Home ଓଡ଼ିଶା ଡାର୍ଟି ପଲଟିକ୍ସ: ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ! କିନ୍ତୁ, ପାଟକୁରାବାସୀ...

ଡାର୍ଟି ପଲଟିକ୍ସ: ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ! କିନ୍ତୁ, ପାଟକୁରାବାସୀ କ’ଣ ଚାହୁଁଛନ୍ତି?

752

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଏକ ଗୋଳିଆ ପରିସ୍ଥିତି ସୃଷ୍ଟି କରିଛି।ଫଳାଫଳ କ’ଣ ହେବ ତାହା ଠିକରେ ଆକଳନ କରିହେଉ ନାହିଁ।ବିଜେପି ଚାହୁଁଛି ବିଜେଡି ଜିତୁ, ବିଜେଡି ଚାହୁଁଛି ବିଜେପି ଜିତୁ!କଂଗ୍ରେସର ଚାହିଁବାରେ ତ’ ତା’ ନିଜ ପାଇଁ କିଛି ମୂଲ୍ୟ ନାହିଁ।ତେବେ ପାଟକୁରାବାସୀ କ’ଣ ଚାହୁଁଛନ୍ତି ତାହା ଫଳାଫଳ ପରେ ହିଁ ଜଣାପଡ଼ିବ।

କୁହାଯାଉଛି, ବିଜେପିର କିଛି ନେତା ଏବଂ ଏକ ପ୍ରଭାବୀ ଗୋଷ୍ଠୀ ଚାହୁଁଛନ୍ତି ବିଜୟ ମହାପାତ୍ର ହାରନ୍ତୁ।ଏହା ଆଜିର କଥା ନୁହେଁ।ବିଜୟ ମହାପାତ୍ର ବିଜେପିରେ ଯୋଗ ଦେବା ପରଠାରୁ ହିଁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇ ଆସୁଥିବା ନେଇ ଆଲୋଚନା ହେଉଥିଲା।ନବୀନ ପଟ୍ଟନାୟକ ଏବଂ ବିଜୟ ମହାପାତ୍ର ତ’ ପରସ୍ପର ପରମ ଶତୃ।ପ୍ୟାରୀ ବାବୁଙ୍କ ଅମଳରୁ ହିଁ ବିଜୟ ମହାପାତ୍ର କିପରି ବିଧାନସଭାକୁ ଯାଇ ନ’ପାରିବେ ସେ ଯୋଜନା ହୋଇ ଆସିଛି।ତେବେ ଶତୃର ଶତୃ ତ’ ପରମ ମିତ୍ର।ସେ ଅନୁଯାୟୀ ବିଜୟ ବିଜେପିର ମିତ୍ର ହେବା କଥା।କିନ୍ତୁ ବିଜୟ ବିଜେପିର ମିତ୍ର ହୋଇ ପାରିଲେ ନାହିଁ।ଦଳ ଛାଡ଼ିଲେ।ଏହାର କାରଣ କୁହାଯାଏ, ବିଜୟ ମହାପାତ୍ର ରାଜ୍ୟ ବିଜେପିର ଜଣେ ନିର୍ଦିଷ୍ଟ ନେତାଙ୍କର ଅନୁଗତ ହୋଇ ପାରିଲେ ନାହିଁ।ସେ ଯାହା ହେଉ, ଏକ ନାଟକୀୟ ଢଙ୍ଗରେ ବିଜେପିର କୌଣସି ନେତା ନୁହେଁ, ବିଜେପିରେ ନଗଦ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡା ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କୁ ନେଇ ବିଜୟ ମହାପାତ୍ରଙ୍କ ଘରକୁ ଯାଇ ତାଙ୍କୁ ମନାଇଥିଲେ।ଯାହା ନିଶ୍ଚିତ ଭାବରେ ଓଡ଼ିଶା ବିଜେପି କ୍ଷେତ୍ରରେ ଏକ ବ୍ୟତିକ୍ରମ!

ତେବେ ସେହି ପ୍ରଭାବୀ ନେତା ଏବଂ ତାଙ୍କ ଗୋଷ୍ଠୀ ଏବେ ମଧ୍ୟ ବିଜୟଙ୍କ ପ୍ରତି ସେହି ମନୋଭାବ ରଖୁଛନ୍ତି।ବିଜୟଙ୍କ ବିଜୟ ସେମାନେ ଚାହୁଁ ନାହାଁନ୍ତି ବୋଲି ଆଲୋଚନା ହେଉଛି।ବିଜେପୁର ଉପନିର୍ବାଚନ ସମୟରେ ବିଜେପି, ସଂପୃକ୍ତ ନେତା ଏବଂ ତାଙ୍କ ଗୋଷ୍ଠୀ ପକ୍ଷରୁ ଯେଉଁ ପ୍ରକାର ତତ୍ପରତା ଦେଖା ଯାଉଥିଲା, ଏବେ ପାଟକୁରା କ୍ଷେତ୍ରରେ ତାହା ପରିଲିକ୍ଷିତ ହେଉନାହିଁ।ବୋଧେ ଏହି କଥା ଆଲୋଚନା ହେବା ପରେ ଏବଂ ଗଣମାଧ୍ୟମ ଗୁଡ଼ିକରେ ଏ ସଂପର୍କରେ ତଥ୍ୟ ପ୍ରକାଶ ପାଇବା ପରେ ସେହି ନେତା, ଏବଂ ତାଙ୍କ ଗୋଷ୍ଠୀ କେବଳ ଉପରକୁ ଏବେ ତାଳିପକା କାମ କରୁଛନ୍ତି।କିନ୍ତୁ, ଏହା ସତ୍ୟ ବିଜେପିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ବିଜୟଙ୍କ ବିଜୟ ଚାହୁଁଛନ୍ତି।

ସେହିପରି ଆଉ ଏକ କଥା କୁହାଯାଉଛି, ବିଜେଡିର କିଛି ନେତା ଚାହୁଁଛନ୍ତି ବିଜୟଙ୍କ ବିଜୟ।ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ମଧ୍ୟ ଏହି କଥା କହିଛନ୍ତି।ଏ’ କଥାର ମଧ୍ୟ ସତ୍ୟାସତ୍ୟ ଥାଇପାରେ।କାରଣ ବିଜୟଙ୍କର ଅନେକ ବିଜେଡି ନେତାଙ୍କ ସହ ଏବେ ବି ସଂପର୍କ ରହିଛି।ସେମାନେ ବିଜୟଙ୍କୁ ପସନ୍ଦ କରନ୍ତି।ନବୀନଙ୍କ ଦୃଷ୍ଟି ଅଗୋଚରରେ ସେମାନେ ହୁଏତ ସେପରି କିଛି ଉଦ୍ୟମ କରିଥାଉ ପାରନ୍ତି।ତେବେ କଂଗ୍ରେସ କ’ଣ ଚାହୁଁଛି ଏଥିରେ କଂଗ୍ରେସର ତ’ କିଛି ଲାଭ ନାହିଁ।କିନ୍ତୁ ସେହି କିଛି ଭୋଟ ସେମାନେ ଯାହାକୁ ଚାହିଁବେ ତାଙ୍କ ପାଇଁ କିଛି ମାତ୍ରାରେ ସହାୟକ ହେବ ନିଶ୍ଚିତ।

ଏଣେ କେନ୍ଦ୍ର ବିଜେପି ଏବଂ ବିଜେଡି ଭିତରେ ଦୂରତା ଦୂର ହେଉଥିବା ନେଇ ଆଲୋଚନା ହେଉଛି।ଲୋକସଭା ପାଇଁ ବିଜେପିକୁ ଏବଂ ବିଧାନସଭା ପାଇଁ ବିଜେଡିକୁ ଭୋଟ ଦେଇ ଓଡ଼ିଶାବାସୀ ପରିପକ୍ୱତା, ବିବେକ ଏବଂ ବୁଦ୍ଧିମତାର ପରିଚୟ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ବିଜେପି ପାର୍ଥି ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ପ୍ରକାର କହିବାକୁ ଗଲେ ବିଜେଡି ରାଜ୍ୟସଭାକୁ ପଠାଇଛି।କେନ୍ଦ୍ର ବଜେଟକୁ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।ଡଃ: ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟର ତଦନ୍ତ ପାଇଁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦାବି ଉପସ୍ଥାପନ କରିଛନ୍ତି।ଲୋକସଭା ଉପବାଚସ୍ପତି ପଦ ବିଜେଡିକୁ ବିଜେପି ଯାଚିଛି।ତେଣୁ ଏ’ସବୁକୁ ଦେଖିଲେ ଉଭୟଙ୍କ ଭିତରେ ଦୂରତା କମୁଥିବା ଅନୁଭବ ହେଉଛି।ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାରେ ବିଜେଡି ସହଯୋଗ ଦେବା ପଛରେ ଯେଉଁ ଡିଲ ହୋଇଛି, ସେଥିରେ ଜୟ ନାରାୟଣ ମିଶ୍ର ବଳି ପଡ଼ି ବିଧାୟକ ଦଳ ନେତା ହେବାରୁ ବଞ୍ଚିତ ହୋଇଛନ୍ତି ବୋଲି ଆଲୋଚନା ହେଉଛି।ତେଣୁ ସେହି ଡିଲ ଯଦି ପାଟକୁରାରେ କାମ କରେ ତେବେ ଫଳାଫଳ କ’ଣ ହେବ ତାହା ଅନୁମାନ କରାଯାଇପାରେ।ତେବେ ଏ’ସବୁ ଭିତରେ ପାଟକୁରାବାସୀ କ’ଣ ଚାହୁଁଛନ୍ତି, ତାହା ବଡ଼ କଥା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.