Home Top News ସଂରକ୍ଷଣ ପ୍ରସଙ୍ଗ: ଓବିସି ଓ ପଛୁଆ ବର୍ଗଙ୍କୁ କେବେ ସଂରକ୍ଷଣ ଦେବେ ରାଜ୍ୟ ସରକାର ?

ସଂରକ୍ଷଣ ପ୍ରସଙ୍ଗ: ଓବିସି ଓ ପଛୁଆ ବର୍ଗଙ୍କୁ କେବେ ସଂରକ୍ଷଣ ଦେବେ ରାଜ୍ୟ ସରକାର ?

32

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ କ୍ୟାବିନେଟରେ ସଂକଳ୍ପ ପାରିତ କରିଛନ୍ତି। ମାତ୍ର ସାମ୍ବିଧାନିକ ବ୍ୟବସ୍ଥା ସତ୍ତ୍ୱେ ରାଜ୍ୟ ସରକାର ଓବିସି ବର୍ଗ ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ପଦକ୍ଷେପ କାହିଁକି ନେଉନାହାନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ମୋଦି ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିବା ପାଇଁ ଆଇନ ପ୍ରଣୟନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ତେବେ ଦେଖିବାକୁ ଗଲେ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲରେ ଅଧିକାଂଶ ଓବିସି ତଥା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପରିବାରର ପିଲାମାନେ ମାନେ ହିଁ ପାଠ ପଢୁଛନ୍ତି। ଏହି ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୦ ମସିହା ଜାନୁଆରୀ ୧୫ ତାରିଖରେ ଏବଂ ତା’ ପୂର୍ବରୁ ଜୁଲାଇ ମାସ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ବିଶେଷ ଅଧିବେଶନ ଡାକି ବିଲ୍ ପାସ କରି ଉପରୋକ୍ତ ଦୁଇଟି ବର୍ଗରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଲେଖାଶ୍ରୀ ଦାବି କରିଛନ୍ତି।

ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡ଼ିଶା ସରକାର ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କ’ଣ ପାଇଁ ସଂରକ୍ଷଣ ଦେଉନାହାନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡ଼ିକର ଜନ ସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ମାତ୍ର ଓଡ଼ିଶା ଜନ ସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ କାହିଁକି ବଞ୍ଚିତ ରହିଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ପ୍ରତିବନ୍ଧକ ନାହିଁ। ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ। ମହାରାଷ୍ଟ୍ରରେ ବିଜେପି ସରକାର ଥିବା ବେଳେ, ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ଓ ଏହା ମାନ୍ୟବର ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମାଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢ଼ାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ। ରାଜ୍ୟରେ ୧୯୯୩ ମସିହା ଠାରୁ ଓଡ଼ିଶା ଷ୍ଟେଟ୍ କମିଶନ ଫର୍ ବ୍ୟାକୁଆର୍ଡ କ୍ଲାସେସ୍ ଆକ୍ଟ ପାସ୍ ହୋଇଥିବା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ। ତୁରନ୍ତ ଏହି ବ୍ୟାକୁଆର୍ଡ କ୍ଲାସ୍ କମିଶନ ଗଠନ କରି ବୈଜ୍ଞାନିକ ଓ ତଥ୍ୟ ସମ୍ବଳିତ ରିପୋର୍ଟ ଆଧାରରେ ଜନସଂଖ୍ୟା ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଲେଖାଶ୍ରୀ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.