Home ଓଡ଼ିଶା କରୋନା ସତର୍କତା: ନର୍ସିଂହୋମ ଗୁଡିକୁ ଚେତାବନୀ

କରୋନା ସତର୍କତା: ନର୍ସିଂହୋମ ଗୁଡିକୁ ଚେତାବନୀ

319

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କରୋନା ପ୍ରତିଷେଧକ ବ୍ୟବସ୍ଥା ଜୋରଦାର କରାଯାଇଛି। ଘରୋଇ ନର୍ସିଂହୋମ ଗୁଡିକୁ ଶୁକ୍ରବାର ସତର୍କ କରାଇଛି। ଜିଲା ପ୍ରଶାସନ। ଘରୋଇ କ୍ଲିନିକ୍ ଏବଂ ପାଥୋଲାବ ଉପରେ ସତର୍କସୃଷ୍ଟି ରଖାଯାଇଛି। ଥଣ୍ଡା ଓ ସର୍ଦି ରୋଗୀଙ୍କ ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିୟମିତ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ସନ୍ଦିଗ୍ଧ କରୋନା ସଂକ୍ରମିତ ସଂପର୍କରେ ସୂଚନା ମିଳିଲେ ସଙ୍ଗେ ସଙ୍ଗେ ଜଣାଇବାକୁ କୁହାଯାଇଛି। ସରକାରୀ ନିର୍ଦେଶନାମା ଉଲ୍ଲଘଂନ କଲେ ସଂପୃକ୍ତ ଘରୋଇ ନର୍ସିଂହୋମ କ୍ଲିନିକ୍ ଏବଂ ପାଥୋଲାବ ଗୁଡିକର ଲାଇସେନ୍ସ ବାତିଲ କରାଯିବ ବୋଲି ଜିଲାପାଳ ବଲଓନ୍ତ ସିଂ ଚେତାବନୀ ଦେଇଛନ୍ତି। ପୁରୀ ଦେଶର ପ୍ରମୁଖ ପର୍ଯ୍ୟଟନ ସହର ହୋଇଥିବାରୁ ହାଇଆଲର୍ଟ ଜାରି କରିଛି ଜିଲା ପ୍ରଶାସନ। ପର୍ଯ୍ୟଟନ ବିଭାଗ ଟୁର ଆଣ୍ଡ ଟ୍ରାଭେଲ ଅପରେଟର ଏବଂ ହୋଟେଲ ମାଲିକଙ୍କୁ ସତର୍କ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ପ୍ରତିକାର ଏବଂ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ବ୍ୟାପକ ଜନଜାଗରଣ ସୃଷ୍ଟି ପାଇଁ ଯଥାଶୀଘ୍ର ବିଭିନ୍ନ ସ୍ଥାନରେ ହୋର୍ଡିଂ ଏବଂ ବ୍ୟାନର ଲଗାଇବାକୁ ସ୍ଥିର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ୩୨ଟି ଘରୋଇ ନର୍ସିଂହୋମ କ୍ଲିନିକ୍ ଏବଂ ପାଥୋଲାବ ରହିଛି। ରାଜ୍ୟ ସରକାର କରୋନା ଭୂତାଣୁ ପ୍ରତିଷେଧକ ବ୍ୟବସ୍ଥାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ ସୁଇମିଂପୁଲ ସମ୍ମିଳନୀ କକ୍ଷ ଏବଂ ସଭାସମିତି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ସିଂହଦ୍ୱାର ସୂଚନା କେନ୍ଦ୍ରରୁ ପ୍ରଚାର ବ୍ୟବସ୍ଥା ପାଇଁ ସ୍ଥିର ହୋଇଛି। ରାଜ୍ୟ ସରକାର ଶୁକ୍ରବାର ଶିକ୍ଷାନୁଷ୍ଠାନ ଗୁଡିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ସରକାରୀ ଓ ବେସରକାରୀ ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ସୁପରିଚାଳନା ସଂପର୍କରେ ଆଲୋଚନା କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ୭ ନିୟନ୍ତ୍ରଣ କକ୍ଷ ସମେତ ସ୍ୱତନ୍ତ୍ର ଓାର୍ଡ ଖୋଲାଯାଇଛି। ରାଜ୍ୟ ବାହାରୁ ଯଦି କୌଣସି ଥଣ୍ଡା କାଶ ଓ ସର୍ଦି ରୋଗୀ ଡାକ୍ତରଖାନା ଆସନ୍ତି ତାଙ୍କ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସନ୍ଦିଗ୍ଧ ରୋଗୀଙ୍କ ଯଥାଶୀଘ୍ର କଟକ ଶ୍ରୀରାମଚନ୍ଦ୍ର ଭଞ ମେଡିକାଲ କଲେଜ ଓ ହାସପାତାଳ ପଠାଇବାକୁ ସ୍ଥିର କରାଯାଇଛି। ସ୍ୱତନ୍ତ୍ର ସର୍କିଟ ହାଉସରେ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ଘରୋଇ ନର୍ସିଂହୋମ ଏବଂ କ୍ଲିନିକ୍ ମାଲିକମାନେ ସେଥିରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.