ୍ୟାବୃଦ୍ଧି, ଅଧିକ ହସ୍ପିଟାଲ ନିର୍ମାଣ ସହ ବିଭିନ୍ନ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ବୃଦ୍ଧି, ବୈଷୟିକ ନିର୍ଦ୍ଦେଶାବଳୀର ବ୍ୟାପକ ପ୍ରଚାର ଓ ପ୍ରସାର, ରୋଗ ପରିଚାଳନା ସଂପର୍କରେ ଲୋକଙ୍କୁ ପରାମର୍ଶ ଆଦି ସେଥିମଧ୍ୟରୁ ଅନ୍ୟତମ। ନିରନ୍ତର ଲକଡାଉନ ଲାଗୁ କରାଯିବା ପରେ ସରକାର ଭାରତରେ ବୈଷୟିକ ଭିତ୍ତିଭୂମି ନିର୍ମାଣ ପାଇଁ ସମୟ ପାଇଲେ। ଏହି ସମୟ ମଧ୍ୟରେ ଆବଶ୍ୟକ ଡାକ୍ତରଖାନା, ପରୀକ୍ଷାଗାର, ଚିକିତ୍ସକ ଏବଂ ଚିକିତ୍ସା କର୍ମଚାରୀଙ୍କ ବନ୍ଦୋବସ୍ତ ପାଇଁ ଯଥେଷ୍ଟ ସମୟ ମିଳିଲା।

ଦେଶରେ କରୋନା ପରୀକ୍ଷଣ ଦକ୍ଷତା ବୃଦ୍ଧି ଏବଂ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ଫଳରେ ବ୍ୟାଧିକୁ ନିୟନ୍ତ୍ରଣରେ ରଖାଯାଇପାରିଛି। ରୋଗ ବ୍ୟାପିବା ପୂର୍ବରୁ ଭାରତରେ ପିପିଇ ତିଆରି କରିବାକୁ ଗୋଟିଏ ହେଲେ ଉଦ୍ୟୋଗ ନଥିଲା। ଏ କ୍ଷେତ୍ରରେ ଦକ୍ଷତା ବୃଦ୍ଧିକରି ଭାରତ ଅଳ୍ପ କେଇମାସରେ ଆତ୍ମନିର୍ଭରଶୀଳ ହୋଇଛି ଏବଂ ବିଦେଶକୁ ପିପିଇ ରପ୍ତାନୀ କରିପାରୁଛି। ସେହିଭଳି ଭେଣ୍ଟିଲେଟର ଓ ମେଡିକାଲ ଅକ୍ସିଜେନ କ୍ଷେତ୍ରରେ ଯେଉଁ ଅଭାବ ଥିଲା ତାହାକୁ ମଧ୍ୟ ପୂରଣ କରାଯାଇଛି। କୋଭିଡ ନିୟନ୍ତ୍ରଣ ପାଇଁ ଯାହାସବୁ ଦରକାର ପଡୁଥିଲା ଏବେ ସେ ସବୁ କ୍ଷେତ୍ରରେ ଭାରତ ଦେଶୀ ଜ୍ଞାନକୌଶଳ ଉପଯୋଗ କରି ଆତ୍ମନିର୍ଭରଶୀଳ ହୋଇପାରିଛି।

ଡଃ ହର୍ଷବର୍ଦ୍ଧନ କହିଛନ୍ତି ଯେ କୋଭିଡ ମୁକାବିଲାରେ ସୂଚନା ପ୍ରଯୁକ୍ତିର ଉପଯୋଗ କରାଯାଇ ଏହାର ପରିଚାଳନାକୁ ସହଜ କରାଯାଇପାରିଛି। ପ୍ରତ୍ୟେକ କ୍ଷେତ୍ରରେ ଟେକ୍‌ନୋଲଜି ବିଶେଷ ସହାୟକ ହୋଇଛି। ଆରୋଗ୍ୟ ସେତୁ ଆପ୍‌ ଏବଂ ସେଲୁଲାର ଭିତ୍ତିକ ଟ୍ରାକିଂ ଟେକ୍‌ନୋଲଜି ‘ଇତିହାସ’ ରୋଗୀଙ୍କୁ ଠାବ ଓ ଚିହ୍ନଟ କରିବାରେ ବିଶେଷ ଉପଯୋଗୀ ହୋଇପାରିଛି। ଯେଉଁସବୁ ଅଞ୍ଚଳରେ ସନ୍ଦିଗ୍ଧ ରୋଗୀ ଅଛନ୍ତି, ଏହି ବ୍ୟବସ୍ଥାରେ ସେମାନେ ଧରାପଡିଯାଉଛନ୍ତି। ସ୍ୱାବ ପରୀକ୍ଷାରେ ଆର୍‌ଟି-ପିସିଆର ଆପ୍‌ ବ୍ୟବହାର କରାଯାଉଛି। ଏହାଛଡା ଫାସିଲିଟି ଆପ୍‌ ବ୍ୟବସ୍ଥାରେ ହସ୍ପିଟାଲରେ ଉପଲବ୍ଧ ଶଯ୍ୟା, ଭର୍ତ୍ତି ହୋଇଥିବା ରୋଗୀ ଏବଂ ଆରୋଗ୍ୟ ହେଉଥିବା ରୋଗୀଙ୍କ ସଂଖ୍ୟା ସଂପର୍କରେ ତଥ୍ୟ ପରିଚାଳନା କରାଯାଉଛି। ଏସବୁ ବ୍ୟବସ୍ଥା ଗୋଟିଏ କୋଭିଡ ପୋର୍ଟାଲ ସହ ସଂଯୁକ୍ତ ହୋଇଛି।

ଡଃ ହର୍ଷବର୍ଦ୍ଧନ ଏହି ଅବସରରେ ଭାରତର ପାରମ୍ପରିକ ଔଷଧ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ ଯେ କୋଭିଡ ସଂକ୍ରମଣ କାଳରେ ସାଧାରଣ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପାରମ୍ପରିକ ଭାରତୀୟ ଔଷଧ ବିଶେଷ ସହାୟକ ହୋଇଛି। ଏସ୍‌ସିଓ ବ୍ୟବସ୍ଥାରେ ପାରମ୍ପରିକ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିବା ପାଇଁ କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ନାହିଁ। ତେଣୁ ପାରମ୍ପରିକ ଔଷଧର ଉପଯୋଗିତା ଓ ଦକ୍ଷତା ସଂପର୍କରେ ଏକ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ସମୟ ଧାର୍ଯ୍ୟ କରିଛି ତାହାକୁ ସଫଳ କରିବା ନିମନ୍ତେ ଏକ ଉପଗୋଷ୍ଠୀ ଗଠନର ଆବଶ୍ୟକତା ରହିଛି। ୨୦୧୪ରୁ ୨୦୨୩ ମଧ୍ୟରେ ଏହି ରଣନୀତି ଚୂଡାନ୍ତ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ଏଦିଗରେ ଏଯାଏଁ ବିଶେଷ କିଛି ହୋଇନାହିଁ। ୨୦୧୮ରେ କିଙ୍ଗଡାଓ ଶିଖର ସମ୍ମିଳନୀରେ ଘୋଷିତ ମିଳିତ ଘୋଷଣାନାମାରେ ମଧ୍ୟ ପାରମ୍ପରିକ ଔଷଧର ବିକାଶ ଓ ବିନିଯୋଗ ପାଇଁ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏ କ୍ଷେତ୍ରରେ ବିଶେଷ ପ୍ରଗତି ହୋଇନଥିବାରୁ ସାଂପ୍ରତିକ ସହଯୋଗ ବ୍ୟବସ୍ଥାରେ ଏକ ଆନୁଷ୍ଠାନିକ ଉପଗୋଷ୍ଠୀ ଗଠନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଡଃ ହର୍ଷବର୍ଦ୍ଧନ ଏହି ଅବସରରେ ସବୁ ସଭ୍ୟ ରାଷ୍ଟ୍ରମାନଙ୍କୁ ମିଳିମିଶି କୋଭିଡ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହାଫଳରେ ଉଭୟ ସ୍ୱାସ୍ଥ୍ୟ ଓ ଅର୍ଥନୀତି ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି। ଦେଶରେ କୋଭିଡ ଲଢେଇରେ ସାମିଲ ହୋଇ ଆଗଧାଡିରେ ଥିବା ସବୁ କର୍ମଚାରୀଙ୍କୁ ଏହି ଅବସରେ ସେ ଅଭିନନ୍ଦନ ଜଣାଇ ସେମାନଙ୍କୁ ଈଶ୍ୱରଙ୍କ ସହ ସମାନ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.