Home ଅପରାଧ କଟକ; ୨୨ ଦିନ ଧରି ନାବାଳିକା ସହ ଦୁଷ୍କର୍ମ ଘଟଣା: ମହିଳାଙ୍କୁ ସୁରକ୍ଷା ନ’ଦେଇ ପାରିଲେ...

କଟକ; ୨୨ ଦିନ ଧରି ନାବାଳିକା ସହ ଦୁଷ୍କର୍ମ ଘଟଣା: ମହିଳାଙ୍କୁ ସୁରକ୍ଷା ନ’ଦେଇ ପାରିଲେ ଗାଦି ଛାଡ଼- ବିଜେପି

176

ଭୁବନେଶ୍ୱର: ରାଜ୍ୟରେ ନାବାଳିକା ଏବଂ ମହିଳାମାନେ ସଂପୂର୍ଣ୍ଣ ଭାବେ ଅସୁରକ୍ଷିତ। ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କୁ ଅଶାଳୀନ ବ୍ୟବହାର ଭଳି ଅପରାଧରେ ଦେଶରେ ଓଡ଼ିଶା ଏକ ନମ୍ବର ବୋଲି ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ମହିଳାଙ୍କ ପ୍ରତି ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମହିଳାଙ୍କ ସହ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି। ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳର ଏକ ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତ ପାଟଣାଠାରେ କିଛି ଦୁର୍ବୁତ୍ତ ୨୨ ଦିନ ଧରି ଦୁଷ୍କର୍ମ କରିବା ଘଟଣା ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନର ମୁଖା ଖୋଲିଦେଇଛି। କମିଶନରେଟ୍ ଅଧୀନରେ ଥିବା କଟକ ସହରରେ ୩ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଏକ ନାବାଳିକା ସହ ଦୁଷ୍କର୍ମ ହେଉଥିବା ବେଳେ ପୋଲିସ ଏବଂ ପ୍ରଶାସନ କିପରି ଏ’ ସମ୍ବନ୍ଧରେ କିଛି ଜାଣିପାରିଲେ ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳାଙ୍କ ସୁରକ୍ଷା ଦିଗରେ କୌଣସି କଠୋର ଆଇନ ରାଜ୍ୟରେ ଲାଗୁ ହୋଇନଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ବିଜେପି ପକ୍ଷରୁ ୧୫୦ରୁ ଉର୍ଦ୍ଧ୍ୱ ଦୁଷ୍କର୍ମ ଘଟଣା ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ବି ମୁଖ୍ୟମନ୍ତ୍ରୀ ଏ’ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର, ଦୁଷ୍କର୍ମ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ନୀରବ ରହିଛନ୍ତି। କେବଳ ଏହି ଘଟଣା ନୁହେଁ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ଘଟଣା, ବୀରମିତ୍ରପୁର ପୋଲିସ ଥାନା ଭିତରେ ଥାନା ଅଧିକାରୀ ଏକ ନାବାଳିକା ଆଦିବାସୀ ଝିଅକୁ ୪ ମାସ ଧରି ଦୁଷ୍କର୍ମ କରିବା ଘଟଣା ସମେତ ଅନେକ ଘଟଣା ବିରୁଦ୍ଧରେ ରାଜ୍ୟ ସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି। ଅନ୍ୟପଟେ ତିର୍ତ୍ତୋଲରେ ଉପ ନିର୍ବାଚନରେ ରାଜ୍ୟ ସରକାର, ପୋଲିସ ଏବଂ ପ୍ରଶାସନ ନିର୍ବାଚନ କିପରି ଶାସକ ଦଳ ଜିତିବ ସେନେଇ କାର୍ଯ୍ୟ କରୁଛନ୍ତି। ଶାସକ ଦଳ ନାରୀ ଏବଂ ନାବାଳିକାଙ୍କୁ ସୁରକ୍ଷା ଦେଇପାରୁ ନଥିବାରୁ ତାଙ୍କୁ ଶାସନ ଦାୟୀତ୍ୱରେ ରହିବାର କୌଣସି ଅଧିକାର ନାହିଁ। ମହିଳା ଅପରାଧ ଘଟଣା ଗୁଡ଼ିକରେ ରାଜ୍ୟ ମହିଳା କମିଶନ ରାଜନୈତିକ ଅଭିସନ୍ଧି ଦେଖିକରି ମୁହଁ ଖୋଲନ୍ତି। ୫ ବର୍ଷ ପରେ ଏବେ ୧୫ ଦିନ ତଳେ ମହିଳା କମିଶନ ମୁହଁ ଖୋଲିଥିଲେ। ମହିଳା ଶିଶୁ ବିକାଶ ମନ୍ତ୍ରୀ, ଗୃହମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷା ଦିଗରେ ସବୁବେଳେ ନୀରବ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ସମ୍ମାନର କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କର ଗତ ୭ ମାସ ହେଲା ଦର୍ଶନ ମିଳୁନି। ମାସ ମାସ ଧରି ଅଜ୍ଞାତବାସରେ ରହିଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ମାନଙ୍କୁ କେବେ ବି ନ୍ୟାୟ ଦେଇ ପାରିବେ ନାହିଁ। ତିର୍ତ୍ତୋଲ ଉପନିର୍ବାଚନ ବିଜେଡି ଡିତିବା ନେଇ ଶାସକ ଦଳ ନେତା ଡିଣ୍ଡିମ ପିଟୁଥିବା ବେଳେ ସେହି ଅଞ୍ଚଳର ଏକ ନାବାଳିକା ସହ ଦୁଷ୍କର୍ମ ଘଟଣାରେ ଏବେ ସେମାନେ ନୀରବଦ୍ରଷ୍ଟା ସାଜିଛନ୍ତି। ୫୦ ଭାଗ ମହିଳା ଭୋଟରଙ୍କ ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହୁଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ଯେଉଁମାନେ ମହିଳାଙ୍କୁ ସୁରକ୍ଷା ଦେଇ ନପାରିବେ ସେ ରାଜନୈତିକ ଦଳ ନିଜ ଗାଦି ଛାଡ଼ନ୍ତୁ ବୋଲି ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଆମ୍ବୁଲାନ୍ସ ନମିଳିବା ଯୋଗୁଁ ଟ୍ରଲିରେ ଏକ ମହିଳା ରୋଗୀଙ୍କୁ ୯୦ କିମି ପର୍ଯ୍ୟନ୍ତ ନେଇ ଶେଷରେ ମେଡିକାଲରେ ତାଙ୍କର ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ ନାହିଁ। ଦିନ ଦ୍ୱପ୍ରହରରେ ମା’ ଭଉଣୀଙ୍କ ଇଜ୍ଜତ ଲୁଟ୍ ହେବ ଏବଂ ସରକାର ପୋଲିସ ଚୁପ୍ ରହିବେ, ଏଭଳି ସରକାର ଶାସନରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ତୁରନ୍ତ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାରେ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ପୋକସୋ ଆକ୍ଟ ଲଗାଇ ଫାଶୀ ଦେବାର ବ୍ୟବସ୍ଥା କରନ୍ତୁ। ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବ ନରହି କେବେ ମହିଳାଙ୍କ ପ୍ରତି ଜିରୋ ଟଲେରାନ୍ସ ଆଇନ ଆଣିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ସଧାରଣ ସମ୍ପାଦିକା ଲେଖାଶ୍ରୀ ଦାବୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚାର ବରିଷ୍ଠ ନେତ୍ରୀ ରଶ୍ମିରେଖା ଦାସ ଏବଂ ଆଇଟି ସେଲ୍ ପ୍ରମୂଖ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଖୋଜୁଛି। ଗିରଫ ଅଭିଯୁକ୍ତ ଜଣଙ୍କର ନାମ ସନ୍ତୋଷ ବେହେରା ବୋଲି ସୂଚନା ମିଳିଛି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.