Home Coronavirus Outbreak କୋଭିଡ-୧୯ର ମୁକାବିଲା ପାଇଁ ପିପିଇ କିଟ୍ସ, ଏନ୯୫ ମାସ୍କ ଓ ଭେଂଟିଲେଟର ଉପଲବ୍ଧ

କୋଭିଡ-୧୯ର ମୁକାବିଲା ପାଇଁ ପିପିଇ କିଟ୍ସ, ଏନ୯୫ ମାସ୍କ ଓ ଭେଂଟିଲେଟର ଉପଲବ୍ଧ

178

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ କେତେକ ପଦକ୍ଷେପମାନ ନିଆଯାଇଛି। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ, ମାସ୍କ ଏବଂ ଭେଂଟିଲେଟର ଯୋଗାଣକୁ ପର୍ଯ୍ୟାପ୍ତ କରିବା ପାଇଁ ଏଗୁଡିକ ପ୍ରସ୍ତୁତ କରୁଥିବା କାରଖାନାଗୁଡିକ ଅହୋରାତ୍ର କାର୍ଯ୍ୟ କରୁଛନ୍ତି। ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଭେଂଟିଲେଟର ନିର୍ମାଣ କରୁଥିବା ବେଳେ ଅନ୍ୟାନ୍ୟ ଔଷଧ କମ୍ପାନୀଗୁଡିକ ଏଭଳି ଜଟିଳ ପରିସ୍ଥିତିରେ ଔଷଧର ଅଭାବ ରହିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି। ଏପରିକି ଅଟୋ ନିର୍ମାଣକାରୀ କମ୍ପାନୀଗୁଡିକ ମଧ୍ୟ ଭେଂଟିଲେଟର ନିର୍ମାଣରେ ଲାଗି ପଡିଛନ୍ତି। ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଉଛି।

ବ୍ୟକ୍ତିକୁ ସୁରକ୍ଷା ଯୋଗାଉଥିବା ଉପକରଣ ବା ପିପିଇ କିଟ୍ସ, ଆଇସିୟୁ ବା ଆଇସୋଲେସନ ୱାର୍ଡରେ କର୍ତବ୍ୟରତ କର୍ମଚାରୀଙ୍କ ପାଇଁ ରୋଗ ଜୀବାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଗୁଡିକ ବ୍ୟବହୃତ ହୋଇଥାଏ। ସାଧାରଣତଃ ଏହି ସାମଗ୍ରୀଗୁଡିକ ଆମ ଦେଶରେ ତିଆରି ହୋଇ ନଥାଏ। ତେବେ ଭବିଷ୍ୟତରେ ଏହାର ଆବଶ୍ୟକତାକୁ ଆଖି ଆଗରେ ରଖି ଭାରତ ସରକାର ଦେଶରେ ତାହାର ପ୍ରସ୍ତୁତି ପାଇଁ ଆଗୁଆ ପଦକ୍ଷେପମାନ ନେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବୟନ ମନ୍ତ୍ରଣାଳୟ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। କେତେକ ଘରୋଇ ନିର୍ମାଣକାରୀ କମ୍ପାନୀ ମଧ୍ୟ ଏ ଦିଗରେ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଗୁଣାତ୍ମକ ପିପିଇ କିଟ ତିଆରି କରିବା ପାଇଁ ୧୧ ଟି ସଂସ୍ଥାକୁ ବଛାଯାଇଛି। ସେମାନଙ୍କୁ ୨୧ ଲକ୍ଷ ପିପିଇ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଛି। ବର୍ତମାନ ସେମାନେ ଦିନକୁ ୬ ରୁ ୭ ହଜାର ପର୍ଯ୍ୟନ୍ତ ପିପିଇ କିଟ ଯୋଗାଉଥିବା ବେଳେ ଆଉ ସପ୍ତାହକ ମଧ୍ୟରେ ଏହା ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଉ ଜଣେ ପ୍ରସ୍ତୁତକାରୀ ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ ୫ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ଅର୍ଡର ଦିଆଯାଇଛି।

ଦେଶରେ ବିଭିନ୍ନ ହସ୍ପିଟାଲରେ ବର୍ତମାନ ୩ ଲକ୍ଷ ୩୪ ହଜାର ପିପିଇ କିଟ ଉପଲବ୍ଧ ଅଛି। ପ୍ରାୟ ୬୦ ହଜାର ପିପିଇ କିଟ ସରକାରଙ୍କ ହାତକୁ ଆସିଯାଇଛି। ଭାରତୀୟ ରେଡକ୍ରସ ସଂସ୍ଥା ଚୀନରୁ ୧୦ ହଜାର ପିପିଇ କିଟ ଆଣିବା ପରେ ସେଗୁଡିକୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି। ଆଉ ୩ ଲକ୍ଷ ପିପିଇ କିଟ ଆସନ୍ତା ମାସ ୪ ତାରିଖ ସୁଦ୍ଧା ଦେଶରେ ଆସି ପହଂଚିବ। ଭାରତୀୟ ଆୟୁଧ କାରଖାନାକୁ ଇତି ମଧ୍ୟରେ ୩ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଦେଶରେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବୃଦ୍ଧି ପାଇଥିବାରୁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ବାହାରୁ ପିପିଇ କିଟ ଆଣିବା ଲାଗି ଉଦ୍ୟକ କରାଯାଉଛି। ସିଙ୍ଗାପୁରସ୍ଥିତ ଏକ କମ୍ପାନୀକୁ ଅନଲଇନ ଜରିଆରେ ୧୦ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଅର୍ଡର ଦିଆଯାଇଛି। କୋରିଆର ଅନ୍ୟ ଏକ ଯୋଗାଣକାରୀ ସଂସ୍ଥା ଯାହାରକି ଭିଏତନାମ ଓ ତୁର୍କୀର ପ୍ରସ୍ତୁତକାରୀ ସଂସ୍ଥା ସହ ସମ୍ପର୍କ ରହିଛି, ତାକୁ ମଧ୍ୟ ଚିହ୍ନଟ କରାଯାଇ ୨୦ ଲକ୍ଷ ପିପିଇ କିଟ ଯୋଗାଇବା ପାଇଁ କୁହାଯାଇଛି।

ଦେଶର ଦୁଇଟି ପ୍ରସ୍ତୁତକାରୀ ସଂସ୍ଥା ସାଧାରଣତଃ ଏନ୯୫ ମାସ୍କ ପ୍ରସ୍ତୁତ କରିଥାନ୍ତି। ବର୍ତମାନ ସମୟରେ ଦିନକୁ ୫୦ ହଜାର ମାସ୍କ ଯୋଗାଉଥିବା ବେଳେ ଆଗାମୀ ସପ୍ତାହକ ମଧ୍ୟରେ ସେମାନେ ତାଙ୍କ ଉତ୍ପାଦନ ୧ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ପ୍ରତିରକ୍ଷା ବିକାଶ ଗବେଷଣା ସଂଗଠନ (ଡିଆରଡିଓ) ସ୍ଥାନୀୟ ପ୍ରସ୍ତୁତକାରୀ ସଂସ୍ଥା ସହ ଯୋଗସୂତ୍ର ସ୍ଥାପନ କରି ଦିନକୁ ୨୦ ହଜାର ଏନ୯୯ ମାସ୍କ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି। ଏଗୁଡିକ ସପ୍ତାହକ ମଧ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ବର୍ତମାନ ସୁଦ୍ଧା ଦେଶର ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୨ ଲକ୍ଷ ଏନ୯୫ ମାସ୍କ ମହଜୁଦ ରହିଛି। ୫ ଲକ୍ଷ ଅତିରିକ୍ତ ମାସ୍କ ଗତ ଦୁଇ ଦିନ ମଧ୍ୟରେ ବଂଟା ଯାଇଥିବା ବେଳେ, ୧ ଲକ୍ଷ ୪୦ ହଜାର ମାସ୍କ ଏବେ ବଂଟା ଯାଉଛି। ସିଙ୍ଗାପୁରରୁ ଆସୁଥିବା ପିପିଇ କିଟ ସହିତ ୧୦ ଲକ୍ଷ ମାସ୍କ ମଧ୍ୟ ଆସିବ।

ଶ୍ୱାସକ୍ରିୟା କଷ୍ଟ ଲକ୍ଷଣ ଯୋଗୁଁ କୋଭିଡ-୧୯ ଚିକିତ୍ସା ପାଇଁ ଭେଂଟିଲେଟର ଆବଶ୍ୟକତା ରହିଛି। ଦେଶରେ ଏବେ ୨୦ଜଣ କରୋନା ଆକ୍ରାନ୍ତ ରୋଗୀ ଭେଂଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି। ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅଦ୍ୟାବଧି ୧୪ ହଜାର ଭେଂଟିଲେଟର ମହଜୁଦ ଥିବା ଜଣାଯାଇଛି।

ନଇଡାର ଆଗଭା ନାମକ ଏକ ସ୍ୱାସ୍ଥ୍ୟ ରକ୍ଷା ସଂସ୍ଥା ଭଲ ଭେଂଟିଲେଟର ପ୍ରସ୍ତୁତ କରୁଥିବା ଜଣାପଡିବା ପରେ ତାକୁ ୧୦ ହଜାର ଭେଂଟିଲେଟର ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଛି। ଏପ୍ରିଲ ମାସ ୨ୟ ସପ୍ତାହ ସୁଦ୍ଧା ଏହାର ଯୋଗାଣ ହେବ। ଏହା ବ୍ୟତୀତ ଘରୋଇ ପ୍ରସ୍ତୁତକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି ୩୦ ହଜାର ଭେଂଟିଲେଟର ନିର୍ମାଣ କରିବାକୁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ ଅର୍ଡର ଦିଆଯାଇଛି। ଅଟୋ ଉତ୍ପାଦନକାରୀ ସଂସ୍ଥାଗୁଡିକ ମଧ୍ୟ ଭେଂଟିଲେଟର ନିର୍ମାଣ କରୁଛନ୍ତି। ଏହାଛଡା ଭେଂଟିଲେଟର ସପ୍ଲାଇ ପାଇଁ ବିଦେଶରେ ଥିବା ହାମିଲଟନ, ମିର୍ଣ୍ଡେ ଓ ଡ୍ରାଗିୟର କମ୍ପାନୀଗୁଡିକୁ ମଧ୍ୟ ଅର୍ଡର ଦିଆଯାଇଛି। ଏହାଛଡା ଚୀନରୁ ପ୍ରାୟ ୧୦ ହଜାର ଭେଂଟିଲେଟର ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୀନରେ ଥିବା ଯୋଗାଣକାରୀଙ୍କ ସହ କଥାବାର୍ତ୍ତା ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.