Home Top News ନିମେଇସାପୁର ମାନସିକ ବିକାରଗ୍ରସ୍ତ ନାବାଳିକା ଦୁଷ୍କର୍ମ ଘଟଣା: ସରଜମିନ ତଦନ୍ତ କଲା ବିଜେପି ମହିଳା ମୋର୍ଚ୍ଚା

ନିମେଇସାପୁର ମାନସିକ ବିକାରଗ୍ରସ୍ତ ନାବାଳିକା ଦୁଷ୍କର୍ମ ଘଟଣା: ସରଜମିନ ତଦନ୍ତ କଲା ବିଜେପି ମହିଳା ମୋର୍ଚ୍ଚା

170

ଭୁବନେଶ୍ୱର/କଟକ: କଟକ ଜିଲ୍ଲା କନ୍ଦରପୁର ଥାନା ନିମେଇସାପୁରରେ ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧୀ ଦଳ ପୀଡ଼ିତାର ଗାଁ’କୁ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ସହ ଘଟଣାର ସରଜମିନ ତଦନ୍ତ କରି ଫେରିଛନ୍ତି। ପ୍ରତିନିଧୀ ଦଳ ପୀଡ଼ିତା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ କନ୍ଦରପୁର ଥାନା ଅଧିକାରୀଙ୍କ ସହ ଦୁଷ୍କର୍ମ ସଂପର୍କରେ ଆଲୋଚନା କରି ଅପରାଧୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନାବାଳିକା ପୀଡ଼ିତାକୁ ଦୁଷ୍କର୍ମ କରାଯିବା ପରେ ମେଡିକୋ ଲିଗାଲ କେସର ପୁଲିସର ସୁପାରିଶ ନଥିବାରୁ ଏସସିବି ମେଡିକାଲର ଡାକ୍ତରମାନେ ପୀଡ଼ିତାର ଚିକିତ୍ସା ଉପରେ ଗୁରୁତ୍ୱ ଦେଇନଥିଲେ। ପୋଲିସ ମଧ୍ୟ ଶାସକ ଦଳ ଚାପରେ ସମ୍ବେଦନହୀନ ହୋଇ ପୀଡ଼ିତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ନଥିଲା। ଅନ୍ୟପଟେ ଏଯାବତ୍ ପୀଡ଼ିତା ପରିବାରକୁ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ। ସ୍ଥାନୀୟ ବିଧାୟକ ଏବଂ ସରପଞ୍ଚ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜର ଉପସ୍ଥିତି ଜାହିର କରୁଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୀଡ଼ିତାକୁ ଦେଖା ନକରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର ଆକ୍ଷେପ କରି କହିଛନ୍ତି। ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ମହିଳାଙ୍କ ପ୍ରତି ରାଜ୍ୟ ସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୀଡ଼ିତା ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତାକୁ ସମସ୍ତ ସହଯୋଗ ଯୋଗାଇବା ପରିବର୍ତ୍ତେ ଚୁପ୍ ବସିଛି। ପୁଲିସର ଏଭଳି ଆଭିମୁଖ୍ୟ କାରଣରୁ ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଇ ଚାଲିଛନ୍ତି ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ତୁରନ୍ତ ଜିଲ୍ଲା ପ୍ରସାଶନ ପକ୍ଷରୁ ପୀଡ଼ିତା ନାବାଳିକାକୁ କ୍ଷତିପୂରଣ ଦେବା ସହ ପୀଡ଼ିତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉ। ପୋଲିସର ଏଭଳି ବେପରୁଆ ମନୋଭାବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସ୍ଥାନୀୟ ଅଞ୍ଚଳର କିଛି ଖଳ ପ୍ରକୃତିର ଲୋକ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ରହୁଥିବାରୁ ପୋଲିସ ସେମାନଙ୍କୁ ଗିରଫ କରି କନ୍ଦରପୁର ଅଞ୍ଚଳକୁ ଅପରାଧୀ ମୁକ୍ତ କରିବା ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ପ୍ରତିନିଧୀ ଦଳ ଆଲୋଚନା କରିଥିଲା। ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧୀ ଦଳରେ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ, ଇତିଶ୍ରୀ ଜେନା, ମହିଳା ମୋର୍ଚ୍ଚା କଟକ ଜିଲ୍ଲା ସଭାନେତ୍ରୀ ପ୍ରବୀଣା ମହାପାତ୍ର , କଟକ ସଦର ଜିଲ୍ଲା ସଭାନେତ୍ରୀ ଯାଜ୍ଞସେନୀ ଜେନା ଏବଂ ପ୍ରତିଭା ଶତପଥୀ ପ୍ରମୁଖ ସାମିଲ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.