Home Top News ଯିଏ ଯାହା କରୁଛ କର, ସବୁ ଶ୍ରେୟ ତକ ମୋର: ଜଗତେ କେବଳ ଜନେ ହସିବେ...

ଯିଏ ଯାହା କରୁଛ କର, ସବୁ ଶ୍ରେୟ ତକ ମୋର: ଜଗତେ କେବଳ ଜନେ ହସିବେ ..

141

ଭୁବନେଶ୍ୱର: ଉତ୍ତରପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଅପୂର୍ବ ସଫଳତା ପାଇଲା। ୪୦୩ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ମେଣ୍ଟକୁ ୨୭୪ ଆସନ ମିଳିଲା। ବିଜେପି ପ୍ରାୟ ୪୧.୨୯ ପ୍ରତିଶତ ଭୋଟ୍ ପାଇଲା। ତେବେ, ଏହି ନିର୍ବାଚନରେ ସବୁଠାରୁ ଉଲ୍ଳେଖନୀୟ ଘଟଣାଟି ହେଉଛି ୫ ବର୍ଷ ମୁଖ୍ୟମନ୍ତ୍ରୀ ଥାଇ କ୍ରମାଗତ ଭାବେ ଦଳକୁ ଦ୍ବିତୀୟ ଥର କ୍ଷମତାସୀନ କରାଇବାରେ ଯୋଗୀ ଅ‌ାଦିତ୍ୟନାଥ ହେଉଛନ୍ତି ୧୯୮୫ ପରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ। ଗତ ୩୭ ବର୍ଷ ଧରି କୌଣସି ଦଳ କ୍ରମାଗତ ଦ୍ବିତୀୟ ଥର ମଧ୍ୟ ବିଜୟୀ ହୋଇନଥିଲେ। ପ୍ରଥମ ଥର ଜଣେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ କାର୍ଯ୍ୟକାଳ ଶେଷ କଲେ ଏବଂ ଦ୍ୱିତୀୟ ଥର ଜିତିଲେ। ଚଳିତ ଉତ୍ତରପ୍ରଦେଶ ନିର୍ବାଚନ ଏମିତି ଏଥର କେତେ ରେକର୍ଡ ସୃଷ୍ଟି କଲା। ଏମିତିରେ ଉତ୍ତରପ୍ରଦେଶରେ ପୁନଃକ୍ଷମତାକୁ ଆସିବା ବିଜେପି ପାଇଁ ନିହାତି ଜରୁରୀ ଥିଲା। ଲୋକସଭାକୁ ସର୍ବାଧିକ ୮୦ ସଭ୍ୟ ପଠାଉଥିବା ଉତ୍ତରପ୍ରଦେଶ ରାଜନୀତି ଦିଲ୍ଲୀ କ୍ଷମତାକେନ୍ଦ୍ରକୁ ପ୍ରଭାବିତ କରିବାର ଶକ୍ତି ରଖିଥାଏ। ଏଥିପାଇଁ ୟୁପିକୁ ନିଜ ହାତରେ ରଖିବା ଲାଗି ସମସ୍ତ ଦଳ ସଦା ଚେଷ୍ଟିତ ଥାଆନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ଦଳର ସବୁ ବଡ଼ ବଡ଼ ନେତା ସେମାନଙ୍କର ସବୁ ଶକ୍ତି ଏଠାରେ ଖଟାଇବାକୁ ପଛାଇ ନଥିଲେ। ଏମିତିରେ ୨୦୨୪ରେ ଲୋକସଭା ସାଧାରଣ ନିର୍ବାଚନ ହେବ। ୨୦୨୪ ସୁଦ୍ଧା ରାମ ମନ୍ଦିର କାମ ସଂପୂର୍ଣ୍ଣ ହେବ। ତେଣୁ, ଉତ୍ତରପ୍ରଦେଶ ନିର୍ବାଚନ କେବଳ ଯେ ବିଜେପି ପାଇଁ ନୁହେଁ, ଆରଏସ୍ଏସ୍ ତଥା ସଂଘ ପରିବାର ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ ଥିଲା। ତେଣୁ ଉତ୍ତରପ୍ରଦେଶ ଜିତିବା ପାଇଁ ସଂଘ ପରିବାର ଏବଂ ବିଜେପି ପକ୍ଷରୁ କାହିଁ କେବେଠୁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ ହୋଇ ସାରିଥିଲା।

ନିର୍ବାଚନ ଫଳାଫଳ ପ୍ରକାଶ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିଜେପି ୟୁପିରେ ଇତିହାସ ସୃଷ୍ଟି କରିଛି ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ। ଏହି ଜନାଦେଶ ବିକାଶ ପାଇଁ ମିଳିଛି ଡବଲ୍‌ ଇଞ୍ଜିନ୍ ସରକାର ପ୍ରତି ଲୋକଙ୍କ ଆଶୀର୍ବାଦ ରହିଛି। ରାଜ୍ୟରେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସରକାର କାମ କରିଥିବାରୁ ଏଥିପାଇଁ ଅପାର ସମର୍ଥନ ମିଳିଛି। ଏଥର ସମସ୍ତଙ୍କ ନଜର ୟୁପି ଉପରେ ଥିଲା ଏବଂ ଲୋକେ ବିଜେପିକୁ ବିଜୟ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଉଛି ବୋଲି ଯୋଗୀ କହିଛନ୍ତି। ୟୁପିବାସୀ ସୁଶାସନକୁ ବାଛିଛନ୍ତି। ଏହାସହ ପରିବାରବାଦ, ବଂଶବାଦ ଓ ଜାତିବାଦକୁ ସାଧାରଣ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ଉପରେ ଲୋକଙ୍କ ଭରସା ଅତୁଟ ରହିଛି। ଆଉ “ସବକା ସାଥ୍, ସବକା ବିକାଶ” ଅର୍ଥାତ୍ ସମସ୍ତଙ୍କୁ ସାଥୀରେ ଧରି ସମସ୍ତଙ୍କ ଉନ୍ନତି ପାଇଁ ସେ କାମ କରିବେ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ।

ତେବେ, ଚଳିତ ପଞ୍ଚାୟତ ନିର୍ବାଚନରେ ଧୂଳି ଚାଟିଥିବା ଓଡ଼ିଶା ବିଜେପି ସବୁ ଲଜ୍ଜା, ଶଙ୍କୋଚକୁ ଭୁଲି ବିଜେପି ସଫଳତା ପାଇଥିବା ୪ଟି ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଖୁବ୍ ଉଛୁଳୁଛି। ଏହାର କାରଣ ମଧ୍ୟ ଅଛି। କାରଣଟି ହେଲା ନିଜକୁ ବିକାଶ ପୁରୁଷ, ଓଡ଼ିଶାର ରତ୍ନ, ନୂଆ ଓଡ଼ିଶାର ଧର୍ମପଦ ବୋଲାଉଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଥିଲେ। ତେଣୁ, ଏମାନଙ୍କୁ ଆଉ ସମ୍ଭାଳେ କିଏ? ଚାଟୁକାରୀ କରି ଦଳ ଭିତରେ ପଦପଦବୀ ମାଡ଼ି ବସିଥିବା ଧର୍ମେନ୍ଦ୍ରଙ୍କ ଅନୁଗତ ମାନେ ଉତ୍ତରପ୍ରଦେଶ ବିଜୟର ସବୁ ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଉଛନ୍ତି। ମୋଦୀଙ୍କ ପରେ ଦ୍ୱିତୀୟ ଲୋକପ୍ରିୟ ନେତା ଭାବରେ ଲୋକପ୍ରିୟତା ଅର୍ଜନ କରି ଚାଲିଥିବା ଯୋଗୀଙ୍କୁ କୁଆଡ଼େ ଧର୍ମେନ୍ଦ୍ର ପ୍ରଧାନ ଜିତାଇ ଦେଲେ! ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦେଇ ନିଜେ ଯୋଗୀ ସେମିତି କିଛି କହି ନାହାଁନ୍ତି। କିନ୍ତୁ, ଓଡ଼ିଶା ବିଜେପିର ଅନୁଗତ ଗୋଷ୍ଠୀ ସେସବୁ ମାନିବାକୁ ନାରାଜ। ସବୁ ଧର୍ମେନ୍ଦ୍ର କରାଇଛନ୍ତି ବୋଲି ଏମାନେ ସାମାଜିକ ଗଣମାଧ୍ୟମରେ ଚିତ୍କାର କରୁଛନ୍ତି। କାହାର କେତେ ରଡ଼ି କେମିତି ମନ୍ତ୍ରୀ ଶୁଣି ପାରିବେ ନେଇ ଏକ ପ୍ରତିଯୋଗିତା ଚାଲିଛି। ଧର୍ମେନ୍ଦ୍ରଙ୍କୁ ଅବାଞ୍ଛିତ ଶ୍ରେୟ! କିନ୍ତୁ, ଆସାମ ପଞ୍ଚାୟତ ନିର୍ବାଚନରେ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଶ୍ରେୟ ଦେବାରେ ଏମାନେ କୁଣ୍ଠାବୋଧ ପ୍ରକାଶ କରନ୍ତି!

ଉତ୍ତରପ୍ରଦେଶ ନିର୍ବାଚନ ସଫଳତାର ପ୍ରଛଦପଟ ନାୟକ ଧର୍ମେନ୍ଦ୍ର। ବିଜେପିର ଅଭୂତପୂର୍ବ ବିଜୟରେ ୟୁପି ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କ ପ୍ରଭାବୀ ନେତୃତ୍ୱ ଓ ସଫଳ ରଣନୀତି। ସଙ୍ଗଠନ ସରଞ୍ଚନା ଠାରୁ କଠୋର ରଣନୀତି ସହ ଓଡ଼ିଆ ନେତୃତ୍ବର ପରାକାଷ୍ଠା ଆଦି କଥା କହି, କିଏ କେତେ ପ୍ରକାର ଚାପୁଲୁସି କରୁଛନ୍ତି। କରିବେନି ବା କେମିତି? ସେମାନେ ତ’ ଚାପୁଲୁସି କରି କରି ଆଜି କିଛି ପଦପଦବୀରେ ବସିଛନ୍ତି। ତେବେ, ଏମାନେ ଯିଏ ଯେତେ ଚାପୁଲୁସି କରୁଛନ୍ତି ସିଏ ସେତେ ଗୁଣାରେ ଟ୍ରୋଲ୍ ହେଉଛନ୍ତି। ଲୋକେ ହସୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଲୋକହସାର ପାତ୍ର ହେଉଛନ୍ତି। ନିଜ ରାଜ୍ୟରେ ଏପରିକି ନିଜ ଜିଲ୍ଲାରେ ପାରିଲେନି, ଅନ୍ୟ ରାଜ୍ୟରେ ଯାଇ ଓଲଟାଇ ପକାଇଲେ ବୋଲି ଲୋକେ କହୁଛନ୍ତି। କହି ହେଉଥାଏ ପରକୁ, ବୁଦ୍ଧି ନ’ଦିଶଇ ଘରକୁ ..। ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ଜିଲ୍ଲାରେ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତି ଭିତରେ ତାଙ୍କ ପତ୍ନୀ ମୃଦଳା ଠାକୂର ଆସି ପ୍ରଚାର କାର୍ଯ୍ୟ ଚଲାଇଥିଲେ। କିନ୍ତୁ, ସେଠାରେ ଚରମ ବିଫଳତା ମିଳିଲା। ପ୍ରଧାନ ଦମ୍ପତ୍ତି ଅପଦସ୍ତ ହେଲେ। ଯେଉଁ ମୃଦଳାଙ୍କ ଭିତରେ ଏକ ପାରିବାପଣିଆ ଅଛି ବୋଲି ଦଳରେ କେତେ ଜଣଙ୍କ ଭିତରେ ଏକ ଧାରଣା ରହିଥିଲା, ନିଜେ ମୃଦଳା ନିଜର ଅପାରଗତା ଦେଖାଇଦେଲେ। ତେଣୁ ନିଜ ରାଜ୍ୟରେ, ନିଜ ଜିଲ୍ଲାରେ, ନିଜ ନିର୍ବାଚନ ମଣ୍ଡଳୀରେ, ନିଜ ଜୋନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ବିଫଳତା ଭିତରେ ଭିଡ଼ି ଟାଣି ୟୁପି ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଦେବା ନିଜ ଦଳ ଭିତରେ ହିଁ ତୃଣମୂଳ ସ୍ତରରୁ ଅପସନ୍ଦ କରାଯାଉଛି। ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ତାତ୍ସଲ୍ୟ କରି ଏପରି ବି କୁହାଯାଉଛି, ଆ, କା, ମା, ବୈ, ଓଡ଼ିଶା ବିଜେପିକୁ ଖାଇ, ଯିଏ ଯାହା କରୁଛ କର, ସବୁ ଶ୍ରେୟ ତକ ମୋର।

-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.