Home ଓଡ଼ିଶା କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ – ଦକ୍ଷିଣ ଭାରତର ପ୍ରଥମ କିଷାନ ରେଳ...

କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ – ଦକ୍ଷିଣ ଭାରତର ପ୍ରଥମ କିଷାନ ରେଳ ଆନ୍ଧ୍ରର ଅନନ୍ତପୁରରୁ ନୂଆଦିଲ୍ଲୀର ଆଦର୍ଶନଗର ଅଭିମୁଖେ ଯାତ୍ରା କଲା

82

– କୃଷି ଉତ୍ପାଦନ ସମ୍ଭାବ୍ୟ ସର୍ବାଧିକ ବଜାର ଓ ଲାଭ ଲୋଡ଼େ। ଭାରତୀୟ ଶ୍ରମିକ ପ୍ରମାଣିତ କରିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସେମାନେ କେବେ ଦବି ଯିବେ ନାହିଁ
– କୃଷିଜାତ ସାମଗ୍ରୀକୁ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇବାକୁ କିଷାନ ରେଳ ନିଶ୍ଚିତ କରିବ: କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର
– ଭାରତୀୟ ରେଳବାଇ କୃଷକଙ୍କ ଉତ୍ପାଦିତ ସାମଗ୍ରୀର ପରିବହନ ଓ ବିପଣନ ପାଇଁ ଅଙ୍ଗୀକାରବଦ୍ଧ: ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡି
– ଅନନ୍ତପୁର ଓ ନୂଆଦିଲ୍ଲୀ ମଧ୍ୟରେ କିଷାନ ରେଳ ଚଳାଚଳର ଉଦ୍ଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମର ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ଦକ୍ଷିଣ ଭାରତର ପ୍ରଥମ କିଷାନ ରେଲ ସେପ୍ଟେମ୍ବର ୯ରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରୁ ନୂଆଦିଲ୍ଲୀର ଆଦର୍ଶନଗର ଅଭିମୁଖେ ଯାତ୍ରା କରିଛି। ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭିଡିଓ ଲିଙ୍କ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନମୋହନ ରେଡ୍ଡୀ ମିଳିତଭାବେ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଉପଲକ୍ଷେ ଉଦବୋଧନ ଦେଇ ଶ୍ରୀ ତୋମର କହିଛନ୍ତି ଯେ, ଏହି କିଷାନ ରେଳ ଦକ୍ଷିଣ ଭାରତର ପ୍ରଥମ କିଷାନ ରେଳଭାବେ ଜାତୀୟ ରାଜଧାନୀ ନୂଆଦିଲ୍ଲୀକୁ ସଂଯୋଗ କରିଛି। ଏହାଦ୍ୱାରା ଚାଷୀମାନେ ବିଶେଷଭାବେ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଓ ପ୍ରେରଣାରେ ଭାରତୀୟ ରେଳବାଇ ଗ୍ରାମାଞ୍ଚଳ ଜନତା ଏବଂ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କିଷାନ ରେଳ ଚଳାଚଳ ଆରମ୍ଭ କରିଛି। ଆନ୍ଧ୍ରର ଚାଷୀଙ୍କ ପାଇଁ ଏହା ଏକ ମହାନ୍‌ ଦିନ। ବଜେଟରେ କିଷାନ ରେଳ ଚଳାଚଳ ଘୋଷଣା କରାଯାଇଥିଲା। କୃଷିଜାତ ସାମଗ୍ରୀ ଯେତେ ଅଧିକରୁ ଅଧିକ ପରିବ୍ୟାପ୍ତ ହୋଇ ବିକ୍ରି ହୋଇପାରିବ ଚାଷୀଙ୍କୁ ସେତେ ଅଧିକ ଲାଭ ମିଳିବ। କୌଣସି ବିପର୍ଯ୍ୟୟ ସେମାନଙ୍କୁ ହରାଇପାରିବ ନାହିଁ। ଭାରତୀୟ ଚାଷୀ ତାହାକୁ ପ୍ରମାଣିତ କରିଛନ୍ତି। ଏହି ରେଳ ନିଶ୍ଚିତ କରିଛି ଯେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ କୃଷିଜାତ ସାମଗ୍ରୀ ସୁରୁଖୁରୁରେ ପହଞ୍ଚିପାରିବ ଏବଂ ଏଥିରେ କୌଣସି ବ୍ୟାହତ ଘଟିବ ନାହିଁ।

ଶ୍ରୀ ସୁରେଶ ଅଙ୍ଗାଡି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ବଜେଟରେ ହୋଇଥିବା ଘୋଷଣା ଦ୍ୱାରା ଏହି କିଷାନ ରେଳ ଚଳାଚଳ ସମ୍ଭବ ହୋଇଛି। କୃଷକଙ୍କ ଆୟ ଦ୍ୱିଗୁଣିତ କରିବାରେ ଏହା ସହାୟକ ହେବ। ରାଷ୍ଟ୍ରର ଜୀବନରେଖା ହିସାବରେ ଭାରତୀୟ ରେଳବାଇ ଦେଶର ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ବିଭିନ୍ନ ସ୍ଥାନକୁ ପରିବହନ କରିବା ପାଇଁ ଅଙ୍ଗୀକୃତ। ସେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ରେଳପଥର ବିଦ୍ୟୁତ୍‌କରଣ କାର୍ଯ୍ୟ ବେଶ୍‌ ବ୍ୟାପକଭାବେ ଚାଲିଛି। ଏହାର ସୁଫଳ ଆନ୍ଧ୍ରବାସୀ ଶୀଘ୍ର ପାଇବେ।

କେନ୍ଦ୍ର କୃଷି, କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମିଳିତଭାବେ ଅନନ୍ତପୁର-ନୂଆଦିଲ୍ଲୀ କିଷାନ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କିଷାନ ରେଳଟି ଦକ୍ଷିଣ ଭାରତର ପ୍ରଥମ ଏ ଧରଣର ଟ୍ରେନଭାବେ ଆନ୍ଧ୍ରର ଅନନ୍ତପୁରରୁ ଦିଲ୍ଲୀର ଆଦର୍ଶନଗର ମଧ୍ୟରେ ଯାତାୟାତ କରିବ। ଏହାର ରେକ୍‌ରେ ୧୪ଟି ପାର୍ଶଲ ଭ୍ୟାନ ରହିଛି। ସେଥିମଧ୍ୟରୁ ୪ଟି ନାଗପୁରରେ ଓହ୍ଲାଇବ ଏବଂ ଅନ୍ୟ ୧୦ଟି ଆଦର୍ଶନଗର ଯିବ। ଏଥିରେ ମୋଟ ୩୩୨ ଟନ ସାମଗ୍ରୀ ପ୍ରେରଣ କରାଯାଇଛି।

ଏହି ଟ୍ରେନରେ ମୁଖ୍ୟତଃ ଟମାଟୋ, ପାଚିଲା କଦଳୀ, ମିଠା କମଳା, ଅମୃତଭଣ୍ଡା, ଫୁଟିକାକୁଡି ଏବଂ ଆମ୍ବ ଆଦି ରହିଛି। ଏହି ଟ୍ରେନଦ୍ୱାରା ଅନନ୍ତପୁର ଏବଂ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ତ୍ୱରିତ ସଂଯୋଗ ସ୍ଥାପନ ସମ୍ଭବ ହୋଇଛି। ପ୍ରାୟ ୪୦ ଘଣ୍ଟା ମଧ୍ୟରେ ଏହି ଟ୍ରେନ ୨୧୫୦ କିମି ପଥ ଅତିକ୍ରମ କରିବ। ଅନନ୍ତପୁର ଆନ୍ଧ୍ରପ୍ରଦେଶର ଫଳମଣ୍ଡିରେ ପରିଣତ ହୋଇଛି। ଏହି ଜିଲ୍ଲାରେ ଉତ୍ପାଦିତ ହେଉଥିବା ୮୦ ପ୍ରତିଶତରୁ ଅଧିକ ଫଳ ଓ ପନିପରିବା ଅନ୍ୟାନ୍ୟ ରାଜ୍ୟରେ ବିକ୍ରି ହୋଇଥାଏ। ବିଶେଷକରି ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଆଦି ଉତ୍ତର ଭାରତର ରାଜ୍ୟରେ ଅନନ୍ତପୁରର ଫଳ ଓ ପନିପରିବାର ଚାହିଦା ଅଧିକ। ଏହି ଜିଲ୍ଲାରେ ବାର୍ଷିକ ୫୮ ଲକ୍ଷ ମେଟ୍ରିକ ଟନ ଫଳ ଓ ପନିପରିବା ଉତ୍ପାଦିତ ହୋଇଥାଏ। ପୂର୍ବରୁ ଏସବୁ ଫଳ ଓ ପନିପରିବା ଟ୍ରକ ଯୋଗେ ଅନ୍ୟାନ୍ୟ ରାଜ୍ୟକୁ ଯାଉଥିଲା। ସଡ଼କ ପରିବହନ ବିଳମ୍ବିତ ଓ ଖର୍ଚ୍ଚ ବହୁଳ ହେବାରୁ ଚାଷୀମାନେ ବିଶେଷ ଲାଭ ପାଉ ନ ଥିଲେ। ଆହୁରି ମଧ୍ୟ ସଡକ ପରିବହନ ଯୋଗୁଁ ଫଳ ଓ ପନିପରିବା ପଚିସଢି ଯାଉଥିଲା। ରେଳ ପରିବହନ ଅଧିକ ନିରାପଦ, ବିଶ୍ୱସ୍ତ ଓ ତ୍ୱରିତ ହୋଇଥିବାରୁ ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି। ସେମାନଙ୍କୁ ନିଶ୍ଚିତ ଅଧିକ ମୂଲ୍ୟ ମିଳିବ ଏବଂ ସେମାନଙ୍କର ଆୟ ମଧ୍ୟ ବଢିବ।

ରେଳବାଇ ପକ୍ଷରୁ ଏଥିପାଇଁ ଏକ ବ୍ୟବସାୟ ବିକାଶ ୟୁନିଟ ଗୁଣ୍ଟକଲ୍‌ଠାରେ ଖୋଲାଯାଇଛି। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଏହି ଯୋଜନାରେ ସହାୟତା କରି ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସୁସମନ୍ୱୟ ପ୍ରତିଷ୍ଠା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.