Home ଓଡ଼ିଶା ଉଷାକୋଠି ଅଭୟାରଣ୍ୟ ବଡ଼ରମାରୁ ଚିତା ବାଘର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଠ

ଉଷାକୋଠି ଅଭୟାରଣ୍ୟ ବଡ଼ରମାରୁ ଚିତା ବାଘର ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଠ

228

ସମ୍ବଲପୁର ୨୩-୬ (ଓଡ଼ିଆ ପୁଅ/ସରୋଜ ସାହୁ) : ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘର ମୃତ ଦେହ ଉଦ୍ଧାର ହୋଇଛି। ବାଘ ଟି ଗତ ୪/ ୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟ ର ୭ ନମ୍ବର ୱାଚ ଟାୱାର ନିକଟ କୁଦାନଖୋଳ ନାମକ ଏକ ଗୁମ୍ଫା ରେ ମରି ପଡି ଥିବାର ଗ୍ରାମବାସୀ ଦେଖି ବନ ବିଭାଗ କୁ ସୂଚନା ଦେଇଥିଲେ। ଗ୍ରାମବାସୀଙ୍କ ଠାରୁ ବନ ବିଭାଗ କର୍ମଚାରୀମାନେ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ମୃତ ବାଘକୁ ଉଦ୍ଧାର କରିଥିଲେ। ଜମନକିରା ବ୍ଲକ ପଶୁ ଚିକିତ୍ସକ ଡ ଏସ ପି ସିଂ ବରିହା ବାଘର ଶବ ବ୍ୟବଛେଦ କଲା ପରେ ବନ ବିଭାଗ କର୍ମଚାରୀମାନେ ସେହି ନିକଟରେ ମାଟିରେ ପୋତି ଦେଇଥିଲେ। ଏହି ସ୍ଥାନଟି ସମ୍ବଲପୁର ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥ ରୁ ମାତ୍ର ୧୦ କିଲୋମିଟର ଦୂର ଅଟେ। ଘଟଣା ସ୍ଥଳକୁ ସମ୍ବଲପୁର ଆରସିସିଏଫ ଚିତ୍ତ ରଞ୍ଜନ ମିଶ୍ର, ବାମରା ଡ଼ିଏଫଓ ନୃସିଂହ ଚରଣ ମିଶ୍ର, ଏସିଏଫ ଯଦୁମଣି କେର୍କେଟା, ରାଜେନ୍ଦ୍ର କୁମାର ନାୟକ, ପ୍ରମୁଖ ପହଂଚିଥିଲେ। ବଡ଼ରମା ଫରେଷ୍ଟର ରଞ୍ଜନ କୁମାର ଜିତ, କଦଳୀପାଳ ଫରେଷ୍ଟର ସୁବୋଧ କୁମାର ମାଝୀ, କୁତବ ଫରେଷ୍ଟ ଗାର୍ଡ ରିତୁ ରଞ୍ଜନ ଭୋଇ, ଫରେଷ୍ଟ ଗାର୍ଡ ପରେଶ ନାୟକ, ଫରେଷ୍ଟ ଗାର୍ଡ ସ୍ମିତା ତିର୍କି ଓ ଫରେଷ୍ଟ ଗାର୍ଡ କୃପାସିନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବାଘଟି ବୟସାଧିକ କାରଣ ଯୋଗୁଁ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି। ଅନ୍ୟ ପକ୍ଷରେ କିନ୍ତୁ ଶିକାରୀମାନେ ବାଘକୁ ମାରି ଦେଇ ଏଭଳି କରିଥାଇ ପାରନ୍ତି ବୋଲି ଅଂଚଳରେ ଚର୍ଚ୍ଚା ହେଉଛି। ବାଘର ମୃତଦେହ ମିଳିବା ପରେ ଅଞ୍ଚଳବାସୀ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି। ତେବେ ଘଟଣା ର ତଦନ୍ତ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.