Home ଅପରାଧ ଭଞ୍ଜ ବିହାରରେ ଅଶାନ୍ତି: ଛାତ୍ର – ଅଣଛାତ୍ର ସଙ୍ଘର୍ଷ

ଭଞ୍ଜ ବିହାରରେ ଅଶାନ୍ତି: ଛାତ୍ର – ଅଣଛାତ୍ର ସଙ୍ଘର୍ଷ

231

ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଭଞ୍ଜ ବିହାର ପରିସରରେ ଶୁକ୍ରବାର ଅପରାହ୍ନରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଅଣ ଛାତ୍ର ଆହତ ହୋଇଛନ୍ତି।ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।ଗଣ୍ଡଗୋଳରେ ସଂପୃକ୍ତ ଦୁଇ ଜଣ ଛାତ୍ରଙ୍କୁ ପୁଲିସ ଅଟକ ରଖିବା ସହ ଏଥିରେ ସାମିଲ ରହିଥିବା ସନ୍ଦେହରେ ଜଣେ ପୂର୍ବତନ ଛାତ୍ର ନେତାଙ୍କ କାରକୁ ମଧ୍ୟ ପୁଲିସ ଜବତ କରିଛି।

ସୂଚନା ମୁତାବକ ଭଞ୍ଜ ବିହାର ପରିସର ମଧ୍ୟରେ ଥିବା ଆନନ୍ଦ ବଜାରଠାରେ ଜଣେ ପୂର୍ବତନ ଛାତ୍ର କେତେକ ଛାତ୍ରଙ୍କୁ ରାଗିଂ କରିବା ସହ ଗାଳିଗୁଲଜ କରିଥିଲେ।ଏହାକୁ ଛାତ୍ରମାନେ ବିରୋଧ କରିବାରୁ ସେ ସେମାନଙ୍କୁ ମାଡ ମାରିଥିଲେ।ଏଥିରେ ଉତକ୍ଷିପ୍ତ ହୋଇ ଛାତ୍ରମାନେ ତାଙ୍କୁ ଘେରି ଯାଇ ମାଡ ମାରିଥିଲେ।ଏହାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେଠାରେ ଥିବା ୨ଜଣ ଛାତ୍ରଙ୍କୁ ଉଠାଇ ଗୋପାଳପୁର ଥାନାକୁ ନେଇ ଯାଇଥିଲେ।ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଥିବା ପୂର୍ବତନ ଛାତ୍ରଙ୍କ କହିବା ଅନୁଯାୟୀ ସେ ଅପରାହ୍ନରେ ନିଜର ପିଏଚଡି ନାମଲେଖା ସମ୍ପର୍କରେ ବୁଝିବା ନିମନ୍ତେ ବିଶ୍ବବିଦ୍ୟାଳୟ ଯାଇଥିଲେ।ଆନନ୍ଦ ବଜାର ନିକଟରେ ଅଚାନକ କେତେକ ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ର ସଂସଦ ସଭାପତି ତାଙ୍କୁ ଆକ୍ରମଣ କରିଥିଲେ।ଏଣେ, ପୋଲିସ ଅଟକ ରଖିଥିବା ଦୁଇ ଛାତ୍ରଙ୍କୁ ତୁରନ୍ତ ଛାଡିଦେବା, ଏବଂ ଗଣ୍ଡଗୋଳ ସୃଷ୍ଟି କରିଥିବା ଅଣଛାତ୍ରଙ୍କୁ ଗିରଫ କରିବାକୁ ଛାତ୍ର ଗୋଷ୍ଠୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ।ଏଠାରେ ଅଧ୍ୟୟନ ପାଇଁ ବହୁ ଦୂର ଦୂରାନ୍ତରୁ ଛାତ୍ରଛାତ୍ରୀ ମାନେ ଆସି ଥାଆନ୍ତି।କିନ୍ତୁ, କ୍ୟାମ୍ପସ ଭିତରେ ଅଣ ଛାତ୍ର ମାନଙ୍କର ଅବାଧ ପ୍ରବେଶ ଏବଂ ଦୌରାତ୍ମ କାରଣରୁ ଛାତ୍ରଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମଣନ୍ତି।କ୍ୟାମ୍ପସ ପରିସରରେ ଛାତ୍ରଙ୍କୁ ସୁରକ୍ଷା ଦେବା ଓ କ୍ୟାମ୍ପସ ପରିସରକୁ ଅଣଛାତ୍ର ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ଏବଂ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଦାବି ହେଉଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.