Home ଜିଲ୍ଲା ପରିକ୍ରମା କୋବିଡ଼ ପର ସ୍ଥିତିର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ, ଭଦ୍ରକ ମେଡିକାଲ ମଧ୍ୟରେ ୩୨...

କୋବିଡ଼ ପର ସ୍ଥିତିର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ, ଭଦ୍ରକ ମେଡିକାଲ ମଧ୍ୟରେ ୩୨ ବେଡ କୋବିଡ ହସ୍‌ପିଟାଲ କାର୍ଯ୍ୟକ୍ଷମ

24

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ କୋବିଡ଼ ପରବର୍ତ୍ତୀ ସ୍ଥିତିର ସମୀକ୍ଷା ପାଇଁ ଭଦ୍ରକ ଜିଲ୍ଲା କୋବିଡ଼ ପରିଚାଳନାର ପ୍ରମୁଖ ଦାୟିତ୍ୱରେ ଥିବା ରାଜ୍ୟ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଆଜି ଭଦ୍ରକ ଗସ୍ତରେ ଆସିଥିଲେ । ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ସମୀକ୍ଷା ବୈଠକରେ ଯୋଗ ଦେଇ କୋବିଡ଼ ନିୟନ୍ତ୍ରଣାଧୀନ ହୋଇଥିବା ବେଳେ ଏହା ପରବର୍ତ୍ତୀ ଜୀବନଜୀବିକା କିପରି ଚାଲିଛି ସେ ନେଇ ପଚାରି ବୁଝିଥିଲେ । ଭଦ୍ରକରେ କୋବିଡ ହସ୍‌ପିଟାଲ ଥିବା ସାଳନ୍ଦୀ ହସ୍‌ପିଟାଲକୁ ବନ୍ଦ କରାଯାଇ ଏକ ୩୨ ଶଯ୍ୟା ବିଶିଷ୍ଟ କୋବିଡ ହସ୍‌ପିଟାଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ହୋଇଥିବା ନେଇ ସନ୍ତୋଷ ପ୍ରକଟ କରିଥିଲେ । କୋବିଡ଼ ପରେ ଲୋକେ ଯେପରି ସ୍ୱାଭାବିକ ଜୀବନ ଜୀବିକାକୁ ଫେରି ପାରି ସେ ନେଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର କୃଷି ଉତ୍ପାଦନ ବୃଦ୍ଧି, ଛତୁଚାଷ, ମାଛ ଚାଷ, କୁକୁଡା ଚାଷ, କୃଷି ଉଦ୍ୟୋଗରେ ଚାଷୀଙ୍କୁ ଋଣ ଯୋଗାଣ, ମନରେଗା ମାଧ୍ୟମରେ ଅଧିକ ଶ୍ରମଦିବସ ସୃଷ୍ଟି କରି ଅଧିକରୁ ଅଧିକ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇବା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ବଳରାମ ଯୋଜନାରେ ଭାଗଚାଷୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟକୁ ଆଗେଇ ନେବାକୁ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ପାଢୀ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.